ପୱନ୍‌କୁ ଆଇନଗତ ଫାଇଦା ନେଇ କୋହ ସମ୍ଭାଳିପାରିଲେନି ନିର୍ଭୟାଙ୍କ ମା’


ପାଖାପାଖି ୮ ବର୍ଷ ହେଲା ଗଣଦୁଷ୍କର୍ମର ଶିକାର ହୋଇ ଜୀବନ ହରାଇଥିବା ଝିଅ ନିର୍ଭୟାକୁ ନ୍ୟାୟ ଦେବା ସକାଶେ କୋର୍ଟକଚେରୀ ଦୌଡ଼ିଆସୁଛନ୍ତି ଆଶା ଦେବୀ। କିନ୍ତୁ ଭାରତୀୟ ଆଇନ ବ୍ୟବସ୍ଥାର ଗଳାବାଟର ଫାଇଦା ଉଠାଇ ଦୁଷ୍କର୍ମକାରୀ ପିଶାଚମାନେ ଦିନକୁ ଦିନ ଆଶା ଦେବୀଙ୍କ ବେଦନା ବଢ଼ାଇଚାଲିଛନ୍ତି। ସେମାନଙ୍କୁ ଏଥିରେ ସହଯୋଗ କରୁଛନ୍ତି ଆଇନ ପରିଚାଳନା କରୁଥିବା ଆଇନଜୀବୀମାନେ। ପୂର୍ବରୁ ଏକାଧିକ ବାର ନିରାଶ ହୋଇଥିବା ଆଶା ଦେବୀ ବୁଧବାର ଏଠାକାର ଟ୍ରାଏଲ୍‌ କୋର୍ଟରେ କୋହ ସମ୍ବରଣ କରିପାରିନାହାନ୍ତି। ଭାରତର ଆଇନକାନୁନ ଉପରୁ ତାଙ୍କର କ୍ରମଶଃ ଭରସା ତୁଟିଯାଉଛି ବୋଲି କୋହଭରା କଣ୍ଠରେ ଆଶା ଦେବୀ କହିଛନ୍ତି। ବୁଧବାର ଟ୍ରାଏଲ୍‌ କୋର୍ଟ ଅନ୍ୟତମ ଦୋଷୀ ପୱନ୍‌ ଗୁପ୍ତାକୁ ଆଇନଗତ ସହଯୋଗ ନେବା ସକାଶେ ପୁଣି ଅନୁମତି ଦେବା ପରେ ଏହା ଆଶା ଦେବୀଙ୍କ ଦୁଃଖକୁ ବହୁଗୁଣିତ କରିଛି।

ତିହାର ଜେଲ୍‌ କର୍ତ୍ତୃପକ୍ଷ ପୂର୍ବରୁ ୪ ଦୋଷୀଙ୍କ ସକାଶେ ଡେଥ୍‌ ୱାରେଣ୍ଟ୍‌ ଜାରି କରାଯିବା ସକାଶେ କୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ ହେଁ ନିରାଶ ହେବାକୁ ପଡ଼ିଥିଲା। ତେବେ ମଙ୍ଗଳବାର ସୁପ୍ରିମ୍‌କୋର୍ଟ ତିହାର ଜେଲ୍‌କୁ ଏନେଇ ପୁନର୍ବାର ଆବେଦନ କରିବା ସକାଶେ ଅନୁମତି ଦେବା ପରେ ତିହାର ଜେଲ୍‌ କର୍ତ୍ତୃପକ୍ଷ ସାନି ଡେଥ୍ ୱାରେଣ୍ଟ୍‌ ଜାରି କରିବା ସକାଶେ ଟ୍ରାଏଲ୍‌ କୋର୍ଟରେ ଆବେଦନ କରିଥିଲେ। ୪ ଦୋଷୀଙ୍କ ମଧ୍ୟରୁ ୩ ଜଣଙ୍କ ନିକଟରେ ଆଉ କୌଣସି ଆଇନଗତ ସହଯୋଗର ସୁଯୋଗ ନ ଥିବା ବେଳେ ପୱନ୍‌କୁ ସାତ ଦିନ ଭିତରେ କ୍ୟୁରେଟିଭ୍‌ ଓ ରାଜକ୍ଷମା ପାଇଁ ଆବେଦନ କରିବାକୁ ଦିଲ୍ଲୀ ହାଇକୋର୍ଟ ସମୟ ଦେଇଥିଲେ। କିନ୍ତୁ ପୱନ୍‌ ଏହାର ଫାଇଦା ନେବାକୁ ଉଦ୍ୟମ କରି ନ ଥିବାରୁ ତୁରନ୍ତ ଡେଥ୍ ୱାରେଣ୍ଟ୍‌ ଜାରି କରିବାକୁ ତିହାର କର୍ତ୍ତୃପକ୍ଷ କୋର୍ଟଙ୍କୁ ଅନୁରୋଧ କରିଥିଲେ। କିନ୍ତୁ ଶେଷ ନିଃଶ୍ବାସ ଥିବା ପର୍ଯ୍ୟନ୍ତ ଦୋଷୀ ପାଖରେ ଆଇନଗତ ସହାୟତା ନେବାର ସୁଯୋଗ ରହିଛି ବୋଲି କୋର୍ଟ କହିବା ଫଳରେ ନିର୍ଭୟା ଅଭିଭାବକଙ୍କୁ ନିରାଶ ହେବାକୁ ପଡ଼ିଛି।

କୋର୍ଟଙ୍କ ଏପରି ଆଦେଶ ପରେ ନିଜର କୋହ ସମ୍ବରଣ କରି ନ ପାରି ଆଶା ଦେବୀ କୋର୍ଟ କିପରି ଦୋଷୀମାନଙ୍କ ଷଡ଼ଯନ୍ତ୍ରକୁ ଅନୁଭବ କରିପାରୁନାହାନ୍ତି ବୋଲି ପ୍ରଶ୍ନ କରିଛନ୍ତି। ଦୋଷୀମାନେ କେବଳ ଫାଶୀ ଦଣ୍ଡାଦେଶ କାର୍ଯ୍ୟକାରିତାକୁ ବିଳମ୍ବ କରିବା ସକାଶେ ଆଇନକୁ ଢାଲ କରିଆସୁଛନ୍ତି। ପୱନ୍‌ ତା’ ପାଇଁ ମାମଲା ଲଢ଼ୁଥିବା ଆଇନଜୀବୀକୁ ବଦଳାଇଥିବାରୁ ଏବେ ଡିଷ୍ଟ୍ରିକ୍ଟ ଲିଗାଲ୍‌ ସର୍ଭିସେସ୍‌ ଅଥରିଟି (ଡିଏଲ୍‌ଏସ୍‌ଏ) ତା’ର ବାପାଙ୍କୁ ଆଇନଜୀବୀ ଚୟନ ପାଇଁ ସୁଯୋଗ ଦେଇଛି। ଆଶା ଦେବୀ ଏପରି ପଦକ୍ଷେପକୁ ସମାଲୋଚନା କରି କହିଛନ୍ତି ଯେ ନୂଆ ଆଇନଜୀବୀ ଆସିଲେ, ସେ ନିଜସ୍ବ ସମୟ ନେବେ ଓ ଏହିପରି ଭାବେ ମାମଲା ଗଡ଼ିଚାଲିବ। ପଟିଆଲା ହାଉସ୍‌ କୋର୍ଟ ଡେଥ୍ ୱାରେଣ୍ଟ୍‌ ଜାରି କରିବା ମୁଡ୍‌ରେ ନ ଥିବାରୁ ତୁରନ୍ତ ସୁପ୍ରିମ୍‌କୋର୍ଟ ତୁରନ୍ତ ୪ ଦୋଷୀଙ୍କୁ ଫାଶୀ ଖୁଣ୍ଟରେ ଝୁଲାଇବା ସକାଶେ ନିର୍ଦେଶ ଦେବାକୁ ଆଶା ଦେବୀ ଅନୁରୋଧ କରିଛନ୍ତି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ