କିଙ୍ଗ୍‌ କେଜରିୱାଲଙ୍କ ବିଜୟ ମନ୍ତ୍ର: ଶିକ୍ଷା, ସ୍ବାସ୍ଥ୍ୟ, ବିଜୁଳି

ଦିଲ୍ଲୀବାସୀଙ୍କୁ ମୌଳିକ ସୁବିଧା ଯୋଗାଇବାର ଇଛାଶକ୍ତି ଆଣି ଦେଇଛି ହ୍ୟାଟ୍ରିକ୍‌ ସଫଳତା

ଦିଲ୍ଲୀରେ ବିଜେପି ଓ କଂଗ୍ରେସକୁ ଆପ୍‌ ଲଗାତର ତୃତୀୟ ଥର ପାଇଁ ପରାଜିତ କରି କ୍ଷମତା ହାସଲ କରିଛି। ମାତ୍ର ୬ ମାସ ତଳେ ବିଜେପି ଦିଲ୍ଲୀରେ ବିପୁଳ ଜନାଦେଶ ପାଇ ୭ରୁ ୭ ଲୋକସଭା ନିର୍ବାଚନ ଜିତିଥିଲା ବେଳେ କଂଗ୍ରେସ ମଧ୍ୟ ୩ଟି ଆସନରେ ଦ୍ବିତୀୟ ସ୍ଥାନରେ ରହିଥିଲା। ମାତ୍ର ୬ ମାସ ପରେ ଅନୁଷ୍ଠିତ ବିଧାନସଭା ନିର୍ବାଚନରେ ଚିତ୍ର ସମ୍ପୂର୍ଣ୍ଣ ଅଲଗା ହୋଇଛି। ଆପ୍‌ ୭୦ଟି ଆସନରୁ ୬୨ଟି ଜିତି ପୁଣି ଏକପ୍ରକାର କ୍ଲିନ୍‌ ସ୍ବିପ୍‌ କରିଛି କହିଲେ ଅତ୍ୟୁକ୍ତି ହେବ ନାହିଁ। ତାହେଲେ ଏତେ ବଡ଼ ସଫଳତା ପଛରେ କାରଣ କ’ଣ ତାହାକୁ ନେଇ ସମୀକ୍ଷା ଆରମ୍ଭ ହୋଇଛି।

ବିଶେଷଜ୍ଞଙ୍କ ମତରେ କେଜରିୱାଲଙ୍କ ନେତୃତ୍ବରେ ଆପ୍‌ କ୍ଷମତା ବଜାୟ ରଖିବା ପଛରେ କେତୋଟି ପ୍ରମୁଖ କାରଣ ରହିଛି। ତାହା ମଧ୍ୟରେ ରହିଛି ଶିକ୍ଷା, ସ୍ବାସ୍ଥ୍ୟ ଓ ପାନୀୟ ଜଳ ଯୋଗାଣ କ୍ଷେତ୍ରରେ କେଜରିୱାଲ କରିଥିବା ଉଲ୍ଲେଖନୀୟ କାର୍ଯ୍ୟ, ଯାହାକି ଦିଲ୍ଲୀବାସୀଙ୍କୁ ବେଶ୍‌ ପ୍ରଭାବିତ କରିଛି। ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଲା ଶିକ୍ଷା। ଦିଲ୍ଲୀରେ ପ୍ରାୟ ୨୦୦ଟି ଘରୋଇ ସ୍କୁଲ୍‌ ରହିଛି। ଯେଉଁଠି ଉନ୍ନତମାନର ଶିକ୍ଷାଦାନ ନେଇ ସୁବିଧା ରହିଛି। ତେଣୁ ଏହି ଭଲ ଶିକ୍ଷା ପ୍ରଦାନ ନିଶାରେ ଘରୋଇ ସ୍କୁଲ୍‌ଗୁଡ଼ିକ ଯେପରି ଭାବେ ଫି’ ବୃଦ୍ଧି କରୁଥିଲେ, ତାହା ଉପରେ ସେ ରୋକ୍‌ ଲଗାଇବାରେ ସଫଳ ହୋଇଥିଲେ। କେଜରିୱାଲଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ୍‌ କରି ଘରୋଇ ସ୍କୁଲ୍‌ଗୁଡ଼ିକ ପକ୍ଷରୁ ମାମଲା କୋର୍ଟକୁ ଯାଇଥିଲା। ମାତ୍ର କୋର୍ଟ ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି ଯଥାର୍ଥ ବୋଲି ରାୟ ଦେଇଥିଲେ। ଫଳରେ ଲକ୍ଷ ଲକ୍ଷ ଅଭିଭାବକ ଏହା ଦ୍ବାରା ସିଧା ଫାଇଦା ପାଇଥିଲେ।

ଏହାବାଦ୍‌ ଦିଲ୍ଲୀରେ ଥିବା ସରକାରୀ ସ୍କୁଲଗୁଡ଼ିକର ଭିତ୍ତିଭୂମି ସଜାଡିବା ପାଇଁ ସେ ଗତ ସାଢ଼େ ୩ ବର୍ଷରେ ଦିଲ୍ଲୀ ବଜେଟ୍‌ର ୨୫ ପ୍ରତିଣତ ବ୍ୟୟ କରିଥିଲେ। ଫଳରେ ସରକାରୀ ସ୍କୁଲଗୁଡ଼କେରେ ଭିତ୍ତିଭୂମିର ବିକାଶ ହେବା ସହ ଶିକ୍ଷା ପ୍ରଦାନର ମାନ ବୃଦ୍ଧି ପାଇଥିଲା। ଏପରିକି ଦଶମ ଓ ଦ୍ବାଦଶ ବୋର୍ଡ ପରୀକ୍ଷାରେ ଦିଲ୍ଲୀର ସରକାରୀ ସ୍କୁଲଗୁଡ଼ିକ ଘରୋଇ ସ୍କୁଲ୍‌କୁ ପଛରେ ପକାଇ ଭଲ ରେଜଲ୍ଟ କରିବାରେ ସଫଳ ହୋଇଥିଲେ। ଯାହା କେଜରିୱାଲଙ୍କ ଲୋକପ୍ରିୟତାକୁ ବଢ଼ାଇବାରେ ସହାୟକ ହୋଇଥିଲା।

ଏଥିସହ କେଜରିୱାଲ ୧୦୦ ୟୁନିଟ୍‌ ପର୍ଯ୍ୟନ୍ତ ବିଜୁଳି ମାଗଣା କରିବା ଓ ୧୦୦ରୁ ୨୦୦ ୟୁନିଟ୍‌ ପର୍ଯ୍ୟନ୍ତ ବିଜୁଳି ଦେୟର ୫୦ ପ୍ରତିଶତ ଛାଡ଼ କରିବା ଦ୍ବାରା ଗରିବ ଶ୍ରେଣୀର ଲୋକେ ବେଶ୍‌ ଫାଇଦା ପାଇଥିଲେ। ମାତ୍ର ଶୀତତାପ ନିୟନ୍ତ୍ରିତ ବ୍ୟବସ୍ଥାରେ ରହୁଥିବା ଲୋକଙ୍କର ବିଜୁଳି ବିଲ ଏହାଠାରୁ ଯଥେଷ୍ଟ ଅଧିକ ଥିବାରୁ ସେମାନେ କୌଣସି ପ୍ରକାର ଛାଡ଼ ପାଇ ନ ଥିଲେ। ସେହିପରି ବିଲ୍ଲୀରେ ପିଇବା ପାଣି ମଧ୍ୟ ଏକ ବଡ଼ ସମସ୍ୟା ଭାବେ ଉଭା ହୋଇଥିଲା ବେଳେ କଜେରିୱାଲ ଅନେକ ଅଞ୍ଚଳ ପାଇଁ ୨୪ ଘଣ୍ଟିଆ ପିଇବା ପାଣିର ବ୍ୟବସ୍ଥା କରି ଲୋକଙ୍କ ପାଖରେ ପହଞ୍ଚିବାରେ ମଧ୍ୟ ସଫଳ ହୋଇପାରିଛନ୍ତି କେଜରିୱାଲ।

କେଜରିୱାଲଙ୍କ ସଫଳତା ପଛରେ ଆଉ ଗୋଟିଏ କାରଣ ହେଉଛି ଉନ୍ନତ ସ୍ବାସ୍ଥ୍ୟ ସେବା ପ୍ରଦାନ। କେଜରିୱାଲ ଦିଲ୍ଲୀରେ ୧ ହଜାର ମୋହଲ୍ଲା କ୍ଲିନିକ୍‌ ଖୋଲିବାକୁ ପ୍ରତିଶ୍ରୁତି ଦେଇଥିଲା ବେଳେ ଏଯାବତ୍‌ ୩୦୧ଟି ଖୋଲିଛନ୍ତି। ଏହି ମୋହଲ୍ଲା କ୍ଲିନିକ୍‌ ଜରିଆରେ ଜଣେ ବ୍ୟକ୍ତି ଜ୍ବର, ଥଣ୍ଡା, ଡାଇରିଆ ଓ ଅନ୍ୟାନ୍ୟ ରୋଗ ପାଇଁ ମାଗଣା ଚିକତ୍ସା ସୁବିଧା ପାଇ ପାରୁଛନ୍ତି। କେଜରିୱାଲଙ୍କ ଏହି ପାଇଲଟ୍‌ ପ୍ରୋଜେକ୍ଟକୁ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଓ ଏପରିକି ମିଳିତ ଜାତିସଂଘର ପୂର୍ବତନ ମହାସଚିବ କୋଫି ଆନନ ପ୍ରଶଂସା କରିବାକୁ ପଛାଇ ନାହାନ୍ତି। ଏହାବାଦ୍‌ ଦିଲ୍ଲୀ ଡିଟିସି ବସ୍‌ରେ ମହିଳାମାନଙ୍କ ଯାତ୍ରାକୁ ମାଗଣା କରିବା ସହ ଆଗକୁ ଛାତ୍ରଛାତ୍ରୀଙ୍କ ପାଇଁ ବସ୍‌ ସେବା ମାଗଣା କରିବା ପ୍ରତିଶ୍ରୁତି ତାଙ୍କୁ ଦିଲ୍ଲୀ ଭୋଟରଙ୍କ ମନ ଜିଣିବାରେ ସହାୟକ ହୋଇପାରିଛି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ