ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ତିଆରି ଲକ୍ଷ୍ୟ ପୂରଣ କରିବାରେ ଓଡ଼ିଶା ଦ୍ୱିତୀୟ


ଭୁବନେଶ୍ୱର: ଚଳିତ ଆର୍ଥିକ ବର୍ଷରେ ପ୍ରାଧାନ ମନ୍ତ୍ରୀ ଆବାସ ଯୋଜନା (ଗ୍ରାମୀଣ) ଯୋଜନାରେ ଘର ତିଆରି ଲକ୍ଷ୍ୟ ପୂରଣ କରିବାରେ ଓଡ଼ିଶା ଦେଶରେ ଦ୍ୱିତୀୟ ସ୍ଥାନରେ ରହିଛି। ଧାର୍ଯ୍ୟ ଲକ୍ଷ୍ୟର ୧୫.୫୬ ପ୍ରତିଶତ ପୂରଣ ହୋଇଥିବା ବେଳେ ଉତ୍ତର ପ୍ରଦେଶ ଏ କ୍ଷେତ୍ରରେ ପ୍ରଥମ ସ୍ଥାନରେ ରହିଛି। ୨୦୧୯-୨୦ ଆର୍ଥିକ ବର୍ଷରେ ପିଏମ୍‍ଏୱାଇ ଗ୍ରାମୀଣ ଯୋଜନାରେ ପ୍ରତ୍ୟେକ ରାଜ୍ୟକୁ କେନ୍ଦ୍ର ସରକାର ଘର ମଞ୍ଜୁର କରିଥିଲେ। ତଦନୁଯାୟୀ ଓଡ଼ିଶାକୁ ୫ ଲକ୍ଷ ୬୫ ହଜାର ଘର ତିଆରି ପାଇଁ ଦିଆଯାଇଥିବା ବେଳେ ସମ୍ପୂର୍ଣ୍ଣ ହୋଇଛି ୮୭ ହଜାର ୯୦୦ ଘର। ଅର୍ଥାତ୍‍ ଧାର୍ଯ୍ୟ ଲକ୍ଷ୍ୟର ୧୫.୫୬ ପ୍ରତିଶତ ପୂରଣ ହୋଇପାରିଛି। ତେବେ ସମଗ୍ର ଦେଶରେ ପ୍ରଥମ ସ୍ଥାନରେ ଥିବା ଉତ୍ତର ପ୍ରଦେଶ ସରକାର ଧାର୍ଯ୍ୟ ଲକ୍ଷ୍ୟର ୩୯.୧୫ ପ୍ରତିଶତ ପୂରଣ କରିଛନ୍ତି। ରାଜ୍ୟକୁ ୧ ଲକ୍ଷ ୭୮ ହଜାର ୯୦୦ ଘର ତିଆରି ପାଇଁ ଲକ୍ଷ୍ୟ ଦିଆଯାଇଥିବାବେଳେ ସେହି ରାଜ୍ୟ ୭୦ ହଜାର ୪୪ ଘର ସମ୍ପୂର୍ଣ୍ଣ ହୋଇଛି।

ଓଡ଼ିଶାରେ ଏହି ଯୋଜନାରେ ଘର ତିଆରି ବିଳମ୍ବ ହେବାପାଇଁ ଜମି ସମସ୍ୟା ଠାରୁ ଆରମ୍ଭ କରି କଞ୍ଚାମାଲ ଅଭାବ ଓ ନାଲିଫିତା ଭଳି ସମସ୍ୟା ଲାଗି ରହିଥିବାବେଳେ ଘର ତିଆରି କାର୍ଯ୍ୟକୁ ତ୍ୱରାନ୍ୱିତ ଲାଗି ସରକାରୀ କର୍ମଚାରୀଙ୍କ ଲାଗି ପୁରସ୍କାର ବ୍ୟବସ୍ଥା ହୋଇଛି। ଡିସେମ୍ବରରୁ ପ୍ରଥମ ଜାନୁୟାରୀ ଏବଂ ୨୬ରୁ ୩୧ ଜାନୁୟାରୀ ମଧ୍ୟରେ ସମ୍ପୂର୍ଣ୍ଣ ହେଉଥିବା କିମ୍ବା ଛାତ ପତ୍ତନ ପର୍ଯ୍ୟନ୍ତ ନିର୍ମାଣ ହୋଇଥିବା ଘରର ହିସାବକୁ ନେଇ ପୁରସ୍କାର ପ୍ରଦାନ କରାଯିବ। ଜିଲ୍ଲା ସ୍ତରୀୟ ପୁରସ୍କାର ବାବଦରେ ପ୍ରଥମ ପାଇଁ ୫ ଲକ୍ଷ ଟଙ୍କା, ଦ୍ୱିତୀୟ ପୁରସ୍କାର ପାଇଁ ୩ ଲକ୍ଷ ଏବଂ ତୃତୀୟ ପୁରସ୍କାର ପାଇଁ ୨ ଲକ୍ଷ ଟଙ୍କା ଥିବାବେଳେ ବ୍ଲକ୍ ପାଇଁ ଏହା ଯଥାକ୍ରମେ ୨ ଲକ୍ଷ, ଦେଢ ଲକ୍ଷ ଓ ଏକ ଲକ୍ଷ ଟଙ୍କା ରହିଛି। ତେବେ ବ୍ଲକ୍ ପାଇଁ ଚତୁର୍ଥ ପୁରସ୍କାର ବାବଦରେ ୭୫ ହଜାର ଏବଂ ପଞ୍ଚମ ପୁରସ୍କାର ବାବଦରେ ୫୦ ହଜାର ଟଙ୍କା ରହିଛି। ପୁରସ୍କାର ରାଶିର ୫୦ ପ୍ରତିଶତ ସଫଳତା ଆଣିଥିବା କର୍ମଚାରୀଙ୍କୁ ଦେବାପାଇଁ ସ୍ଥିର ହୋଇଥିବାବେଳେ ଅବଶିଷ୍ଟ ଅର୍ଥ ଯୋଜନା ପାଇଁ କଣ୍ଟିଜେନ୍ସି ଆକାରରେ ବ୍ୟୟ କରାଯିବ। ତେବେ ପୁରସ୍କୃତ ହେବାକୁ ଥିବା କର୍ମଚାରୀଙ୍କୁ ଡିଆରଡିଏ ପ୍ରକଳ୍ପ ନିର୍ଦେଶକ ଓ ବିଡିଓ ବାଛିବେ ବୋଲି ସ୍ଥିର ହୋଇଛି।

ତେବେ ପ୍ରଧାନ ମନ୍ତ୍ରୀ ଆବାସ ଯୋଜନା (ଗ୍ରାମୀଣ) ରେ ଧାର୍ଯ୍ୟ ଲକ୍ଷ୍ୟ ଅନୁଯାୟୀ ଘର ତିଆରି ସମ୍ପୂର୍ଣ୍ଣ କରିବାରେ ଅନ୍ୟ କୌଣସି ରାଜ୍ୟ ୧୦ ପ୍ରତିଶତ ହାସଲ କରିପାରି ନାହାନ୍ତି । ମଧ୍ୟ ପ୍ରଦେଶ ଲକ୍ଷ୍ୟର ୮.୫୦ ପ୍ରତିଶତ ଲକ୍ଷ୍ୟ ପୂରଣ କରିଥିବାବେଳେ ଝାଡ଼ଖଣ୍ଡ ୭.୦୭ ପ୍ରତିଶତ, ରାଜସ୍ଥାନ ୬.୧୯ ପ୍ରତିଶତ ଓ ହିମାଚଳ ପ୍ରଦେଶ ୫.୭୮ ପ୍ରତିଶତ ଲକ୍ଷ ପୂରଣ କରିପାରିଛି। ତେବେ ଏହି କେନ୍ଦ୍ରୀୟ ଯୋଜନାରେ ଗୋଆ, ହରିଆନା, କେରଳ, ସିକିମ, ଉତ୍ତରାଖଣ୍ଡ, ଦାଦର ଓ ନଗରହାବେଳି, ଡାମନ ଓ ଡିଉ, ପୁଡୁଚେରୀ, ତେଲେଙ୍ଗାନା ଓ ଲଦାଖ ପାଇଁ ଚଳିତ ଆର୍ଥିକ ବର୍ଷରେ କୌଣସି ଘର ମଞ୍ଜୁର ହୋଇନାହିଁ। ଜାମୁ-କାଶ୍ମୀରକୁ ୫୨ ହଜାର ୫୦୦ ଘର ମିଳିଥିବା ବେଳେ ନିର୍ମାଣ ସରିଛି ମାତ୍ର ୧୯ଟିର। ସେହିଭଳି ଆଣ୍ଡାମାନ ଓ ନିକୋବରରେ ୨୪ଟି, ହିମାଚଳ ପ୍ରଦେଶରେ ୫୨ଟି ଓ ଛତିଶଗଡ଼ରେ ମାତ୍ର ୮୮ଟି ଘରର ନିର୍ମାଣ କାର୍ଯ୍ୟ ଶେଷ ହୋଇଛି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ