ଯୁକ୍ତରାଜ୍ୟ ମନ୍ତ୍ରିମଣ୍ଡଳରେ ଅଦଳବଦଳ: ନାରାୟଣ ମୂର୍ତ୍ତିଙ୍କ ଜ୍ବାଇଁ ଅର୍ଥ ମନ୍ତ୍ରୀ


ଲଣ୍ଡନ: ଯୁକ୍ତରାଜ୍ୟ ପ୍ରଧାନମନ୍ତ୍ରୀ ବୋରିସ୍‌ ଜନ୍‌ସନ୍‌ ଗୁରୁବାର ତାଙ୍କ କ୍ୟାବିନେଟ୍‌ରେ କେତେକ ଗୁରୁତ୍ବପୂର୍ଣ୍ଣ ପରିବର୍ତ୍ତନ କରିଛନ୍ତି। ଫଳରେ ଦେଶର ଗୁରୁତ୍ବପୂର୍ଣ୍ଣ ଅର୍ଥ ବିଭାଗର ଦାୟିତ୍ବ ଜଣେ ପ୍ରବାସୀ ଭାରତୀୟଙ୍କୁ ମିଳିଛି। ସେ ହେଉଛନ୍ତି ବିଶ୍ବର ଅନ୍ୟତମ ପ୍ରମୁଖ ସଫ୍ଟୱୟର୍‌ କମ୍ପାନୀ ଇନ୍‌ଫୋସିସ୍‌ର ସହ ପ୍ରତିଷ୍ଠାତା ନାରାୟଣ ମୂର୍ତ୍ତିଙ୍କ ଜ୍ବାଇଁ ୠଷି ସୁନକ୍‌। ଗତ ୨୦୨୯ ଡିସେମ୍ବରରେ ଅନୁଷ୍ଠିତ ସାଧାରଣ ନିର୍ବାଚନରେ ଜନ୍‌ସନ୍‌ ପ୍ରଧାନମନ୍ତ୍ରୀ ଭାବେ ବିଜୟୀ ହେବା ପରେ ଗୁରୁବାର ପ୍ରଥମ ଥର ପାଇଁ ମନ୍ତ୍ରିମଣ୍ଡଳରେ ପରିବର୍ତ୍ତନ କରିଛନ୍ତି। ତେବେ ଡିସେମ୍ବରଠାରୁ ଅର୍ଥ ମନ୍ତ୍ରୀ ଦାୟିତ୍ବରେ ଥିବା ପାକିସ୍ତାନର ମୂଳ ବାସିନ୍ଦା ସାଜିଦ୍‌ ଜାଭିଦ୍‌ ଅଚାନକ ଇସ୍ତଫା ଦେବା ପରେ ମୂଳ ଭାରତୀୟଙ୍କୁ ଏହି ପଦବୀରେ ଅବସ୍ଥାପିତ କରାଯାଇଛି। ଏହା ପୂର୍ବରୁ ଜାଭିଦ୍‌ଙ୍କ ଜୁନିଅର୍‌ ଭାବେ କାର୍ଯ୍ୟ କରୁଥିବା ସୁନକ୍‌ ଅର୍ଥ ମନ୍ତ୍ରାଳୟର ମୁଖ୍ୟ ସଚିବ ଦାୟିତ୍ବରେ ରହିଥିଲେ।

ଏଥିସହ ୩୯ ବର୍ଷୀୟ ସୁନକ୍‌ ଡାଉନିଙ୍ଗ୍‌ ଷ୍ଟ୍ରୀଟ୍‌ସ୍ଥିତ କାର୍ଯ୍ୟାଳୟରେ କାର୍ଯ୍ୟ କରିବେ, ଯାହାକି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ନିକଟରେ ଅବସ୍ଥିତ ରହିଛି। ବ୍ରିଟେନ୍ ମହାରାଣୀ ସୁନକ୍‌ଙ୍କୁ ଚାନ୍‌ସେଲର୍‌ ଅଫ୍ ଦ ଏକ୍ସଚେକର୍‌ ନିଯୁକ୍ତି ନେଇ ହୋଇଥିବା ସୁପାରିସ୍‌କୁ ଗ୍ରହଣ କରିଥିବା ଡାଉନିଙ୍ଗ୍‌ ଷ୍ଟ୍ରୀଟ୍‌ ପକ୍ଷରୁ ଜାରି ଏକ ବିଧିବଦ୍ଧ ସୂଚନାରେ କୁହାଯାଇଛି। ସୂଚନାଯୋଗ୍ୟ ଯେ ୟର୍କଶାୟର୍‌ର ରିଚମଣ୍ଡ୍‌ରୁ ସାଂସଦ ଭାବେ ନିର୍ବାଚିତ ହୋଇଥିବା ସୁନକ୍‌ ମୂର୍ତ୍ତିଙ୍କ କନ୍ୟା ଅକ୍ଷତାଙ୍କୁ ବିବାହ କରିବା ପରେ ଗତ ୨୦୧୫ରେ ପ୍ରଥମ ଥର ପାଇଁ ଯୁକ୍ତରାଜ୍ୟ ସଂସଦରେ ପହଞ୍ଚିପାରିଥିଲେ। ୟୁରୋପୀୟ ସଂଘ (ଇୟୁ)ରୁ ଓହରିଯିବା ସପକ୍ଷରେ ପ୍ରଧାନମନ୍ତ୍ରୀ ଜନ୍‌ସନ୍‌ ନିଷ୍ପତ୍ତି ନେଇଥିବା ବେଳେ ଏହା ପଛରେ ସୁନକ୍‌ଙ୍କର ପ୍ରମୁଖ ଭୂମିକା ରହିଥିଲା। ଯୁକ୍ତରାଜ୍ୟରେ ଜନ୍ମ ଗ୍ରହର କରିଥିବା ସୁନକ୍‌ଙ୍କ ମା’ ଜଣେ ଫାର୍ମାସିଷ୍ଟ ଓ ପିତା ନ୍ୟାସନାଲ୍‌ ହେଲ୍‌ଥ ସର୍ଭିସ୍‌ (ଏନ୍‌ଏଚ୍‌ଏସ୍‌)ରେ କାର୍ଯ୍ୟ କରୁଥିଲେ। ସୁନକ୍‌ ଅକ୍ସଫୋର୍ଡ ୟୁନିଭର୍ସିଟି ଓ ଷ୍ଟାନ୍‌ଫୋର୍ଡ ୟୁନିଭର୍ସିଟିରୁ ସ୍ନାତକରେ ଉତ୍ତୀର୍ଣ୍ଣ ହୋଇଛନ୍ତି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ