ଡାଇମଣ୍ଡ୍‌ ପ୍ରିନ୍ସ ଜାହାଜରେ ୨ ଭାରତୀୟଙ୍କଠାରେ କୋରୋନା ଭୂତାଣୁ


ଟୋକିଓ/ନୂଆଦିଲ୍ଲୀ: ଜାପାନର ୟୋକୋହାମା ବନ୍ଦରରେ କୋରୋନା ଭାଇରସ୍‌ ଆତଙ୍କ ପରିପ୍ରେକ୍ଷୀରେ ଅଟକି ରହିଥିବା ଡାଇମଣ୍ଡ୍‌ ପ୍ରିନ୍ସେସ୍‌ ଜାହାଜରେ ରହିଥିବା ଯାତ୍ରୀଙ୍କ ମଧ୍ୟରୁ ୨ ଜଣ ଭାରତୀୟଙ୍କଠାରେ ଏହି ଭୂତାଣୁ ଠାବ କରାଯାଇଛି। ଏହି ସୂଚନା ଦେଇଛି ଜାପାନରେ ଥିବା ଭାରତୀୟ ମିଶନ୍‌। ଏହି ଦୁଇ ଜଣ ଜାହାଜ ଚାଳନା ପାଇଁ ରହିଥିବା କର୍ମଚାରୀଙ୍କ ମଧ୍ୟରେ ଅନ୍ତର୍ଭୁକ୍ତ। ଏ ସଂକ୍ରାନ୍ତରେ ଭାରତୀୟ ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ଏକ ବିବୃତି ଜାରି କରାଯାଇଛି। ଏହି ବିବୃତି ଅନୁସାରେ, ଅଟକି ରହିଥିବା ଜାହାଜରେ ସମୁଦାୟ ୩ ହଜାର ୭୧୧ ଜଣ ରହିଥିବା ବେଳେ ସେମାନଙ୍କ ମଧ୍ୟରେ ୨୬୬୬ ଜଣ ଯାତ୍ରୀ ଓ ୧୦୪୫ ଜଣ ଜାହାଜ କର୍ମଚାରୀ। ଏହି ଜାହାଜ କର୍ମଚାରୀଙ୍କ ମଧ୍ୟରେ ୧୩୨ ଜଣ ଭାରତୀୟ ହୋଇଥିବା ବେଳେ ଯାତ୍ରୀଙ୍କ ମଧ୍ୟରୁ ୬ ଜଣ ଭାରତୀୟ।

ଏହି ଜାହାଜରେ ରହିଥିବା ଯାତ୍ରୀଙ୍କଠାରେ କୋରୋନା ଭୂତାଣୁ ବ୍ୟାପିଥିବା ଆଶଙ୍କା କରି ଜାପାନ ସରକାର ଏହାକୁ ଅଟକ ରଖିଛନ୍ତି। ଏହି ଜାହାଜରେ ଥିବା ଯାତ୍ରୀ ଓ କର୍ମଚାରୀଙ୍କ ମଧ୍ୟରୁ ଅଦ୍ୟାବଧି ୧୭୪ ଜଣଙ୍କଠାରେ ଏହି ଭୂତାଣୁ ରହିଥିବା ସ୍ପଷ୍ଟ ହୋଇସାରିଛି, ଯେଉଁମାନଙ୍କ ଭିତରେ ଦୁଇ ଭାରତୀୟ ମଧ୍ୟ ରହିଛନ୍ତି। ଭୂତାଣୁ ଦ୍ବାରା ସଂକ୍ରମିତ ହୋଇଥିବା ୧୭୪ ଜଣଙ୍କୁ ହସ୍ପିଟାଲ୍‌ରେ ଜାପାନୀ ସ୍ବାସ୍ଥ୍ୟ ପ୍ରୋଟୋକଲ୍‌ ଅନୁସାରେ ଯଥାସମ୍ଭବ ଚିକିତ୍ସା ସୁବିଧା ଯୋଗାଇ ଦିଆଯାଇଛି। ଯେଉଁମାନଙ୍କଠାରେ ଏହି ଭୂତାଣୁ ଠାବ କରାଯାଇନାହିଁ, ସେମାନଙ୍କୁ ଛାଡ଼ିଦିଆଯାଉଛି। ତେବେ ଏହି ଜାହାଜରେ ଥିବା ଭାରତୀୟମାନଙ୍କ ଉପରେ ଟୋକିଓସ୍ଥିତ ଭାରତୀୟ ଦୂତାବାସ ଅଧିକାରୀମାନଙ୍କର ନଜର ରହିଛି ଏବଂ ଇମେଲ୍‌ ଓ ଟେଲିଫୋନ୍‌ ମାଧ୍ୟମରେ ଯୋଗାଯୋଗ ମଧ୍ୟ ଜାରି ରହିଛି। ଏହାଛଡ଼ା ଜାହାଜ ପରିଚାଳନା କମ୍ପାନୀ ପ୍ରିନ୍ସେସ୍‌ କ୍ରୁଜେସ୍‌ ସହ ମଧ୍ୟ ଦୂତାବାସ ସମ୍ପର୍କ ରଖିଛି ଓ ଜାହାଜରେ ଥିବା ଭାରତୀୟମାନଙ୍କ ମଧ୍ୟରୁ ଯେଉଁମାନଙ୍କୁ ଭୂତାଣୁ ଆକ୍ରମଣ ନ କରିଛି, ସେମାନଙ୍କୁ ତୁରନ୍ତ ଜାହାଜରୁ ମୁକ୍ତ କରି ଭାରତ ପଠାଇବା ବନ୍ଦୋବସ୍ତ କରାଯିବା ଉପରେ ଗୁରୁତ୍ବାରୋପ କରାଯାଉଥିବା ଏହି ବିବୃତିରେ ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ସ୍ପଷ୍ଟ କରାଯାଇଛି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ