ଇରାନ୍‌ ସହ ଯୁଦ୍ଧ ନ କରିବାକୁ ଟ୍ରମ୍ପ୍‌ଙ୍କୁ ପରାମର୍ଶ ଦେଇଛି: ଇମ୍ରାନ୍‌


ଡାଭୋସ୍‌: ଚଳିତ ମାସ ପ୍ରାରମ୍ଭରେ ଆମେରିକା ସେନା ବାଗଦାଦ୍‌ରେ ଇରାନ୍‌ର ସେନାଧ୍ୟକ୍ଷ ମେଜର୍‌ ଜେନେରାଲ୍‌ କାସିମ୍‌ ସୁଲେମାନିଙ୍କୁ ହତ୍ୟା କରିବା ପରେ ଦୁଇ ଦେଶ ମଧ୍ୟରେ ଯୁଦ୍ଧବତ୍‌ ପରିସ୍ଥିତି ଦେଖାଦେଇଥିଲା। ଇରାନ୍‌ ଏହି ହତ୍ୟାକାଣ୍ଡର ପ୍ରତିଶୋଧ ନେବା ସକାଶେ ବାଗଦାଦ୍‌ରେ ଦୁଇଟି ଆମେରିକୀୟ ସେନା ଶିବିର ଉପରେ ବୋମାମାଡ଼ ମଧ୍ୟ କରିଥିଲା। ତେବେ ଇରାନ୍‌ ସହ ଆମେରିକା କୌଣସି ପ୍ରକାର ଯୁଦ୍ଧରେ ଲିପ୍ତ ରହିଲେ, ଏହାର ଫଳାଫଳ ଭୟାବହ ହେବାର ଆଶଙ୍କା ରହିଛି ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ୍‌ଙ୍କୁ କହିଥିଲେ ବୋଲି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ କହିଛନ୍ତି। ଏଠାରେ ଚାଲିଥିବା ବିଶ୍ବ ଅର୍ଥନୈତିକ ଫୋରମ୍‌ (ଡବ୍‌ଲ୍ୟୁଇଏଫ୍‌) ସମ୍ମିଳନୀରେ ଯୋଗଦେବା ଅବସରରେ ଇମ୍ରାନ୍‌ ଏହା କହିଛନ୍ତି।

ମଙ୍ଗଳବାର ଦୁଇ ନେତା ପରସ୍ପର ସହ ଆଲୋଚନା କରିବା ଅବସରରେ ଇମ୍ରାନ୍‌ ଟ୍ରମ୍ପ୍‌ଙ୍କୁ ଏପରି ପରାମର୍ଶ ଦେଇଥିବା କହିଛନ୍ତି। ତେବେ ଟ୍ରମ୍ପ୍‌ ତାଙ୍କ ପରାମର୍ଶ ମାନିଲେ କି ନାହିଁ, ସେନେଇ ଏକ ପ୍ରଶ୍ନର ଉତ୍ତରରେ ଇମ୍ରାନ୍‌ କହିଛନ୍ତି ଯେ ଟ୍ରମ୍ପ୍‌ଙ୍କୁ ସେ ପରାମର୍ଶ ଦେବା ବେଳେ ସେ କିଛି ବି କହି ନ ଥିଲେ। କିନ୍ତୁ ତାଙ୍କ ପରାମର୍ଶକୁ ସେ ସଠିକ୍‌ ଭାବେ ହୃଦ୍‌ବୋଧ କରିଥିବା ହାବଭାବରୁ ଜଣାପଡ଼ିଥିଲା ବୋଲି ଇମ୍ରାନ୍‌ କହିଛନ୍ତି। ଇମ୍ରାନ୍‌ ଟ୍ରମ୍ପ୍‌ଙ୍କୁ କହିଥିଲେ, ଆଫଗାନିସ୍ତାନରେ ତାଲିବାନ୍‌ ଆତଙ୍କୀ ସଂଗଠନକୁ ଶେଷ କରିବା ସକାଶେ ଆମେରିକା ହାତକୁ ନେଇଥିବା ସଂକଳ୍ପ ଏବେ ବି ସମ୍ପୂର୍ଣ୍ଣ ହୋଇନାହିଁ। ଏପରି ସ୍ଥିତିରେ ଇରାନ୍‌ ସହ ଯୁଦ୍ଧ ଲାଗିଲେ, ଏହାକୁ ନିୟନ୍ତ୍ରଣ କରିବା କଷ୍ଟକର ହେବ ବୋଲି ଇମ୍ରାନ୍‌ ଟ୍ରମ୍ପ୍‌ଙ୍କୁ କହିଥିବା କହିଛନ୍ତି। ଇମ୍ରାନ୍‌ ଆହୁରି ମଧ୍ୟ କହିଥିଲେ ଯେ ଆମେରିକା ଓ ଇରାନ୍‌ ମଧ୍ୟରେ ଯୁଦ୍ଧ ଲାଗିଲେ, ଏହା ମଧ୍ୟପ୍ରାଚ୍ୟ ପାଇଁ ଘାତକ ସାବ୍ୟସ୍ତ ହେବ। ବିଶ୍ବର ଅଧିକାଂଶ ସ୍ଥାନରେ ଦାରିଦ୍ର୍ୟ ରାଜୁତି କରିବ। କେତେ ଦିନ ଏହି ଯୁଦ୍ଧ ଚାଲିବ, ତାହାର ମଧ୍ୟ ଇୟତ୍ତା ରହିବ ନାହିଁ। ତେଣୁ ଏପରି ଅମାନବୀୟ ପଦକ୍ଷେପରୁ ଆମେରିକା ନିବୃତ୍ତ ରହିବା ଦରକାର ବୋଲି ଟ୍ରମ୍ପ୍‌ଙ୍କୁ ପରାମର୍ଶ ଦେଇଥିବା ଇମ୍ରାନ୍‌ କହିଛନ୍ତି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ