ଏଠି ମହିଳା ସବୁଠାରୁ ଅଧିକ ସୁରକ୍ଷିତ, ୨୦୧୮ରେ ଶୂନ ଦୁଷ୍କର୍ମ


ଗତବର୍ଷ ହାଇଦ୍ରାବାଦର ଭେଟେରିନାରୀ ଡାକ୍ତରଙ୍କ ଗଣଦୁଷ୍କର୍ମ ଓ ହତ୍ୟା ଘଟଣା ସମଗ୍ର ଦେଶର ବୁଦ୍ଧିଜୀବୀଙ୍କୁ ଲଜ୍ଜିତ କରିଥିବା ବେଳେ ୨୦୧୨ର ନିର୍ଭୟା କାଣ୍ଡ ଦେଶରେ ମହିଳାମାନେ ଯେ କେତେ ମାତ୍ରାରେ ଅସୁରକ୍ଷିତ, ତାହା ପ୍ରମାଣିତ କରିଦେଇଛି। ରାଜଧାନୀ ଦିଲ୍ଲୀରେ ଜଣେ ପାରା ମେଡିକାଲ୍‌ ଛାତ୍ରୀ ରାତି ୯ଟା ବେଳେ ନିଜ ଘରକୁ ଫେରୁଥିବା ବେଳେ ତାଙ୍କୁ ଯେପରି ଭାବେ ପାଶବିକ ଅତ୍ୟାଚାର କରାଗଲା, ସେପରି ଘଟଣା ବୋଧହୁଏ ଭାରତ ଇତିହାସରେ ପୂର୍ବରୁ କେବେ ଘଟି ନ ଥିଲା। ଅଧିକନ୍ତୁ ଗତବର୍ଷ ରାତିରେ ପୁଣିଜଣେ ଯୁବତୀଙ୍କୁ ମାନସିକ ବିକାରଗ୍ରସ୍ତ ଯୁବକମାନେ ଗଣଦୁଷ୍କର୍ମ କରିବା ସହ କିରୋସିନି ଢାଳି ନିଆଁ ଲଗାଇ ଅତି ଅମାନବୀୟ ଭାବେ ହତ୍ୟା କରିଥିଲେ। ଏହି ଦୁଇଟି ଘଟଣା ଭାରତରେ ମହିଳାଙ୍କ ପ୍ରତି ହେଉଥିବା ଅତ୍ୟାଚାରର ଉଦାହରଣ ମାତ୍ର। ଛୋଟ ଛୋଟ ଘଟଣା କେଉଁଠି କେତେ ଯେ ଘଟୁଛି, ତାହା ଇୟତ୍ତା ନାହିଁ। ଏପରି ସ୍ଥିତିରେ ଦେଶରେ ଏପରି ଏକ ଅଞ୍ଚଳ ଅଛି, ଯେଉଁଠି ବର୍ଷେ ଭିତରେ ଗୋଟିଏ ବି ଦୁଷ୍କର୍ମ ହୋଇନି, ତାହା କହିଲେ ବୋଧହୁଏ କେହି ବିଶ୍ବାସ କରିବେ ନାହିଁ। କିନ୍ତୁ ଏହା ନିରାଟ ସତ।

ଆମେ ଏଠାରେ ଯେଉଁ ଅଞ୍ଚଳ ବିଷୟରେ କହୁଛୁ ତାହା ହେଉଛି ପୁଡୁଚେରୀ। ଏହି କେନ୍ଦ୍ରଶାସିତ ଅଞ୍ଚଳରେ ଗତ ୨୦୧୮ ବର୍ଷରେ ଗୋଟିଏ ବି ଦୁଷ୍କର୍ମ ଘଟଣା ଘଟିନାହିଁ। ନିକଟରେ ନ୍ୟାସନାଲ୍‌ କ୍ରାଇମ୍‌ ରେକର୍ଡ ବ୍ୟୁରୋ (ଏନ୍‌ସିଆର୍‌ବି) ପକ୍ଷରୁ ଜାରି ‘କ୍ରାଇମ୍‌ ଇନ୍‌ ଇଣ୍ଡିଆ-୨୦୧୮’ରୁ ଏହି ତଥ୍ୟ ମିଳିଛି। ସମଗ୍ର ଦେଶରେ ୨୦୧୮ରେ ମହିଳାଙ୍କ ବିରୋଧରେ ୩ ଲକ୍ଷ ୭୮ ହଜାର ୨୭୭ଟି ଅପରାଧିକ ମାମଲା ଦରଜ ହୋଇଥିବା ବେଳେ ୨୦୧୭ ତୁଳନାରେ ଏହା ୧୮ ହଜାର ୪୨୮ ଅଧିକ। ସେଥି ମଧ୍ୟରୁ ୯ ପ୍ରତିଶତ ଅପରାଧିକ ଘଟଣା ହେଉଛି ଦୁଷ୍କର୍ମ। ବିକୃତ ମାନସିକତାସମ୍ପନ୍ନ ବ୍ୟକ୍ତିମାନେ ମହିଳାଙ୍କୁ ଶାରୀରିକ ଓ ମାନସିକ ଭାବେ ନିର୍ଯାତନା ଦେବା ସହ ନିଜର କାମ ଲାଳସାକୁ ମେଣ୍ଟାଇବା ସକାଶେ ଦୁଷ୍କର୍ମ କରୁଥିବା ବେଳେ ଦେଶର ଅନ୍ୟାନ୍ୟ ଅଞ୍ଚଳ ଅପେକ୍ଷା ପୁଡୁଚେରୀ ଯେ ମହିଳାଙ୍କ ପାଇଁ ସବୁଠାରୁ ସୁରକ୍ଷିତ, ଏହାକୁ କେହି ବି ଅସ୍ବୀକାର କରିପାରିବେ ନାହିଁ।

କାରଣ ୨୦୧୮ରେ ଏଠାରେ ଆଦୌ ଦୁଷ୍କର୍ମ ମାମଲା ଘଟି ନ ଥିବା ବେଳେ ୨୦୧୭ରେ ମଧ୍ୟ ସ୍ଥିତି ଅନ୍ୟାନ୍ୟ ରାଜ୍ୟ ତୁଳନାରେ ବେଶ୍‌ ଉନ୍ନତ ରହିଥିଲା। କାରଣ ଉକ୍ତ ବର୍ଷ ଏଠାରେ ମାତ୍ର ୭ଟି ଦୁଷ୍କର୍ମ ମାମଲା ଦରଜ ହୋଇଥିଲା। ସେହିପରି ଆଉ ଏକ କେନ୍ଦ୍ରଶାସିତ ଅଞ୍ଚଳ ଲାକ୍ଷାଦ୍ବୀପରେ ଗତ ୨୦୧୭ରେ ଆଦୌ ଦୁଷ୍କର୍ମ ଘଟଣା ଘଟି ନ ଥିବା ବେଳେ ୨୦୧୮ରେ ଏଠାରେ ମାତ୍ର ୨ଟି ଦୁଷ୍କର୍ମ ଘଟିଥିବା ଏନ୍‌ସିଆର୍‌ବି ତଥ୍ୟରୁ ଜଣାପଡ଼ିଛି। କେନ୍ଦ୍ରଶାସିତ ଅଞ୍ଚଳମାନଙ୍କ ବିଷୟରେ ଆଲୋଚନା କଲେ, ଅନ୍ୟାନ୍ୟ ଅଞ୍ଚଳ ଅପେକ୍ଷା ଏସବୁରେ ମହିଳାମାନେ ଅପେକ୍ଷାକୃତ ସୁରକ୍ଷିତ। ୨୦୧୮ରେ ଡାମନ ଡିଉରେ ୩ଟି, ଦାଦ୍ରା ଓ ନଗର ହାବେଳିରେ ୭ଟି ଓ ନାଗାଲାଣ୍ଡ୍‌ରେ ୧୧ଟି ଦୁଷ୍କର୍ମ ମାମଲା ରୁଜୁ ହୋଇଥିବା ଜଣାପଡ଼ିଛି।

ଏନ୍‌ସିଆର୍‌ବିର ତଥ୍ୟ ଅନୁସାରେ, ମଧ୍ୟ ପ୍ରଦେଶ, ରାଜସ୍ଥାନ, ଉତ୍ତର ପ୍ରଦେଶ ପରି ରାଜ୍ୟରେ ମହିଳାଙ୍କ ସ୍ଥିତି ଅତି ଗମ୍ଭୀର ବୋଲି କହିବା ବେଶ୍‌ ସହଜ। ବିଶେଷକରି ମଧ୍ୟ ପ୍ରଦେଶରେ ନାରୀମାନେ ସବୁଠାରୁ ଅଧିକ ଅସୁରକ୍ଷିତ। କାରଣ ଏଠାରେ ମହିଳାଙ୍କ ପ୍ରତି ସବୁଠାରୁ ଅଧିକ ପାଶବିକ ଅତ୍ୟାଚାର କରାଯାଇଛି। ୨୦୧୮ରେ ଏହି ରାଜ୍ୟରେ ୫୪୫୦ ଜଣ ମହିଳାଙ୍କ ପ୍ରତି ଦୁଷ୍କର୍ମ କରାଯାଇଥିବା ବେଳେ ଏଥି ମଧ୍ୟରେ ସର୍ବାଧିକ ଅର୍ଥାତ୍‌ ୨୮୪୧ ଜଣ ନାବାଳିକା ରହିଥିବା ଜଣାପଡ଼ିଛି। ଏହି ସୂଚୀର ଦ୍ବିତୀୟ ସ୍ଥାନରେ ରାଜସ୍ଥାନ ରହିଛି, ଯେଉଁଠାରେ ୪୩୩୭ଟି ଦୁଷ୍କର୍ମ ଘଟଣା ଘଟିଛି। ତୃତୀୟ ସ୍ଥାନରେ ଥିବା ଉତ୍ତର ପ୍ରଦେଶରେ ୪୩୨୨ଟି, ମହାରାଷ୍ଟ୍ରରେ ୨୧୪୯ଟି ଓ ଛତିଶଗଡ଼ରେ ୨୧୦୧ଟି ଦୁଷ୍କର୍ମ ମାମଲା ରୁଜୁ ହୋଇଥିବା ଏନ୍‌ସିଆର୍‌ବି ତଥ୍ୟରୁ ସ୍ପଷ୍ଟ ହୋଇଛି। ୨୦୧୮ରେ ରୁଜୁ ହୋଇଥିବା ସମୁଦାୟ ଦୁଷ୍କର୍ମ ଘଟଣା ମଧ୍ୟରେ ୨୭.୮ ପ୍ରତିଶତ ପୀଡ଼ିତ ହେଉଛନ୍ତି ନାବାଳିକା। ଅର୍ଥାତ୍‌ ଆଲୋଚ୍ୟ ବଷୟରେ ୯୪୩୩ ଜଣ ନାବାଳିକାଙ୍କ ପ୍ରତି ପାଶବିକ ଅତ୍ୟାଚାର କରାଯାଇଛି।

ସେହିପରି କୋମଳମତି ଶିଶୁମାନଙ୍କ ପ୍ରତି ଅତ୍ୟାଚାର କ୍ଷେତ୍ରରେ ଉତ୍ତର ପ୍ରଦେଶ ସବୁଠାରୁ ଆଗରେ ରହିଛି। ଏହି ରାଜ୍ୟରେ ୬ ବର୍ଷରୁ କମ୍‌ ଶିଶୁଙ୍କ ପ୍ରତି ସବୁଠାରୁ ଅଧିକ ଦୁଷ୍କର୍ମ ମାମଲା ଦରଜ ହୋଇଛି। ୟୁପିରେ ଏହି ସଂଖ୍ୟା ୬୭ ଥିବା ବେଳେ ୨୯ଟି ରାଜ୍ୟ ମଧ୍ୟରୁ ୧୪ଟି ରାଜ୍ୟରେ ଏହି ବୟସ ବର୍ଗର ଶିଶୁମାନଙ୍କ ପ୍ରତି ଅତ୍ୟାଚାର କରାଯାଇଛି। ମଧ୍ୟ ପ୍ରଦେଶରେ ଦ୍ବିତୀୟ ସର୍ବାଧିକ ୫୪ଟି ସମାନ ଦୁଷ୍କର୍ମ ଘଟଣା ଘଟିଥିବା ବେଳେ କେରଳରେ ୪୮ଟି, ଛତିଶଗଡ଼ରେ ୪୧ଟି ଓ ରାଜସ୍ଥାନରେ ୧୭ଟି ଦୁଷ୍କର୍ମ ଘଟଣାରେ ପୀଡ଼ିତାଙ୍କ ବୟସ ୬ ବର୍ଷରୁ କମ୍‌ ରହିଥିବା ସ୍ପଷ୍ଟ ହୋଇଛି। ତେବେ ଆଶ୍ବସ୍ତିର ବିଷୟ ଯେ ମହାରାଷ୍ଟ୍ର, ତେଲେଙ୍ଗାନା ଓ ତ୍ରିପୁରା ପରି ରାଜ୍ୟରେ କୌଣସି ଶିଶୁଙ୍କ ପ୍ରତି ଦୁଷ୍କର୍ମ ହୋଇ ନ ଥିବା ଜଣାପଡ଼ିଛି। ସେହିପରି ୧୮ରୁ ୩୦ ବର୍ଷର ମହିଳାମାନଙ୍କୁ ଦୁଷ୍କର୍ମକାରୀମାନେ ଅଧିକ ଟାର୍ଗେଟ୍‌ କରୁଥିବା ବେଳେ ୫୧.୯ ପ୍ରତିଶତ ପୀଡ଼ିତା ଏହି ବର୍ଗର ବୋଲି ଏନ୍‌ସିଆର୍‌ବି ତଥ୍ୟରୁ ସ୍ପଷ୍ଟ ହୋଇଛି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ