ସ୍ମିଥ୍‌ଙ୍କ ମୁହଁରେ ବିରାଟଙ୍କ ପ୍ରଶଂସା


ବିଶ୍ବ କ୍ରିକେଟ୍‌ରେ କିଏ ଶ୍ରେଷ୍ଠ ବିରାଟ କୋହଲି ନା ଷ୍ଟିଭ୍‌ ସ୍ମିଥ୍‌, ଏହାକୁ ନେଇ ବିତର୍କ ଜାରି ରହିଥିଲା ବେଳେ ସ୍ମିଥ ଭାରତୀୟ ଅଧିନାୟକ କୋହଲିଙ୍କୁ ପ୍ରଶଂସାରେ ପୋତି ପକାଇଛନ୍ତି। ସ୍ମିଥ୍‌ କହିଛନ୍ତି ଯେ କୋହଲି ୩ଟି ଯାକ ଫର୍ମାଟ୍‌ରେ ଶ୍ରେଷ୍ଠ ପ୍ରଦର୍ଶନ କରିଛନ୍ତି। ତାଙ୍କ ଠାରେ ରନ୍‌ ସ୍କୋର କରିବା ନେଇ ଯେଉଁ ବ୍ୟାକୁଳତା ରହିଛି, ତାହାକୁ ସେ ଅନୁଭବ କରିପାରୁଛନ୍ତି। କୋହଲି ବିଶ୍ବ କ୍ରିକେଟର ଅନେକ ରେକର୍ଡ ଭାଙ୍ଗି ସାରିଛନ୍ତି, ଆଗକୁ ଆହୁରି ଅଧିକ ବିଶ୍ବ ରେକର୍ଡ କରିବେ ବୋଲି ସେ ଆଶା କରୁଛନ୍ତି। ଅଷ୍ଟ୍ରେଲିଆ ବିପକ୍ଷରେ ଯଦି କୋହଲିଙ୍କ ରନ ପ୍ରବାହକୁ ରୋକାଯାଇପାରିଲେ ତାହେଲେ, ସେ ସଫଳ ହୋଇପାରିବେ ବୋଲି ସ୍ମିଥ୍‌ କହିଛନ୍ତି।

କୋହଲି କେବଳ ଜଣେ ସଫଳ ଖେଳାଳି ନୁହନ୍ତି, ଜଣେ ଚାମ୍ପିଅନ୍‌ ଅଧିନାୟକ ଭାବେ ମଧ୍ୟ ସେ ଭାରତୀୟ ଦଳକୁ ନେତୃତ୍ବ ପ୍ରଦାନ କରିଛନ୍ତି। ତାଙ୍କ ଅଧିନାୟକତ୍ବରେ ଭାରତ ଆଇସିସି ଟେଷ୍ଟ ମାନ୍ୟତାରେ ଶୀର୍ଷକୁ ଉନ୍ନୀତ ହୋଇପାରିଛି। ଏହା ଯେ କୌଣସି ଅଧିନାୟକଙ୍କ ପାଇଁ ସମ୍ମାନର ପ୍ରଶ୍ନ। ଆଗକୁ ଘରୋଇ ମାଟିରେ ଆୟୋଜିତ ହେବାକୁ ଥିବା ଟି-୨୦ ବିଶ୍ବକପ୍‌ରେ ସେ ଭଲ ପ୍ରଦର୍ଶନ ନେଇ ଆଶା ରଖିଛନ୍ତି। ତେଣୁ ତାଙ୍କୁ ଆଗକୁ ଆଇପିଏଲ୍‌ରେ ତାଙ୍କ ଟିମ୍‌ ରାଜସ୍ଥାନ ରୟାଲ୍ସ  ପାଇଁ ଭଲ ପ୍ରଦର୍ଶନ କରିବା ଜରୁରୀ ହୋଇପଡ଼ିଛି।

ସେହିପରି ପୁଣି ଥରେ ଦଳର ଅଧିନାୟକ ହେବା ନେଇ ସେ କେତେଦୂର ଆଶାବାଦୀ ବୋଲି ଏକ ପ୍ରଶ୍ନରେ ସ୍ମିଥ୍‌ କହିଛନ୍ତି ଯେ ଟିମ୍‌ ପେନ୍ ଟେଷ୍ଟ କ୍ରିକେଟରେ ଭଲ ନେତୃତ୍ବ ପ୍ରଦାନ କରୁଛନ୍ତି। ପେନ୍‌ଙ୍କ ନେତୃତ୍ବରେ ଅଷ୍ଟ୍ରେଲିଆ ପ୍ରଭାବୀ ପ୍ରଦର୍ଶନ କରି ଆଶେସ୍‌ ସିରିଜ୍‌ ବଜାୟ ରଖିଛି। ତେଣୁ ଦଳର ନେତୃତ୍ବ ପରିବର୍ତ୍ତନର କୌଣସି ଆବଶ୍ୟକତା ଥିବା ସେ ଅନୁଭବ କରୁ ନାହାନ୍ତି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ