ନୀଲ୍‌ର ମୃତ୍ୟୁ ପାଇଁ ଦାୟୀ କିଏ? ଭିଡ଼ ନା ଚିକିତ୍ସା ବ୍ୟବସ୍ଥା


ରାଜଧାନୀରେ ଦିନକୁ ଦିନ ଗୁରୁତର ହେବାରେ ଲାଗିଛି ଟ୍ରାଫିକ୍‌ ସମସ୍ୟା। ଟ୍ରାଫିକ୍‌ ଶୃଙ୍ଖଳା ପାଇଁ ଜଣେ ଆଇପିଏସ୍‌ ଅଫିସରଙ୍କୁ ଦାୟିତ୍ବ ଦିଆଯାଇଛି। ଟ୍ରାଫିକ୍‌ ଶୃଙ୍ଖଳାକୁ ନେଇ ଦୀର୍ଘ ଦିନ ହେବ ଧରପଗଡ଼ ଓ ତନାଘନା ଚାଲିଛି। ରଙ୍ଗରୁଟ୍‌ରେ ଯାଉଥିବା ଗାଡ଼ି ଚାଳକଙ୍କୁ ମାଡ଼ି ବସୁଛି ଟ୍ରାଫିକ୍‌ ପୋଲିସ୍‌। ପୋଲିସ୍‌ ପକ୍ଷରୁ ଘଡ଼ିକୁ ଘଡ଼ି ନିର୍ଦେଶନାମା ଜାରି କରାଯାଉଛି। କିନ୍ତୁ ଫଳ ସମସ୍ତଙ୍କୁ ଜଣା। ରାଜଧାନୀରେ ଟ୍ରାଫିକ୍‌ ଜାମ୍‌ ଆଉ ଏକ ଜୀବନ ନେଇଛି। ରାସ୍ତା ଜାମ୍‌ରେ ଆମ୍ବୁଲାନ୍ସ ଫସି ରହିବାରୁ ଜଣେ ୫ ବର୍ଷର ଶିଶୁପୁତ୍ରର ମୃତ୍ୟୁ ଘଟିଛି। ମଙ୍ଗଳବାର ପୂର୍ବାହ୍ନରେ ଘଟିଛି ଏହି ଦୁଃଖଦ ଘଟଣା। ମୃତ ଶିଶୁ ହେଲେ ପୁରୁଣା ଭୁବନେଶ୍ୱରରେ ରହୁଥିବା କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ବ୍ଲକ୍‌ ଦୋବଣ୍ଡା ଗ୍ରାମର ନୀରୋଦ ନାୟକଙ୍କ ପୁଅ ନୀଲ୍‌ ନୀତୀଶ ନାୟକ।

ତ୍ରୁଟିପୂର୍ଣ୍ଣ ତଥା ବିଳମ୍ବ ଚିକିତ୍ସା ଯୋଗୁ ନା ରାସ୍ତାରେ ଟ୍ରାଫିକ୍‌ ଜାମ୍‌ ଯୋଗୁ ନୀତୀଶଙ୍କ ମୃତ୍ୟୁ ହୋଇଛି, ତାକୁ ନେଇ ଚାଲିଛି ନାନା ଆଲୋଚନା। ରାସ୍ତାରେ ନେତା ମନ୍ତ୍ରୀ ଯିବାବେଳେ ପୋଲିସ୍‌ ସାଧାରଣ ଲୋକଙ୍କୁ ଅଟକାଇ ସେମାନଙ୍କୁ ସ୍ବତନ୍ତ୍ର ଲେନ୍‌ କରି ନିଆଯାଉଛି। କିନ୍ତୁ ଆମ୍ବୁଲାନ୍ସ ପାଇଁ କିଛି ଲେନ୍‌ ରହୁନାହିଁ। ରାସ୍ତାର ବାମ ପଟେ ଆମ୍ବୁଲାନ୍ସ ପାଇଁ ସ୍ଥାନ ଛାଡିବା ପାଇଁ ବ୍ୟବସ୍ଥା ରହିଥିଲେ ମଧ୍ୟ ଲୋକେ ଗାଡ଼ି ଚଳାଇଲାବେଳେ କବ୍‌ଜା କରି ବାଟ ଓଗାଳୁଛନ୍ତି। ରାସ୍ତାରେ ଜାମ୍‌ରେ ଦୀର୍ଘ ସମୟ ଦରି ଫସି ରହୁଛି ଆମ୍ବୁଲାନ୍ସ। ଉନ୍ନତ ସ୍ବାସ୍ଥ୍ୟ ସେବା ଉପରେ ରାଜ୍ୟ ସରକାର ଗୁରୁତ୍ୱ ଦେବା ସହ ସ୍ବାସ୍ଥ୍ୟ ବିଭାଗକୁ ‘ମୋ ସରକାର’ ଯୋଜନାରେ ସାମିଲ୍‌ କରିନ୍ତି। ରାଜ୍ୟର ପ୍ରମୁଖ କ୍ୟାପିଟାଲ୍‌ ହସ୍ପିଟାଲକୁ ଚକାଚକ୍‌ କରାଯାଇଥିବାବେଳେ ଅଭିଜ୍ଞ ତଥା ଦାୟିତ୍ୱ ସମ୍ପନ୍ନ ଡାକ୍ତରଙ୍କୁ ଅବସ୍ଥାପିତ କରାଯାଇଥିବା କୁହାଯାଉଛି। ଏପଟେ ଭୁବନେଶ୍ୱର ସ୍ମାର୍ଟସିଟି ହେବା ପରେ ରାସ୍ତାଠାରୁ ଆରମ୍ଭ କରି ଟ୍ରାଫିକ ପରିଚାଳନା ଉପରେ ଢେର୍‌ ଗୁରୁତ୍ୱ ଦିଆଯାଉଛି। କହିବାକୁ ଗଲେ ଏସବୁ କ୍ଷେତ୍ରରେ ସରକାର ଯୋଜନା ପରେ ଯୋଜନା ଗଦା କରିଚାଲିଛନ୍ତି। ହେଲେ କାହିଁକି ଭୁବନେଶ୍ୱର ପରି ସହରରେ ନୀତୀଶ୍‌ଙ୍କ ପରି ଜୀବନ ଯାଉଛି, ତାହାକୁ ନେଇ ଏବେ ସବୁଠି ବଡ଼ ପ୍ରଶ୍ନ ଉଠିଛି।

ତେବେ କ୍ୟାପିଟାଲ ହସ୍ପିଟାଲଙ୍କ ଅବହେଳା କାରଣରୁ ନୀଲ୍‌ଙ୍କର ମୃତ୍ୟୁ ହୋଇଥିବା ତାଙ୍କ ବାପା ନିରୋଦ କହିଛନ୍ତି। ପୁଅ ଯନ୍ତ୍ରଣାରେ ଛଟପଟ ହେଉଥିବା ବେଳେ ଅନଭିଜ୍ଞ ଡାକ୍ତର ଠିକ୍‌ ଭାବେ ରୋଗ ଚିହ୍ନଟ କରି ନ ପାରି ଥଣ୍ଡା ହୋଇଥିବା କହି ମନଇଚ୍ଛା ଇଞ୍ଜେକ୍ସନ ଓ ଔଷଧ ଦେଲେ। ଶେଷ ମୁହୂର୍ତ୍ତରେ ଜଣେ ବରିଷ୍ଠ ଡାକ୍ତର ଦେଖିଥିଲେ ମଧ୍ୟ ସେତେବେଳକୁ ଦୁଇଦିନ ବିଳମ୍ବ ହୋଇଯାଇଥିଲା। ଫଳରେ ତାଙ୍କ ପୁଅର ସ୍ବାସ୍ଥ୍ୟାବସ୍ଥା ସମ୍ପୂର୍ଣ୍ଣ ବିଗିଡ଼ି ଯାଇଥିଲା ବୋଲି ମୃତ ନୀଲ୍‌ ନୀତୀଶଙ୍କ ବାପା ନିରୋଦ ନାୟକ କହିଛନ୍ତି। ତାଙ୍କ ପୁଅର ମୃତ୍ୟୁ ପାଇଁ କ୍ୟାପିଟାଲ୍‌ ହସ୍ପିଟାଲର ଡାକ୍ତର, କର୍ମଚାରୀ ଓ ବ୍ୟବସ୍ଥା ହିଁ ଦାୟୀ ବୋଲି ସେ କହିଛନ୍ତି। ସେହିପରି ନିରୋଦ ଟ୍ରାଫିକ୍‌ ବ୍ୟବସ୍ଥା ଉପରେ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି। ଟ୍ରାଫିକ୍‌ ଜାମ୍‌ ଯୋଗୁ ତାଙ୍କ ପୁଅ ଠିକ୍‌ ସମୟରେ ହସ୍ପିଟାଲ୍‌ରେ ପହଞ୍ଚି ପାରିଲା ନାହିଁ। ଆମ୍ବୁଲାନ୍ସରୁ ଓହ୍ଲାଇ ଲୋକଙ୍କୁ ଅନୁରୋଧ କରିଥିଲେ ମଧ୍ୟ କେହି ଶୁଣି ନ ଥିଲେ। ଫଳରେ ରାସ୍ତାରେ ତାର ମୃତ୍ୟୁ ଘଟିଥିଲା। ଟ୍ରାଫିକ ପୋଲିସ୍‌ ପକ୍ଷରୁ କୌଣସି ସହଯୋଗ ମିଳି ନ ଥିଲା ବୋଲି ସେ କହିଛନ୍ତି।

ତେବେ ଚିକିତ୍ସାରେ ଅବହେଳା ହୋଇଛି କି ନାହିଁ ତଦନ୍ତ ହେବ ବୋଲି କହିଛନ୍ତି କ୍ୟାପିଟାଲ୍‌ ହସ୍ପିଟାଲ ନିର୍ଦେଶକ ଅଶୋକ ପଟ୍ଟନାୟକ। ଯଦି ଅବହେଳା ପଦାକୁ ଆସେ ନିଶ୍ଚିତ କାର୍ଯ୍ୟାନୁଷ୍ଠାନ ହେବ ବୋଲି ପଟ୍ଟନାୟକ କହିଛନ୍ତି। ଅନ୍ୟପକ୍ଷରେ ଘଟଣାକୁ ଅସ୍ବୀକାର କରିଛନ୍ତି ଟ୍ରାଫିକ୍‌ ଡିସିପି ସାଗରିକା ନାଥ। କୌଣସି ଆମ୍ବୁଲାନ୍ସ ଭିଡ଼ରେ ଫଶି ନ ଥିବା ସେ କହିଛନ୍ତି। ନାଲ୍‌କୋ ଛକ ଟ୍ରାଫିକ୍‌ ପୋଷ୍ଟ୍‌ ଦେଇ ୪ ଆମ୍ବୁଲାନ୍ସ ଯାଇଛି। ୩ ଆମ୍ବୁଲାନ୍ସ ଛକରେ ଅଟକି ନ ଥିବାବେଳେ ଶେଷଟି କିଛି ସମୟ ପାଇଁ ଅଟକିଥିଲା। ଆମ ଟ୍ରାଫିକ୍‌ ପୋଲିସ୍‌ ତୁରନ୍ତ ଆମ୍ବୁଲାନ୍ସ ଆଗରୁ ଅନ୍ୟ ଗାଡ଼ି ହଟାଇ ଆଗକୁ ଛାଡ଼ିଥିଲେ। ସେହିପରି କ୍ୟାପିଟାଲ୍‌ ହସ୍ପିଟାଲରୁ ନାଲ୍‌କୋ ଛକ ୪୦ ମିନିଟ୍‌ର ରାସ୍ତା। କିନ୍ତୁ ମୃତ ଶିଶୁର ପରିବାରଲୋକ ଏହାକୁ ୧ ଘଣ୍ଟା ବୋଲି କହିବା ଆଶ୍ଚର୍ଯ୍ୟଜନକ ବୋଲି ସେ କହିଛନ୍ତି। ତେବେ ନୀଲ୍‌ଙ୍କ ମୃତ୍ୟୁ ହେବା ପଛରେ ଦାୟୀ କିଏ ସେନଇ ହୋଇଛି ଆଲୋଚନା। ସ୍ବାସ୍ଥ୍ୟ ବିଭାଗ, ଟ୍ରାଫିକ୍‌ ବ୍ୟବସ୍ଥା ନା ଲୋକଙ୍କ ମାନସିକତା ଏଥିପାଇଁ ଦାୟୀ ଏହା ଏବେ ପ୍ରଶ୍ନବାଚୀ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ