ଟେରୀର ପୂର୍ବତନ ମୁଖ୍ୟ ଆର୍‌କେ ପଚୌରୀଙ୍କ ପରଲୋକ


ନୂଆଦିଲ୍ଲୀ: ବିଶିଷ୍ଟ ପରିବେଶବିତ ତଥା ଟାଟା ଏନ୍‌ର୍ଜି ରିସର୍ଚ୍ଚ ଇନ୍‌ଷ୍ଟିଚ୍ୟୁଟ୍‌ (ଏବେ ଦ ଏନର୍ଜି ଆଣ୍ଡ୍‌ ରିସୋର୍ସେସ୍‌ ଇନ୍‌ଷ୍ଟିଚ୍ୟୁଟ୍‌-ଟେରୀ ଭାବେ ଜଣାଶୁଣା)ର ମୁଖ୍ୟ ଆର.କେ ପଚୌରୀଙ୍କର ଗୁରୁବାର ସନ୍ଧ୍ୟାରେ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୭୯ ବର୍ଷ ବୟସ ହୋଇଥିଲା। ସେ ଦିଲ୍ଲୀର ଘରୋଇ ହସ୍ପିଟାଲ ଏସର୍କଟ ହାର୍ଟ ଇନଷ୍ଟିଚ୍ୟୁଟରେ ରହି ଚିକିତ୍ସିତ ହେଉଥିଲେ। ସେଠାରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବାରୁ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା। ଗତବର୍ଷ ଜୁଲାଇରେ ସେ ମେକ୍ସିକୋରେ ଥିବାବେଳେ ହୃଦଘାତର ଶିକାର ହୋଇଥିଲେ। ଏହାପରେ ଏଠାରେ ତାଙ୍କର ଓପନ ହାର୍ଟ ସର୍ଜରୀ କରାଯାଇଥିଲା।

୧୯୪୦ ମସିହା ଅଗଷ୍ଟ ୨୦ରେ ଉତ୍ତରାଖଣ୍ଡରେ ଜନ୍ମ ଗ୍ରହଣ କରିଥିଲେ ଆର୍‌କେ ପଚୌରୀ। ସେ ଜଳବାୟୁ ପରିବର୍ତ୍ତନ ଉପରେ ଗଠନ ହୋଇଥିବା ଇଣ୍ଟର ଗର୍ଭନମେଣ୍ଟାଲ ପ୍ୟାନେଲର ଅଧ୍ୟକ୍ଷ ଭାବେ କାର୍ଯ୍ୟ କରିଛନ୍ତି। ପଚୌରୀ ୨୦୦୨ରୁ ୨୦୧୫ ପର୍ଯ୍ୟନ୍ତ ଜାତିସଂଘର ଇଣ୍ଟର ଗଭର୍ଣ୍ଣମେଣ୍ଟ ପ୍ୟାନେଲ ଅନ କ୍ଲାଇମେଟ ଚେଞ୍ଜ (ଆଇପିସିସି)ର ଅଧ୍ୟକ୍ଷ ଥିଲେ। ତାଙ୍କ ଅଧ୍ୟକ୍ଷତା ସମୟରେ ୨୦୦୭ରେ ଆଇପିସିସି ନୋବେଲ ଶାନ୍ତି ପୁରସ୍କାର ପାଇଥିଲା। ପଚୌରୀ ଏହି ନୋବେଲ ପୁରସ୍କାର ଗ୍ରହଣ କରିଥିଲେ। ୨୦୦୮ରେ ତାଙ୍କୁ ଭାରତ ସରକାର ପଦ୍ମବିଭୂଷଣ ପୁରସ୍କାର ପ୍ରଦାନ କରିଥିଲେ।

ସେ ଟେରୀରେ ଥିବାବେଳେ ତାଙ୍କ ନାଁରେ ଯୌନ ଉତ୍ପୀଡ଼ନ ମାମଲା ସାମ୍ନାକୁ ଆସିଥିଲା। ୨୦୧୫ରେ ତାଙ୍କର ଜଣେ ମହିଳା ସହଯୋଗୀ ପଚୌରୀଙ୍କ ବିରୋଧରେ ଯୌନ ଉତ୍ପୀଡ଼ନ ଅଭିଯୋଗ ଆଣିଥିଲେ। ସେବେଠାରୁ ସେ ଆଇନର ଜାଲରେ ଛନ୍ଦି ହୋଇଯାଇଥିଲେ। ୨୦୧୮ ମସିହା ଅକ୍ଟୋବର ମାସରେ ଦିଲ୍ଲୀ କୋର୍ଟ ପଚୌରୀଙ୍କ ନାଁରେ ଅସଦାଚରଣର ଚାର୍ଜଫ୍ରେମ କରିଥିଲେ। ପଚୌରୀଙ୍କ ନାଁରେ ଯୌନ ଉତ୍ପୀଡ଼ନର ଅଭିଯୋଗ ଆସିବାରୁ ସେ ୨୦୧୫ରେ ନିଜ ପଦରୁ ଇସ୍ତଫା ଦେଇଥିଲେ। ଏହାର ଗୋଟିଏ ମାସ ପରେ ତାଙ୍କୁ ଅନ୍ତରୀଣ ଜାମିନ ମିଳିଥିଲା।

ତାଙ୍କ ପରେ ଟେରୀର ନିର୍ଦେଶକ ଭାବେ ଡ.ଅଜୟ ମାଥୁର ଦାୟିତ୍ୱ ନେଇଥିଲା। ତାଙ୍କ ବିୟୋଗରେ ଟେରୀ ପକ୍ଷରୁ ଗଭୀର ଶୋକ ପ୍ରକାଶ କରାଯାଇଛି। ଟେରୀ ସଫଳତା ପଛରେ ଡ.ପଚୌରୀଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିଲା ବୋଲି ଡା.ଅଜୟ କହିଛନ୍ତି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ