ଦେଶର ପ୍ରଥମ ମଡେଲ୍‌: ଗୋଟିଏ ରାଜ୍ୟର ତିନିଟି ରାଜଧାନୀ

ବିକେନ୍ଦ୍ରୀକରଣ ବ୍ୟବସ୍ଥାର ନୂଆ ପରୀକ୍ଷାନିରୀକ୍ଷା ଉପରେ ଏବେ ସଭିଙ୍କ ନଜର

ଆନ୍ଧ୍ର ପ୍ରଦେଶ ବିଧାନସଭା ସୋମବାର ଦିନ ରାଜଧାନୀର ବିକେନ୍ଦ୍ରୀକରଣ ଏବଂ ୨୦୨୦ ସୁଦ୍ଧା ରାଜ୍ୟର ସମସ୍ତ ଅଞ୍ଚଳର ସାମୟିକ ବିକାଶ ପାଇଁ ଆଇନ ପ୍ରଣୟନ କରିଛି। ଏହି ଆଇନ ଅନୁଯାୟୀ ଆନ୍ଧ୍ର ପ୍ରଦେଶରେ ତିନି ତିନୋଟି ରାଜଧାନୀ ହେବ। ଏବଂ ଏଭଳି ହେବାରେ ଏହା ଦେଶର ପ୍ରଥମ ରାଜ୍ୟ ଭାବେ ବିବେଚିତ ହେବ। ଏବେ ଆନ୍ଧ୍ର ପ୍ରଦେଶର କାର୍ଯ୍ୟପାଳିକା ଅର୍ଥାତ୍‌ ସରକାର ବିଶାଖାପାଟଣା ଠାରୁ କାର୍ଯ୍ୟ କରିବେ ଏବଂ ରାଜ୍ୟର ରାଜଧାନୀ ଅମରାବତୀ ଠାରେ ହେବ ତଥା ଆନ୍ଧ୍ର ପ୍ରଦେଶର ହାଇକୋର୍ଟ କୁର୍ନୁଲ ଠାରୁ ପରିଚଳିତ ହେବ। ବିରୋଧୀ ଦେଲୁଗୁ ଦେଶମ ପାର୍ଟି ଏହି ଆଇନରେ ସଂଶୋଧନ ପାଇଁ ଅଡ଼ିବସିଥିବା ବେଳେ ତାହାକୁ ଖାରଜ କରି ଦିଆଯାଇଛି। ୱାଇ ଏସ ଜଗନମୋହନ ରେଡ୍ଡୀ ସରକାରଙ୍କ ପକ୍ଷରୁ ଅର୍ଥମନ୍ତ୍ରୀ ବୁଗ୍ମନା ରାଜେନ୍ଦ୍ର ନାଥ ରେଡ୍ଡୀ ମଙ୍ଗଳବାର ଏହି ଆଇନ ରାଜ୍ୟର ବିଧାନ ପରିଷଦ ନିକଟରେ ଉପସ୍ଥାପିତ କରିଛନ୍ତି। ବିଧାନ ପରିଷଦରେ ମଧ୍ୟ ତେଲୁଗୁ ଦେଶମ ପାର୍ଟି ଏହି ଆଇନକୁ ଜୋରଦାର ବିରୋଧ କରିଛି ଏବଂ ନିୟାମଳବୀ ୭୧ ଆଧାରରେ ନୋଟିସ ଜାରି କରିଛି। ୱାଇ ଏସ ଜଗନମୋହନ ରେଡ୍ଡୀଙ୍କ ୱାଇଏସଆର କଂଗ୍ରେସ ପାର୍ଟି ପାଇଁ ପ୍ରକୃତ ସଂକଟ ବିଧାନ ପରିଷଦରେ ସୃଷ୍ଟି ହୋଇଛି। କାହିଁକି ନା ବିଧାନ ପରିଷଦରେ ୱାଇଏସଆର କଂଗ୍ରେସର ରହିଛନ୍ତି ମାତ୍ର ୯ ଜଣ ସଦସ୍ୟ।

ବ୍ୟାବହାରିକ ଭାବରେ କହିବାକୁ ଗଲେ ଜଗନମୋହନ ସରକାର ନିଜର ରାଜଧାନୀ ଅମରାବତୀ ଠାରୁ ରାଜ୍ୟର ଉତ୍ତର ପୂର୍ବ ଉପକୂଳବର୍ତ୍ତୀ ସହର ବିଶାଖାପାଟଣାକୁ ଉଠାଇ ନେଇଛନ୍ତି। ପ୍ରଶାସନର ସମସ୍ତ ମେସିନାରୀ ଓ ରାଜ୍ୟପାଳଙ୍କ କାର୍ଯ୍ୟାଳୟ ସେଠାରେ କାର୍ଯ୍ୟରତ। ଅତୀତର ରାୟଲସୀମାର ପ୍ରବେଶପଥ ତଥା ଆନ୍ଧ୍ର ପ୍ରଦେଶର ପୂର୍ବତନ ରାଜଧାନୀ କୁର୍ନୁଲ ସହରରେ ଏବେ ରାଜ୍ୟର ଉଚ୍ଚ ନ୍ୟାୟାଳୟ ଖୋଲିବ ଏବଂ ଏହାର ଖଣ୍ଡପୀଠ ରାଜ୍ୟର ଅନ୍ୟ ଅଞ୍ଚଳଗୁଡ଼ିକରେ ସ୍ଥାପିତ ହେବ। ବିଧାନସଭା ଅଧିବେଶନ ଆରମ୍ଭ ହେବା ପୂର୍ବରୁ ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡୀଙ୍କ ଅଧ୍ୟକ୍ଷତାରେ ରାଜ୍ୟ କ୍ୟାବିନେଟରେ ଏକ ପ୍ରସ୍ତାବ ଆଗତ କରି ଆନ୍ଧ୍ର ପ୍ରଦେଶ ରାଜଧାନୀ ବିକାଶ ପ୍ରାଧିକାରଣକୁ ସମାପ୍ତି ଘୋଷଣା କରିଦିଆଯାଇଛି। ଏହି ପ୍ରାଧିକରଣର ଗଠନ ରାଜଧାନୀ ଅମରାବତୀର ବିକାଶ ପାଇଁ କରାଯାଇଥିଲା। ରାଜଧାନୀ ବିକେନ୍ଦ୍ରୀକରଣର ପ୍ରସ୍ତାବ ଦେଇଥିବା ହାଇପାୱାର କମିଟିର ରିପୋର୍ଟ ଉପରେ ମଧ୍ୟ କ୍ୟାବିନେଟ ମୋହର ଲଗାଇଥିଲା। ଅମରାବତୀର ଚାଷୀମାନଙ୍କ ପାଇଁ କ୍ୟାବିନେଟ କ୍ଷତିପୂରଣ ଅବଧି ବଢ଼ାଇ ୧୦ରୁ ୧୫ ବର୍ଷ କରି ଦେଇଛନ୍ତି। ଏହି ଚାଷୀମାନେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କ ବିଶ୍ବସ୍ତରୀୟ ରାଜଧାନୀ ସ୍ଥାପନା ପାଇଁ ରାଜିହୋଇ ନିଜ ନିଜର ଜମି ପ୍ରଦାନ କରିଥିଲେ।

କାହିଁକି ସୃଷ୍ଟି ହେଲା ବିବାଦ?
୨ ଜୁନ ୨୦୧୪ରେ ତେଲେଙ୍ଗାନା ରାଜ୍ୟ ଗଠନ ସମୟରେ ଆନ୍ଧ୍ର ପ୍ରଦେଶ ପୁନର୍ଗଠନ ଆଇନରେ ଏହି ପ୍ରାବଧାନ ରଖାଯାଇଥିଲା କି ହାଇଦ୍ରାବାଦ ଆଗାମୀ ୧୦ ବର୍ଷ ପର୍ଯ୍ୟନ୍ତ ଆନ୍ଧ୍ର ପ୍ରଦେଶ ଏବଂ ତେଲେଙ୍ଗାନା ଉଭୟ ରାଜ୍ୟର ସଂଯୁକ୍ତ ରାଜଧାନୀ ରହିବ। ଆନ୍ଧ୍ର ପ୍ରଦେଶର ନୂଆ ରାଜଧାନୀ ପାଇଁ ଜାଗା ଖୋଜିବା ପାଇଁ କେନ୍ଦ୍ର ସରକାର ସେତେବେଳେ ଶିବରାମ କୃଷ୍ଣନ କମିଟି ଗଠନ କରିଥିଲେ। କମିଟି ନିଜ ରିପୋର୍ଟରେ ଆନ୍ଧ୍ର ପ୍ରଦେଶ ପାଇଁ ଏକରୁ ଅଧିକ ରାଜଧାନୀ ନମୁନା ଗ୍ରହଣ ପାଇଁ ସୁପାରିସ କରିଥିଲା। କମିଟି ପରାମର୍ଶ ଦେଇଥିଲା କି ବିଜୟୱାଡ଼ା ଏବଂ ଗୁଣ୍ଠୁରର ମଧ୍ୟବର୍ତ୍ତୀ ଅଞ୍ଚଳ ବହୁତ ଉର୍ବର ଏବଂ ଏକାଧିକ ଫସଲ ଅମଳ ହେଉଥିବା କାରଣରୁ ଏହି ଅଞ୍ଚଳ ରାଜଧାନୀ ହେବା ପାଇଁ ଲାଭଦାୟକ ହେବ ନାହିଁ। କମିଟି ନୂଆ ରାଜଧାନୀ ପାଇଁ କେତେକ ଜାଗାର ପରାମର୍ଶ ଦେଇଥିଲେ। କିନ୍ତୁ ତତ୍କାଳୀନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ କମିଟି ପରାମର୍ଶକୁ ଏଡ଼ାଇ ଯାଇଥିଲେ ଏବଂ ନୂଆ ରାଜଧାନୀ ପାଇଁ ଅମରାବତୀକୁ ବାଛିଥିଲେ। ୨୨ ଅକ୍ଟୋବର ୨୦୧୫ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନୂଆ ରାଜଧାନୀ ପାଇଁ ଅମରାବତୀରେ ଭିତ୍ତିପ୍ରସ୍ତର ସ୍ଥାପନା କରିଥିଲେ।

ପରେ ସରକାର ଅସ୍ଥାୟୀ ବିଧାନସଭା, ସଚିବାଳୟ ଏବଂ ଅନ୍ୟାନ୍ୟ କୋଠା ଗୁଡ଼ିକର ନିର୍ମାଣ କାର୍ଯ୍ୟ ସହିତ ସରକାରୀ ପରିଯୋଜନାର କାମ ଆରମ୍ଭ କରିଦେଇଥିଲେ। ଚନ୍ଦ୍ରବାବୁ ନାଇଡୁ ସରକାରଙ୍କ ମନ୍ତ୍ରୀମାନେ ରାଜଧାନୀର ମଡେଲକୁ ବୁଝିବା ପାଇଁ ଅନ୍ୟାନ୍ୟ ରାଜ୍ୟ ଓ ଦେଶମାନଙ୍କୁ ପରିଭ୍ରମଣରେ ମଧ୍ୟ ଯାଇଥିଲେ। ଏହି କାମକୁ ଆଗକୁ ନେବା ପାଇଁ ରାଜଧାନୀର ନିର୍ମାଣ କାର୍ଯ୍ୟ ଦିଗରେ ସିଙ୍ଗାପୁରର କମ୍ପାନୀ ବୁଝାମଣାପତ୍ର ଓ ଜାପାନ ସହିତ ସ୍ବାକ୍ଷର ମଧ୍ୟ କରାଯାଇଥିଲା। ଚନ୍ଦ୍ରବାବୁ ସରକାର ନିଜ ଆଡ଼ୁ ଭବ୍ୟ ଏବଂ ବିଶାଳ ରାଜଧାନୀ ନିର୍ମାଣ ପାଇଁ କେତେକ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିଥିଲେ। ଯେଉଁଥିରୁ ଭବିଷ୍ୟତ ଅମରାବତୀର ଝଲକ ମିଳିଥିଲା। କିନ୍ତୁ ୨୦୧୯ ବର୍ଷରେ ସ୍ଥିତି ବଦଳିଗଲା। ତେଲୁଗୁ ଦେଶମ ଦଳ ସଂଖ୍ୟାଗରିଷ୍ଠତା ହରାଇଲା ଏବଂ ୱାଇଏସ ଜଗନମୋହନ ରେଡ୍ଡୀଙ୍କ ନେତୃତ୍ବରେ ନୂଆ ସରକାର ଗଠନ ହେଲା। ନୂଆ ସରକାର ପ୍ରଥମ ଦିନରୁ ଅମରାବତୀର ବିକାଶ ସମ୍ପର୍କିତ ସମସ୍ତ କାର୍ଯ୍ୟକ୍ରମ ଉପରେ କଟକଣା ଲଗାଇଦେଲେ। ଏଥିରେ ଆଶଙ୍କା କରାଯାଉଥିଲା ଯେ ଅମରାବତୀ ହାତରୁ ରାଜଧାନୀ ଖସିବାକୁ ଯାଉଛି।

ଜଗନମୋହନ ସରକାର ପରେ ରାଜଧାନୀ ପ୍ରସଙ୍ଗରେ ରିପୋର୍ଟ ଦେବା ପାଇଁ ଜିଏନ ରାଓ କମିଟି ଗଠନ କରିଥିଲେ। ଏହି କମିଟି ନିଜ ରିପୋର୍ଟ ଦେଇଥିଲେ। ମୁଖ୍ୟମନ୍ତ୍ରୀ ଜଗନମୋହନ ବିଧାନସଭାରେ ସୂଚାଇଥିଲେ ଯେ ତାଙ୍କ ସରକାର ରାଜ୍ୟରେ ତିନୋଟି ରାଜଧାନୀର ମଡେଲ ଉପରେ ବିଚାର କରୁଛନ୍ତି।

ସୋମବାର କ’ଣ ଘଟିଲା ବିଧାନସଭାରେ?
ଅର୍ଥମନ୍ତ୍ରୀ ବୁଗ୍ମନା ରାଜେନ୍ଦ୍ର ନାଥ ରେଡ୍ଡୀ ରାଜଧାନୀର ବିକେନ୍ଦ୍ରୀକରଣ ଆଇନ ବିଧାନସଭାରେ ଉପସ୍ଥାପିତ କରିଥିଲେ ଏବଂ ଏହା ପାସ ବି ହୋଇଥିଲା। ବିଧାନସଭାରେ ୧୨ ଘଣ୍ଟା ପର୍ଯ୍ୟନ୍ତ ଜୋରଦାର ଚର୍ଚ୍ଚା ହେବା ପରେ ମୁଖ୍ୟମନ୍ତ୍ରୀ ଅତୀତର ମୁଖ୍ୟମନ୍ତ୍ରୀଙ୍କ ଐତିହାସିକ ତ୍ରୁଟିକୁ ସୁଧାରିବା ପାଇଁ ତାଙ୍କ ସରକାର ଖୁବ୍‌ଶୀଘ୍ର ରାଜଧାନୀର ବିକେନ୍ଦ୍ରୀକରଣ କରବାକୁ ଯାଉଥିବା ସୂଚାଇଥିଲେ। ଚନ୍ଦ୍ରବାବୁ ନାଇଡୁ ଆନ୍ଧ୍ରବାସୀଙ୍କ ଆଗରେ ଯେଉଁ କାଳ୍ପନିକ ରାଜଧାନୀର ଛବି ରଖିଥିଲେ, ତାହାର ନିର୍ମାଣ କେବେ ବି ସମ୍ଭବ ନୁହେଁ ବୋଲି ସେ ଦୋହରାଇଥିଲେ। ରାଜଧାନୀର ବିକେନ୍ଦ୍ରୀକରଣ ହେଲେ ଆନ୍ଧ୍ରର ସର୍ବାଙ୍ଗୀନ ଉନ୍ନତି ହୋଇପାରିବ ବୋଲି ସେ ସୂଚାଇଥିଲେ। ଗୋଟିଏ ଅଞ୍ଚଳର ବିକାଶ ପାଇଁ ହଜାର ହଜାର କୋଟି ଟଙ୍କା ଖର୍ଚ୍ଚ କରିବା ଅପେକ୍ଷା ପୂର୍ବରୁ ଉପଲବ୍ଧ ଥିବା ଭିତ୍ତିଭୂମି ଗୁଡ଼ିକର ବ୍ୟବହାର କରି ବିକାଶ ଘଟାଇବା ଅପରିହାର୍ଯ୍ୟ ବୋଲି ସେ ଯୁକ୍ତି ବାଢ଼ିଥିଲେ। ତେଣେ ରାଜଧାନୀ ପାଇଁ ଜମି ଦେଇଥିବା ଚାଷୀମାନେ ବିଧାନସଭା ଆଗରେ ଜୋରଦାର ଆନ୍ଦୋଳନ ଜାରି ରଖିଥିଲେ।  ଭିଡ଼କୁ ନିୟନ୍ତ୍ରଣ ପାଇଁ ଚାଷୀମାନଙ୍କ ଉପରେ ଲାଠିଚାର୍ଜ କରାଯାଇଥିଲା। ଜନସେନା ନେତା ପବନକଲ୍ୟାଣଙ୍କ ଅମରାବତୀ ଗସ୍ତକୁ ଅଟକାଇ ଥିଲା ପୋଲିସ।

ଏହି ନମୁନାକୁ ଅନ୍ୟ ରାଜ୍ୟ ଗ୍ରହଣ କରିବେ କି?
ବର୍ତ୍ତମାନ ସୁଦ୍ଧା କୌଣସି ଗୋଟିଏ ବି ରାଜ୍ୟରେ ଏଭଳି ନମୁନା ଦେଖିବାକୁ ମିଳିନାହିଁ। ମହାରାଷ୍ଟ୍ର ଏବଂ କର୍ଣ୍ଣାଟକ ଏଭଳି ଦୁଇଟି ରାଜ୍ୟ ଅଛି, ଯାହାର କି ବର୍ଷକୁ ଅନ୍ତତଃ ଥରେ ବିଧାନସଭା ଅନ୍ୟ ସହରରେ ଆୟୋଜିତ ହୋଇଥାଏ। ମହାରାଷ୍ଟ୍ର ବିଧାନସଭା ନାଗପୁର ଠାରେ ଆୟୋଜିତ ହେଉଥିବା ବେଳେ ହିମାଚଳରେ ଶିମଲା ଏବଂ ଧର୍ମଶାଳା ଦୁଇଟି ସହରରେ ବିଧାନସଭା ଆୟୋଜିତ ହୋଇଥାଏ। ଧର୍ମଶାଳାକୁ ରାଜ୍ୟର ଶୀତକାଳୀନ ରାଜଧାନୀ ଭାବେ ମାନି ନିଆଯାଇଥାଏ। କର୍ଣ୍ଣାଟକରେ ବେଙ୍ଗାଳୁରୁ ସମେତ ବେଲଗାମ ଠାରେ ମଧ୍ୟ ବିଧାନସଭା ଅନୁଷ୍ଠିତ ହୁଏ।

ଉତ୍ତରାଖଣ୍ଡର ହାଇକୋର୍ଟ ନୈନୀତାଲରେ ଅବସ୍ଥିତ। ଏହିଭଳି ଛତିଶଗଡ଼, କେରଳ, ମଧ୍ୟପ୍ରଦେଶ, ରାଜସ୍ଥାନ ଏବଂ ଉତ୍ତର ପ୍ରଦେଶ ତଥା ଓଡ଼ିଶା ହାଇକୋର୍ଟ ରାଜଧାନୀରେ ନ ହୋଇ ଅନ୍ୟ ସହରରେ ରହିଛି। ଆନ୍ଧ୍ର ପ୍ରଦେଶର ଏଭଳି ବିକେନ୍ଦ୍ରୀକରଣ ବ୍ୟବସ୍ଥାର ସୁଫଳ ଉପରେ ଏବେ ସାରା ଦେଶର ନଜର ରହିଛି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ