ପ୍ରଥମ ଟି-୨୦ରେ ଭାରତ ବିଜୟୀ: ଶ୍ରେୟସ୍‌ଙ୍କୁ ଶ୍ରେୟ, ରାହୁଲ୍‌ଙ୍କ ଉପଯୋଗୀ ଅର୍ଦ୍ଧଶତକ


ଅକ୍‌ଲାଣ୍ଡ୍‌: ଶୁକ୍ରବାରଠାରୁ ଭାରତ ତା’ର ନ୍ୟୁଜିଲାଣ୍ଡ୍‌ ଗସ୍ତ ଆରମ୍ଭ କରିଥିବା ବେଳେ ଦଳ ପ୍ରଥମ ଟି-୨୦ରେ ବିଜୟୀ ହୋଇଛି। ୫ ମ୍ୟାଚ୍‌ ବିଶିଷ୍ଟ ସିରିଜ୍‌ର ପ୍ରଥମ ମ୍ୟାଚ୍‌କୁ ଦଳ ୬ ୱିକେଟ୍‌ରେ ଜିତିନେଇଥିବା ବେଳେ ଏହି ବିଜୟର ଶ୍ରେୟ ପାଇଛନ୍ତି ଯୁବ ବ୍ୟାଟ୍ସମ୍ୟାନ୍‌ ଶ୍ରେୟସ୍‌ ଆୟର୍‌। ମାତ୍ର ୨୯ ବଲ୍‌ରେ ଅପରାଜିତ ୫୮ ରନ୍‌ କରିବା ସହ ଆୟର୍‌ ଗୋଟିଏ ଓଭର୍‌ ବାକି ଥିବା ବେଳେ ଭାରତର ସ୍କୋର୍‌କୁ ୨୦୪ରେ ପହଞ୍ଚାଇଥିଲେ। ତାଙ୍କ ବ୍ୟତୀତ ଓପନର ଲୋକେଶ ରାହୁଲ୍‌ ଦ୍ରୁତ ୫୪ ଓ ଅଧିନାୟକ ବିରାଟ କୋହଲି ୪୫ ରନ୍‌ର ଉପଯୋଗୀ ଇନିଂସ ଖେଳିଥିଲେ। ୫ଟି ଚୌକା ଓ ୩ଟି ଛକା ସହ ୫୮ ରନ୍‌ କରି ଅପରାଜିତ ରହିଥିବା ଆୟର୍‌ଙ୍କୁ ମ୍ୟାନ୍‌ ଅଫ୍‌ ଦ ମ୍ୟାଚ୍‌ ବିବେଚିତ କରାଯାଇଛି। ଏଥିସହ ଭାରତ ୧-୦ରେ ଅଗ୍ରଣୀ ରହିଥିବା ବେଳେ ସିରିଜ୍‌ର ଦ୍ବିତୀୟ ମ୍ୟାଚ୍‌ ଆସନ୍ତା ୨୬ ତାରିଖରେ ଏଠାରେ ହିଁ ଖେଳାଯିବ।

ଟସ୍‌ ଜିତି ଭାରତ ପ୍ରଥମେ ଫିଲ୍‌ଡିଂ କରିବା ଫଳରେ ନ୍ୟୁଜିଲାଣ୍ଡ୍‌ ୫ ୱିକେଟ୍‌ ବିନିମୟରେ ୨୦୩ ରନ୍‌ କରିଥିଲା। ଦଳ ପକ୍ଷରୁ ଓପନର୍‌ କଲିନ୍‌ ମନ୍‌ରୋ ୪୨ ବଲ୍‌ ଖେଳି ୬ଟି ଚୌକା ଓ ୨ଟି ଛକା ସହ ୫୯, ଅଭିଜ୍ଞ ବ୍ୟାଟ୍ସମ୍ୟାନ୍‌ ରସ୍‌ ଟେଲର୍‌ ୨୭ ବଲ୍‌ରେ ୩ଟି ଲେଖାଏଁ ଚୌକା ଓ ଛକା ସହାୟତାରେ ଅପରାଜିତ ୫୪ ଓ ଅଧିନାୟକ କେନ୍‌ ୱିଲିୟମ୍‌ସନ୍‌ ୨୬ ବଲ୍‌ରେ ୪ଟି ଲେଖାଏଁ ଚୌକା ଓ ଛକା ଜରିଆରେ ୫୧ ରନ୍‌ କରିଥିଲେ। ଭାରତ ପକ୍ଷରୁ ଜସପ୍ରୀତ୍‌ ବୁମ୍‌ରା, ଶାର୍ଦ୍ଦୁଲ୍‌ ଠାକୁର, ୟୁଜବେନ୍ଦ୍ର ଚହଲ୍‌, ଶିବମ୍‌ ଦୁବେ ଓ ରବୀନ୍ଦ୍ର ଜାଡେଜା ଗୋଟିଏ ଲେଖାଏଁ ୱିକେଟ୍‌ ନେଇଥିଲେ। ଜବାବରେ ଭାରତ ୧୯ତମ ଓଭର୍‌ର ଶେଷ ବଲ୍‌ରେ ବିଜୟ ଲକ୍ଷ୍ୟରେ ପହଞ୍ଚିଯାଇଥିଲା। ଭାରତ ପକ୍ଷରୁ ରାହୁଲ୍‌ ୨୭ ବଲ୍‌ ଖେଳି ୪ଟି ଚୌକା ଓ ୩ଟି ଛକା ଜରିଆରେ ୫୬ ଏବଂ କୋହଲି ୩୨ ବଲ୍‌ ଖେଳି ୩ଟି ଚୌକା ଓ ଗୋଟିଏ ଛକା ସହ ୪୫ ରନ୍‌ କରିଥିଲେ। ରାହୁଲ୍‌ ଓ କୋହଲିଙ୍କ ମଧ୍ୟରେ ଦ୍ବିତୀୟ ୱିକେଟ୍‌ ପାଇଁ ୯୯ ଓ ପଞ୍ଚମ ୱିକେଟ୍‌ ପାଇଁ ଆୟର୍‌ ଓ ମନୀଷ ପାଣ୍ଡେ (ଅପରାଜିତ ୧୪ ରନ୍‌, ୧ ଛକା)ଙ୍କ ମଧ୍ୟରେ ଅବିଭାଜିତ ୫୨ ରନ୍‌ର ଭାଗିଦାରୀ ହୋଇଥିଲା। ନ୍ୟୁଜିଲାଣ୍ଡ୍‌ ପକ୍ଷରୁ ଇସ୍‌ ସୋଢ଼ୀ ୨ଟି ଏବଂ ମିଚେଲ୍‌ ସାଣ୍ଟନର୍‌ ଓ ବ୍ଲେୟାର୍‌ ଟିକ୍‌ନର୍‌ ଗୋଟିଏ ଲେଖାଏଁ ୱିକେଟ୍‌‌ ନେଇଥିଲେ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ