ଉଦ୍‌ଯାପିତ ହେଲା ଧଉଳି-କଳିଙ୍ଗ ମହୋତ୍ସବ

ଗୁରୁ ମାୟାଧର ରାଉତ ପାଇଲେ ରୁଚି ବୁଦ୍ଧ ସମ୍ମାନ

ଭୁବନେଶ୍ବର: ରାଜ୍ୟ ପର୍ଯ୍ୟଟନ ବିଭାଗ, ଓଡ଼ିଶା ଡ୍ୟାନ୍ସ ଏକାଡେମି ଓ ଆର୍ଟଭିଜନ୍‌ର ମିଳିତ ଆନୁକୂଲ୍ୟରେ ଐତିହାସିକ ଶାନ୍ତିସ୍ତୂପ ଧଉଳି ପାଦଦେଶରେ ଗତ ୩ ଦିନ ଧରି ଚାଲିଥିବା ୧୬ତମ ଧଉଳି-କଳିଙ୍ଗ ମହୋତ୍ସବ ବୁଧବାର ସନ୍ଧ୍ୟାରେ ଉଦ୍‌ଯାପିତ ହୋଇଯାଇଛି। ମାଦଳ ବାଜାର ଗୁଞ୍ଜରଣ ସାଙ୍ଗକୁ ଭାରତ୍ୟନାଟମ୍‌ ନୃତ୍ୟର ଝଙ୍କାର, ଏହାସାଙ୍ଗକୁ ମୟୂରଭଞ୍ଜ ଛଉ ନୃତ୍ୟ କଳାର ଚତ୍ମକାର ପରିବେଶ ମଧ୍ୟରେ ଶେଷ ହୋଇଛି ମହୋତ୍ସବ। ଏହି ଅବସରରେ ସୁନାମଧନ୍ୟ ଓଡ଼ିଶୀ ଗୁରୁ ମାୟାଧର ରାଉତଙ୍କୁ ରୁଚିବୁଦ୍ଧ ସମ୍ମାନରେ ସମ୍ମାନିତ କରାଯାଇଛି। ତାଙ୍କୁ ଏକଲକ୍ଷ ଟଙ୍କା ସହିତ ଉପଢୌକନ ଦେଇ ସମ୍ମାନିତ କରାଯାଇଥିଲା।

ଏହାସହିତ ଓଡ଼ିଶୀ ନୃତ୍ୟରେ ପ୍ରତିଷ୍ଠା ଅର୍ଜନ କରିଥିବା ଓ ଓଡ଼ିଶୀ ନୃତ୍ୟର ପ୍ରଚାର ପ୍ରସାର କରିଥିବା ୫ ଜଣ ବ୍ୟକ୍ତି ବିଶେଷଙ୍କୁ ଗୁରୁ ଗଙ୍ଗାଧର ସ୍ମୃତି ସମ୍ମାନରେ ସମ୍ମାନିତ କରାଯାଇଥିଲା। ଓଡ଼ିଶୀ ସଙ୍ଗୀତ ଲାଗି ଗୁରୁ ଘନଶ୍ୟାମ ପଣ୍ଡାଙ୍କ ସମେତ ଓଡ଼ିଶୀ ନୃତ୍ୟାଙ୍ଗନା ଗୁରୁ ଅଳକା କାନୁନ୍‌ଗୋ, ଆମେରିକାର ଅନ୍ତର୍ଜାତୀୟ ଔଷଧ ଓ ଛାତିରୋଗ ବିଶେଷଜ୍ଞ ଡାକ୍ତର ଦେବୀ ମିଶ୍ର, ଆମେରିକାରେ ଓଡ଼ିଶୀ ନୃତ୍ୟର ପ୍ରଚାର ଓ ପ୍ରସାର କରୁଥିବା ନିରଞ୍ଜନ ତ୍ରିପାଠୀ, ସ୍ବାତୀ ତ୍ରିପାଠୀ ଓ ଲାଇଟ ଡିଜାଇନର ଜୟଦେବ ଦାସଙ୍କୁ ଗୁରୁ ଗଙ୍ଗାଧର ପ୍ରଧାନ ସ୍ମୃତି ସମ୍ମାନ ପ୍ରଦାନ କରାଯାଇଥିଲା। ରାଜ୍ୟପାଳ ଗଣେଶୀ ଲାଲ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶିଳ୍ପୀବୃନ୍ଦଙ୍କୁ ସମ୍ମାନିତ କରିଥିଲେ।

ଧଉଳି କଳିଙ୍ଗ ମହୋତ୍ସବର ସାଂସ୍କୃତିକ ସନ୍ଧ୍ୟାର ଶେଷ ଦିନରେ ପ୍ରଥମେ ଗୁରୁ ସଚ୍ଚିଦାନନ୍ଦ ଦାସ ଓ ତାଙ୍କର ଗ୍ରୁପ୍ ମାଦଳ ବାଦନ କରିଥିଲେ। ମାଦଳ ବାଜାର ଗୁଞ୍ଜରଣରେ ଚାରିଆଡ଼ ପ୍ରକମ୍ପିତ ହୋଇ ଉଠିଥିଲା। ଏହାପରେ ଦ୍ୱିତୀୟରେ ନୂଆଦିଲ୍ଲୀର ଗଣେଶ ନାଟ୍ୟାଳୟରୁ ଆସିଥିବା ରାମା ବୈଦନାଥନ୍ ଓ ତାଙ୍କର ଗ୍ରୁପ୍ ଭାରତନାଟ୍ୟମ ନୃତ୍ୟ ପରିବେଷଣ କରିଥିଲେ। ରାମା ବୈଦନାଥମ ନିଜର ଭାରତନାଟ୍ୟମ ନୃତ୍ୟର ଯାଦୁରେ ଦର୍ଶକମାନଙ୍କୁ ବାନ୍ଧି ରଖିଥିଲେ। ପରେ ଶିବ ଓ ଶକ୍ତିଙ୍କ ମିଳନ ତତ୍ତ୍ବକୁ ଭିତ୍ତିକରି ନୃତ୍ୟ ପରିବେଷିତ ହୋଇଥିଲା। ଶେଷରେ ମୟୂରଭଞ୍ଜ ଜିଲ୍ଲାରୁ ଆସିଥିବା କଳାକାଳମାନଙ୍କ ଦ୍ୱାରା ଛଉ ନୃତ୍ୟ ପରିବେଷଣ କରାଯାଇଥିଲା। ଛଉ ନୃତ୍ୟରେ କଳାକାରମାନେ ମହାଭାରତ ଯୁଗର ଅଭିମନ୍ୟୁ ବଧ କଥା ବର୍ଣ୍ଣନା କରିଥିଲେ। ଏହି ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ପର୍ଯ୍ୟଟନ ବିଭାଗ ନିର୍ଦେଶକ ସଚୀନ୍‌ ରାମଚନ୍ଦ୍ର ଯାଦବ, ଓଡ଼ିଶା ଡ୍ୟାନ୍ସ ଏକାଡେମିର ସଚିବ ଗୁରୁ ଅରୁଣା ମହାନ୍ତି ଓ ଆର୍ଟଭିଜନର ସଚିବ ଗୁରୁ ଇଲିଆନା ସୀତାରିଷ୍ଟ୍‌ ଯୋଗଦେଇଥିଲେ। କାର୍ଯ୍ୟକ୍ରମ ସଂଚାଳନ କରିଥିଲେ ଡ. ମୃତ୍ୟୁଞ୍ଜୟ ରଥ ଓ ଇତିଶ୍ରୀ ଦେବୀ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ