ଡ୍ରେନେଜ୍‌ ପାଇଁ ମାଷ୍ଟର୍‌ ପ୍ଲାନ୍‌ କରିବାକୁ ଚିଠି ଲେଖିଲେ ଅପରାଜିତା


ଭୁବନେଶ୍ବର: ରାଜଧାନୀରେ ଅସରାଏ ବର୍ଷା ହେଲେ ବନ୍ୟା ପରିସ୍ଥିତି ସୃଷ୍ଟିହୁଏ। ଲୋକଙ୍କ ଘରେ ଅଣ୍ଟାଏ ଉଚରେ ପାଣି ଜମା ହେବା ସହ ରାସ୍ତାଘାଟରେ ଗାଡ଼ିମୋଟର ଭାସେ। ରାଜଧାନୀର ଅଧିକାଂଶ ଲୋକ ବର୍ଷାଦିନେ ଜଳବନ୍ଦିର ସମ୍ମୁଖୀନ ହେଉଥିବା ମଧ୍ୟ ନଜିର୍‌ ରହିଛି। ତେବେ ଏଭଳି ପରିସ୍ଥିତିରେ ଭୁବନେଶ୍ୱରବାସୀନ୍ଦାଙ୍କ ପାଇଁ ଚିନ୍ତା ପ୍ରକଟ କରିଛନ୍ତି ସାଂସଦ ଅରାଜିତା ଷଡ଼ଙ୍ଗୀ। ଭୁବନେଶ୍ୱରରେ ଡ୍ରେନେଜ୍‌ ବ୍ୟବସ୍ଥା ବ୍ୟବସ୍ଥିତ କରିବାକୁ ବୁଧବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖି ଅନୁରୋଧ କରିଛନ୍ତି। ଏଥିସହ ଡ୍ରେନେଜ୍‌ ବ୍ୟବସ୍ଥା ପାଇଁ ଏକ ମାଷ୍ଟର୍‌ପ୍ଲାନ୍‌ ତିଆରି କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କରିଛନ୍ତି ଅପରାଜିତା।

ସାଂସଦ ଅପରାଜିତା ଷଡ଼ଙ୍ଗୀ ଚିଠିରେ ଦର୍ଶାଇଛନ୍ତି, ପ୍ରତିବର୍ଷ ବର୍ଷାଦିନେ ଜଳବନ୍ଦୀ ସମସ୍ୟା ସୃଷ୍ଟି ହେଉଛି। କିନ୍ତୁ ଏହାର ସମାଧାନ ପାଇଁ କୌଣସି ବିସ୍ତୁତ ଡ୍ରେନେଜ୍‌ ମାଷ୍ଟର୍‌ପ୍ଲାନ୍‌ କରାଯାଉନି। ସିଙ୍ଗାପୁରର ଏକ ସଂସ୍ଥା ମେନହର୍ଡଟ୍‌ ପକ୍ଷରୁ ୨୦୦୮ରେ ଡ୍ରେନେଜ୍‌କୁ ନେଇ ଏକ ପ୍ଲାନ୍‌ ପ୍ରସ୍ତୁତ କରିଥିଲା। ମାତ୍ର ଏଥିରେ ପ୍ରକଳ୍ପ ପାଇଁ ଜମି ଅଧିଗ୍ରହଣ ବାବଦ ଖର୍ଚ୍ଚ ଓ ଅନ୍ୟ ତଥ୍ୟ ଉଲ୍ଲେଖ ନାହିଁ। ଗତ ୧୮ ତାରିଖରେ ନଗରଉନ୍ନୟନ ବିଭାଗର ଷ୍ଟାଣ୍ଡିଂ କମିଟି ବୈଠକରେ ଏ ସମ୍ପର୍କରେ ବ୍ୟାପକ ଆଲୋଚନା ହୋଇଥିଲା। ଦୁଇଟି ପର୍ଯ୍ୟାୟରେ ପ୍ରାକୃତିକ ଡ୍ରେନ୍‌ର ପୁନରୁଦ୍ଧାର, ସହର ଭିତରେ ଇଣ୍ଟନାଲ୍‌ ଡ୍ରେନ୍‌ ତିଆରି ଓ ଯୋଜନା ମୁତାବକ ବର୍ଷା ଜଳ ନିଷ୍କାସନ ପାଇଁ ବିସ୍ତୁତ ଡ୍ରେନେଜ୍‌ ପ୍ରକଳ୍ପ କରିବାକୁ ଯୋଜନା ଥିଲା। ୧୦ ପ୍ରାକୃତିକ ନାଳ ଓ ୩ ନୂଆ ପ୍ରାକୃତିକ ନାଳର ପୁନରୁଦ୍ଧାର ପାଇଁ ସରକାରୀ ଜମିରୁ ଜବରଦଖଲ ଉଚ୍ଛେଦ ସହ ନୂଆ ଜମି ଅଧିଗ୍ରହଣ ଜରୁରୀ। କିନ୍ତୁ ୨୦୦୮ରେ ଯେଉଁ ଡିପିଆର ପ୍ରସ୍ତୁତ ହୋଇଥିଲା ସେଥିରେ ଏହା ବିଚାରକୁ ନିଆଗଲାନି।

ବିଏମ୍‌ସି ପକ୍ଷରୁ ଜଳବନ୍ଦୀ ହେଉଥିବା ୩୭ ସମ୍ବେଦନଶୀଳ ଅଞ୍ଚଳ ଚିହ୍ନଟ କରାଯାଇଥିଲା। ପ୍ରତିବର୍ଷ ଏହି ଅଞ୍ଚଳ ଜଳବନ୍ଦୀ ହେଉଥିବାରୁ ଲୋକେ ନାକେଦମ୍‌ ହେଉଛନ୍ତି। ଏହି ସମସ୍ୟାର ସମାଧାନ ପାଇଁ ରାଜ୍ୟ ସରକାର ୧୧୦ କୋଟି ଟଙ୍କା ମଞ୍ଜୁର କରିଥିଲେ। କିନ୍ତୁ ଯୋଜନାବଦ୍ଧ ଭାବେ ନ କରି ଲୋକଦେଖାଣିଆ ଭାବେ ଏହି ଟଙ୍କା ଖର୍ଚ୍ଚ କରାଯାଉଛି। ଜଳବନ୍ଦୀ ସମସ୍ୟା ଗୁରୁତର ଥିବା ୩୭ଟି ସମ୍ବେଦନଶୀଳ ସ୍ଥାନରେ ଡ୍ରେନେଜ୍‌ ପ୍ରକଳ୍ପ ନ କରି ଏହି ଟଙ୍କାକୁ ୱାର୍ଡୱାରୀ ଖର୍ଚ୍ଚ କରାଯାଉଛି। ଏହାଦ୍ବାରା ଡ୍ରେନେଜ୍‌ ସମସ୍ୟାର ସମାଧାନ ହେବନି । ଏଣୁ ଡ୍ରେନେଜ୍‌ ପ୍ରକଳ୍ପ ପାଇଁ ଆସିଥିବା ଅର୍ଥକୁ ଠିକ୍‌ ଢଙ୍ଗରେ ବିନିଯୋଗ କରାଯାଉ ବୋଲି ଅପରାଜିତା ତାଙ୍କ ଚିଠିରେ ଦର୍ଶାଇଛନ୍ତି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ