କୌଶଲ୍ୟାଙ୍କ କମାଲ: ପ୍ରଥମ ଦିବ୍ୟାଙ୍ଗ ଭାବେ ୧ କୋଟି ଜିତି ରଚିଲେ ଇତିହାସ


ଜୀବନରେ ସଫଳତାର ରାସ୍ତାରେ ଆଗକୁ ବଢ଼ିବା ସମୟରେ ରାସ୍ତାରେ ଅନେକ ଗୁଡ଼ିଏ ମୁସ୍କିଲର ସାମ୍ନା କରିବାକୁ ପଡ଼ି ଥାଏ। କିନ୍ତୁ ଯେଉଁ ଲୋକମାନେ ଆତ୍ମବିଶ୍ବାସର ସହ ଉଡ଼ିବା ଜାଣିଥାନ୍ତି, ସେମାନଙ୍କ ପାଇଁ ଯେ କୌଣସି ଲକ୍ଷ୍ୟ ହାସଲ କରିବା କଷ୍ଟକର ହୋଇ ନ ଥାଏ। ଏହାକୁ ସତ ବୋଲି ପ୍ରମାଣିତ କରିଛନ୍ତି ଦିବ୍ୟାଙ୍ଗ ଯୁବତୀ କୌଶଲ୍ୟା ଖର୍‌ଥିକା। ସେ ରିଅଲିଟି ଶୋ’ ‘କୌନ ବନେଗା କରୋଡ଼ପତି’ର ତାମିଲ ସଂସ୍କରଣ କୋଡେଶ୍ବରୀରେ ୧ କୋଟି ଟଙ୍କା ଜିତି ଇତିହାସ ରଚିଛନ୍ତି।

୩୧ ବର୍ଷୀୟା କୌଶଲ୍ୟା ମଦୁରାଇର ବାସିନ୍ଦା। କୌଶଲ୍ୟାଙ୍କ କହିବା ଓ ଶୁଣିବାରେ ସମସ୍ୟା ରହିଛି। ତେଣୁ ଲିପ୍‌ ରିଡିଙ୍ଗ ଓ କମ୍ପନ ମାଧ୍ୟମରେ ସେ ଅନ୍ୟମାନଙ୍କ ସହିତ ଯୋଗାଯୋଗ କରିଥାନ୍ତି। କୋଡେଶ୍ବରୀରେ କୋଟିପତି ହେବା ପରେ କୌଶଲ୍ୟା କହିଛନ୍ତି ଯେ ସେ ନିଜେ ଚଳିବା ପାଇଁ ସବୁବେଳେ ଘର ଲୋକଙ୍କ ଉପରେ ନିର୍ଭର କରୁଥିଲେ। କିନ୍ତୁ ପିଲାଦିନୁ ସେ କିଛି କରିବାର ସଂକଳ୍ପ ରଖିଥିଲେ। ଏହି ଆଇକନିକ୍‌ ଗେମ୍‌ ଶୋ’ର ଏକ ଅଂଶବିଶେଷ ହୋଇଥିବାରୁ ସେ ନିଜକୁ ଗୌରାବାନ୍ବିତ ମନେ କରୁଛନ୍ତି। ଏପରିକି ସେ ଜଣେ କୋଡେଶ୍ବରୀ ବୋଲି ସମସ୍ତଙ୍କୁ କହିବାରେ ଗୌରବ ଅନୁଭବ କରୁଥିବା କୌଶଲ୍ୟା କହିଛନ୍ତି।

କୌଶଲ୍ୟା ବିଏସ୍‌ସି, ଏମ୍‌ଏସ୍‌ସି କରିବା ପରେ ଏମ୍‌ବିଏ ଡିଗ୍ରୀ ହାସଲ କରିଛନ୍ତି। ଜୀବନରେ ଆଗକୁ ବଢ଼ିବା ସମୟରେ ତାଙ୍କ ରାସ୍ତାରେ ଅନେକ ପ୍ରକାରର ମୁସ୍କିଲ ଆସିଛି। କିନ୍ତୁ କେବେ ବି ସେ ହାର୍‌ ମାନି ନାହାନ୍ତି। ପାଢ଼ ପଢ଼ିବା ସମୟରେ ସେ ୟୁନିଭର୍ସିଟି ଟପ୍ପର ଥିଲେ। ଏହାପରେ ଏବେ ସେ ପ୍ରିନ୍ସିପାଲ ଜିଲା କୋର୍ଟରେ ଜୁନିଅର ଆସିଷ୍ଟାଣ୍ଟ ଭାବେ ଚାକିରି କରୁଛନ୍ତି। ନିଜ ପତି ଓ ପରିବାର ସହିତ ଏକ ସୁଖୀ ଜୀବନ ବିତାଉଛନ୍ତି।

ତାମିଲ ସଂସ୍କରଣ ‘କୌନ୍‌ ବନେଗା କରୋଡ଼ପତି’ରେ ଖାସ୍‌ କଥା ହେଉଛି ଏଠାରେ ମହିଳାଙ୍କୁ ବହୁତ ଭଲ ପ୍ଲାଟଫର୍ମ ଦିଆଯାଇଥାଏ। ଯାହାଫଳରେ ସେ ଆଗକୁ ଯାଇ ନିଜର ଲକ୍ଷ୍ୟ ହାସଲ କରିପାରିବେ। ଏହି ଶୋ’କୁ ଅଭିନେତ୍ରୀ ରାଧିକା ସରଥକୁମାର ହୋଷ୍ଟ କରୁଛନ୍ତି। ରାଧିକା କହିଛନ୍ତି ଯେ କୌଶଲ୍ୟାଙ୍କୁ ବହୁତ ବହୁତ ଅଭିନନ୍ଦନ, ଯିଏ ନିଜ ଜ୍ଞାନ ଓ ସଂକଳ୍ପ ବଳରେ ଇତିହାସ ରଚିଛନ୍ତି। ତାଙ୍କ ଭଳି ଜଣେ ବ୍ୟକ୍ତିତ୍ବ ସହିତ ସାକ୍ଷାତ କରିବା ଓ ତାଙ୍କ ବିଜୟକୁ ଅନୁଭବ କରିଥିବାରୁ ନିଜକୁ ଭାଗ୍ୟବାନ ବୋଲି ମନେ କରୁଛନ୍ତି। ତାଙ୍କ ସଫଳତା ବାସ୍ତବରେ ଅନ୍ୟମାନଙ୍କ ପାଇଁ ଏକ ପ୍ରେରଣା। ତାଙ୍କ ଭବିଷ୍ୟତ ଉଜ୍ବଳ ହେବା ସହିତ ଜୀବନରେ ସେ ଯେଉଁ ଲକ୍ଷ୍ୟ ହାସଲ କରିବାକୁ ଚାହୁଛନ୍ତି, ତାହା ତାଙ୍କୁ ମିଳୁ ବୋଲି ରାଧିକା କହିଛନ୍ତି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ