ବିକାଶ ବାଟବଣା: ପଛରେ ପଡ଼ିଛି ଓଡ଼ିଶାର ଛୋଟ ସହର

ବିଶ୍ବରେ ଦ୍ରୁତ ବିକାଶ ପଥରେ କେରଳର ତିନି ସହର

କଟକ, ଭୁବନେଶ୍ବର, ରାଉରକେଲା, ପୁରୀ, ସମ୍ବଲପୁର ଓ ବ୍ରହ୍ମପୁରକୁ ବାଦ୍‌ ଦେଲେ ରାଜ୍ୟର ଅନ୍ୟ କୌଣସି ସହରରେ ଆଶା କରାଯାଉଥିବା ଭିତ୍ତିଭୂମିର ବିକାଶ ଘଟିନି। ରାଜ୍ୟର ଗାଁଗଣ୍ଡାରୁ ଲୋକେ ଶିକ୍ଷା, ଜୀବିକା ଓ ସ୍ବାଚ୍ଛନ୍ଦ୍ୟ ପାଇଁ ବଡ଼ ସହରକୁ ଯେଭଳି ପସନ୍ଦ କରୁଛନ୍ତି, ଆଖପାଖରେ ଥିବା ଛୋଟ ଛୋଟ ସହରରେ ସେଭଳି ରହିବା ପାଇଁ ପସନ୍ଦ କରୁନାହାନ୍ତି। ବିକାଶ ପ୍ରକ୍ରିୟାରେ ବିକେନ୍ଦ୍ରୀକରଣ କଥା ଯେଭଳି କୁହାଯାଉଛି, ବାସ୍ତବରେ ତାର ଓଲଟା ଚିତ୍ର ଦେଖିବାକୁ ମିଳୁଛି। ରାଜଧାନୀ ଭୁବନେଶ୍ବରର ରାସ୍ତାଘାଟ, ଜଳ, ବିଜୁଳି ଓ ପରିମଳ, ବ୍ୟବସାୟ ସ୍ଥାନୀୟ ଶାସନ, ଟ୍ରାଫିକ, ଆଇନଶୃଙ୍ଖଳା, ଉନ୍ନତ ଜୀବନଯାତ୍ରାର ସ୍ଥିତି ଯେଭଳି ଅଛି, ତାହା ରାଜ୍ୟର ଆଉ କୌଣସି ସହରରେ ନାହିଁ। ସରକାର ରାଜଧାନୀ ପାଇଁ ଯେତିକି ଅର୍ଥ ଖର୍ଚ୍ଚ କରୁଛନ୍ତି, ରାଜ୍ୟର ଅନ୍ୟ ସହର ଗୁଡ଼ିକର ସ୍ଥିତି ସଜାଡ଼ିବାରେ ସେହି ଅନୁସାରେ ଖର୍ଚ୍ଚ କରୁନାହାନ୍ତି। ଜନସଂଖ୍ୟା ବଢ଼ିଛି। ଲୋକେ ସୁବିଧା ପାଇଁ ସହରାଭିମୁଖୀ ହୋଇଛନ୍ତି। କିନ୍ତୁ ଛୋଟ ଛୋଟ ସହର ଗୁଡ଼ିକରେ ବିକାଶ ସଙ୍କୁଚିତ ହୋଇଯାଉଥିବାରୁ କଟକ, ଭୁବନେଶ୍ବର, ବ୍ରହ୍ମପୁର ସହରରେ ଘର କରି ରହିବା ପାଇଁ ଆଗ୍ରହ ବଢ଼ିଚାଲିଛି। ସ୍ମାର୍ଟ ସିଟି ମିଶନରେ ଭୁବନେଶ୍ବର, ରାଉରକେଲା, କଟକ, ବ୍ରହ୍ମପୁର ଏବଂ ସମ୍ବଲପୁରକୁ ଯୋଡ଼ିବାର ଆଭିମୁଖ୍ୟ ନେଇ ସମ୍ପୂର୍ଣ୍ଣ ସଫଳ ହୋଇ ନ ଥିବା ସରକାରଙ୍କ ଆନ୍ତରିକତାକୁ ପଦାରେ ପକାଇଦେଇଛି। ସହର ଗୁଡ଼ିକର ସମାନ ଯୋଗ୍ୟତା ନ ଥିବାରୁ ଭୁବନେଶ୍ବର ସହିତ କଟକ, ସମ୍ବଲପୁର ଓ ବ୍ରହ୍ମପୁର ବି ସମାନ ହୋଇପାରି ନାହାନ୍ତି। ଭୁବନେଶ୍ବରକୁ ୭୦ ମାର୍କ ମିଳିଥିବା ବେଳେ କଟକ, ସମ୍ବଲପୁର ଏବଂ ବ୍ରହ୍ମପୁରକୁ ୬୦ ଲେଖାଏଁ ମାର୍କ ମିଳିଛି। ସ୍ମାର୍ଟସିଟି ଗାଇଡଲାଇନ ସ୍କୋର ଅନୁଯାୟୀ ସମ୍ବଲପୁର ପାଇଛି ୫୫ ମାର୍କ।

ଭଦ୍ରକ, ବଲାଙ୍ଗିର, ଜୟପୁର, ବରଗଡ଼, ରାୟଗଡ଼ା, ଭବାନୀପାଟଣା, ପାରାଦୀପ, ଫୁଲବାଣୀ, ଯାଜପୁର, ଅନୁଗୁଳ, ଢେଙ୍କାନାଳ ଭଳି ସହର ମଧ୍ୟ ସମାନ ଭାବେ ବିକଶିତ ହୋଇପାରି ନାହାନ୍ତି। କେଉଁଠି ପିଇବା ପାଇଁର ଜଟିଳ ସମସ୍ୟା ତ କେଉଁଠି ବନ୍ୟାଜଳ ନିର୍ଗମନ ବ୍ୟବସ୍ଥା ନାହିଁ। କେଉଁଠି ପରିମଳର ବିକଳ ଚିତ୍ର ସାମ୍ନାକୁ ଆସୁଛି ତ କେଉଁଠି ନିଯୁକ୍ତି ଓ କାମଧନ୍ଦା ମିଳୁ ନ ଥିବାରୁ ଯୁବକମାନେ ସହର ଛାଡ଼ୁଛନ୍ତି। ଜିଲା ଗଠନର ଢେର ସାରା ବର୍ଷ ବିତିଥିଲେ ସୁଦ୍ଧା ନୟାଗଡ଼ ସହରରେ ଆଖିଦୃଶିଆ ଉନ୍ନତି ଦେଖିବାକୁ ମିଳି ନାହିଁ। ଜଟଣୀ ବଜାରର ସ୍ଥିତି ଆଉ ପୂର୍ବଭଳି ନାହିଁ। ଅତୀତରେ ଏଠାରେ ଯେଭଳି ନିଯୁକ୍ତି ସୁଯୋଗ ଥିଲା, ଏବେ ଆଉ ନାହିଁ। ଅନେକ କୁଟୀର ଓ ହସ୍ତଶିଳ୍ପ, କାରଖାନା, ଉଦ୍ୟୋଗ, ବ୍ୟାବସାୟିକ ପ୍ରତିଷ୍ଠାନରେ ତାଲା ଝୁଲୁଛି। ସହରର ରାସ୍ତାଘାଟ, ବିଜୁଳି ଆଲୋକ ଓ ପିଇବା ପାଣିରେ ପରିବର୍ତ୍ତନ ଘଟିଥିବା ବେଳେ ଜୀବିକା ଓ ସ୍ବାଚ୍ଛନ୍ଦ୍ୟ ଜୀବନଚର୍ଯ୍ୟା ପୂର୍ବଭଳି ନାହିଁ। ଏବେ ରାଇରଙ୍ଗପୁର ସହର ପାଲଟିଛି ମୃତଶିଳ୍ପର ସହର। ମୟୁରଭଞ୍ଜର ଏହି ଖ୍ୟାତିସମ୍ପନ୍ନ ସହରରେ ଏକଦା ଶାଳମଞ୍ଜିରୁ ବନସ୍ପତି ତେଲ ଉଦ୍ୟୋଗ, ଅଳତା ତିଆରି କାରଖାନା, ଦିଆସିଲି କାରଖାନା ଆଦି ଥିଲା। ପାଖାପାଖି ୫୦ରୁ ଅଧିକ ଛୋଟବଡ଼ କାରଖାନା ଗଢ଼ି ଉଠିଥିଲା ଏହି ସହରରେ। ଏବେ ସେସବୁ ରୁଗ୍‌ଣଏବଂ କେବେ ଠାରୁ ବନ୍ଦ ହୋଇସାରିଛି। ସବୁଜ ବନାନୀ ଘେରା କେନ୍ଦୁଝର ସହରର ବିକାଶ କେବଳ ନଥିପତ୍ରରେ। ଦୈନିକ ଶହ ଶହ ଟ୍ରକ ଭର୍ତ୍ତି ଖଣିଜଦ୍ରବ୍ୟ ଏହି ସହର ଦେଇ ଚାଲାଣ ହେଉଥିବା ବେଳେ ସହରର ଶିକ୍ଷା, ଜୀବିକା ଓ ବ୍ୟବସାୟର ଭିତ୍ତିଭୂମିରେ ସୁଧାର ଅଣାଯାଇ ପାରୁ ନାହିଁ। ଫୁଲବାଣୀ, ବୌଦ୍ଧ, ସୋନପୁର, ଭବାନୀପାଟଣା, କୋରାପୁଟ, ପାରଳାଖେମୁଣ୍ଡି ଭଳି ସହରର ସର୍ବାଙ୍ଗୀନ ଉନ୍ନତି ଦିଗରେ ଧ୍ୟାନ ଦିଆଯାଉ ନାହିଁ।

ଛୋଟ ସହର, ବଡ଼ ଆଶା
ଭାରତର ତିନୋଟି ସହର ସାରା ବିଶ୍ବରେ ଦ୍ରୁତ ବିକାଶ ପଥରେ ଅଗ୍ରସର ହେଉଥିବା ଜଣାଯାଇଛି। ଦ୍ରୁତ ବିକାଶ କରୁଥିବା ଟପ୍‌ ଟେନ୍‌ ସହର ମଧ୍ୟରେ ଦେଶର ଏହି ତିନି ସହର ରହିଛି। ତେବେ ଏହା ଦିଲ୍ଲୀ, ମୁମ୍ବାଇ କିମ୍ବା ବେଙ୍ଗାଳୁରୁ ନୁହେଁ। ଏହି ସହର ଗୁଡ଼ିକ ହେଉଛି କେରଳର ସବୁଠୁ ଛୋଟ ସହର। ଯେଉଁ ସହର ଗୁଡ଼ିକ ଚର୍ଚ୍ଚାକୁ କେବେ ଆସି ନ ଥିଲା। ଏହି ତିନୋଟି ଛୋଟ ସହର ହେଉଛି ମଲ୍ଲାପୁରମ, କୋଝିକୋଡ ଏବଂ କୋଲ୍ଲମ। ବ୍ରିଟିଶ ମଲ୍‌ଟିନ୍ୟାସନାଲ ମିଡିଆ କମ୍ପାନୀ ‘ଦ ଇକୋନୋମିଷ୍ଟ ଗ୍ରୁପ’ ସହିତ ସଂଶ୍ଲିଷ୍ଟ ଇକୋନୋମିଷ୍ଟ ଇଣ୍ଟେଲିଜେଣ୍ଟସ ୟୁନିଟର ସର୍ଭେ ଅନୁଯାୟୀ ଦ୍ରୁତ ଗତିରେ ବିକାଶ କରୁଥିବା ବିଶ୍ବର ସହର ଗୁଡ଼ିକ ମଧ୍ୟରେ ମଲ୍ଲାପୁରମ ବିଶ୍ବର ନମ୍ବର ୱାନ ସ୍ଥାନରେ ରହିଛି। ଏଠାରେ ୨୦୧୫ରୁ ୨୦୨୦ ମଧ୍ୟରେ ୪୪.୧ ପ୍ରତିଶତ ପରିବର୍ତ୍ତନ ଅଣାଯାଇ ପାରିଛି।

ସେହିପରି କୋଝିକୋଡ ୩୪.୫ ପ୍ରତିଶତ ପରିବର୍ତ୍ତନ ସହିତ ବିଶ୍ବର ଦ୍ରୁତ ଅଭିବୃଦ୍ଧି କରୁଥିବା ସହର ସୂଚୀରେ ଚତୁର୍ଥ ସ୍ଥାନ ହାସଲ କରିଛି। କୋଲ୍ଲମ ୩୧.୧ ପ୍ରତିଶତ ପରିବର୍ତ୍ତନ ସହିତ ଏହି ସୂଚୀର ୧୦ମ ସ୍ଥାନରେ ରହିଛି। କେରଳର ଆଉ ଏକ ସହର ତ୍ରିଶୁର ୧୩ତମ ସ୍ଥାନରେ ଥିବାବେଳେ ଗୁଜରାଟର ସୁରତ ସହର ୨୬ତମ ସ୍ଥାନରେ ରହିଛି। ତାମିଲନାଡ଼ୁର ତିରପୁର ୩୦ତମ ସ୍ଥାନ ହାସଲ କରିଛି।

ବିଶ୍ବର ଟପ୍‌ ୧୦ ସହର ସୂଚୀରେ ଚୀନର ତିନୋଟି ସହର ରହିଛି। ସେହିପରି ନାଇଜେରିଆ, ଓମାନ, ୟୁଏଇ ଏବଂ ଭିଏତନାମର ଗୋଟିଏ ଗୋଟିଏ ସହର ରହିଛି। ଏହି ସର୍ଭେରେ ଅନେକ ଶିଳ୍ପପତି, ବ୍ୟବସାୟୀ, ସଂଗଠନ ଏବଂ ଅର୍ଥନୀତି ବିଶେଷଞ ନିଜ ନିଜ ହିସାବରେ ପ୍ରତିକ୍ରିୟା ଦେଇଛନ୍ତି। ଟପ୍‌ ୧୦୦ ସହର ତାଲିକା ଭିତରେ ଓଡ଼ିଶାର ଗୋଟିଏ ବି ସହର ନାହିଁ। ଛୋଟ ସହର ଗୁଡ଼ିକ ବଡ଼ ସହରକୁ ପଛରେ ପକାଇ ଆଗକୁ ଆସିବା ନିଶ୍ଚିତ ଭାବେ ବିକାଶ ପ୍ରକ୍ରିୟାର ଏକ ସକାରାତ୍ମକ ସଙ୍କେତ। ବିକାଶର ବିକେନ୍ଦ୍ରୀକରଣ ହେଉଛି ବୋଲି ଏହା ସୂଚନା ପ୍ରଦାନ କରିଥାଏ। ଛୋଟ ସହର ଗୁଡ଼ିକରେ ଭିତ୍ତିଭୂମି, ବ୍ୟବସାୟ ତଥା ରୋଜଗାରର ସୁଯୋଗ ସୃଷ୍ଟି ହେବାରେ ଲାଗିଛି। ଦେଶର ଅନେକ ଛୋଟ ସହରରେ ଆଧୁନିକ ଜୀବନର ତମାମ ଲକ୍ଷଣ ଦେଖିବାକୁ ମିଳୁଛି। ରୋଜଗାର, ବ୍ୟବସାୟ ସୁଯୋଗ, ଉନ୍ନତ ଶାସନ ବ୍ୟବସ୍ଥା, କମ୍‌ ଭିଡ଼ଭାଡ଼, ଉନ୍ନତ ଲାଇଫଷ୍ଟାଇଲ ଏବଂ ଅପେକ୍ଷାକୃତ କମ୍‌ ଦରଦାମରେ ଦ୍ରବ୍ୟମାନ ମିଳିଥାଏ। ପ୍ରକୃତରେ ଉଦାରୀକରଣ ଓ ସୂଚନା ବିପ୍ଳବରେ ଛୋଟ ସହରର ବିକାଶ ତ୍ବରାନ୍ବିତ ହୋଇଛି ବୋଲି କୁହାଯାଇପାରେ। ସୂଚନା ବିଞାନର ପ୍ରସାର କିନ୍ତୁ ଓଡ଼ିଶାର ଅନେକ ଛୋଟ ସହରରେ ପଡ଼ିନି। ମାଲକାନଗିରି ସହରରେ ଦିନର ଅଧା ସମୟ ବିଜୁଳି ନ ଥାଏ। ଇଣ୍ଟରନେଟ ସେବା ବର୍ଷର ଅଧା ସମୟ ଅଚଳ। ନୂଆ ବଜାରକୁ ଦେଖି ଯୁବକମାନେ ନିଜ ଞାନ ଓ ଦକ୍ଷତା ବୃଦ୍ଧି ପାଇଁ ସୁଯୋଗ ପାଆନ୍ତିନି। କାଁଭାଁ କେତେକ ସହରକୁ ଛାଡ଼ିଦେଲେ ଅଧିକାଂଶ ଛୋଟ ସହରରେ ଏବେ ବଡ଼ ସହର ଭଳି ସୁବିଧା ନ ମିଳିବା ବିଡ଼ମ୍ବନାର ବିଷୟ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ