ଦଳିତ ଦିନମଜୁରିଆଙ୍କ ଦୈନ୍ୟ ଦୂର: କେରଳ ଲଟେରୀରେ ଜିତିଲେ ୧୨ କୋଟି


କୋଚି: ୫୩ ବର୍ଷୀୟ ପି. ରାଜନ୍‌ ବ୍ୟାଙ୍କ୍‌ରୁ ୩ଟି ୠଣ ଆଣିଥିଲେ। ଏହି ୠଣ ବାବଦ ସୁଧ ଶୁଝିପାରୁ ନ ଥିବା ଦଳିତ ଶ୍ରେଣୀର ଦିନମଜୁରିଆ ରାଜନ୍‌ ସେଦିନ ବ୍ୟାଙ୍କ୍‌କୁ ଆଉ ଗୋଟିଏ ୠଣ ଆଶାରେ ବ୍ୟାଙ୍କ୍‌ ଅଧିକାରୀଙ୍କ ନିକଟରେ ପହଞ୍ଚିଥିଲେ। କିନ୍ତୁ ତାଙ୍କୁ ବ୍ୟାଙ୍କ କର୍ତ୍ତୃପକ୍ଷ ନିରାଶ କରିଥିଲେ। ଆଶାଶୂନ୍ୟ ହୋଇ ରାଜନ୍‌ ଘରକୁ ଫେରୁଥିବା ବେଳେ ନିଜର ପୁରୁଣା ଲଟେରୀ କିଣା  ଅଭ୍ୟାସକୁ ଦୋହରାଇଥିଲେ। ୩୦୦ ଟଙ୍କା ଦେଇ ଏକ ଲଟେରୀ ଟିକେଟ୍‌ କିଣିଆଣିଥିଲେ। ସେତେବେଳେ ସେ ଅଭ୍ୟାସବଶତଃ ଏହି ଟିକେଟ୍‌ଟି କିଣିଥିଲେ ଓ ଏହା ଯେ ଦିନେ ତାଙ୍କ ଜୀବନ ବଦଳାଇଦେବ, ତାହା ରାଜନ୍‌ କଦାପି ଭାବି ନ ଥିଲେ। କିନ୍ତୁ ଦିନମଜୁରିଆ ରାଜନ୍‌ ଏବେ ୧୨ କୋଟି ଟଙ୍କାର ମାଲିକ ହୋଇଛନ୍ତି। କାରଣ ଉକ୍ତ ଲଟେରୀ ଟିକେଟ୍‌ଟି ତାଙ୍କ ପାଇଁ ଲକି ସାବ୍ୟସ୍ତ ହୋଇଛି। ସେ କେରଳ ରାଜ୍ୟ ଲଟେରୀର କ୍ରିଶ୍‌ମାସ୍‌-ନ୍ୟୁ ଇୟର୍‌ ବମ୍ପର୍‌ ପ୍ରାଇଜ୍‌ ଜିତିପାରିଛନ୍ତି। ତାଙ୍କର ପୁରୁଣା ଟିକେଟ୍‌ କିଣା ଅଭ୍ୟାସ ତାଙ୍କ ପରିବାର ପାଇଁ ନୂଆ ସକାଳ ଆଣିଛି ଓ ତାଙ୍କର ଦୈନ୍ୟ ଜୀବନକୁ ଦୂର କରିପାରିଛି।

ଲଟେରୀ ଟିକେଟ୍‌ରେ ବମ୍ପର୍‌ ପୁରସ୍କାର ଜିତିବା ପରେ ରାଜନ୍‌ କହିଛନ୍ତି ଯେ ତାଙ୍କ ପତ୍ନୀ ତାଙ୍କୁ ସବୁବେଳେ ଟିକେଟ୍‌ କିଣା ଅଭ୍ୟାସ ପାଇଁ ଗାଳି କରିଆସୁଥିଲେ। କିନ୍ତୁ ଏହା ଏବେ ତାଙ୍କ ପରିବାରର ଜୀବନ ବଦଳାଇ ଦେଇପାରିଛି। ଗତ ସୋମବାର ଏହି ବମ୍ପର୍‌ ପୁରସ୍କାର ଘୋଷଣା ହୋଇଥିବା ବେଳେ ରାଜ୍ୟ ଲଟେରୀ ବିଭାଗ କନ୍ନୁର୍‌ ଜିଲ୍ଲାର କୁଥୁପାରାମ୍ଭା ଆଉଟ୍‌ଲେଟ୍‌ରେ ଉକ୍ତ ଲଟେରୀ ଟିକେଟ୍‌ଟି ବିକ୍ରି ହୋଇଥିବା ଜାଣିବାକୁ ପାଇଥିଲା। କିନ୍ତୁ ରାଜନ୍‌ ମଙ୍ଗଳବାର ଏ ବିଷୟରେ ଜାଣିଥିଲେ ଓ ତାଙ୍କ ଲଟେରୀ ଟିକେଟ୍‌ ନମ୍ବର ଯାଞ୍ଚ୍‌ କରିବା ପରେ ନିଜ ଆଖିକୁ ବିଶ୍ବାସ କରିପାରି ନ ଥିଲେ। ଏହା ମଧ୍ୟ କେରଳ ରାଜ୍ୟ ଲଟେରୀ ଇତିହାସରେ ସର୍ବାଧିକ ପୁରସ୍କାର ରାଶି। ପୁରସ୍କାର ରାଶି ଜିତିବା ଖବର ରାଜନ୍‌ ତାଙ୍କ ପତ୍ନୀଙ୍କୁ ଶୁଣାଇଥିଲେ ହେଁ ସେ ଏହାକୁ ସହଜରେ ବିଶ୍ବାସ କରି ନ ଥିଲେ। କିନ୍ତୁ ପରେ ରାଜନ୍‌ଙ୍କୁ ଯେତେବେଳେ ସମସ୍ତେ ବଧେଇ ଜଣାଇବାକୁ ଆସିଲେ, ସେତେବେଳେ ପତ୍ନୀ ବିଶ୍ବାସ କରିଥିଲେ ବୋଲି ରାଜନ୍‌ କହିଛନ୍ତି।

ଏହି ଅର୍ଥର ଉପଯୋଗ ସମ୍ପର୍କରେ ରାଜନ୍‌ କହିଛନ୍ତି ଯେ ସର୍ବପ୍ରଥମେ ତାଙ୍କ ନାମରେ ଥିବା ୭ ଲକ୍ଷ ଟଙ୍କାର ୠଣ ସେ ପରିଶୋଧ କରିବେ। ପରେ ତାଙ୍କର ଅର୍ଦ୍ଧନିର୍ମିତ ଘର କାମ ମଧ୍ୟ ଶେଷ କରିବେ। ଗତବର୍ଷ ବଡ଼ ଝିଅର ବାହାଘର ପାଇଁ ସେ ନିଜର ସଞ୍ଚିତ ଅର୍ଥ ଖର୍ଚ୍ଚ କରିବା ସହ ୠଣ ମଧ୍ୟ କରିଥିଲେ। ରବର୍‌ ଗଛରୁ କ୍ଷୀର ସଂଗ୍ରହ କରିବା କାର୍ଯ୍ୟ କରୁଥିବା ରାଜନ୍‌ ଘର ଚଳାଇବାରେ ଅସମର୍ଥ ହେବାରୁ ତାଙ୍କ ପୁଅକୁ ପାଠପଢ଼ା ଛାଡ଼ି ସହାୟତା କରିବାକୁ ପଡ଼ିଥିଲା। ତାଙ୍କ ସାନଝିଅ ଦ୍ବାଦଶ ଶ୍ରେଣୀରେ ପଢ଼ୁଥିବା ବେଳେ ବର୍ତ୍ତମାନ ତାଙ୍କର ସବୁ ଦୁଃଖ ଦୂର ହୋଇଛି। ୧୨ କୋଟି ଟଙ୍କାରୁ ଟିକସ ଓ ଏଜେଣ୍ଟ୍‌ କମିଶନ୍‌ କଟିବା ପରେ ରାଜନ୍‌ଙ୍କୁ ପାଖାପାଖି ୮ କୋଟି ଟଙ୍କା ମିଳିବ। ସୂଚନାଯୋଗ୍ୟ ଯେ କେରଳ ରାଜସ୍ବର ସିଂହଭାଗ ମଦ ଓ ଲଟେରୀ ଟିକେଟ୍‌ ଉପରେ ଧାର୍ଯ୍ୟ ଟିକସରୁ ଆସୁଥିବା ବେଳେ ରାଜ୍ୟରେ ପାଖାପାଖି ୨ ଲକ୍ଷ ଲୋକ ଏହି ବ୍ୟବସାୟ ମାଧ୍ୟମରେ ନିଜର ଗୁଜୁରାଣ ମେଣ୍ଟାଉଛନ୍ତି। ବିଶେଷକରି ଦିବ୍ୟାଙ୍ଗମାନେ ଲଟେରୀ ଟିକେଟ୍‌ ବିକ୍ରି କରି ଜୀବନ ଅତିବାହିତ କରିଆସୁଛନ୍ତି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ