ହାଫିଜ୍‌କୁ ଜେଲ୍‌ଦଣ୍ଡାଦେଶ ଏକ ନାଟକବାଜି: ଭାରତୀୟ ବୈଦେଶିକ ମନ୍ତ୍ରାଳୟ


ନୂଆଦିଲ୍ଲୀ: ବୁଧବାର ମୁମ୍ବାଇ ଆତଙ୍କବାଦୀ ଆକ୍ରମଣର ମୁଖ୍ୟ କାର୍ପଟଦାର ହାଫିଜ୍‌ ସଈଦ୍‌କୁ ୧୧ ବର୍ଷ ଜେଲ୍‌ ଦଣ୍ଡାଦେଶ ହୋଇଥିବା ବେଳେ ଏହା ଉପରେ ପ୍ରଶ୍ନ ଉଠାଇଛି ଭାରତୀୟ ବୈଦେଶିକ ମନ୍ତ୍ରାଳୟ। ବିଶେଷକରି ଆଗକୁ ଏଫ୍‌ଏଟିଏଫ୍‌ ବୈଠକ ଥିବାରୁ କୌଣସି ପ୍ରକାର କଡ଼ା କାର୍ଯ୍ୟାନୁଷ୍ଠାନରୁ ବର୍ତ୍ତିବା ସକାଶେ ପାକିସ୍ତାନର ଏହା ଏକ ଚାଲ୍‌ ବୋଲି ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି। ଏ ସଂକ୍ରାନ୍ତରେ ଜନୈକ ବିଭାଗୀୟ ଅଧିକାରୀ କହିଛନ୍ତି ଯେ ପାକିସ୍ତାନ ଉପରେ ଆତଙ୍କବାଦ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନେଇ ନିୟମିତ ଭାବେ ଅନ୍ତର୍ଜାତୀୟ ସମୂହର ଚାପ ରହିଆସିଛି। ହାଫିଜ୍‌ ବିରୋଧରେ ଦୀର୍ଘଦିନ ଧରି ଏକାଧିକ ଆତଙ୍କବାଦୀ କାର୍ଯ୍ୟକଳାପ ଘଟାଇବା ନେଇ ଅଭିଯୋଗ ରହିଛି। ଏବେ ଆତଙ୍କବାଦୀଙ୍କୁ ଆର୍ଥିକ ସହଯୋଗ ଦେଉଥିବା ଅଭିଯୋଗରେ ଜାତିସଂଘ ଦ୍ବାରା ଆତଙ୍କୀ ଘୋଷିତ ହୋଇଥିବା ହାଫିଜ୍‌କୁ ଜେଲ୍‌ ଦଣ୍ଡାଦେଶ ଶୁଣାଯାଇଛି। କିନ୍ତୁ ଏହା ପଛରେ ଆତଙ୍କବାଦ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାର ଉଦ୍ଦେଶ୍ୟ ନାହିଁ, ବରଂ ପାକିସ୍ତାନ ଅନ୍ତର୍ଜାତୀୟ ସମୂହକୁ ବୋକା ବନାଇବା ସକାଶେ ଏପରି ଉଦ୍ୟମ କରିଛି ବୋଲି ଉକ୍ତ ଅଧିକାରୀ ଜଣକ କହିଛନ୍ତି।

ତେବେ ପାକିସ୍ତାନ କେତେଦୂର ହାଫିଜ୍‌ର ଦଣ୍ଡାଦେଶକୁ କାର୍ଯ୍ୟକାରୀ କରୁଛି, ତା’ ଉପରେ ବୈଦେଶିକ ମନ୍ତ୍ରାଳୟର ନଜର ରହିଛି ବୋଲି ଅଧିକାରୀ ଜଣକ କହିଛନ୍ତି। ସୂଚନାଯୋଗ୍ୟ ଯେ ପ୍ରଥମ ଥର ପାଇଁ ଏକ ପାକିସ୍ତାନୀ କୋର୍ଟ ହାଫିଜ୍‌କୁ କୌଣସି ମାମଲାରେ ଜେଲ୍‌ ଦଣ୍ଡାଦେଶ ଶୁଣାଇଛି। ଦୁଇଟି ଭିନ୍ନ ଭିନ୍ନ ମାମଲାରେ ହାଫିଜ୍‌କୁ ସାଢ଼େ ୫ ବର୍ଷ ଲେଖାଏଁ ଅର୍ଥାତ୍‌ ମୋଟ ୧୧ ବର୍ଷର ଜେଲ୍‌ ଦଣ୍ଡାଦେଶ ଶୁଣାଇଛନ୍ତି ଆତଙ୍କବାଦୀ ନିରୋଧୀ କୋର୍ଟର ବିଚାରପତି ଅର୍ଶଦ୍‌ ହୁସୈନ୍‌ ଭଟ୍ଟ। ଏହାଛଡ଼ା ତା’ ଉପରେ ୧୫ ହଜାର ଟଙ୍କାର ଜରିମାନା ମଧ୍ୟ ହୋଇଛି। ତେବେ ପ୍ୟାରିସ୍‌ଠାରେ ଏଫ୍‌ଏଟିଏଫ୍‌ର ବୈଠକ ହେବାକୁ ଆଉ ଚାରି ଦିନ ବାକି ଥିବା ବେଳେ ପାକିସ୍ତାନର ବର୍ତ୍ତମାନର ପଦକ୍ଷେପ ଏହି ଟାସ୍କ ଫୋର୍ସର ସଦସ୍ୟମାନଙ୍କ ଉପରେ କ’ଣ ପ୍ରଭାବ ପକାଉଛି, ତାହା ଦେଖିବାର କଥା। ଆତଙ୍କବାଦ ବିରୋଧରେ ଆଶାନୁରୂପକ ପଦକ୍ଷେପ ନେଇ ନ ଥିବାରୁ ପୂର୍ବରୁ ପାକିସ୍ତାନ ଗ୍ରେ ଲିଷ୍ଟ୍‌ରେ ସାମିଲ୍‌ କରାଯାଇଛି। ପାକିସ୍ତାନ ଏଥିରୁ ନିଜକୁ ମୁକୁଳାଇବା ପାଇଁ ନିୟମିତ ଉଦ୍ୟମ କରିଆସିଥିଲେ ମଧ୍ୟ ଟାସ୍କ ଫୋର୍ସର ସଦସ୍ୟମାନେ ଆତଙ୍କବାଦ ବିରୋଧରେ ଏହାର ପଦକ୍ଷେପ ଉପରେ ସନ୍ତୁଷ୍ଟ ନ ଥିବାରୁ ପାକିସ୍ତାନକୁ ବରାବର ନିରାଶ ହେବାକୁ ପଡ଼ିଛି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ