ବିଶ୍ବରେ ବର୍ଷକୁ ୬୭ ଲକ୍ଷ କୋଟିର ଖାଦ୍ୟ ନଷ୍ଟ

ଭାରତରେ ୨୬ କୋଟି ଲୋକଙ୍କୁ ୬ ମାସର ଖାଦ୍ୟ ଦେଇପାରନ୍ତା ନଷ୍ଟ ହେଉଥିବା ୯୦ ହଜାର କୋଟିର ସାମଗ୍ରୀ

ସ୍ପେନର ଏକ ପ୍ରସିଦ୍ଧ ପର୍ବ ହେଉଛି - ଲା ଟୋମୋଟିନା। ଯେଭଳି ଆମର ଏଠି କିଛି ଲୋକ ପଙ୍କ କାଦୁଅ ମାଟି ବୋଳି ହୋଇ ବା ଅନ୍ୟାନ୍ୟ ରାସାୟନିକ ରଙ୍ଗ ଦେହରେ ବୋଳି ହୋଇ ହୋଲି ଖେଳନ୍ତି ଏବଂ ତାର ମଜା ନିଅନ୍ତି, ଠିକ୍‌ ସେହିପରି ଏହି ପର୍ବରେ ସ୍ପେନବାସୀ ଟମାଟୋକୁ ନେଇ ହୋଲି ଖେଳନ୍ତି। ଜଣେ ଆଉ ଜଣଙ୍କ ଉପରକୁ ପାଚିଲା ଟମାଟୋ ଫିଙ୍ଗନ୍ତି। କିଛି ଲୋକ ଟମାଟୋକୁ ଗଦା କରି ତା’ ଉପରେ ନାଚନ୍ତି, କୁଦନ୍ତି ଆଉ ତାକୁ ଦଳାଚକଟା କରି ଟମାଟୋ ରସରେ ସ୍ନାନ କରିଥାନ୍ତି। ଚାରିଆଡ଼େ ଟମାଟୋର ଲାଲ୍‌ ରଙ୍ଗ। ସଡ଼କ ସାରା ଟମାଟୋ ରସର ଝରଣା ବହେ।

ସ୍ପେନର ଏହା ଏକ ଆକର୍ଷଣୀୟ ପର୍ବ ଏବଂ ଏହାକୁ ନେଇ ସେଠାରେ ଅନେକ ସିନେମା ବି ତିଆରି ହୋଇଛି। ଟମାଟୋରେ ହୋଲି ଖେଳିବାକୁ ପ୍ରତିବର୍ଷ ୨୫ ହଜାରରୁ ଊର୍ଦ୍ଧ୍ବ ଲୋକ ନିର୍ଦ୍ଦିଷ୍ଟ ଏକ ଜାଗାରେ ଏକାଠି ହୋଇଥାନ୍ତି। ଏଥିପାଇଁ ଗୋଟିଏ ଦିନରେ ଦେଢ଼ ଲକ୍ଷ କିଗ୍ରା ଟମାଟୋ ବରବାଦ ହୋଇଯାଏ। ଗୋଟିଏ ଦିନରେ ନିର୍ଦ୍ଦିଷ୍ଟ ଜାଗାରେ ଏତେ ପରିମାଣର ଖାଦ୍ୟ ନଷ୍ଟ କ୍ଷେତ୍ରରେ ସ୍ପେନ ହେଉଛି ଏକ ନିଆରା ଉଦାହରଣ। ବିନା ପର୍ବପର୍ବାଣୀରେ ଆମେରିକାରେ ଏହାଠୁ ଢେର ଖାଦ୍ୟ ଶସ୍ୟ ନଷ୍ଟ ହୋଇଯାଇଥାଏ। ସେହିପରି ଆମ ଦେଶରେ ବିବାହ, ବିବାହ ବାର୍ଷିକୀ, ଜନ୍ମଦିନ ଓ ଅନ୍ୟାନ୍ୟ ସାମାଜିକ କାର୍ଯ୍ୟକ୍ରମ ଗୁଡ଼ିକରେ ବ୍ୟାପକ ଭାବେ ଖାଦ୍ୟ ନଷ୍ଟ ହୋଇଥାଏ।

ଆମେରିକାନ ଜର୍ଣ୍ଣାଲ ଅଫ ଏଗ୍ରିକଲଚର ଇକୋନୋମିକ୍ସରେ ପ୍ରକାଶିତ ଏକ ତଥ୍ୟ ଅନୁଯାୟୀ ଆମେରିକାର ଜଣେ ସାଧାରଣ ଲୋକ ଯେତିକି ଖାଦ୍ୟଦ୍ରବ୍ୟ ବଜାରରୁ କ୍ରୟ କରିଥାନ୍ତି, ତା’ର ୩୨ ପ୍ରତିଶତ ବରବାଦ କରିଦେଇଥାନ୍ତି। ନଷ୍ଟ କରୁଥବା ଖାଦ୍ୟଦ୍ରବ୍ୟର ମୂଲ୍ୟ ଯଦି ହିସାବକୁ ନିଆଯିବ, ତେବେ ସମଗ୍ର ଆମେରିକାର ପ୍ରତିବର୍ଷ ୨୪୦ ନିୟୁତ ଡଲାର ଖାଦ୍ୟ ସାମଗ୍ରୀ ନଷ୍ଟ ହେଉଥିବା ସ୍ପଷ୍ଟ ହୋଇଯିବ। ଏଠାରେ ପ୍ରତି ପରିବାର ପ୍ରତିବର୍ଷ ପ୍ରାୟ ୧.୨୬ ଲକ୍ଷ ଟଙ୍କାର ଖାଦ୍ୟଦ୍ରବ୍ୟ ନଷ୍ଟ କରିଥାନ୍ତି। ଏକଥା ମଧ୍ୟ ଅଧ୍ୟୟନରୁ ଜଣାପଡ଼ିଛି ଯେ ଧନୀ ପରିବାର ଗୁଡ଼ିକରେ ଅଧିକ ଖାଦ୍ୟ ଶସ୍ୟ ନଷ୍ଟ ହୋଇଥାଏ। ଗରିବ ପରବିାରରେ ଖାଦ୍ୟଦ୍ରବ୍ୟ ନଷ୍ଟ ସାମାନ୍ୟ ହେଉଥିବା କୁହାଯାଇଛି। ପ୍ରକ୍ରିୟାକୃତ ଖାଦ୍ୟ ତୁଳନାରେ ଅଣପ୍ରକ୍ରିୟାକୃତ ଖାଦ୍ୟଶସ୍ୟର ନଷ୍ଟ ପରିମାଣ ଅଧିକ। ନଷ୍ଟ କୌଣସି ପ୍ରକାରରେ ହେଉନା କାହିଁକି, ଗୋଟିଏ କଥା କୁହାଯାଇପାରେ ଯେ ଏହାକୁ ନଷ୍ଟ ହେବା ଦିଗରୁ ରୋକାଯିବା ଦରକାର। ଏବଂ ଏହାକୁ କ୍ଷୁଧାଗ୍ରସ୍ତ ଲୋକଙ୍କ ନିକଟରେ ପହଞ୍ଚାଇବା ଅପରିହାର୍ଯ୍ୟ।

ଭାରତରେ ପ୍ରତିବର୍ଷ ୬୭୦୦ କୋଟି କିଲୋ ଖାଦ୍ୟ ହୁଏ ନଷ୍ଟ
ଆମ ଦେଶ ଭାରତରେ ପ୍ରତିବର୍ଷ ୬୭୦୦ କୋଟି କିଲୋ ଖାଦ୍ୟ ସାମଗ୍ରୀ ନଷ୍ଟ ହୋଇଥାଏ। ଏହାର ମୂଲ୍ୟ ୯୦ ହଜାର କୋଟି ଟଙ୍କା। ଏତେ ପରିମାଣର ଖାଦ୍ୟ ସାମଗ୍ରୀ ନଷ୍ଟ ହୋଇଯାଇଥାଏ ଯେ ଏହାକୁ ଯଦି ନଷ୍ଟ ମୁହଁରୁ ରକ୍ଷା କରାଯାଇ ପାରନ୍ତା, ତେବେ ୨୬ କୋଟି ଲୋକଙ୍କୁ ୬ ମାସର ଖାଦ୍ୟ ଦିଆଯାଇ ପାରନ୍ତା। ଦେଶରେ ପ୍ରତିବର୍ଷ ପାଖାପାଖି ୨୧୦୦ କୋଟି କିଗ୍ରା ଗହମ ଖରାପ ହୋଇଯାଇଥାଏ। ଅଷ୍ଟ୍ରେଲିଆ ବର୍ଷକୁ ଯେତିକି ଗହମ ଉତ୍ପାଦନ କରେ, ଭାରତରେ ସେତିକି ଗହମକୁ ନଷ୍ଟ କରିଦିଆଯାଇଥାଏ। ମୁମ୍ବାଇ ମ୍ୟୁନିସିପାଲ କର୍ପୋରେସନର ଏକ ତଥ୍ୟ ଅନୁଯାୟୀ ମୁମ୍ବାଇରେ ପ୍ରତିଦିନ ୯୪ ଲକ୍ଷ କିଲୋ କଠିନ ବର୍ଜ୍ୟବସ୍ତୁ ଉତ୍ପାଦିତ ହୋଇଥାଏ। ଏଥିରେ ୭୩ ପ୍ରତିଶତ (୬୮.୬୨ ଲକ୍ଷ କିଲୋ) ଖାଦ୍ୟ ସାମଗ୍ରୀ ରହିଥାଏ। ଦେଶରେ ଭୋଜନ ବାବଦକୁ ପ୍ରତିଦିନ ୨୪୪ କୋଟି ଟଙ୍କା ଖର୍ଚ୍ଚ ହୋଇଥାଏ।

ଦେଶରେ ବାର୍ଷିକ ୧୯ କୋଟି ଲୋକ ଭୋକରେ ଶୁଅନ୍ତି

ଦେଶରେ ପ୍ରତିବର୍ଷ ପ୍ରାୟ ୧୯.୪୦ କୋଟି ଲୋକ ଭୋକରେ ରହନ୍ତି। ମଧ୍ୟାହ୍ନଭୋଜନ ଯୋଜନାରେ ପ୍ରତିଦିନ ୧୨ ମିଲିଅନ ଶିଶୁଙ୍କୁ ଖାଦ୍ୟ ଦିଆଯାଏ। ପ୍ରତ୍ୟେକ ବ୍ୟକ୍ତିକୁ ଭୋଜନ ଏବଂ ରୋଜଗାର ଦେବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରନ୍ତି ସରକାର। ୟୁଏନର ଏକ ରିପୋର୍ଟ ଅନୁଯାୟୀ ଦେଶରେ ପ୍ରତିବର୍ଷ କୁପୋଷଣର ଶିକାର ହୁଅନ୍ତି ବହୁ ଶିଶୁ ଓ ମହିଳା। ଭାରତୀୟ ଲୋକ ପ୍ରଶାସନ ସଂସ୍ଥାର ଏକ ରିପୋର୍ଟ ଅନୁଯାୟୀ ଦେଶରେ ପ୍ରତିବର୍ଷ ୨୩ ମିଲିଅନ ଟନ ଡାଲି, ୧୨ ମିଲିଅନ ଟନ ଫଳ ଓ ୨୧ ମିଲିଅନ ଟନ ପନିପରିବା ଖେତରୁ ବଜାରରେ ଓ ପାକଶାଳା ପର୍ଯ୍ୟନ୍ତ ପହଞ୍ଚି ନ ପାରି ସଢ଼ିଯାଏ।

ଦେଶରେ ଯେତିକି ଖାଦ୍ୟର ସଙ୍କଟ, ସେତେ ଅଧିକ ଖାଦ୍ୟ ନଷ୍ଟର ଚିତ୍ର ସାମ୍ନାକୁ ଆସିଛି। ଖାଦ୍ୟ ନଷ୍ଟ କେବଳ ଆମ ଦେଶରେ ନୁହେଁ, ସାରା ବିଶ୍ବର ବିଭିନ୍ନ ଦେଶରେ ଏହା ଦେଖିବାକୁ ମିଳିଛି। ପରିସଂଖ୍ୟାନ ଅନୁଯାୟୀ ବିଶ୍ବରେ ଯେତିକି ଖାଦ୍ୟଶସ୍ୟ ଉତ୍ପାଦନ ହୁଏ, ତା’ର ଏକ ତୃତୀୟାଂଶ ନଷ୍ଟ ହୋଇଯାଏ। ପ୍ରତିବର୍ଷ ବିଶ୍ବରେ ନଷ୍ଟ ହେଉଥିବା ଖାଦ୍ୟ ସାମଗ୍ରୀର ମୂଲ୍ୟ ୯୪୦ ବିଲିଅନ ଡଲାର। ଭାରତୀୟ ଟଙ୍କାରେ ଏହାର ମୂଲ୍ୟ ୬୭ ଲକ୍ଷ କୋଟି ଟଙ୍କା। ବର୍ଷକୁ ଯଦି ଏତେ ଟଙ୍କାର ଖାଦ୍ୟଶସ୍ୟ ନଷ୍ଟ ହୋଇଯାଉଛି, ତେବେ ଦେଶଗୁଡ଼ିକ ଏ ଦିଗରେ ପଦକ୍ଷେପ ନେଉନାହାନ୍ତି କାହିଁକି, ତାକୁ ନେଇ ଉଠିଛି ପ୍ରଶ୍ନ।

ଗରିବ ଖେତରେ ଏବଂ ଧନୀ ପ୍ଲେଟରେ ନଷ୍ଟ କରୁଛନ୍ତି ଖାଦ୍ୟ
ଆମ ଦେଶରେ ଖାଦ୍ୟଶସ୍ୟ ନଷ୍ଟ ଚାଷଜମିରୁ ପ୍ଲେଟ ପର୍ଯ୍ୟନ୍ତ ସବୁଠି ଦେଖିବାକୁ ମିଳିଥାଏ। ରୋଚକ ତଥ୍ୟ ହେଲା ଗରିବ ଲୋକମାନେ ଚାଷ ଖେତରେ ଶସ୍ୟର ସଂଗ୍ରହ ତ୍ରୁଟିପୂର୍ଣ୍ଣ ଭାବେ କରୁଥିବାରୁ ଏହା ନଷ୍ଟ ହୋଇଥାଏ। ଠିକ୍‌ ଭାବରେ ଅମଳ, ସଂଗ୍ରହ, ପ୍ରକ୍ରିୟାକରଣ ଓ ପରିବହନ ହୋଇପାରୁ ନ ଥିବାରୁ ଶସ୍ୟ ନଷ୍ଟ ହୋଇଥାଏ। ଛୋଟ ଓ ଗରିବ ଚାଷୀମାନଙ୍କ ଖେତରେ ଶସ୍ୟ ଏଭଳି ନଷ୍ଟ ହେଉଥିବା ବେଳେ ଧନୀମାନେ ଖାଇବା ପ୍ଲେଟରେ ଅଧିକ ଖାଦ୍ୟ ଛାଡ଼ିଦେଇଥାନ୍ତି। ଏହା ଫିଙ୍ଗାଯାଏ। ସବୁଠୁ ଅଧିକ ନଷ୍ଟ କନ୍ଦ ଓ ଚେର ହୋଇଥାଏ। ୬୨ ପ୍ରତିଶତ ଟ୍ୟୁବର ଏବଂ ରୁଟ୍‌ସ ନଷ୍ଟ ହେଉଥିବା ବେଳେ ୪୧ ପ୍ରତିଶତ ପନିପରିବା ନଷ୍ଟ ହୋଇଥାଏ। ୨୨ରୁ ୨୩ ପ୍ରତିଶତ ମାଛ ଠିକ୍‌ ଭାବେ ସଂରକ୍ଷଣ ଓ ପରିବହନ ଜନିତ କାରଣରୁ ନଷ୍ଟ ହୋଇଯାଉଥିବା ଖାଦ୍ୟ ଏବଂ କୃଷି ଅନୁସନ୍ଧାନ ସଂସ୍ଥାର ଏକ ଅଧ୍ୟୟନରୁ ଜଣାଯାଏ।

ଖାଦ୍ୟଶସ୍ୟ ଗୁଡ଼ିକର ଆବଶ୍ୟକୀୟ ପ୍ରକ୍ରିୟାକରଣ, ପରିବହନ, ଶୀତଳଭଣ୍ଡାର, ପ୍ୟାକେଜିଂ ଓ ବିତରଣ ପ୍ରଣାଳୀରେ ବ୍ୟାପକ ପରିବର୍ତ୍ତନ ଅଣାଯିବା ଦରକାର। ଖାଦ୍ୟ ନଷ୍ଟ ହେଉଥିବା ସ୍ଥାନ ଗୁଡ଼ିକରୁ ଖାଦ୍ୟ ସଂଗ୍ରହ ଓ ଭୋକିଲା ଲୋକଙ୍କ ନିକଟରେ ଏହା ପହଞ୍ଚାଇବା ଦିଗରେ ପଦକ୍ଷେପ ନିଆଯିବା ଅପରିହାର୍ଯ୍ୟ ହୋଇପଡ଼ିଛି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ