ବିଶ୍ବ ଆତଙ୍କବାଦୀ ହାଫିଜ୍‌ ସଈଦକୁ ୧୧ ବର୍ଷ ଜେଲ୍‌ ଦଣ୍ଡାଦେଶ


ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଣ ମାମଲାରେ ବୁଧବାର ପାକିସ୍ତାନର ଏକ କୋର୍ଟ ବିଶ୍ବ ଆତଙ୍କବାଦୀ ଘୋଷଣା ହୋଇଥିବା ଜମାତ୍‌-ଉଦ୍‌-ଦାୱା (ଜେୟୁଡି) ମୁଖ୍ୟ ହାଫିଜ ସଈଦକୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ୨୬/୧୧ ମୁମ୍ବାଇ ଆକ୍ରମଣର ମାଷ୍ଟର୍‌ମାଇଣ୍ଡ୍‌ ହାଫିଜ୍‌ ସଈଦ୍‌ ବିରୋଧରେ ଚାଲିଥିବା ଦୁଇଟି ମାମଲାର ବିଚାର କରି ଅଦାଲତ ସମୁଦାୟ ୧୧ ବର୍ଷ କାରାଦଣ୍ଡ ଶୁଣାଇଛନ୍ତି।  ବିଭିନ୍ନ ଦାତବ୍ୟ ଅନୁଷ୍ଠାନ ନାମରେ ପାଣ୍ଠି ସଂଗ୍ରହ କରି ତାହାକୁ ଆତଙ୍କବାଦୀ କାର୍ଯ୍ୟକଳାପ ଲାଗି ବ୍ୟବହାର କରିବା ସମ୍ପର୍କିତ ଦୁଇଟି ମାମଲାରେ ଦୋଷୀ ସାବ୍ୟସ୍ତ ହାଫିଜ୍‌କୁ ଦଣ୍ଡ ସ୍ବରୁପ ସାଢ଼େ ୫ ବର୍ଷ ଲେଖାଏଁ ଜେଲ୍ ଦଣ୍ଡ ଦିଆଯାଇଛି। ଏଥିସହ  ପ୍ରତି ମାମଲାରେ ୧୫,୦୦୦ ଟଙ୍କା ଲେଖାଏଁ ମୋଟ ୩୦,୦୦୦ ଟଙ୍କାର ଜରିମାନା ମଧ୍ୟ କରାଯାଇଛି।

ପାକିସ୍ତାନର ଆଣ୍ଟି ଟେରରିଜିମ୍‌ କୋର୍ଟ (ଏଟିସି) ମଙ୍ଗଳବାର ହାଫିଜ ସଈଦ ଏବଂ  ତା'ର ଅନ୍ୟ ସହଯୋଗୀଙ୍କ ନାମରେ ଥିବା ୬ଟି ଟେରର୍‌ ମାମଲାରୁ ଦୁଇଟି ମାମଲାର ଶୁଣାଣି କରିବା ସହ ରାୟ ପ୍ରଦାନ କରିଛନ୍ତି। ଏଟିସି ଲଗାତାର ଶୁଣାଣି ପରେ ଡିସେମ୍ବର ୧୧ତାରିଖର ଦୁଇଟି ମାମଲାରେ ହାଫିଜ୍‌କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ସୂଚନାଯୋଗ୍ୟ ଯେ ଆତଙ୍କବାଦୀଙ୍କ ପାଇଁ ଅର୍ଥ ଯୋଗାଡ଼ କରିବାକୁ ପାଞ୍ଚଟି ଟ୍ରଷ୍ଟ୍ ବ୍ୟବହାର କରିଥିବା କାରଣରୁ ହାଫିଜ୍ ସଈଦ୍  ଏବଂ ତା'ର ୧୨ ସହଯୋଗୀଙ୍କୁ ୨୦୧୯ରେ ଗିରଫ କରାଯାଇଥିଲା। ସେମାନଙ୍କ ବିରୋଧରେ ୨୩ଟି ମାମଲା ରୁଜ୍ଜୁ କରିଥିଲା ପାକିସ୍ତାନର ଆଣ୍ଟି ଟେରରିଜିମ୍ ସ୍କ୍ବାଡ। ହାଫିଜ୍‌ ବ୍ୟବହାର କରିଥିବା ଦାତବ୍ୟ ସଂଗଠନଗୁଡ଼ିକ ଥିଲା ଦାଓ୍ଵାତ୍‌ ଇଶ୍‌ରାଦ୍‌ ଟ୍ରଷ୍ଟ୍‍, ମୋଆଜ୍‌ ବିନ୍‌ ଜବାଲ୍‌ ଟ୍ରଷ୍ଟ୍‍, ଅଲ୍‌-ଅନ୍‌ଫାଲ୍‌ ଟ୍ରଷ୍ଟ, ଅଲ୍‌-ମଦିନା ଫାଉଣ୍ଡେସନ୍‌ ଟ୍ରଷ୍ଟ୍‍, ଅଲ୍‌-ହମଦ ଟ୍ରଷ୍ଟ। ଏହି ସଂଗଠନଗୁଡ଼ିକ ଲାହୋର, ଗୁଜରାନ୍‌ଓ୍ଵାଲା ଏବଂ ମୁଲ୍‌ତାନ ଭଳି ପ୍ରମୁଖ ସହରରେ କାର୍ଯ୍ୟ କରୁଥିଲା। ଏହି ମାମଲାରେ  ହାଫିଜ୍‌ ମହମ୍ମଦ୍‌ ସଈଦ୍‌ ବ୍ୟତୀତ  ଜମାତ୍‌ -ଉଦ୍‌-ଦାଓ୍ଵାର ୩ ଜଣ ସଦସ୍ୟ  ଅବ୍‌ଦୁଲ୍‌ ରେହମାନ୍‌, ଅମୀର ହାମ୍‌ଜା ଓ ମହମ୍ମଦ ୟାହ୍ୟା ଅଜିଜ୍‌ ମଧ୍ୟ ସମ୍ପୃକ୍ତ ଥିଲେ। ଆତଙ୍କବାଦୀ ସଙ୍ଗଠନଗୁଡ଼ିକ ବିପକ୍ଷରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପାକିସ୍ତାନ ଉପରେ ଆନ୍ତର୍ଜାତିକ ଚାପ କ୍ରମଶଃ ବଢ଼ି ଚାଲିଥିବାରୁ ପାକ୍ ସରକାର ଏହି ପଦକ୍ଷେପ ନେଇଥିଲେ।

କୁହାଯାଉଛି, ପାକିସ୍ତାନକୁ ଘାରିଛି ଫାଇନାନସିଆଲ ଆକ୍ସନ ଟାସ୍କ ଫୋର୍ସ (ଏଫ୍‌ଏଟିଏଫ୍‌) ର କଳା ତାଲିକାରେ ସାମିଲ ହେବାର ଭୟ। ଗତବର୍ଷ ଏଫ୍‌ଏଟିଏଫ୍ ଏହି କୁଖ୍ୟାତ ଆତଙ୍କବାଦୀଙ୍କୁ ବାନ୍ଧିବା ପାଇଁ ପାକିସ୍ତାନ ସରକାର ଉପରେ ଚାପ ପକାଇଥିଲା। କାରଣ ପାକିସ୍ତାନରେ ଆତଙ୍କବାଦୀ ସକ୍ରିୟ ରହୁଥିବାରୁ ଦେଶରେ ଆର୍ଥିକ ସ୍ଥିତି ଖରାପ ହୋଇଯାଇଛି। ଆତଙ୍କବାଦ କାରଣରୁ ହିଁ ବିଭିନ୍ନ ଦେଶ ପାକିସ୍ତାନ ସହ ସମ୍ପର୍କ ଛିନ୍ନ କରୁଥିବାରୁ ପାକିସ୍ତାନର ବାଣିଜ୍ୟିକ ସ୍ଥିତି ଦୋହଲିଯାଇଛି। ସେହି କାରଣରୁ ପାକିସ୍ତାନ ସରକାର ହାଫିଜ୍‌ ବିରୋଧରେ ଏପରି ପଦକ୍ଷେପ ନେଇଛନ୍ତି। ସୂଚନାଯୋଗ୍ୟ, ଆତଙ୍କବାଦୀ ହାଫିଜକୁ ଦଣ୍ଡ ଦେବା ପାଇଁ ଭାରତ ଗତ ୧୧ ବର୍ଷ ଧରି ଲଢି ଆସୁଥିଲା।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ