ରାଉରକେଲାରେ ପ୍ରତିଷ୍ଠା ହେବ ଟୁଲ୍ ରୁମ୍ ଟ୍ରେନିଂ ସେଣ୍ଟର୍‌


ଭୁବନେଶ୍ବର: ରାଉରକେଲାରେ ନିର୍ମାଣ ହେବ ଟୁଲ୍ ରୁମ୍ ଟ୍ରେନିଂ ସେଣ୍ଟର୍‌। ଏହି ସେଣ୍ଟର୍‌ ପ୍ରତିଷ୍ଠା କରିବାକୁ ରାଜ୍ୟ ସରକାର ଜମି ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଥିବା ବେଳେ କେନ୍ଦ୍ର ସରକାର ଏଥିପାଇଁ ୨୦୦ କୋଟି ଟଙ୍କା ଖର୍ଚ୍ଚ କରିବେ। ବୁଧବାର ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରିବା ପରେ ଏହି ସୂଚନା ଦେଇଛନ୍ତି କେନ୍ଦ୍ର ଏମ୍‌ଏସ୍‌ଏମ୍‌ଇ ମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ। ସେପଟେ ଏବର୍ଷ ଶେଷ ସୁଦ୍ଧା ରାଜ୍ୟରେ ହଜାରେ ଷ୍ଟାର୍ଟଅପ୍‌କୁ ସାହାଯ୍ୟ ଯୋଗାଇ ଦେବା ଲକ୍ଷ୍ୟରେ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତରେ ସୂକ୍ଷ୍ମ କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବା ଏମ୍‌ଏସ୍‌ଏମ୍‌ଇ ବିଭାଗ ଏବଂ ଏଚ୍‌ଡିଏଫ୍‌ସି ବ୍ୟାଙ୍କ୍‌ ମଧ୍ୟରେ ଏକ ବୁଝାମଣା ସ୍ବାକ୍ଷରିତ ହୋଇଛି।

କେନ୍ଦ୍ର ସରକାରଙ୍କ ଏମ୍‌ଏସ୍‌ଏମ୍‌ଇ ବିଭାଗ ପକ୍ଷରୁ ଆଗକୁ ରାଜ୍ୟରେ ହେବାକୁ ଥିବା ବିଭିନ୍ନ ଯୋଜନା ବିଷୟରେ ଆଲୋଚନା କରିବା ପାଇଁ ବୁଧବାର ଲୋକସେବା ଭବନରେ ଏମ୍‌ଏସ୍‌ଏମ୍‌ଇ ମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଥିଲେ। ଦୀର୍ଘ ସମୟ ଆଲୋଚନା ପରେ ମନ୍ତ୍ରୀ ଷଡ଼ଙ୍ଗୀ ସୂଚନା ଦେଇ କହିଛନ୍ତି, ରାଉରକେଲାରେ ଟୁଲ୍‌ ରୁମ୍‌ ଟ୍ରେନିଂ ସେଣ୍ଟର୍‌ ପ୍ରତିଷ୍ଠା ହେବ। ଏହି ପ୍ରକଳ୍ପ ଲାଗି ରାଜ୍ୟ ସରକାର ଜମି ଯୋଗାଇ ଦେବେ ବୋଲି ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି। ଓଡ଼ିଶାର ବ୍ରହ୍ମପୁର, କେନ୍ଦୁଝର, କଳାହାଣ୍ଡି ଓ ବାଲେଶ୍ୱରରେ ହେବ ଏହାର ଏକ୍ସଟେନ୍‌ସନ୍‌ ସେଣ୍ଟର୍‌। ପ୍ରତ୍ୟେକ ସେଣ୍ଟର୍‌ ପାଇଁ ଖର୍ଚ୍ଚ ହେବ ୨୦ କୋଟି ଟଙ୍କା। ଏମିତିକି ସାରା ଭାରତରେ ୨୨୬ଟି ଏମ୍‌ଏସ୍‌ଏମ୍‌ଇ କ୍ଲଷ୍ଟର୍‌ ହେବା ନେଇ ମଧ୍ୟ ସୂଚନା ଦେଇଛନ୍ତି। ଏହି ପରୀପ୍ରେକ୍ଷୀରେ ଓଡ଼ିଶାରେ ହେବ ୪୫ଟି କ୍ଲଷ୍ଟର୍‌।

ମନ୍ତ୍ରୀ ଆହୁରି କହିଛନ୍ତି, ଉପକୂଳ ଜିଲ୍ଲାରେ ଅବ୍ୟବହୃତ ହୋଇ ପଡ଼ିଥିବା ପ୍ରାୟ ୬ ହଜାର ୭୦୦ ଏକର ଜମିରେ ମାଛ ଚାଷ କରିବାକୁ ଯୋଜନା କରାଯାଇଛି। ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା ଏବଂ ଗଞ୍ଜାମ ଜିଲ୍ଲାରେ ଅବ୍ୟବହୃତ ହୋଇ ପଡ଼ିଥିବା ପ୍ରାୟ ୬ ହଜାର ୭ ଶହ ଏକର ସମୁଦ୍ର କୂଳିଆ ଜମିରେ ମାଛ ଚାଷୀଙ୍କୁ ଛୋଟ ଛୋଟ ଜମି  ବାଣ୍ଟିବାକୁ ଯୋଜନା କରାଯାଉଛି, ଯାହାଦ୍ୱାରା ଓଡ଼ିଶାରେ ମତ୍ସ୍ୟଚାଷର ଉତ୍ପାଦ ବଢ଼ିବା ସହ କ୍ଷୁଦ୍ର ଚାଷୀଙ୍କ ରୋଜଗାର ମଧ୍ୟ ବୃଦ୍ଧି ପାଇବ। ସେହିପରି ଓଡ଼ିଶାରେ କେଜ୍‌ କଲଚର ଜରିଆରେ ମାଛ ଚାଷ ନେଇ ଯୋଜନା କରାଯାଉଛି। ଯାହାକୁ ସମୁଦ୍ର ଏବଂ ପଥର ଖାଦାନ ଖୋଲମାନଙ୍କରେ ଆରମ୍ଭ କରାଯାଉଛି। ତେବେ ଆସନ୍ତା ୧୪ ତାରିଖରେ ବାଲେଶ୍ୱରରେ ଏହାକୁ ନେଇ ଏକ କର୍ମଶାଳା ଅନୁଷ୍ଠିତ ହେବ। ଯେଉଁଥିରେ ବିଭିନ୍ନ କୃଷିଭିତ୍ତିକ ଯୋଜନା ଉପରେ ଆଲୋଚନା କରାଯିବ ବୋଲି  କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ସୂଚନା ଦେଇଛନ୍ତି।

ସେହିପରି ୨୦୨୦ ଶେଷ ସୁଦ୍ଧା ୧୦୦୦ ଷ୍ଟାର୍ଟଅପ୍‌କୁ ସହାୟତା ଯୋଗାଇ ଦେବେ ରାଜ୍ୟ ସରକାର। ଏଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଏମ୍‌ଏସ୍‌ଏମ୍‌ଇ ବିଭାଗ ଏବଂ ଏଚ୍‌ଡିଏଫ୍‌ସି ବ୍ୟାଙ୍କ୍‌ ମଧ୍ୟରେ ଏମ୍‌ଓୟୁ ସ୍ବାକ୍ଷରିତ ହୋଇଛି। ଷ୍ଟାର୍ଟଅପ୍ ଗୁଡ଼ିକ ପାଇଁ ଏଚ୍‌ଡିଏଫ୍‌ସି ସ୍ମାର୍ଟ ବ୍ୟାଙ୍କିଙ୍ଗ୍ ସୁବିଧା ଯୋଗାଇ ଦେବ। ରାଜ୍ୟର ସମସ୍ତ ୪୯ଟି ସରକାରୀ ଆଇଟିଆଇର ଛାତ୍ରଛାତ୍ରୀଙ୍କୁ ଜୀବିକା କୌଶଳ କ୍ଷେତ୍ରରେ ଟ୍ରେନିଂ ପ୍ରଦାନ କରାଯିବ। ଏମ୍‌ଏସ୍‌ଏମ୍‌ଇ କ୍ଷେତ୍ରରେ ରାଜ୍ୟ ଓ କେନ୍ଦ୍ର ଭିତରେ ଏହି ଉଦ୍ୟମ ବାସ୍ତବ ରୂପନେଲେ ରାଜ୍ୟରେ ଆତ୍ମ ନିଯୁକ୍ତି ସୃଷ୍ଟି କରିବାରେ ସହାୟକ ହେବ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ