ଆଜି ପବିତ୍ର ମକର ସଂକ୍ରାନ୍ତି: ନୂଆ ଫସଲର ଖୁସି ଓ ଗୁଡ଼ିଉଡ଼ା ପର୍ବରେ ଦେଶ ଉତ୍ସବମୁଖର


କେନ୍ଦୁଝର ଜିଲ୍ଲାର ବୈତରଣୀ ନଦୀ ନିକଟରେ ଥିବା କେଶରୀ କୁଣ୍ଡରେ ମକର ବୁଡ଼ ପକାଉଛନ୍ତି ସହସ୍ରାଧିକ ଶ୍ରଦ୍ଧାଳୁ
ଭୁବନେଶ୍ବର: ଭାରତୀୟ ସଂସ୍କୃତିରେ ପ୍ରତ୍ୟେକ ପର୍ବର ବିଶେଷ ମହତ୍ତ୍ୱ ଓ ଗରିମା ରହିଆସିଛି। ବିଭିନ୍ନତା ମଧ୍ୟରେ ଏକତାର ସର୍ବଶ୍ରେଷ୍ଠ ଉଦାହରଣ ପ୍ରସ୍ତୁତ କରୁଥିବା ଭାରତ ଧର୍ମୀୟ ଭାବନାକୁ ସବୁବେଳେ ପ୍ରାଧାନ୍ୟତା ଦେଇଆସିଛି। ଏଠି ବାରମାସରେ ତେର ପର୍ବ- ଉକ୍ତିକୁ ଯଥାର୍ଥରେ ପ୍ରମାଣିତ କରି ଆସିଛି ମକର ସଂକ୍ରାନ୍ତି। ଆଜି ହେଉଛି ପବିତ୍ର ମକର ସଂକ୍ରାନ୍ତି। ଆଜିଠାରୁ ଆରମ୍ଭ ହୋଇଛି ସୂର୍ଯ୍ୟଙ୍କର ଉତ୍ତରାୟଣ ଗତି। ଶ୍ରଦ୍ଧାଳୁମାନେ ବୁଡ଼ ପକାଇ ସୂର୍ଯ୍ୟ ଦେବତାଙ୍କୁ ଅର୍ଘ୍ୟ ଦାନ କରିଛନ୍ତି। ଏହି ପର୍ବକୁ ସମସ୍ତେ ବେଶ୍‌ ଉତ୍ସାହର ସହିତ ପାଳନ କରନ୍ତି। ମକର ସଂକ୍ରାନ୍ତି ଦିନ ସୂର୍ଯ୍ୟ ମକର ରାଶିରେ ପ୍ରବେଶ କରିଥାନ୍ତି। ସୌର ଗଣନା ଅନୁସାରେ ମକର ସଂକ୍ରାନ୍ତିକୁ ମକର ମାସର ପ୍ରଥମ ଦିନ ହିସାବରେ ଗ୍ରହଣ କରାଯାଏ। ସଂକ୍ରାନ୍ତି ହେଉଛି ସୂର୍ଯ୍ୟଙ୍କର ଗୋଟିଏ ରାଶିରୁ ଅନ୍ୟ ରାଶିକୁ ଚଳନ କରିବାର ଦିନ। ମକର ସଂକ୍ରାନ୍ତି ଦିନ ସୂର୍ଯ୍ୟ ଧନୁ ରାଶିରୁ ମକର ରାଶିକୁ କ୍ରମଶଃ ଗମନ କରନ୍ତି। ଏହି ଦିନଠାରୁ ସୂର୍ଯଙ୍କର ଉତ୍ତରାୟଣ ଗତି ଆରମ୍ଭ ହୋଇଥାଏ।  ତେଣୁ ମକର ସଂକ୍ରାନ୍ତିରେ ଅନ୍ନବସ୍ତ୍ର ଓ ତିଳ ଦାନ ଦ୍ୱାରା ବିଶେଷ ପୁଣ୍ୟଫଳ ପ୍ରାପ୍ତ ହୋଇଥାଏ ବୋଲି ବିଶ୍ୱାସ ରହିଛି। ଭାରତର ବିଭିନ୍ନ ସ୍ଥାନରେ ମକର ସଂକ୍ରାନ୍ତିର ଭିନ୍ନ ଭିନ୍ନ ନାମ ରହିଛି। ସ୍ଥାନ ଅନୁଯାୟୀ ଏହି ପର୍ବ ପାଳନ କ୍ଷେତ୍ରରେ ବିଭିନ୍ନ ରୀତିନୀତି ମଧ୍ୟ ପରିଲକ୍ଷିତ ହୋଇଥାଏ। ମକରରେ ଜଳାଶ୍ରୟରେ ଭୋର୍‌ରୁ ବୁଡ଼ ପକାଇ ଦେବଦର୍ଶନ କଲେ ଅପାର ପୂଣ୍ୟ ମିଳେ ବୋଲି ବିଶ୍ବାସ ରହିଛି। ସେଥିପାଇଁ ମକରରେ ଲୋକମାନେ ନଦୀ, ସମୁଦ୍ରରେ ବୁଡ଼ ପକାଇଥାନ୍ତି।

କ’ଣ ହୁଏ ଭୋଗ
ମକର ସଂକ୍ରାନ୍ତି ବେଳକୁ ଓଡ଼ିଶାରେ ଧାନ, ଆଖୁ ଆଦି ନୂଆ ଫସଲ ଅମଳ ହୋଇଥାଏ। ତେଣୁ ସେଦିନ ନୂଆ ଧାନରୁ ପ୍ରସ୍ତୁତ ଅପକ୍ୱ ଅରୁଆ ଚାଉଳ, ନୂଆଗୁଡ଼, ଛେନା, ନଡ଼ିଆ, ପାଚିଲା କଦଳୀ, ଘିଅ, କ୍ଷୀର ଇତ୍ୟାଦି ଗୋଳାଇ ଗୋଟିଏ ସୁମିଷ୍ଟ ଭୋଗ ପ୍ରସ୍ତୁତ କରି ଗୃହଦେବତାଙ୍କୁ ଓ ଧାନଖଳାରେ ଭୋଗ ଲଗାଯାଏ। ଏହି ଭୋଗ ‘ମକର ଚାଉଳ’ ଭାବେ ପରିଚିତ। ଏହାକୁ ମକର ସଂକ୍ରାନ୍ତିରେ ବାଣ୍ଟିବା ଦ୍ୱାରା ସ୍ନେହ ବଢ଼ିଥାଏ ବୋଲି ବିଶ୍ୱାସ ରହିଛି। ଏହା ବ୍ୟତୀତ ଗାଁ ଗହଳିରେ ମକର ଚାଉଳ ପରସ୍ପରକୁ ଦେଇ ‘ମକର’ ବସିବା ଭଳି ଏକ ନିଆରା ପରମ୍ପରା କାହିଁ କେଉଁ କାଳରୁ ଚାଲିଆସିଛି। କେତେକ ଅଞ୍ଚଳରେ ନୂଆଧାନର ଚାଉଳରେ ପ୍ରସ୍ତୁତ ପୋଡ଼ପିଠା ସହିତ ଗୁଡ଼, କଦଳୀ,  ନଡ଼ିଆ ଓ ଅରୁଆଚାଉଳରେ ଭୋଗ କରାଯାଇ ଦେବାଦେବୀଙ୍କ ପାଖରେ ଦିଆଯାଏ। ସୂର୍ଯ୍ୟଙ୍କ ଯୋଗୁ କ୍ଷେତରେ ଶସ୍ୟ ଉତ୍ପନ୍ନ ହେଉଥିବାରୁ କୃଷକମାନେ ମକର ସଂକ୍ରାନ୍ତିର ପୂଣ୍ୟକାଳରେ ସୂର୍ଯ୍ୟଙ୍କୁ ନୂତନ ଶସ୍ୟ ଅର୍ପଣ କରି ପୂଜାର୍ଚ୍ଚନା କରିଥାନ୍ତି।

ଗୁଡ଼ି ଉଡ଼ା ପର୍ବ
ମକର ଚାଉଳ ସହିତ ଆଉ ଏକ ବିଶେଷ ପରମ୍ପରା ମକର ସଂକ୍ରାନ୍ତି ସହିତ ଜଡ଼ିତ। ତାହା ହେଉଛି ‘ଗୁଡ଼ି ଉଡ଼ା ପର୍ବ’। ମକର ସଂକାନ୍ତି ଦିନ ଗୁଡ଼ି ଉଡ଼ାଇବାର ବିଶେଷ ପ୍ରଥା ରହିଛି। ଏହି ଗୁଡ଼ି ଉଡ଼ା ପରମ୍ପରା ସହିତ ଅନେକ ସାମାଜିକ, ଐତିହାସିକ ଓ ପୌରାଣିକ କାହାଣୀ ଜଡ଼ିତ। ତେଣୁ ମକର ସଂକ୍ରାନ୍ତିରେ ଗୁଡ଼ି ଉଡ଼ାଇବାର ବିଶେଷ ମହତ୍ତ୍ୱ ରହିଛି। ଏହି ଦିନର ଆରମ୍ଭରୁ ଆକଶରେ ଦୋଳି ଖେଳିଥାଏ ବିଭିନ୍ନ ରଙ୍ଗବେରଙ୍ଗର ଗୁଡ଼ି। ଖେଳ ପଡ଼ିଆ, ଘରର ଛାତ ଉପରୁ ରଙ୍ଗ ବେରଙ୍ଗର ଗୁଡ଼ି ସାରା ଆକାଶରେ ଛାଇଯାଏ। ସକାଳରୁ ନେଇ ସନ୍ଧ୍ୟା ସମସ୍ତେ ପଦାକୁ ବାହାରି ଆସନ୍ତି ଗୁଡ଼ିଟିଏ ଧରି। ଗୁଡ଼ି ଉଡ଼ାଇବା ବେଳେ କେହି କେହି ସ୍ବର୍ଗତ ଅକ୍ଷୟ ମହାନ୍ତିଙ୍କ ସେହି ଅବିସ୍ମରଣୀୟ ଗୀତ, ଉଡ଼ି ଉଡ଼ି ଉଡ଼ି ଉଡ଼ି... ଯାରେ ଉଡି... ଏ ମୋର ଗୁଡ଼ି... ଖାଆନା ଖାଆନା ତୁ କାନି... ଏ ମୋର ଲଚ୍‌କ ମଣି କୁ ଗାଇଥାନ୍ତି।

କ’ଣ ରହିଛି ବିଶ୍ବାସ
ପ୍ରତି ସଂକ୍ରାନ୍ତିରେ ସୂର୍ଯ୍ୟ ଗୋଟିଏ ଲେଖାଏଁ ରାଶିକୁ ଗମନ କରି ସେଥିରେ ଏକ ମାସ ଅବସ୍ଥାନ କରନ୍ତି। ମକର ସଂକ୍ରାନ୍ତି ଦିନ ସୂର୍ଯ୍ୟ ଉତ୍ତରାୟଣ ହୋଇ ମକର ରାଶିକୁ ଆସନ୍ତି। ଏହି ଦିନ ସୂର୍ଯ୍ୟ ଉତ୍ତରଦିଗକୁ ଯାତ୍ରା କରି ଛଅ ମାସ ଅବସ୍ଥାନ କରୁଥିବାରୁ ବିବାହ, ବ୍ରତ, ଯଜ୍ଞାନୁଷ୍ଠାନ, ଗୃହ, ଦେବାଳୟ ପ୍ରତିଷ୍ଠା ଆଦି ସମସ୍ତ ଶୁଭକର୍ମ ଅନୁଷ୍ଠିତ ହୁଏ। ଏହି ସମୟରେ ଅଭିଷ୍ଟ ସିଦ୍ଧି ପାଇଁ ସୂଯ୍ୟ ଉପାସନା କରାଯାଏ। ଓଡ଼ିଆ ପ୍ରବାଦ ଅନୁଯାୟୀ ‘ମକରଠାରୁ ଦିନ ବକର ହୁଏ’, ଅର୍ଥାତ ଏହି ଦିନଠାରୁ ଦିନ କ୍ରମଶଃ ବଡ଼ ହୁଏ। ସୂର୍ଯ୍ୟଙ୍କର ତେଜ ମଧ୍ୟ ଏହି ଦିନଠାରୁ ପ୍ରଖର ହୁଏ। ଦେବୀ ସଂକ୍ରାନ୍ତି ଏହି ତିଥିରେ ଶଙ୍କରାସୁରକୁ ବଧ କରିଥିଲେ। ସୂର୍ଯ୍ୟଙ୍କର ଉତ୍ତରାୟଣ ଗତି ସମୟରେ ଯେଉଁମାନଙ୍କର ପରଲୋକ ହୁଏ, ସେମାନଙ୍କୁ ସ୍ୱର୍ଗଲୋକ ପ୍ରାପ୍ତ ହୁଏ ବୋଲି ହିନ୍ଦୁମାନେ ବିଶ୍ୱାସ କରନ୍ତି। ମକର ସଂକ୍ରାନ୍ତି ଠାରୁ ସୂର୍ଯ୍ୟଙ୍କର ଉତ୍ତରାୟଣ ଗତି ହେଉଥିବାରୁ ଆଲୋକ ଏବଂ ଜୀବନର ଉତ୍ସ ସୂର୍ଯ୍ୟଙ୍କୁ ହିନ୍ଦୁମାନେ ଏହିଦିନ ପୂଜାର୍ଚ୍ଚନା କରନ୍ତି। ଆଉ କେତେକ ସ୍ଥାନରେ ଏହି ଦିନ ଶିବଙ୍କୁ ପୂଜା କରାଯାଏ। ଏହି ମକର ସଂକ୍ରାନ୍ତିର ପୂଣ୍ୟକାଳରେ ପ୍ରତ୍ୟୁଷରୁ ନଦୀ, ପୋଖରୀରେ ସ୍ନାନାଦି କାର୍ଯ୍ୟ ସମାପନ କରି ସୂର୍ଯ୍ୟଙ୍କୁ ଦର୍ଶନ କଲେ, ସକଳ ପାପରୁ ମୁକ୍ତି ମିଳେ ବୋଲି ବିଶ୍ୱାସ। ତେଣୁ କେଉଁ ଆବହମାନ କାଳରୁ ସରୋବର, ନଦୀ ତଟ, ମହୋଦଧି ତୀର ପ୍ରଭୃତି ପବିତ୍ର ସ୍ଥାନମାନଙ୍କରେ ମକର ମେଳା, ସାଧୁସଙ୍ଗ ଓ ମହୋତ୍ସବର ପରମ୍ପରା ଚାଲିଆସିଛି। ଏହି ଦିନ ପ୍ରସିଦ୍ଧ ଗଙ୍ଗାସାଗରଠାରେ ଏକ ବିରାଟ ମେଳା ହୁଏ। ପୁଣ୍ୟଲାଭ ଆଶାରେ ଏହି ଦିନ ଅନେକ ଧାର୍ମିକ ଲୋକ ଗଙ୍ଗାସାଗରରେ ବୁଡ଼ ପକାଇଥାନ୍ତି। ମକର ସଂକ୍ରାନ୍ତି ଦିନ ଅନେକ ସ୍ଥାନରେ ଗୁଡ଼ି ଉଡ଼ା ପ୍ରତିଯୋଗିତା ଆୟୋଜନ କରାଯାଇଥାଏ। ବିଶ୍ୱାସ କରାଯାଏ, ଏହି କାଳ ମଧ୍ୟରେ ମୃତ୍ୟୁବରଣ କରୁଥିବା ମନୁଷ୍ୟ ବିଷ୍ଣୁ ଲୋକରେ ସ୍ଥାନ ପାଇଥାନ୍ତି। ଏହି ପବିତ୍ର ଦିନରେ ଶ୍ରୀମନ୍ଦିରରେ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କର ଦ୍ୱାଦଶ ଯାତ୍ରା ମଧ୍ୟରେ ଅନ୍ୟତମ ‘ଉତ୍ତରାୟଣ ଯାତ୍ରା’ ବା ମକର ସଂକ୍ରାନ୍ତି ଉତ୍ସବ ମହାସମାରୋହରେ ପାଳିତ ହୋଇଥାଏ। ଏହି ଯାତ୍ରା ସମ୍ବନ୍ଧରେ ସ୍କନ୍ଦପୁରାଣରେ ଉଲ୍ଲେଖ ରହିଛି ଯେ, ମହା ପୁଣ୍ୟମୟ ମକର ସଂକ୍ରାନ୍ତି ଦିନ ଶ୍ରୀକ୍ଷେତ୍ରରେ ତୀର୍ଥରାଜ ମହୋଦଧିରେ ସ୍ନାନ କରି ଶ୍ରୀମନ୍ଦିରରେ କଳ୍ପବଟ ପ୍ରଦକ୍ଷିଣ ପୂର୍ବକ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଦର୍ଶନ କଲେ ଅଶେଷ ଫଳପ୍ରାପ୍ତି ହୋଇଥାଏ।

କେଉଁଠି କେମିତି ପାଳନ ହୁଏ ମକର ସଂକ୍ରାନ୍ତି
ତେବେ କେବଳ ଭାରତ ନୁହେଁ ପଡ଼ୋଶୀ ନେପାଳ, ବାଂଲାଦେଶ, ଭୁଟ୍ଟାନ ଆଦି ଦେଶମାନଙ୍କରେ ବି ମକର ସଂକ୍ରାନ୍ତି ଧୁମ୍‌ଧାମ୍‌ରେ ପାଳନ କରାଯାଏ। ଭାରତ ବାହାରେ ରୋମାନ ଓ ଇହୁଦୀମାନେ ମଧ୍ୟ ଏହିପର୍ବ ପାଳନ କରନ୍ତି । କୁହାଯାଏ ଏହି ଦିନରେ ଦାନ ଓ ପୂଣ୍ୟ ଅତ୍ୟନ୍ତ ପବିତ୍ର। ଓଡ଼ିଶା, ଛତିଶଗଡ଼, ବିହାର, ଝାଡ଼ଖଣ୍ଡ, ମଧ୍ୟ ପ୍ରଦେଶ ଭଳି ବିଭିନ୍ନ ସ୍ଥାନରେ ଏହି ପର୍ବ ମକର ସ୍ରଂକାନ୍ତି ଭାବେ ପରିଚିତ ଥିଲାବେଳେ ଓଡ଼ିଶାର ମୟୁରଭଞ୍ଜ ଓ କେନ୍ଦୁଝରରେ ଏହା ଟୁସୁ ପର୍ବ ଭାବେ ପାଳିତ ହୋଇଥାଏ। ପଞ୍ଜାବରେ ମକର ସଂକ୍ରାନ୍ତିକୁ ‘ଲୋହଡ଼ୀ’ ପର୍ବ ବୋଲି କୁହାଯାଏ। ନୂଆ ଫସଲ ଉତ୍ପାଦନ ପରେ ପଞ୍ଜାବୀମାନେ ଏହି ପର୍ବକୁ ପାଳନ କରିଥାନ୍ତି। ଉତ୍ତର ପ୍ରଦେଶରେ ଏହାକୁ ‘ଖିଚ୍‌ଡି’ ବୋଲି କୁହାଯାଏ। ଆହ୍ଲାବାଦରେ ଏହି ପର୍ବର ପ୍ରଥମ ଦିନରୁ ଏକ ମାସ ବ୍ୟାପୀ ମାଘମେଳା ହୁଏ। ଦକ୍ଷିଣ ଭାରତରେ ଏହା ପୋଙ୍ଗଲ୍ ନାମରେ ଖ୍ୟାତ। ଏହି ଦିନ ନୂଆ ଉତ୍ପାଦିତ ଚାଉଳ ଓ ବିଭିନ୍ନ ପ୍ରକାରର ଶସ୍ୟକୁ ଘିଅ ଓ କ୍ଷୀରରେ ରୋଷେଇ କରି ସୂର୍ଯ୍ୟ ଦେବତାଙ୍କୁ ଅର୍ପଣ କରାଯାଏ। ହରିୟାଣା ଓ ହିମାଚଳ ପ୍ରଦେଶରେ ଏହାର ନାମ ହେଉଛି ମାଘି। ପଶ୍ଚିମବଙ୍ଗରେ ଏହାକୁ ପୌଷ ସଂକ୍ରାନ୍ତି, କଶ୍ମୀରରେ ଏହାକୁ ଶିଶୁର୍ ସଂକ୍ରାନ୍ତି ଭାବେ ପାଳନ କରାଯାଏ। କର୍ଣ୍ଣାଟକରେ ମକର ସଂକ୍ରାନ୍ତି ‘ସୁଗି’ ପର୍ବ ଭାବେ ପରିଚିତ। ଏହି ଦିନ ଝିଅମାନେ ନୂଆ ପୋଷାକ ପରିଧାନ କରି ନିଜ ସମ୍ପର୍କୀୟଙ୍କ ଘରକୁ ଯାଇ ଏକ ପ୍ଲେଟ୍‌ ଦିଅନ୍ତି ଓ ସେଠାରୁ ମଧ୍ୟ ସମାନ ପ୍ଲେଟ୍‌ ଆଣିଥାନ୍ତି। ଆସାମରେ ଏହାକୁ ‘ମାଘ ବିହୁ’ ବୋଲି ମଧ୍ୟ କୁହାଯାଏ। ମକର ସଂକ୍ରାନ୍ତିକୁ ଗୁଜୁରାଟରେ ଉତ୍ତରାୟନ୍‌ ଭାବେ ପାଳନ କରାଯାଏ। ଏହି ଅବସରରେ ପରିବାରର ବଡ଼ମାନେ ସାନମାନଙ୍କୁ ଉପହାର ଦେଇଥାନ୍ତି।

ଆଦିବାସୀଙ୍କ ମକରପର୍ବ
ଓଡ଼ିଶାର ମୟୂରଭଞ୍ଜ ଓ କେନ୍ଦୁଝର ଜିଲ୍ଲାରେ ଆଦିବାସୀମାନଙ୍କର ମକରଯାତ୍ରା ଏକ ପ୍ରଧାନ ପର୍ବ। ଏହି ଅଞ୍ଚଳରେ ବସବାସ କରୁ ଥିବା କୁଡ଼ୁମୀ ସମ୍ପ୍ରଦାୟର ଲୋକେ ଏହି ପର୍ବକୁ ଟୁସୁ ପରବ ରୂପେ ପାଳନ କରିଥାନ୍ତି। ମକର ସଂକ୍ରାନ୍ତିର ପୂର୍ବରୁ ଓ ପରେ ସମସ୍ତଙ୍କ ଘରେ ଭିନ୍ନଭିନ୍ନ ପ୍ରକାର ବ୍ୟଞ୍ଜନ ବିଭିନ୍ନ ଦିନରେ ହୋଇଥାଏ। ଏହି ପର୍ବରେ ସମସ୍ତେ ନୂଆବସ୍ତ୍ର ପରିଧାନ କରନ୍ତି। ନାଚଗୀତ ଓ ଭୋଜିଭାତରେ ମାଧ୍ୟମରେ ଏହି ପର୍ବକୁ ମହା ଆନନ୍ଦରେ ଆଦିବାସୀମାନେ ପାଳନ କରିଥାନ୍ତି। ମକର ପର୍ବର ଟୁସୁଗୀତ ଅତ୍ୟନ୍ତ ହୃଦୟସ୍ପର୍ଶୀ। ଓଡ଼ିଶାର ସମତଳ ଅଞ୍ଚଳ ଅପେକ୍ଷା ମାଳ ଅଞ୍ଚଳରେ ମକର ଯାତ୍ରା ବଡ଼ ଜାକଜମକରେ ଦୀର୍ଘଦିନ ଧରି ପାଳନ କରାଯାଏ। ପ୍ରାୟ ପ୍ରତ୍ୟେକ ଆଦିବାସୀ ଗୋଷ୍ଠୀ ଏହି ପର୍ବ ପାଳନ କରନ୍ତି।

ଶ୍ରୀମନ୍ଦିରରେ ମକର ସଂକ୍ରାନ୍ତି
ମକର ସଂକ୍ରାନ୍ତି ଦିନ ଶ୍ରୀଜିଉମାନଙ୍କର ପଟା ପହରଣ (ପତଳା ସୂତାର ଜାଲିକନା) ଲାଗି କରାଯିବା ପରେ ତ୍ରିମୁଣ୍ଡିରେ ମକରଚୂଳ ଲାଗି ହୋଇଥାଏ। ଗୋପାଳବଲ୍ଲଭ ଓ ସକାଳ ଧୂପ ନୀତି ବଢ଼ିବା ପରେ ମଇଲମ, ମହାସ୍ନାନ, ସର୍ବାଙ୍ଗ ଲାଗି, ନୂଆଲୁଗା ଲାଗି, ମାଳଚୂଳ ଲାଗି ହେବା ପରେ ୬ ମୂର୍ତ୍ତି ଅଳଙ୍କାର ଲାଗି ହୋଇ ମକରବେଶ ବଢ଼ିଥାଏ। ମକର ଭୋଗ ପ୍ରସ୍ତୁତ କରାଯାଇ ଭୋଗ ସରିବା ପରେ ଶ୍ରୀଜିଉମାନଙ୍କୁ ବନ୍ଦାପନା କରାଯାଏ। ଏ ସମ୍ପର୍କରେ ସ୍କନ୍ଦପୁରାଣର ବିଷ୍ଣୁଖଣ୍ଡରେ ଉଲ୍ଲେଖ ରହିଛି ଯେ ମହର୍ଷି କଶ୍ୟପ ପୂର୍ବ କଳ୍ପ (ବ୍ରହ୍ମାଙ୍କର ଏକଦିନ ମନୁଷ୍ୟ ଗଣନାରେ ୪୩୨ କୋଟି ବର୍ଷ)ରେ ମହାପ୍ରଭୁ ଜଗନ୍ନାଥଙ୍କ ପ୍ରୀତି ନିମନ୍ତେ ଶ୍ରୀମନ୍ଦିରରେ ଏହି ମହୋତ୍ସବ ପାଳନ କରିଥିଲେ। ଏହି ନୀତି ସମ୍ପାଦନ ସମୟରେ ଘଣ୍ଟ, ଛତା, କାହାଳୀର ମହାର୍ଘ ପଟୁଆରରେ ହଜାର ହଜାର ଭକ୍ତ ମନ୍ଦିର ପ୍ରଦକ୍ଷିଣ କରନ୍ତି। ବିଶେଷଭାବେ ଜଗମୋହନରେ ଶ୍ରୀଜିଉଙ୍କର ଅର୍ପିତ ଅମୃତୋଗମ ମକରଚାଉଳ (ମକରାନ୍ନ କୈବଲ୍ୟ) ବା ମକରଭୋଗ ଲାଭ କରିବା ନିମନ୍ତେ ଦର୍ଶକମାନଙ୍କଠାରେ ପ୍ରବଳ ଆଗ୍ରହ ଦେଖାଦିଏ। ହିନ୍ଦୁ ଧର୍ମ ବିଶ୍ୱାସ ଅନୁସାରେ ଏହି ମକର ସଂକ୍ରାନ୍ତି ଦିନ ଜଗନ୍ନାଥଙ୍କ ଦର୍ଶନରେ ରାଜସୂୟ ଯଜ୍ଞର ଫଳ ପ୍ରାପ୍ତି ହୋଇଥାଏ। ଯେଉଁ ଭକ୍ତ ମହାପ୍ରଭୁଙ୍କୁ ଦର୍ଶନ କରି ବିଧିପୂର୍ବକ ବେଢ଼ା ପ୍ରଦକ୍ଷିଣ କରନ୍ତି, ସେମାନେ ପୁଣ୍ୟଲାଭ ସହିତ ମୁକ୍ତିଲାଭ କରିଥାଆନ୍ତି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ