ପ୍ରଥମ ଭାରତ ଗସ୍ତ ପାଇଁ ଟ୍ରମ୍ପ୍‌ ଦମ୍ପତି ଉତ୍କଣ୍ଠିତ


ୱାଶିଂଟନ୍‌: ଆସନ୍ତା ୨୪ରୁ ଦୁଇଦିନିଆ ଭାରତ ଗସ୍ତରେ ଆସୁଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ୍‌ ଓ ତାଙ୍କ ପତ୍ନୀ ମେଲାନିଆା। ଆମେରିକା ରାଷ୍ଟ୍ରପତି ଭାବେ ଦାୟିତ୍ବ ନେବା ପରେ ଟ୍ରମ୍ପ୍‌ଙ୍କର ଏହା ହେବ ପ୍ରଥମ ଭାରତ ଗସ୍ତ। ଏହି ଗସ୍ତ ଉଭୟ ଦଳର ଦ୍ବିପାକ୍ଷିକ ସମ୍ପର୍କକୁ ଆହୁରି ମଜଭୁତ କରିବ ବୋଲି ଆଶା କରାଯାଉଥିବା ବେଳେ ଏଥିପାଇଁ ମେଲାନିଆ ବେଶ୍‌ ଉତ୍କଣ୍ଠିତ ବୋଲି କହିଛନ୍ତି। ଭାରତକୁ ତାଙ୍କର ପ୍ରଥମ ଗସ୍ତ ନିଶ୍ଚିତ ଭାବେ ଉଭୟ ଦେଶ ମଧ୍ୟରେ ରହିଥିବା ସମ୍ପର୍କକୁ ଆହୁରି ଅଧିକ ସଶକ୍ତ କରିବ ବୋଲି ମେଲାନିଆ କହିବା ସହ ଭାରତ ଗସ୍ତ ପାଇଁ ସେମାନଙ୍କୁ ମିଳିଥିବା ନିମନ୍ତ୍ରଣ ପାଇଁ ମେଲାନିଆ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟ୍ବିଟର୍‌ ମାଧ୍ୟମରେ ଧନ୍ୟବାଦ ଦେଇଛନ୍ତି।

ସେହିପରି ଆମେରିକା ରାଷ୍ଟ୍ରପତି ଟ୍ରମ୍ପ୍‌ ମଧ୍ୟ ଟ୍ବିଟ୍‌ କରି ମେଲାନିଆଙ୍କ ପରି ସେ ମଧ୍ୟ ଭାରତ ଗସ୍ତକୁ ଅପଲକ ନୟନରେ ଅପେକ୍ଷାରେ କରିଛନ୍ତି ବୋଲି ଦର୍ଶାଇଛନ୍ତି। ଭାରତ ଗସ୍ତରେ ଆସିବା ପରେ ଟ୍ରମ୍ପ୍‌ ଦମ୍ପତି ଦିଲ୍ଲୀ ସହ ଅହମଦାବାଦ ମଧ୍ୟ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି। ପୂର୍ବରୁ ମୋଦି ଏକ ଟ୍ବିଟ୍‌ କରି ମେଲାନିଆ ଓ ଡୋନାଲ୍‌ଡ ଭାରତ ଆସିବା ନିଶ୍ଚିତ ଭାବେ ଏକ ସ୍ବତନ୍ତ୍ର ଅବସର ବୋଲି ଦର୍ଶାଇବା ପରେ ଏହାର ଉତ୍ତର ଦେବାକୁ ଯାଇ ଆମେରିକାର ପ୍ରଥମ ମହିଳା ଉପରୋକ୍ତ ମନ୍ତବ୍ୟ ଦେଇଛନ୍ତି। ମୋଦି ତାଙ୍କ ଟ୍ବିଟ୍‌ରେ କହିଥିଲେ ଯେ ଭାରତ ଆମେରିକା ରାଷ୍ଟ୍ରପତି ଓ ଦେଶର ପ୍ରଥମ ମହିଳାଙ୍କୁ ସ୍ବାଗତ କରିବା ସକାଶେ ଅପେକ୍ଷା କରିଛି। ଟ୍ରମ୍ପ୍‌ ଦମ୍ପତି ଭାରତରେ ପହଞ୍ଚିବା ପରେ ଭାରତ ଓ ଆମେରିକା ମଧ୍ୟରେ ବନ୍ଧୁତ୍ବର ଏକ ନୂଆ ଧାରା ସୃଷ୍ଟି ହେବ ବୋଲି ମୋଦି କହିଥିଲେ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ