ବାହାଘର ହେଲା ଶୁଦ୍ଧଘର: ଲୁହରେ ଭିଜିଲା ଡଙ୍କଲପାଡ଼ୁ

ଶୋକାକୁଳ ପରିବେଶରେ ଏକାଠି ଜଳିଲା ୮ ଜୁଇ

ଝିଅ ଘର ଅନାଇ ବସିଥିଲେ ପୁଅ ଘର ଲୋକଙ୍କୁ। ପୁଅ ଘର ଲୋକେ ଆସିବେ ଆଉ ଝିଅ ହାତରେ ମୁଦି ପିନ୍ଧାଇବେ। ପୁଅର ଆସିବା ବାଟକୁ ଚାହିଁ ବସିଥିବା ଝିଅ ଆଖିରେ ମଧ୍ୟ ଅସୁମାରୀ ସ୍ବପ୍ନ। ଜୀବନର ସେଇ ଅଭୂଲା ମୁହୂର୍ତ୍ତକୁ ଅପେକ୍ଷା କରି ରହିଛି ଝିଅ। ଏପଟେ ସାହାନାଈ ବାଜିଛି। ଶଙ୍ଖ, ହୁଳହୁଳି ପଡ଼ିଛି। ସଜାହୋଇ ରହିଛି ନିର୍ବନ୍ଧ ସଜ। ନିର୍ବନ୍ଧ ପାଇଁ ପ୍ରସ୍ତୁତ ହୋଇ ସାରିଛି ଭଳିକି ଭଳି ଭାର। ନୂଆ ବୋହୂ ପାଇଁ ଶାଢ଼ି, ଶଙ୍ଖା, ସିନ୍ଦୁର, ଫୁଲ ଏବଂ ବିଭିନ୍ନ ପ୍ରକାର ଖାଦ୍ୟ, ଫଳ, ମିଠା, ନଡ଼ିଆ ଆଦି ସଜା ହୋଇ ରହିଛି। ସମସ୍ତେ ଖୁସିରେ ଥାଳି ଧରି ବସ୍‌ରେ ବସି ଖୁସି ମନରେ କନ୍ୟାଘର ଅଭିମୁଖେ ବାହାରିଛନ୍ତି। ମାତ୍ର କିଏ ଜାଣିଥିଲା ବାଟରେ ଛକି ବସିଥିଲା ମୃତ୍ୟୁ। ବିଦ୍ୟୁତ୍‌ ଫାଶ ହୋଇ ନେଇଯିବ ଜୀବନ। କେଇ ମୁହୂର୍ତ୍ତ ଭିତରେ ମାଙ୍ଗଳିକ କାର୍ଯ୍ୟ ପରିଣତ ହୋଇଗଲା ଶୋକାକୁଳ ପରିବେଶରେ। ବସ୍‌ ଭିତରେ ଜଳିଗଲେ ୧୦ ଜଣ। ଛିନ୍‌ଛତ୍ର ହୋଇଗଲା ନିର୍ବନ୍ଧ ଭାର ଆଉ ସମ୍ପର୍କର ମିଠା ମୁହଁମାଡ଼ି ପଡ଼ିଛି। କନ୍ୟା ପାଇଁ ନେଇ ଯାଉଥିବା ଶାଢି ବି ପୋଡ଼ି ଯାଇଛି। ଖବର ପ୍ରଚାର ହେବା କ୍ଷତି ନିରବୀ ଗଲା ବାଜୁଥିବା ସାହାନାଈ। ଭୋଜିଭାତରେ ମସଗୁଲ୍‌ ଲୋକମାନେ ହତବାକ୍‌ ହୋଇପଡ଼ିଲେ। ସେପଟେ ଦୁର୍ଘଟଣା ପରେ ବସ୍‌ ଭିତରର କରୁଣ ଚିତ୍ର ସମସ୍ତଙ୍କ ଛାତିକୁ ଭାରି କରିଛି। ଉଭୟ ଗ୍ରାମରେ ଏକ ପ୍ରକାର ନିସ୍ତବ୍ଧତାର ଛାୟା ଖେଳିଯାଇଛି। ତେବେ ଏଭଳି ଅଘଟଣ ପାଇଁ ଦାୟୀ କିଏ? ଦୋଷ କାହାର ଏବେ ଏସବୁକୁ ନେଇ ଅସମାହିତ ପ୍ରଶ୍ନ।

ଗଞ୍ଜାମ ଜିଲ୍ଲା ତପ୍ତପାଣି ଘାଟିର ଛାତିଥରା ଦୁର୍ଘଟଣାକୁ ୧୫ ଦିନ ନପୁରୁଣୁ ଆଉ ଏକ ଲୋମଟାଙ୍କୁରା ବସ୍ ଦୁର୍ଘଟଣା ଘଟିଛି ଗୋଳନ୍ଥରା ଅଞ୍ଚଳରେ। ତପ୍ତପାଣି ଘାଟିରେ ବସ୍‌ ଦୁର୍ଘଟଣାରେ ୮ ଜଣଙ୍କର ମୃତ୍ୟୁର ତାଣ୍ଡବ ମନରୁ ନ ଲିଭୁଣୁ ପୁଣି ଏକ ହୃଦୟ ବିଦାରକ ଘଟଣା ସାରା ରାଜ୍ୟରେ ଦୁଃଖଦ ପରିବେଶ ସୃଷ୍ଟି କରିଛି। ସମୟ ରବିବାର ଅପରାହ୍ନ ପ୍ରାୟ ଗୋଟାଏ। ରଙ୍ଗେଇଲୁଣ୍ଡା ବ୍ଲକ୍‌ ଡଙ୍ଗଲପାଡ଼ୁ ଗାଁର ସନ୍ନ୍ୟାସୀ ରେଡ୍ଡୀଙ୍କ ପୁଅ ଓମ୍ ହରିଙ୍କ ବିବାହ ଚକରଡ଼ା ଗାଁର ପଦ୍ମାଙ୍କ ସହ ଆସନ୍ତା ମଙ୍ଗଳବାର ଦିନ ହେବ ବୋଲି ସ୍ଥିର ହୋଇଥିଲା। ଏଥିପାଇଁ ରବିବାର ପୁଅର ନିର୍ବନ୍ଧ କରିବାକୁ ସନ୍ନ୍ୟାସୀ ବନ୍ଧୁବାନ୍ଧବ, ଗାଁର ଜାତି ଭାଇଙ୍କୁ ଧରି ବାହାରିଥିଲେ ଝିଅଘର ଅଭିମୁଖେ। ଘରେ ବାଜାବାଣ ସହ ଶଙ୍ଖ ଓ ହୁଳହୁଳି ଧ୍ବନିରେ ଫାଟି ପଡ଼ିଥିଲା। ଏହାପରେ ଅନୁକୂଳ ସମୟ ଦେଖି ଡଙ୍କଲପାଡୁ ଗାଁରୁ ଚିକରଡ଼ା ଅଭିମୁଖେ ବାହାରିଥିଲେ ଲୋକେ। ବସ୍‌ ‘ସିଲ୍‌କ୍‌ ସିଟି’ ଖଚାଖଚ୍‌ ଥିଲା। ୪୩ ଜଣ ପୁରୁଷ, ମହିଳା, ପିଲା ବନ୍ଧୁବାନ୍ଧବ ଲଗ୍ନଥାଳି ଧରି ଯିଏ ଯାହା ସିଟ୍‌ରେ ବସିଥିଲେ। ଅଣଓସାରିଆ ରାସ୍ତାରେ ହଠାତ୍‌ ବସ୍‌ ଅଟକିଗଲା। ଉପରେ ଝୁଲୁଥିବା ୧୧ କେଭି ତାର ବସ୍‌ର ହୁକ୍‌ରେ ଲାଗିଯାଇଥିଲା। ବସ୍‌ ଟପ୍‌ ହୁକ୍‌ରେ ବିଦ୍ୟୁତ୍‌ ତାର ଲାଗିଯିବା ଜାଣିପାରି ବସ୍‌ ଡ୍ରାଇଭର ସେହିଠାରେ ବସ୍‌ ରଖି ବସ୍‌ରୁ ଡେଇଁ ଚମ୍ପଟ ମାରିଥିଲା। ଏହାପରେ ବସ୍‌ରେ ସଙ୍ଗେ ସଙ୍ଗେ ବିଦ୍ୟୁତ୍‌ ପ୍ରଭାବିତ ହୋଇଯାଇଥିଲା। କିଏ କିଛି ବୁଝିବା ପୂର୍ବରୁ ସମସ୍ତଙ୍କ ଦେହରେ କରେଣ୍ଟ୍‌ ଚାର୍ଜ ହୋଇସାରିଥିଲା।  ଆରମ୍ଭ ହୋଇଗଲା ବିକଳ ଚିତ୍କାର, ଧାଁ ଧପଡ଼। କରେଣ୍ଟ୍‌ ଝଟ୍‌କାରେ ଜଣେ ପରେ ଜଣେ ପୋଡ଼ିଗଲେ। ବସ୍‌ର ଏମଜର୍ନ୍ସି ଡୋର୍‌ ଦେଇ କେତେକ ମହିଳା ଓ ପୁରୁଷ ଜୀବନକୁ ବାଜି ଲାଗଇ ଡେଇଁ ପଡ଼ି ଜୀବନ ରକ୍ଷା କରିଥିଲେ। ଆଉ ଯେଉଁମାନେ ମୁଖ୍ୟ ଦ୍ବାର ଦେଇ ଓହ୍ଲାଇବାକୁ ଚେଷ୍ଟା କରୁଥିଲେ ସେମାନେ ଜଣକ ପରେ ଜଣେ ପୋଡ଼ି ଯାଇଥିଲେ। ଏହିପରି ଭାବେ ଅକାଳରେ ଚାଲିଗଲା ୧୦ ଜଣଙ୍କର ଜୀବନ। ଆଉ ଗୁରୁତର ହୋଇପଡ଼ିଥିଲେ ୨୦ରୁ ଉର୍ଦ୍ଧ ଲୋକ। ୧୮ ଗୁରୁତରଙ୍କୁ ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ୯ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ସେମାନଙ୍କୁ ଅଧିକ ଚିକିତ୍ସା ପାଇଁ କଟକ ଏସ୍‌ସିବିକୁ ସ୍ଥାନାନ୍ତର କରାଯାଇଥିଲା।

ଏକାଠି ଜଳିଲା ୮ ଜୁଇ
ଏହି ବସ୍‌ ଦୁର୍ଘଟଣାରେ ଡଙ୍କଲପାଡ଼ୁ ଗ୍ରାମର ୯ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଚନ୍ଦନବାଡ଼ର ଜଣକର ମୃତ୍ୟୁ ଘଟିଛି। ମଶାଣିରେ ଏକା ସାଙ୍ଗରେ ୮ ଜଣଙ୍କ ଚିତା ଜଳିଛି। ଡଙ୍କଲପାଡ଼ୁ ଗାଁ ଶ୍ମଶାନରେ ୮ ମୃତକଙ୍କ ଶେଷ ସଂସ୍କାର ହୋଇଥିବା ବେଳେ ନିରଟସ୍ଥ ଅନ୍ୟ ଏକ ଗାଁରେ ଅନ୍ୟ ଜଣେ ମୃତକଙ୍କ ସଂସ୍କାର ହୋଇଛି। ଗୋଟିଏ ଶ୍ମଶାନରେ ଆଠ ଆଠଟି ଚିତା ଜଳିବା ପରେ ଗାଁରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି। କିଏ ପୁଅକୁ ହରାଇଛି, ତ କିଏ ଦୁଇ ଦୁଇଟି ଝିଅକୁ ତ ପୁଣି କିଏ ଶଙ୍ଖା ସିନ୍ଦୂରକୁ ହରାଇ ମାଟି ଉପରେ ମୁଣ୍ଡ ପିଟି କାନ୍ଦୁଛି। ଦୁର୍ଘଟଣାରେ ଗୋଟିଏ ଗାଁରେ ଆଠ ଜଣ ଆଖି ବୁଜିବା ପରେ ଗାଁ ସାରା ନିସ୍ତବ୍ଧତା ଖେଳିଯାଇଛି। ମୃତକମାନେ ହେଲେ ଚିକିଟି ବ୍ଲକ୍‌ ଡଙ୍କଲପାଡ଼ୁ ଗ୍ରାମର ବି. ଚେନ୍ନେୟା ରେଡ୍ଡିଙ୍କ ପତ୍ନୀ ବି. ଏରେମ୍ମା ରେଡ୍ଡି(୩୮), ବି. ଗୁଡ଼ିଆଙ୍କ ପତ୍ନୀ ବି. ଆଚିଆମ୍ମା(୬୫), ସି.ଏଚ୍ କାମରାଜୁ ରେଡ୍ଡି(୬୫), ବି. ନୀଳକଣ୍ଠଙ୍କ ପତ୍ନୀ ବି. ମୋହିନୀ(୪୦), ବି. ରାମେୟା(୫୫), ସି.ଏଚ୍‌ ଗୋପାଳ ରେଡ୍ଡିଙ୍କ ପତ୍ନୀ ସି.ଏଚ୍‌ ତୁଳସୀଆମ୍ମା(୩୭), ଗୋପଳ ସାହୁଙ୍କ ଝିଅ ସନ୍ତୋଷିନୀ ସାହୁ(୧୫), ତାରିଣେୟା ରେଡ୍ଡି(୫୭) ଓ ବଡ଼ଚନ୍ଦନବାଡ଼ ଗ୍ରାମର କେ. ପାପେୟା ରେଡ୍ଡିଙ୍କ ପତ୍ନୀ କେ. ସନ୍ଧ୍ୟା(୩୫)। ସେହିପରି କଟକ ଏସ୍‌ସିବିକୁ ସ୍ଥାନାନ୍ତର ହୋଇଥିବା ୯ ଜଣ ଗୁରୁତରଙ୍କ ମଧ୍ୟରୁ ୟୁ.ଦେବରାଜ ରେଡ୍ଡି (୧୧) ନାମକ ଜଣେ ବାଳକର ମୃତ୍ୟୁ ହୋଇଯାଇଛି। ମୃତକଙ୍କ ମଧ୍ୟରୁ ୮ଜଣ ଡଙ୍କଲପାଡ଼ୁ ଗ୍ରାମର ହୋଇଥିବା ବେଳେ ସେମାନଙ୍କ ଭିତରେ ବରର ଦୁଇ ଭଉଣୀ ମଧ୍ୟ ଅଛନ୍ତି।

ଦେବଦୂତ ସାଜିଲେ ଦେବେନ୍ଦ୍ର ଓ ଜିତେନ୍ଦ୍ର
ବସ୍‌ ଭିତରୁ ତରବରରେ ଓହ୍ଲାଇବାକୁ ଯାଇ ଜଣକ ପରେ ଜଣେ ଜିଅନ୍ତା ଜଳି ଯାଉଥିଲେ। ଆଖି ସାମ୍ନାରେ ଏଭଳି ହୃଦୟବିଦାରକ ଦୃଶ୍ୟ ଦେଖି ସମସ୍ତେ ସ୍ତବ୍ଧ ହୋଇ ଯାଇଥିବା ବେଳେ ଦେବଦୂତ ସାଜିଥିଲେ ଦେବେନ୍ଦ୍ର ଓ ଜିତେନ୍ଦ୍ର। ନିଜ ଜୀବନକୁ ବାଜି ଲଗାଇ ଏହି ଦୁଇଜଣ ୧୦ ଜଣ ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ବସ୍‌ରୁ ଉଦ୍ଧାର କରିବାରେ ସକ୍ଷମ ହୋଇଥିଲେ। ଉଦ୍ଧାର ସମୟରେ ଏହି ଦୁଇଜଣ ମଧ୍ୟ ବିଦ୍ୟୁତ ଝଟ୍‌କା ଖାଇ ଆହତ ହୋଇଛନ୍ତି। ଦେବେନ୍ଦ୍ରଙ୍କ ମୁଣ୍ଡ ଓ ହାତରେ ଗୁରୁତର କ୍ଷତ ସୃଷ୍ଟି ହୋଇଥିବା ବେଳେ ଜିତୁଙ୍କ ହାତ ମଧ୍ୟ ପୋଡ଼ି ଯାଇଛି। ଉଭୟଙ୍କୁ ପ୍ରାଥମିକ ଚିକିତ୍ସା କରାଯାଇଛି। ତେବେ ଦେବେନ୍ଦ୍ରଙ୍କ ଅବସ୍ଥା ଗୁରୁତର ରହିଛି। ଦମକଳ, ଆମ୍ବୁଲାନସ୍‌କୁ ଅପେକ୍ଷା ନ କରି ସେମାନଙ୍କ ଏହି ଦୁଃସାହସିକ ଉଦ୍ୟମରୁ ଅନେକ ଜୀବନ ବଞ୍ଚି ଯାଇଛି। ତେଣୁ ଉଭୟଙ୍କୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି। ସେହିପରି ଏମାନଙ୍କ ଯୋଗୁଁ ନୂଆ ଜୀବନ ପାଇଥିବା ଯାତ୍ରୀମାନେ ମଧ୍ୟ ଉଭୟଙ୍କୁ ଅଶେଷ ଧନ୍ୟବାଦ ଜଣାଇଛନ୍ତି।

ସଂକେତ ଦେଇଥିଲା ନଡ଼ିଆ
ମାଙ୍ଗଳିକ କାର୍ଯ୍ୟରେ ବାହାରିବା ପୂର୍ବରୁ ଗାଡ଼ି ଆଗରେ ନଡ଼ିଆ ବାଡ଼େଇ ବାହରିଲେ ‌ଶୁଭ ବୋଲି ଆମ ହିନ୍ଦୁମାନଙ୍କ ମନରେ ଏକପ୍ରକାର ବିଶ୍ବାସ ରହିଛି। ଏହି ପରିପ୍ରେକ୍ଷୀରେ ଓମ୍‌ହରିଙ୍କ ନିର୍ବନ୍ଧ ପାଇଁ ଯିବାକୁ ଥିବା ବନ୍ଧୁବାନ୍ଧବମାନେ ଗାଁ ମୁଣ୍ଡରେ ଠିଆ ହୋଇଥିବା ବସ୍‌ରେ ଚଢ଼ିଥିଲେ। ବସ୍‌ଟି ଛାଡ଼ିବା ପୂର୍ବରୁ ନଡ଼ିଆ ବାଡେଇବା ପାଇଁ କୁହାଯାଇଥିଲା। ମାତ୍ର ଜଣେ ନଡ଼ିଆ ନ ବାଡେଇ ନଡ଼ିଆଟିକୁ ବସ୍‌ର ଚକା ତଳେ ଥୋଇ ଦେଇଥିଲେ। ବସ୍‌ଟି ଗଡ଼ିବାମାତ୍ରେ ନଡ଼ିଆଟି ନ ଫାଟି ଛିଟିକି ଯାଇଥିଲା। ଯାହାକୁ ନେଇ ନଡ଼ିଆ ନଭାଙ୍ଗିବା ଅଶୁଭ ବୋଲି କହିଥିଲେ କେତେକ ଲୋକେ। ଯାହାକି ସତ ହେଲା ବୋଲି ବିଭିନ୍ନ ମହଲରେ ଚର୍ଚ୍ଚା ହେଉଛି। ନଡ଼ିଆ ନ ଭାଙ୍ଗିବା ଯାତ୍ରା ପାଇଁ ଅଶୁଭ ସଙ୍କେତ ଦେଇଥିଲା ବୋଲି କିଛି ଲୋକ କହିଛନ୍ତି। ଯାହା ଫଳରେ ଏତେ ବଡ଼ ଦୁର୍ଘଟଣା ଘଟିଲା।

ପ୍ରଶାସନ ଓ ରାଜନେତାଙ୍କ ଭିଡ଼
ଏଭଳି ଦୁଃଖଦ ଘଟଣା ଘଟିଲା ପରେ ଘଟଣାସ୍ଥଳକୁ ଲାଗିଥିଲା ଲୋକଙ୍କ ସୁଅ। ପ୍ରଶାସନ ଅଧିକାରୀଙ୍କ ଠାରୁ ଆରମ୍ଭ ରାଜନେତାମାନଙ୍କ ସୁଅ ଛୁଟିଥିଲା ଘଟଣାସ୍ଥଳକୁ ଏବଂ ଡାକ୍ତରଖାନାକୁ। ଘଟଣା ପରେ ଜିଲ୍ଲାପାଳ  ଉପଜିଲ୍ଲାପାଳ, ବ୍ରହ୍ମପୁର ଏସ୍‌ପି ଘଟଣାସ୍ଥଳ ସହ ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ପହଞ୍ଚି ଗୁରୁତରମାନଙ୍କ ସ୍ବାସ୍ଥ୍ୟାବସ୍ଥା ଯାଞ୍ଚ କରିଥିଲେ। ଏହି କାର୍ଯ୍ୟରେ ସ୍ଥାନୀୟ ସ୍ବେଚ୍ଛାସେବୀ, ବିଜେଡି ଏବଂ ବିଜେପି କର୍ମୀମାନେ ମଧ୍ୟ ସହଯୋଗ କରିଥିଲେ। ଖବର ପାଇ ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ, ବିଧାୟକ ବିକ୍ରମ ପଣ୍ଡା, ଗୋପାଳପୁର ବିଧାୟକ ଡ. ପ୍ରଦୀପ କୁମାର ପାଣିଗ୍ରାହୀ, ଛତ୍ରପୁର ବିଧାୟକ ସୁବାସ ବେହେରା, ପୂର୍ବତନ ବିଧାୟକ ଡା. ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ, ଚିକିଟି ବିଧାୟିକା ଉଷା ଦେବୀ, ବିଜେପି ଜିଲ୍ଲା ସଭାପତି ବିଭୂତି ଭୂଷଣ ଜେନା, ବିଜେପି ନେତା କାହ୍ନୁ ପତି ପ୍ରମୁଖ ପହଞ୍ଚି ଆହତଙ୍କ ଅବସ୍ଥା ବୁଝିଥିଲେ।

ମୃତାହତଙ୍କ ପାଇଁ ସହାୟତା ଘୋଷଣା ଓ ତଦନ୍ତ ନିର୍ଦେଶ
ବସ୍‌ ଦୁର୍ଘଟଣାରେ ମୃତକଙ୍କ ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକ ପ୍ରକାଶ କରିଛନ୍ତି। ମୃତକଙ୍କ ପରିବାର ପ୍ରତି ସମବେଦନା ମଧ୍ୟ ଜ୍ଞାପନ କରିଛନ୍ତି। ଏଥିସହିତ ମୃତକଙ୍କ ପରିବାର ପିଛା ୨ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ରାଶି ମଧ୍ୟ ଘୋଷଣା କରିଛନ୍ତି। ସମସ୍ତ ଆହତଙ୍କ ଚିକିତ୍ସା ଖର୍ଚ୍ଚ ରାଜ୍ୟ ସରକାରଙ୍କ ପକ୍ଷରୁ ବହନ କରାଯିବ ବୋଲି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି। ବ୍ରହ୍ମପୁର ପୋଲିସ୍‌ ନିଜ ଆଡୁ ଏନେଇ ମାମଲା ରୁଜୁ କରି ଖୋଳତାଡ଼ କରୁଛି। ଗୋଳନ୍ଥରା ଥାନା ପୋଲିସ୍‌ ଆଇପିସି ଧାରା ୨୭୯, ୩୦୪-ଏ, ୩୩୭ ଓ ୩୩୮ରେ ମାମଲା ରୁଜୁ କରିଛି। ଘଟଣାର ତଦନ୍ତ ଦାୟିତ୍ୱ ବ୍ରହ୍ମପୁର ଏଏସ୍‌ପିଙ୍କୁ ଦିଆଯାଇଛି। ଅନ୍ୟପଟେ ଏହି ଘଟଣାର ତଦନ୍ତ ପାଇଁ ସୁପରିଟେଣ୍ଡେଣ୍ଟ୍‌ ଇଞ୍ଜିନିୟର ବ୍ରହ୍ମପୁରର ୟୁଏସ୍‌ଏସ୍‌ ପାତ୍ରଙ୍କୁ ଦାୟିତ୍ୱ ଦିଆଯାଇଥିବା ବେଳେ ସ୍ଥାନୀୟ ଇଲେକ୍ଟ୍ରିକାଲ୍‌ ଇନ୍ସପେକ୍ଟରଙ୍କୁ ମଧ୍ୟ ଦାୟିତ୍ୱ ଦିଆଯାଇଛି ବୋଲି କହିଛନ୍ତି ଶକ୍ତିମନ୍ତ୍ରୀ କ୍ୟାପ୍‌ଟେନ୍‌ ଦିବ୍ୟଶଙ୍କର ମିଶ୍ର। ଏଥିସହ ଓଡ଼ିଶା ପାୱାର ଟ୍ରାନ୍ସମିସନ୍‌ କର୍ପୋରେଶନ ଲିଃ (ଓପିଟିସିଏଲ୍‌) ଅଧ୍ୟକ୍ଷ ତଥା କାର୍ଯ୍ୟନିର୍ବାହୀ (ସିଏମ୍‌ଡି) ସୌରଭ ଗର୍ଗଙ୍କ ପକ୍ଷରୁ ସାଉଥ୍‌କୋକୁ ରିପୋର୍ଟ ମଗାଯାଇଛି। ରିପୋର୍ଟ ଆସିବା ପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଜଣାପଡ଼ିଛି। ଏଥିସହ ଏହି ଘଟଣାର ଉଚ୍ଚସ୍ତରୀୟ ବୈଠକ ମଧ୍ୟ ଡକାଯାଇଛି। ଶକ୍ତିମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ବସିଥିବା ଜଣାପଡ଼ିଛି।

ଦୁର୍ଘଟଣାକୁ ନେଇ କିଏ କ’ଣ କହିଲେ
କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରାଧାନ ଟ୍ବିଟ୍ କରି ଶୋକ ବ୍ୟକ୍ତ କରିଛନ୍ତି। ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ବସ୍‌ରେ ନିଆଁ ଲାଗିବା କାରଣରୁ ଅନେକ ଯାତ୍ରୀ ମୃତାହତ ହେବା ଖବର ଶୁଣି ସେ ଦୁଃଖିତ। ସ୍ଥାନୀୟ ଜିଲ୍ଲା ପ୍ରଶାସନ ଓ ସ୍ୱାସ୍ଥ୍ୟ ବିଭାଗ ଆହତଙ୍କୁ ଉତ୍ତମମାନର ଚିକିତ୍ସା ଯୋଗାଇଦେବେ ବୋଲି ଆଶା କରିଛନ୍ତି ଧର୍ମେନ୍ଦ୍ର। କେଉଁ କାରଣରୁ ଏପରି ଦୁର୍ଭାଗ୍ୟଜନକ ଘଟଣା ଘଟିଲା ଏହାର ପୁଙ୍ଖାନୁପୁଙ୍ଖ ତଦନ୍ତ କରିବାକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦାବି କରିଛନ୍ତି। କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ଘଟଣାକୁ ନେଇ ଦୁଃଖ ପ୍ରକାଶ କରିବା ସହ ମୃତକଙ୍କ ପରିବାରକୁ ୫ ଲକ୍ଷ ଟଙ୍କା ଦେବାକୁ ଦାବି କରିଛନ୍ତି। ରାଜ୍ୟ ସରକାର ଘଟଣାକୁ ଗମ୍ଭୀରତା ସହ ନେଇ ନିରପେକ୍ଷ ତଦନ୍ତ କରିବା ଏବଂ ଭବିଷ୍ୟତରେ କିପରି ଏଭଳି ଆଭାବନୀୟ ଦୁର୍ଘଟଣାର ପୁନରାବୃତ୍ତି ନ ହେବ ସେଥିପାଇଁ ବିହିତ ପଦକ୍ଷେପ ନେବାକୁ ମଧ୍ୟ ସେ ପରାମର୍ଶ ଦେଇଛନ୍ତି। ସେହିପରି ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି ମଧ୍ୟ ଦୁଃଖ ପ୍ରକାଶ କରିଛନ୍ତି। ଘଟଣାକୁ ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି ଗଞ୍ଜାମ ଜିଲ୍ଲାପାଳ ଅମୃତ କୁଲାଙ୍ଗେ। ରାଜ୍ୟ ସରକାରଙ୍କ ପକ୍ଷରୁ ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା ମୂଳକ ସହାୟତା ରାଶି ଦିଆଯିବା ନେଇ ଘୋଷଣା କରାଯାଇଛି। ଏଥିସହ ସ୍ଥାନୀୟ ପ୍ରଶାସନ ପକ୍ଷରୁ ମୃତକଙ୍କ ଅନ୍ତିମ ସଂସ୍କାର ପାଇଁ ମଧ୍ୟ ରେଡ୍‌କ୍ରସ୍‌ ପକ୍ଷରୁ ସହଯୋଗ କରାଯାଉଛି। ପ୍ରଶାସନ ପକ୍ଷରୁ ସମସ୍ତ ବନ୍ଦୋବସ୍ତ କରାଯିବ। ଏହା ସହ ଆହତଙ୍କ ସମ୍ପୂର୍ଣ୍ଣ ଚିକିତ୍ସା ଖର୍ଚ୍ଚ ରାଜ୍ୟ ସରକାରଙ୍କ ପକ୍ଷରୁ ଦିଆଯିବ ବୋଲି ସେ କହିଛନ୍ତି।  ବର୍ତ୍ତମାନ ସ୍ଥିତି ଠିକ୍‌ ରହିଛି। ଏହା ପରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ପରେ ସମସ୍ତ ଦିଗକୁ ନେଇ ତଦନ୍ତ କରାଯିବ। ଏନେଇ ଏକ ମାମଲା ମଧ୍ୟ ରୁଜୁ ହୋଇ ସାରିଛି। ଏହି ଘଟଣାରେ ଯାହାର ବି ଭୁଲ୍‌ ରହିଥିବା ତା ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ବ୍ରହ୍ମପୁର ଏସ୍‌ପି ପିନାକ୍‌ ମିଶ୍ର କହିଛନ୍ତି।

ଘଟଣା ପାଇଁ ଦାୟୀ କିଏ, ଦୋଷ ଲଦାଲଦି
ଏଠି ପ୍ରଶ୍ନ, ଗାଁ ଭିତରେ ବିପଦଜ୍ଜନକ ଅବସ୍ଥାରେ ୧୧ କେଭି ତାର ଝୁଲୁଥିଲେ ବି କାହିଁକି ଚୁପ୍ ବସିଥିଲା ବିଦ୍ୟୁତ ବିଭାଗ? ଝୁଲନ୍ତା ଅବସ୍ଥାରେ ଥିବା ତାରକୁ ବସ୍ ଡ୍ରାଇଭର ଦେଖିପାରିଲେନି କେମିତି ? ଏନେଇ ପୋଲିସ୍‌ ଏବଂ ଜିଲ୍ଲା ପ୍ରଶାସନ ମିଳିତ ତଦନ୍ତ କରୁଥିବାବେଳେ ପରିବହନ ମନ୍ତ୍ରୀ ଏଥିପାଇଁ ବିଦ୍ୟୁତ ବିଭାଗ ସହ ବସ୍ ଡ୍ରାଇଭରଙ୍କ ବେପରୁଆ ଗାଡ଼ି ଚାଳନାକୁ ଦାୟୀ କରିଛନ୍ତି। ଅନ୍ୟପଟେ ଏହି ଘଟଣା ପାଇଁ ଗ୍ରାମ୍ୟ ଉନ୍ନୟନ ବିଭାଗକୁ ଦୋଷ ଦେଇଛି ସାଉଥ୍‌କୋ। ଦୁର୍ଘଟଣା ନେଇ ସାଉଥ୍‌କୋର ତଦନ୍ତକାରୀ ଟିମ୍ ରିପୋର୍ଟ ଦେଇଛି। ସଂକୀର୍ଣ୍ଣ ରାସ୍ତାରେ ବଡ଼ ବସ୍ ଯିବା ଯୋଗୁଁ ଏହି ଦୁର୍ଘଟଣା ଘଟିଥିବା ରିପୋର୍ଟରେ କୁହାଯାଇଛି। ଏଥିପାଇଁ ଗ୍ରାମ୍ୟ ଉନ୍ନୟନ ବିଭାଗକୁ ଦୋଷ ଦିଆଯାଇଛି। ଏଭଳି ଏକ ଦୁର୍ଘଟଣାକୁ ନେଇ ସାରା ରାଜ୍ୟ ଶୋକରେ ବୁଡ଼ି ରହିଥିବା ବେଳେ, ଏହି ଅଘଟଣ ପାଇଁ କିଏ ଦାୟୀ, ସେନେଇ ଚାଲିଛି କାରଣ ଖୋଜା। ଏହି ଛାତିଥରା ଘଟଣାକୁ ନେଇ କାଠଗଡ଼ାକୁ ଟାଣି ହୋଇଯାଇଛନ୍ତି ବସ୍‌ର ଡ୍ରାଇଭର୍‌, ପୂର୍ତ୍ତ ବିଭାଗ ଏବଂ ବିଦ୍ୟୁତ୍ ବିଭାଗ। କିଏ ଦାୟୀ, ଆଉ କାହାର ଭୁଲ୍ ପାଇଁ ଏତେ ବଡ଼ ଅଘଟଣ ଘଟିଗଲା, ସେନେଇ ଉଠୁଛି ବଡ଼ ପ୍ରଶ୍ନ। ଅନ୍ୟପକ୍ଷରେ ରାଜ୍ୟ ସରକାର ଅନୁକମ୍ପା ରାଶି ଘୋଷଣା କରି ହାତଗୋଡ଼ ବାନ୍ଧି ବସିଯାଉଥିବା ବେଳେ ବିଦ୍ୟୁତ୍‌ ବିତରଣ କମ୍ପାନୀ ଏସବୁ ଘଟଣାକୁ କୌଣସି ଗୁରୁତ୍ୱ ଦେଉନାହାନ୍ତି। ରାଜ୍ୟ ସରକାର ଏବଂ ଶକ୍ତି ବିଭାଗ ବିଦ୍ୟୁତ୍‌ ବିତରଣ କମ୍ପାନୀ ବିରୋଧରେ ତ ପଦକ୍ଷେପ ନେବା ଦୂରର କଥା, ବରଂ ଦୋଷୀ ଅଧିକାରୀଙ୍କ ବିରୁଦ୍ଧରେ କୌଣସି ଆଖି ଦୃଷ୍ଟିଆ ଦଣ୍ଡ ବିଧାନ କରୁନାହାନ୍ତି। ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି ଯେ ସେମାନେ ଏ ନେଇ ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ ସାଉଥ୍‌କୋ ବିଦ୍ୟୁତ ବିତରଣ କମ୍ପାନୀ ସେମାନଙ୍କ କଥା ଶୁଣି ନ ଥିଲେ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ