ଓଡ଼ିଶାରେ ବଢ଼ୁଛି ଡେଷ୍ଟିନେସନ ୱେଡିଂ କ୍ରେଜ: ଲୁଭାଉଛି ପର୍ଯ୍ୟଟନ ବିଭାଗର ପ୍ୟାକେଜ

ରାଜ୍ୟରେ ପର୍ଯ୍ୟଟନର ବିକାଶ ପାଇଁ ଏହା ଖୋଲିଛି ଆଉ ଏକ ବାଟ

କୁହାଯାଏ ବିବାହ ସ୍ବର୍ଗରେ ସ୍ଥିର କରାଯାଏ, ଆଉ ମର୍ତ୍ତ୍ୟରେ ସମ୍ପାଦିତ ହୁଏ। ଯଦି ଆପଣ ସତରେ ଭାବୁଥାନ୍ତି ଯେ ବିବାହ ସ୍ବର୍ଗରେ ହୁଏ, ତେବେ ଓଡ଼ିଶା ପର୍ଯ୍ୟଟନ ବିଭାଗ ଆପଣଙ୍କୁ ଭିନ୍ନ କିଛି ଚିନ୍ତା କରିବାର ଖୋରାକ ଦେବ। ଏବେ ସ୍ବର୍ଗସମ ବିବାହ ଓଡ଼ିଶାରେ ହୋଇପାରୁଛି। କାହିଁକି ନା ପର୍ଯ୍ୟଟନର ବିକାଶ ପାଇଁ ଓଡ଼ିଶା ପର୍ଯ୍ୟଟନ ବିଭାଗ ନିକଟରେ ଏବେ ବିବାହର ପ୍ୟାକେଜ ରହିଛି। ଓଡ଼ିଶା ପର୍ଯ୍ୟଟନ ବିକାଶ ନିଗମ (ଓଟିଡିସି) ଏହି ଅଭିନବ ପ୍ୟାକେଜକୁ ଶୁଭାରମ୍ଭ କରିଛି, ଯାହାକି ଗୋପାଳପୁର, ଚାନ୍ଦିପୁର, କୋଣାର୍କ, ରମ୍ଭା, ବଡ଼ମୂଳ ଭଳି ୬ଟି ପାନ୍ଥନିବାସରେ ଏଭଳି ସୁବିଧା ଉପଲବ୍ଧ କରାଇଛି। ପ୍ରଥମ ପର୍ଯ୍ୟାୟରେ ଏହି ୬ଟି ପାନ୍ଥନିବାସରେ ଡେଷ୍ଟିନେସନ ୱେଡିଂ ପାଇଁ ଆବଶ୍ୟକୀୟ ଭିତ୍ତିଭୂମି ଓ ଅନ୍ୟାନ୍ୟ ବିକାଶମୂଳକ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି।

ବିବାହ ଅପେକ୍ଷାରେ ଥିବା ଯୁବକଯୁବତୀ ଖୁସ୍‌
ଆଧୁନିକ ଯୁଗର ଚାହିଦା ହୋଇଛି ଡେଷ୍ଟିନେସନ ୱେଡିଂ। ପୂର୍ବେ ନିଜ ବାବସ୍ଥାନରେ ବିବାହ କାର୍ଯ୍ୟ ସମ୍ପାଦନ ହେଉଥିବା ବେଳେ ଆଜିକାଲିର ଯୁବକଯୁବତୀ ନିଜ ନିଜ ବାସସ୍ଥାନ ଠାରୁ ଦୂରରେ ପ୍ରକୃତି କୋଳରେ ବିବାହ କରିବାକୁ ଅଧିକ ପସନ୍ଦ କରୁଛନ୍ତି। ଏପରିସ୍ଥଳେ ଓଡ଼ିଶା ପର୍ଯ୍ୟଟନ ପକ୍ଷରୁ ଆରମ୍ଭ ହୋଇଥିବା ସୁଲଭ ପ୍ୟାକେଜର ଡେଷ୍ଟିନେସନ ୱେଡିଂ ଯୁବକଯୁବତୀଙ୍କ ମଧ୍ୟରେ ଖୁସିର ମାହୋଲ ସୃଷ୍ଟି କରିଛି। ଏହିକ୍ରମରେ ବିବାହ ଅପେକ୍ଷାରେ ଥିବା ସୁରଜ ଓ ଚାନ୍ଦନୀ ବେଶ୍‌ ଉତ୍‌ଫୁଲ୍ଲିତ ଅଛନ୍ତି। ଓଡ଼ିଆ ରୀତିନୀତି ଓ ପରମ୍ପରାରେ ବିବାହ କରିବାକୁ ଚାହୁଁଥିବା ଏହି ଯୋଡ଼ି ଓଡ଼ିଶାରେ ଏଭଳି ସୁଯୋଗକୁ ସ୍ବାଗତ କରିଛନ୍ତି। ସେହିପରି ଅଭିଷେକ ଓ ସଂଯୁକ୍ତା ମଧ୍ୟ ଏଭଳି ଘୋଷଣା ପରେ ସେମାନଙ୍କ ବିବାହ ପ୍ଲାନକୁ ବଦଳାଇ ଡେଷ୍ଟିନେସନ ୱେଡିଂ ପାଇଁ ମନବଳାଇଛନ୍ତି।

ପିତାମାତା ବି ଦେଖାଇଛନ୍ତି ଆଗ୍ରହ
ସନ୍ତାନସନ୍ତତିଙ୍କ ଖୁସି ପାଇଁ ଏବେ ପିତାମାତା ମଧ୍ୟ ସେମାନଙ୍କ ସହ ତାଳମିଳାଇ ଚାଲିଛନ୍ତି। ଏଥିସହ ଆଜିକାଲି ହୋଟେଲ ବା ବାଙ୍କ୍ବେଟ ହଲ ବୁକିଂ କରି ବାହାଘର ହେଉଥିବା ବେଳେ ଏପରି ସୁଯୋଗକୁ ନେଇ କେତେକ ପିତାମାତା ମଧ୍ୟ ଆଗ୍ରହ ପ୍ରକାଶ କରିଛନ୍ତି। ବଜେଟ ମଧ୍ୟ ସୁଲଭ ଥିବାରୁ ଓଡ଼ିଶା ପର୍ଯ୍ୟଟନରେ ଏହି ପ୍ୟାକେଜ ପ୍ରତି ସେମାନେ ଆକର୍ଷିତ ହୋଇଥିବା ଜଣାପଡ଼ିଛି।

କ’ଣ ରହିଛି ପ୍ୟାକେଜରେ
ଓଡ଼ିଶା ପର୍ଯ୍ୟଟନ ବିକାଶ ନିଗମର ଅଧ୍ୟକ୍ଷ ଶ୍ରୀମୟୀ ମିଶ୍ରଙ୍କ ସୂଚନା ଅନୁଯାୟୀ ବିବାହ ଏବଂ ବିବାହବାର୍ଷିକୀ ଆୟୋଜନ ତଥା ହନିମୁନ ଆଦି ବିଶେଷ କାର୍ଯ୍ୟକ୍ରମ ପାଇଁ ଓଟିଡିସିର ପାନ୍ଥନିବାସଗୁଡ଼ିକୁ ସ୍ବତନ୍ତ୍ର ଭାବେ ପ୍ରସ୍ତୁତ କରାଯାଉଛି। ଏହି ଡେଷ୍ଟିନେସନ ୱେଡିଂରେ ଭରପୂର ରୋମାଞ୍ଚକର ଅନୁଭବ ପାଇଁ ପ୍ରୟାସ ରହିବ। ଏହା ଓଡ଼ିଶା ପର୍ଯ୍ୟଟନ ପାଇଁ ଏକ ଟ୍ରେଣ୍ଡସେଟର ହେବ। ଓଡ଼ିଶା ପର୍ଯ୍ୟଟନ ବିକାଶ ନିଗମ ପକ୍ଷରୁ ଏହି ବିବାହ ପ୍ୟାକେଜ ଆନୁମାନିକ ୨.୧୭ ଲକ୍ଷ ଟଙ୍କା ହେବ ବୋଲି ଜଣାପଡ଼ିଛି। ଏଥିରେ ମୁଖ୍ୟତଃ ବିବାହରେ ଭୋଜନ, ୨୫ଟି ପ୍ରକୋଷ୍ଠ, ୫୦ ଜଣ ଅତିଥିଙ୍କ ପାଇଁ ମୁଖ୍ୟ ଭୋଜନ, ଜଳପାନ, ଅତିଥିମାନଙ୍କ ପ୍ରକୋଷ୍ଠରେ ମିନେରାଲ ୱାଟର ସହିତ ଦୁଇଦିନର ଖର୍ଚ୍ଚ ଯୋଡ଼ି ହୋଇ ରହିଛି। ଯଦି ବିବାହ ଉତ୍ସବରେ ଢୋଲ ଓ ଅନ୍ୟାନ୍ୟ ସୁବିଧା ଚାହାନ୍ତି, ତେବେ ପ୍ୟାକେଜର ମୂଲ୍ୟରେ କିଛିଟା ପରିବର୍ତ୍ତନ ହେବ। ସୁବିଧା ଅନୁସାରେ ପ୍ୟାକେଜ ବଢ଼ିବ।

ଏହାଠୁ ଅଧିକ ଆଉ ମିଳିବ କ’ଣ?
ବିବାହକୁ ବ୍ୟବସ୍ଥିତ କରିବା ପାଇଁ ଅନେକ ଗୁଡ଼ିଏ କାର୍ଯ୍ୟକ୍ରମର ଆବଶ୍ୟକତା ରହିଛି। ଅନେକ ଗୁଡ଼ିଏ ପ୍ରସଙ୍ଗ ରହିଛି ଯେଉଁଗୁଡ଼ିକ ଉପରେ ବିଶେଷ ଭାବରେ ଧ୍ୟାନ ଦିଆଯିବା କଥା। କିନ୍ତୁ ଓଡ଼ିଶା ପର୍ଯ୍ୟଟନର ଗନ୍ତବ୍ୟ ୱେଡିଂ ପ୍ୟାକେଜରେ ଆଶ୍ଚର୍ଯ୍ୟଜନକ ଭାବେ ଅନେକ ଗୁଡ଼ିଏ ପ୍ରସଙ୍ଗ ସାମିଲ। ଯଦି ଆପଣ ବିବାହ ପ୍ୟାକେଜ ଚୟନ ପାଇଁ ନିଷ୍ପତ୍ତି ନିଅନ୍ତି, ତେବେ ବିବାହ ସମ୍ପର୍କିତ କୌଣସି ବି ବ୍ୟବସ୍ଥା ପାଇଁ ଆପଣଙ୍କୁ ଚିନ୍ତା କରିବାକୁ ପଡ଼ିବନି। ଇଭେଣ୍ଟ ଡେକୋରେସନ, ମେହେନ୍ଦୀ, ରୀତିନୀତି ପରମ୍ପରା ଅନୁଯାୟୀ ବିବାହ ବ୍ୟବସ୍ଥା, ଭିଡିଓଗ୍ରାଫି, ସାଂସ୍କୃତିକ କାର୍ଯ୍ୟକ୍ରମ ଠାରୁ ଆରମ୍ଭ କରି ଅତିଥିମାନଙ୍କ ପାଇଁ ସ୍ଥାନୀୟ ଦର୍ଶନୀୟ ସ୍ଥାନ ପରିଭ୍ରମଣ ପର୍ଯ୍ୟନ୍ତ ସବୁକିଛି ସୁବିଧା ପାଇପାରିବେ। ଏହିସବୁ ସୁବିଧା ଯୋଗାଇ ଦେବା ପାଇଁ କାର୍ଯ୍ୟକ୍ରମସ୍ଥଳୀ ନିକଟରେ ସମର୍ପିତ କର୍ମୀମାନେ ଉପସ୍ଥିତ ରହିବେ। ଖୁବ୍‌ ଶୀଘ୍ର ଚିଲିକା ହ୍ରଦରେ ପର୍ଯ୍ୟଟକମାନେ ହାଉସ ବୋଟ୍‌ରେ ରହିପାରିବା ଭଳି ସୁବିଧା କରାଯାଉଛି। ରମ୍ଭା ଓ ବଡ଼କୁଳ ପାନ୍ଥନିବାସ ଚିଲିକା କୂଳରେ ଅବସ୍ଥିତ। ଏଠାରେ ଡେଷ୍ଟିନେସନ ୱେଡିଂ ଚୟନ କରିଥିବା ବର ଓ କନ୍ୟା ପକ୍ଷ ନିଜ ଅତିଥିମାନଙ୍କୁ ଖୁବ୍‌ ଶସ୍ତାରେ ଚିଲିକାର କାଳିଜାଈ, ଚଢ଼େଇହଗା ହନିମୁନ ଆଇଲାଣ୍ଡ ଓ ନଳବଣ ପରିଭ୍ରମଣ କରାଇପାରିବେ।

ଡେଷ୍ଟିନେସନ ୱେଡିଂର ଯୋଜନା ପ୍ରସ୍ତୁତ ପାଇଁ ବହୁତ ଅର୍ଥ ବ୍ୟୟ ହୋଇଥାଏ। ଏଥିରେ କିଛି ଦୃଶ୍ୟମାନ ଓ କିଛି ଅଦୃଶ୍ୟ ଖର୍ଚ୍ଚ ଯୋଡ଼ିହୋଇ ଥାଏ। ଓଡ଼ିଶାର ଏହି ଡେଷ୍ଟିନେସନ ୱେଡିଂ ପ୍ୟାକେଜ ଖର୍ଚ୍ଚ ୨.୧୭ ଲକ୍ଷ ଥିବାବେଳେ ଏବଂ ଏଥିରେ ବହୁତ ସୁବିଧା ଉପଲବ୍ଧ ରହିଛି। ସୁନ୍ଦର ବେଳାଭୂମି, ଆଧ୍ୟାତ୍ମିକ ପରିବେଶ, ଚିଲିକାର ଶାନ୍ତ ସ୍ନିଗ୍‌ଧ ପରିବେଶ ମଧ୍ୟରେ ଯଦି ଆପଣ ନିଜର କିମ୍ବା ପୁତ୍ର କନ୍ୟାଙ୍କର ବିବାହ କରାଇବା ପାଇଁ ଇଚ୍ଛୁକ, ତେବେ ଆପଣ ପାନ୍ଥନିବାସ ଗୁଡ଼ିକରେ ଅନ୍‌ଲାଇନ ବୁକିଂ କରାଇପାରିବେ। ଭବିଷ୍ୟତରେ ଅନୁରୂପ ସୁବିଧା ଆହୁରି ଅନେକ ପାନ୍ଥନିବାସକୁ ସମ୍ପ୍ରସାରିତ ହେବ। ଚାନ୍ଦିପୁର, କୋଣାର୍କ ପାନ୍ଥନିବାସ ରାଜ୍ୟର ସବୁଠୁ ସୁନ୍ଦର ଓ ବିସ୍ମିତ ବେଳାଭୂମି କୂଳରେ ଅବସ୍ଥିତ ହୋଇଥିବା ବେଳେ ରମ୍ଭା ଓ ବଡ଼କୂଳ ଏସିଆ ମହାଦେଶର ବୃହତ୍ତମ ଲବଣାକ୍ତ ହ୍ରଦ ଚିଲିକାର ଅନତି ଦୂରରେ ଅବସ୍ଥିତ। ଗୋପାଳପୁର ପାନ୍ଥନିବାସ ମଧ୍ୟ ସମୁଦ୍ର କୂଳରେ ଅବସ୍ଥିତ। ସୁନ୍ଦର ବେଳାଭୂମି, ବିସ୍ତୃତ ଝାଉଁବଣ ଓ ଶାନ୍ତ ସ୍ନିଗ୍‌ଧ ପରିବେଶ ସହ ପାନ୍ଥନିବାସ ଭିତରେ ଉପଲବ୍ଧ ଆବଶ୍ୟକୀୟ ସୁବିଧା ୱେଡିଂ ଡେଷ୍ଟିନେସନକୁ ନୂଆ ଅନୁଭବରେ ଭରିଦେବ, ଏହା ନିଃସନ୍ଦେହରେ କୁହାଯାଇପାରେ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ