ଦିଲ୍ଲୀରେ ଚାଲିଲା କେଜ୍ରିୱାଲଙ୍କ ନାମ ଆଉ କାମର ଯାଦୁ


୨ ଅକ୍ଟୋବର ୨୦୧୨ରେ ହାପସାର୍ଟ, ଢିଲାପ୍ୟାଣ୍ଟ ଏବଂ ମୁଣ୍ଡରେ ମୁଁ ଆମ୍‌ ଆଦ୍‌ମୀ ପାର୍ଟି ଲେଖାଥିବା ଟୋପି ପିନ୍ଧି ଅରବିନ୍ଦ କେଜରିୱାଲ କନଷ୍ଟିଚ୍ୟୁସନ କ୍ଲବର ମଞ୍ଚ ଉପରକୁ ଆସିଥିଲେ। ମଞ୍ଚରେ ମନୀଷ ସିସୋଦିଆ, ପ୍ରଶାନ୍ତ ଭୂଷଣ, ଯୋଗେନ୍ଦ୍ର ଯାଦବ, କୁମାର ବିଶ୍ବାସ, ଗୋପାଳ ରାୟ ଏବଂ ଦୁର୍ନୀତି ବିରୋଧୀ ଆନ୍ଦୋଳନରେ ତାଙ୍କ ସହ ଆହୁରି ଅନେକ ନେତା ସାମିଲ ଥିଲେ। ରାଜନୀନତିରେ ଯୋଗଦେବାର ଘୋଷଣା କରି ସେଦିନ କେଜରିୱାଲ କହିଥିଲେ ଯେ ଆଜି ଏହି ମଞ୍ଚରୁ ଆମେ ଘୋଷଣା କରିବାକୁଚାହୁଁଛୁ ଯେ ଆମେ ସବୁ ନିର୍ବାଚନ ଲଢ଼ି ଦେଖାଇଦେବୁ। ଦୁର୍ନୀତି ବିରୋଧୀ ଆନ୍ଦୋଳନକୁ ରାଜନୈତିକ ଦଳରେ ପରିବର୍ତ୍ତନ କରାଇ କେଜରିୱାଲ କେବଳ ନିର୍ବାଚନ ଲଢ଼ିଲେନାହିଁ, ବରଂ ଦ୍ବିତୀୟ ଥର ପାଇଁ ଦିଲ୍ଲୀ ନିର୍ବାଚନରେ ବିଜୟୀ ହୋଇ ପ୍ରମାଣ କରାଇଦେଲେ କେଜରିୱାଲଙ୍କ ନିକଟରେ ମୋଦି ମ୍ୟାଜିକକୁ କାଉଣ୍ଟର କରିବାର ସାମର୍ଥ୍ୟ ଅଛି।

ଭାରତୀୟ ରାଜସ୍ବ ସେବାର ଅଧିକାରୀ ଏବଂ ଆଇଆଇଟିର ଛାତ୍ର ଅରବିନ୍ଦ କେଜରିୱାଲ ନିଜର ରାଜନୈତିକ ଭୂମି ୨୦୧୧ର ଦୁର୍ନୀତି ବିରୋଧୀ ଆନ୍ଦୋଳନରୁ ତିଆରି କରିଥିଲେ। ୨୦୧୨ରେ ଆଇଆରଏସ୍‌ ଚାକିରିରୁ ଛୁଟି ନେଇ ଅରବିନ୍ଦ ଦିଲ୍ଲୀର ସୁନ୍ଦରନଗରୀ ଅଞ୍ଚଳରୁ ସାମାଜିକ କାମର ଅୟମାରମ୍ଭ କରିଥିଲେ। ଅରବିନ୍ଦ ସମାଜ ସେବା କାମ କରିବା ପାଇଁ ‘ପରିବର୍ତ୍ତନ’ ନାମରେ ଏକ ବେସରକାରୀ ସଂଗଠନ ଗଢ଼ିଲେ। ବନ୍ଧୁମାନଙ୍କ ସହିତ ମିଶି ନଗରାଞ୍ଚଳରେ ବିଭିନ୍ନ ସମସ୍ୟାକୁ ନେଇ ଜନ ଶୁଣାଣି ମାନ କରିବାକୁ ଲାଗିଲେ। ୨୦୦୬ରେ ତାଙ୍କୁ ଏଥିପାଇଁ ରମଣ ମାଗସେସେ ସମ୍ମାନରେ ସମ୍ମାନିତ କରାଯାଇଥିଲା। ଅରବିନ୍ଦ ଷ୍ଟ୍ରେଟ ଫରୱାଡ ଥିଲେ। ଯେଉଁ କାମ କରବାକୁ ଚାହୁଁଥିଲେ,ସ୍ପଷ୍ଟ କହୁଥିଲେ। କିନ୍ତୁ, ପରନ୍ତ, ଅଥଚ, ଅବା କିମ୍ବା ଆଦି ଶବ୍ଦ ତାଙ୍କ ଅଭିଧାନରେ ନ ଥିଲା। ଯୁକ୍ତିଯୁକ୍ତ ସମାଲୋଚନା, ତର୍କ ଶୁଣୁଥିଲେ ଏବଂ ମହଲା ସଭା ଗୁଡ଼ିକରେ ସ୍ଥାନୀୟ ସ୍ବଶାସନର ନମୁନା କିଭଳି ଫଳପ୍ରଦ ହୋଇପାରିବ, ଆଲୋଚନା କରୁଥିଲେ। ସୁନ୍ଦରନଗରୀର ଜମିଜମା ସମସ୍ୟା ଠାରୁ ଆରମ୍ଭ କରି ସୂଚନା ଅଧିକାର ଆଇନ ଯାଏ ବିଭିନ୍ନ ସ୍ଥାନୀୟ ସମସ୍ୟା ଗୁଡ଼ିକୁ ପ୍ରାଥମିକତା ଦେଉଥିଲେ। ୨୦୧୦ରେ ଦିଲ୍ଲୀର କମନୱେଲ୍‌ଥ ଗେମ୍‌ସରେ ହୋଇଥିବା ଦୁର୍ନୀତିକୁ ନେଇ ଯେଉଁ ସ୍ବର ଉଠିଲା, ଅରବିନ୍ଦ ସେହି ସ୍ବରକୁ ତେଜିବାରେ ପଛଘୁଞ୍ଚା ଦେଇ ନ ଥିଲେ।

୨୦୧୧ରେ ଗାନ୍ଧିବାଦୀ ନେତା ଅନ୍ନା ହଜାରେ ଜନ ଲୋକପାଳ ବିଲ୍‌କୁ ନେଇ ଆନ୍ଦୋଳନ ଆରମ୍ଭ କଲେ। ମଞ୍ଚ ଉପରେ ଅରବିନ୍ଦଙ୍କୁ ଦେଖିବାକୁ ମିଳିଲା। କେଜରିୱାଲ ଦୁର୍ନୀତି ବିରୋଧୀ ଆନ୍ଦୋଳନର ଆର୍କିଟେକ ଥିଲେ। ୨୦୧୧ ଅଗଷ୍ଟରେ ରାମଲୀଳା ମୈଦାନରେ ଅନ୍ନାଙ୍କ ଆନ୍ଦୋଳନ ତେଜିଆନ ହୋଇଥିଲା। କେଜରିୱାଲ ଏହି ଆନ୍ଦୋଳନରେ ହିରୋ ପାଲଟିଗଲେ। କିନ୍ତୁ ସେ ଯାହା ଚାହୁଁଥିଲେ, ଆନ୍ଦୋଳନରୁ ହାସଲ ହୋଇପାରି ନ ଥିଲା। ୨୦୧୨ରେ ଅରବିନ୍ଦ ନିଜେ ଏକ ବଡ଼ ଆନ୍ଦୋଳନର ନେତୃତ୍ବ ନେଲେ। ୧୦ ଦିନ ବ୍ୟାପୀ ଆମରଣ ଅନଶନରେ ନିଜକୁ ସାମିଲ କରି ସାରା ଦେଶରେ ନୂଆ ଏକ ପରିଚିତି ଦେଇପାରିଥିଲେ। ଶେଷରେ ସେ ପ୍ରତ୍ୟକ୍ଷ ନିର୍ବାଚନରେ ଅବତୀର୍ଣ୍ଣ ହେଉଥିବା ଘୋଷଣା କରିଦେଲେ।

୨୦୧୩ରେ ଅରବିନ୍ଦ ଦିଲ୍ଲୀ ବିଧାନସଭା ନିର୍ବାଚନ ଲଢ଼ିଲେ। ଆମ୍‌ ଆଦମୀ ପାର୍ଟିକୁ ୨୮ଆସନ ପ୍ରାପ୍ତ ହେଲା। ସ୍ବୟଂ ଅରବିନ୍ଦ ପୂର୍ବତନ ମୁଖ୍ୟମନ୍ତ୍ରୀ ଶିଲା ଦୀକ୍ଷିତଙ୍କୁ ୨୫ ହଜାରରୁ ଊର୍ଦ୍ଧ୍ବ ଭୋଟରେ ପରାଜୟର ଦ୍ବାର ଦେଖାଇଥିଲେ। କିନ୍ତୁ ତାଙ୍କୁ କଂଗ୍ରେସ ସହ ମିଶି ସରକାର ଗଠନ କରିବାକୁ ପଡ଼ିଥିଲା। ନିଜର ବିଜୟ ପାଇଁ ସେ ଈଶ୍ବର, ଆଲ୍ଲା ଏବଂ ଭଗବାନଙ୍କୁ ଧନ୍ୟବାଦ ଜଣାଇଥିଲେ। ସରକାର ୪୯ ଦିନ ଯାଏ ଚାଲିପାରିଲା। ଆପ୍‌ ଜନଲୋକପାଳ ବିଲ୍‌ ତୁରନ୍ତ ଆଣିବାକୁ ଚାହୁଁଥିଲା। କିନ୍ତୁ ମେଣ୍ଟ ସରକାରରେ ଥିବା କଂଗ୍ରେସ ଏହା ଚାହୁଁ ନ ଥିଲା। ୧୪ ଫେବ୍ରୁଆରୀ ୨୦୧୪ରେ କେଜରିୱାଲ ଇସ୍ତଫା ଦେଇ ସାଧାରଣ ଜୀବନକୁ ପ୍ରତ୍ୟାବର୍ତ୍ତନ କରିଥିଲେ। ତା’ପର ଚିତ୍ର ଟିକିଏ ଭିନ୍ନ ଥିଲା। ଅରବିନ୍ଦ ବନାରସରୁ ସାଂସଦ ପ୍ରାର୍ଥୀ ଭାବେ ଠିଆହେଲେ। କିନ୍ତ ନରେନ୍ଦ୍ର ମୋଦିଙ୍କ ଠାରୁ ୩ ଲକ୍ଷରୁ ଊର୍ଦ୍ଧ୍ବ ଭୋଟରେ ହାରିଗଲେ। ୨୦୧୫ ଫେବ୍ରୁଆରୀ ୧୪ରେ ଦିଲ୍ଲୀର ୭୦ଟି ଆସନରୁ ୬୭ଟି ଆସନରେ ବିଜୟୀ ହୋଇ କେଜରିୱାଲ ପୁଣି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ। ୫ ବର୍ଷ ଧରି ସେ ଦିଲ୍ଲୀର ସ୍ବାସ୍ଥ୍ୟ, ଶିକ୍ଷା ଏବଂ ଅନ୍ୟାନ୍ୟ ସାର୍ବଜନୀନ ସେବାକୁ ନେଇ କାମ କରିବାକୁ ଲାଗିଲେ। ରାଜନୀତିକୁ ନା କହୁଥିବା କେଜରିୱାଲ ଏବେ ତୃତୀୟ ଥର ପାଇଁ ଶପଥ ନେବାକୁ ଯାଉଛନ୍ତି। ୧୪ ତାରିଖ ଦିନ ତୃତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାକୁ ସମସ୍ତ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ଆପ୍‌ ତଥା ଅରବିନ୍ଦଙ୍କ ବିଜୟକୁ ନେଇ ଚାଲିଛି ଚର୍ଚ୍ଚା ଆଉ ଆଲୋଚନା। କେଜରିୱାଲଙ୍କ ନାମ ଆଉ କାମର ଯାଦୁ ପୁଣି ଥରେ ଚାଲିବାକୁ ନେଇ ଦିଲ୍ଲୀବାସୀ ଉତ୍ସାହିତ।

ଯଦି କାମ କରିଛି ତେବେ ଭୋଟ ଦିଅ। ଯଦି କରି ନାହିଁ, ଭାବୁଛ ତେବେ ମୋତେ ଭୋଟ ଦେବା ଦରକାର ନାହିଁ ବୋଲି ଅରବିନ୍ଦ କହି ବୁଲିଥିଲେ। ଆପ୍‌ ନିଜର ୫ ବର୍ଷର କାମକୁ ନେଇ ଭୋଟ ମାଗିଥିଲା। ସଫାସୁତୁରା ଛବି କାରଣରୁ ଦିଲ୍ଲୀବାସୀ ତାଙ୍କ ଉପରେ ପୁନର୍ବାର ଭରସା କରିଥିବା ଆପ୍‌ କହିଛି। ଆପ୍‌ର ପୂରା ପ୍ରଚାର କେଜରିୱାଲଙ୍କ ଉପରେ ଫୋକସ ଥିଲା ବେଳେ ବିଜେପି ଓ କଂଗ୍ରେସ ନିକଟରେ ସମକକ୍ଷ ନେତାଙ୍କ ଅଭାବ ଥିଲା। ଅରବିନ୍ଦ ୩୪ଟି ରୋଡ ଶୋ କରିବା ସହିତ ୧୩ଟି ଟାଉନହଲ ଏବଂ ୧୫ଟି ଜନସଭାକୁ ସମ୍ବୋଧିତ କରିଥିଲେ। ତାଙ୍କ ପ୍ରତି ଦିଲ୍ଲୀ ବାସୀଙ୍କ ଆସ୍ଥା ପଛରେ ସବୁଠୁ ବଡ଼ କାରଣ ହେଲା ମାଗଣା ବିଜୁଳି ଏବଂ ପାଣି। ମଧ୍ୟବିତ୍ତ ପରିବାର ଗୁଡ଼ିକୁ ଆଶ୍ବସ୍ତ କରାଇ ଦେଇଥିଲା। ୩୨ ଲକ୍ଷ ଲୋକଙ୍କୁ ମାଗଣା ବିଜୁଳିର ଲାଭ ମିଳିଥିବା ବେଳେ ଦିଲ୍ଳୀ ସରକାର ୨୦ ହଜାର ଲିଟର ପାଣି ମାଗଣା ଉପଲବ୍ଧ କରାଇଥିଲେ। ଦିଲ୍ଲୀର ୯୩ ପ୍ରତିଶତ ଘରକୁ ପାଇପ ଲାଇନରେ ଜଳ ଯୋଗାଣ କରି ଅରବିନ୍ଦ ହୃଦୟ ଜିତିଥିଲେ। କେବଳ ଏତିକି ନୁହେଁ, ଆପ୍‌ ସରକାର ଦିଲ୍ଲୀରେ ମହିଳାମାନଙ୍କ ପାଇଁ ବସଯାତ୍ରା ନିଃଶୁଳ୍‌କ ଘୋଷଣା ଭଳି ଏକ ବଡ଼ ପଦକ୍ଷେପ ନେଇଛନ୍ତି। ୧୨ ଲକ୍ଷ ମହିଳାଙ୍କୁ ମାଗଣା ଯାତ୍ରା ଲାଭ ମିଳିଥିବା ବେଳେ ଏହାକୁ ଫଳପ୍ରଦ କରାଇବା ପାଇଁ କେଜରିୱାଲ ସରକାର ୭୦୦ ନୂଆ ବସ୍‌ ଚଳାଇଥିଲେ। ମାଗଣା ବସଯାତ୍ରା ଘୋଷଣା ହେବା ପରେ ବସରେ ମହିଳା ଯାତ୍ରୀଙ୍କ ସଂଖ୍ୟା ୧୦ ପ୍ରତିଶତ ବୃଦ୍ଧି ପାଇଥିଲା।

ମହିଳାମାନଙ୍କୁ ସୁରକ୍ଷା ଦେବା ପାଇଁ ବସ୍‌ରେ କ୍ୟାମେରା ଖଞ୍ଜାଯିବା କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ସେହିପରି ଘରୋଇ ସ୍କୁଲ ଗୁଡ଼ିକରେ ମନଇଚ୍ଛା ଦେୟ ଆଦାୟ ଉପରେ ରୋକ ଲଗାଇଥିଲେ ଦିଲ୍ଲୀ ସରକାର। ଦିଲ୍ଲୀର ସରକାରୀ ବିଦ୍ୟାଳୟ ଗୁଡ଼ିକରେ ୧୦ ହଜାର କୋଠରି ନିର୍ମାଣ କରାଗଲା। ୨ ଲକ୍ଷ ଶିଶୁଙ୍କୁ ଆବାସିକ ସୁବିଧା ପ୍ରଦାନ କରାଗଲା। ୫ଟି ନୂଆ ସ୍କୁଲ ଅଫ ଏକ୍ସିଲେନ୍ସି ସ୍ଥାପନ କରାଗଲା। ଦିଲ୍ଲୀର ଗଳିକନ୍ଦିରେ ୪୦୦ ମହଲା କ୍ଲିନିକ ନିର୍ମାଣ କରାଗଲା। ୨୦୦ ପଲି କ୍ଲିନିକ ସମେତ ୨୦୦ ପ୍ରକାରର ପରୀକ୍ଷଣ ନିଃଶୁଳ୍‌କ କରାଗଲା। ଏହିସବୁ ପଦକ୍ଷେପ ଆପ୍‌କୁ ତୃତୀୟ ଥର ପାଇଁ କ୍ଷମତାକୁ ଆଣିଲା।

ଏବେ କେଜରିୱାଲଙ୍କୁ ୫୧ ବର୍ଷ। ଦେଶର ରାଜନୀତିରେ ବଡ଼ ଯୋଗଦାନ ଦେବା ପାଇଁ ତାଙ୍କ ନିକଟରେ ଅନୁଭବ ରହିଛି ଏବଂ ଆଗ
କୁ ଅନେକ ସମୟ ବି ରହିଛି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ