ଇରାନର ଶାନ, ନିଞ୍ଜା ୱିମେନ: ସୁନ୍ଦରୀ, ସାହସୀ ଓ ଲଢ଼ୁଆ

ଆମେରିକା ବି ଲଢ଼ିବା ପୂର୍ବରୁ ୧୦ ଥର କରିବ ଚିନ୍ତା

ଇରାନ ନିକଟରେ ଏଭଳି ଅତି ସୁନ୍ଦରୀ ମହିଳାମାନେ ଅଛନ୍ତି, ଯେଉଁମାନେ କୌଣସି ଦେଶର ସଶକ୍ତ ସେନା ଠାରୁ କୌଣସି ଗୁଣରେ କମ୍‌ ନୁହନ୍ତି। ଏହି ଇରାନୀ ମହିଳାମାନେ ମାର୍ଶଲ ଆର୍ଟ୍‌ସର ତାଲିମ ବି ଗ୍ରହଣ କରିଛନ୍ତି। ଗୋଟିଏପଟେ ଇରାନର ଅସ୍ତ୍ରଶସ୍ତ୍ର ଏବଂ କ୍ଷେପଣାସ୍ତ ଗୁଡ଼ିକର ଆକଳନ କରାଯାଇ ଦେଶର ଶକ୍ତି ମପାଯାଉଛି। ଅନ୍ୟପଟେ ଇରାନ ନିକଟରେ ଏଭଳି ଅତି ସୁନ୍ଦରୀ ମହିଳା ଅଛନ୍ତି, ଯେଉଁମାନେ କି କୌଣସି ଦେଶର ପ୍ରଶିକ୍ଷିତ ସେନା ଠାରୁ କିଛି କମ୍‌ ନୁହନ୍ତି। ଏହି ସୁନ୍ଦରୀ ତରୁଣୀମାନଙ୍କୁ ନିଞ୍‌ଜା ୱାରିଅର ଭାବେ ଗଢ଼ାଯାଇଛି। ଯେଉଁମାନେ ଯେ କୌଣସି ଦୁର୍ଦ୍ଧର୍ଷ ପୁରୁଷଙ୍କ ସହିତ ମୁହାଁମୁହିଁ ଲଢ଼େଇରେ ପାରଙ୍ଗମ।

ଇରାନରେ ନିଞ୍ଜା ୱାରିଅରଙ୍କୁ ପ୍ରସ୍ତୁତ କରାଯିବା ପାଇଁ ଟ୍ରେନିଂ କ୍ୟାମ୍ପ ପରିଚାଳନା କରାଯାଇଥାଏ। ଏହି ତାଲିମ ଶିବିରକୁ ଆକବର ଫରାଜୀ ସଂଚାଳିତ କରିଥାଏ। ଏହି କ୍ୟାମ୍ପରେ ଅନ୍ତେବାସୀମାନେ କଠିନ ଅଭ୍ୟାସ କରିବା ସହିତ ମାର୍ଶଲ ଆର୍ଟ୍‌ସର ସ୍ବତନ୍ତ୍ର ପ୍ରଶିକ୍ଷଣ ଗ୍ରହଣ କରିଥାନ୍ତି। ଏମାନଙ୍କର ତାଲିମ ଦେଶର ରାଜଧାନୀ ତେହେରାନ ଠାରୁ ପ୍ରାୟ ୪୦ କିମି ଦୂର ରେଗିସ୍ତାନରେ ହୋଇଥାଏ। ୧୯୮୯ ମସିହା ଠାରୁ ଏହି ଅଞ୍ଚଳରେ ଏଭଳି ତାଳିମ ଶିବିର ପରିଚାଳିତ ହୋଇଆସୁଛି। ବର୍ଷରେ ୪ ହଜାର ମହିଳା ନିଞ୍ଜା ରେଞ୍ଜର୍ସ ତାଲିମ ନେଇ ଏଠାରୁ ଫେରନ୍ତି। ମାର୍ଶଲ ଆର୍ଟ୍‌ସ ଟ୍ରେନର ଆକବର ଫରାଜୀ ପ୍ରାୟ ୩୦ ବର୍ଷ ଧରି ଏହି କାମରେ ନିୟୋଜିତ। ମହିଳାମାନେ ପୁରୁଷଙ୍କ ଠାରୁ ସମ୍ମୁଖ ଯୁଦ୍ଧରେ କିଛି କମ୍‌ ନୁହନ୍ତି ବୋଲି ଫରାଜୀ ଏକ ସାକ୍ଷାତକାରରେ କହିଛନ୍ତି।

ଇରାନୀ ମହିଳାମାନେ ଯେଉଁ ନିନଜୁତ୍‌ସୁ ମାର୍ଶଲ ଆର୍ଟ୍‌ସର ତାଲିମ ନେଉଛନ୍ତି, ତାହା ବିଶ୍ବର ସବୁଠୁ ଭୟଙ୍କର ମାର୍ଶଲ ଆର୍ଟ୍‌ସ ଭାବେ ଖ୍ୟାତ। ଜାପାନରେ ୧୧୮୫ରୁ ୧୮୬୮ରେ ଯୁଦ୍ଧ ପରିସ୍ଥିତିରେ ସ୍ଥାନୀୟ ଲୋକେ ଏହାକୁ ବିଶେଷ ଭାବେ ବ୍ୟବହାର କରିଆସିଛନ୍ତି। ଆକବର ଫରାଜୀ ଏହି ଷ୍ଟାଇଲର ନିଞ୍ଜା ମାର୍ଶଲ ଆର୍ଟ୍‌ସକୁ ଜାପାନରୁ ଇରାନକୁ ନେଇଆସିଛନ୍ତି ଏବଂ ଇରାନୀ ମହିଳାମାନଙ୍କ ନିକଟରେ ପହଞ୍ଚାଇଛନ୍ତି। ନିଞ୍ଜା ୱାରିଅର ହେବା ପାଇଁ କଠିନ ମେହନତ କରୁଥିବା ଏହି ମହିଳାମାନଙ୍କ କହିବା କଥା ହେଉଛି, ମାର୍ଶଲ ଆର୍ଟ୍‌ସ ଟ୍ରେନିଂ ନେବା ଫଳରେ ସେମାନଙ୍କ ଭିତରେ ଅନୁଶାସନ ଏବଂ ଆତ୍ମବିଶ୍ବାସ ସୃଷ୍ଟି ହେଉଛି। ତାଲିମ ଜରିଆରେ ଆତ୍ମରକ୍ଷାର ସୁଦକ୍ଷ କୌଶଳ ଗୁଡ଼ିକ ସହିତ ଶତ୍ରୁକୁ ବିନା ଅସ୍ତ୍ରରେ କିଭଳି ଶୁଆଇ ଦିଆଯାଇପାରେ, ତାହା ଏଠାରୁ ଶିଖିବାକୁ ମିଳୁଛି। ଶାନ୍ତ, ଅନୁଶାସିତ ଏବଂ ସୁଦୃଢ଼ କରାଇବାରେ ଏହା ସହାୟତା କରୁଛି। ଇରାନ ଏଭଳି ବିଭିନ୍ନ ଶିବିର ସଂଚାଳନା କରାଇବାରେ ଆର୍ଥିକ ପ୍ରୋତ୍ସାହନ ଦେବା ସହିତ ନିଜର ଅସ୍ତ୍ରଶସ୍ତ୍ର ଓ ଯୁଦ୍ଧ କୌଶଳକୁ ମଧ୍ୟ ବିକଶିତ କରାଇବାରେ ଲାଗିଛି। ନିଜ ଦମ୍‌ରେ ଇରାନ ଏକ ଯୁଦ୍ଧ ବିମାନ ତିଆରି କରିଛି। ବିଶ୍ବର ସବୁଠୁ ଶକ୍ତିଶାଳୀ ଦେଶ ସହିତ ମୁକାବିଲା କରିବାକୁ ଇରାନ ଏବେ ସକ୍ଷମ ବୋଲି କହିଛି। ଏହି ସ୍ବଦେଶୀ ଯୁଦ୍ଧ ବିମାନର ନାମ କୋସାର ରଖାଯାଇଛି। ନିକଟରେ ଇରାନ ତା’ର ନ୍ୟାସନାଲ ଡିଫେନ୍ସ ଇଣ୍ଡଷ୍ଟ୍ରି ଡେ’କୁ ଐତିହାସିକ କରାଇବା ପାଇଁ ନିଜର ପ୍ରଥମ ଘରୋଇ ଯୁଦ୍ଧବିମାନକୁ ସାମ୍ନାକୁ ଆଣିଛି। ପ୍ରତିରକ୍ଷା ମନ୍ତ୍ରୀ ଅମିର ହାତମୀ କହିଛନ୍ତି, ଆମେରିକା ଏବଂ ଇସ୍ରାଏଲ ଆଡ଼ୁ ଆସୁଥିବା ବିପଦର ମୁକାବିଲା କରିବା ପାଇଁ କ୍ଷେପଣାସ୍ତ୍ର ତିଆରି ଅଭିଯାନ ବ୍ୟାପକ ହେବ।

୨୦୧୭ରେ ଇରାନର ନିଞ୍ଜା ୱାରିଅରଙ୍କ ଫଟୋ ସୋସାଲ ମିଡିଆରେ ସାରା ବିଶ୍ବରେ ଭାଇରାଲ ହୋଇଥିଲା। ୧୯୮୯ରେ ରେଗିସ୍ତାନର ଦୁବାହିନ କାସଲରେ ବର୍ଷକୁ ୪ ହଜାର ମହିଳାଙ୍କୁ ଯୋଦ୍ଧା ବନାଇବାର ଏପରି ନିଆରା ତାଲିମ ଶିବିର ସଂଚାଳିତ ହେଉଥିବା ଜଣାପଡ଼ିବା ପରେ ସୁନ୍ଦରୀ ତରୁଣୀ ମାନଙ୍କ ପାଇଁ ବିଶ୍ବର ଦୃଷ୍ଟି ଆକର୍ଷଣ କରିଥିବା ଇରାନର ମହିଳାମାନେ ଲଢ଼େଇରେ ବି ପଛରେ ନାହାନ୍ତି ବୋଲି ଆଲୋଚନା ପରିସରକୁ ଆସିଛି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ