କଡ଼ାକଡ଼ି ହେବ ପ୍ରଥମ ବର୍ଷ ଯୁକ୍ତ ୨ ପରୀକ୍ଷା


ଭୁବନେଶ୍ୱର: ଶିକ୍ଷା କ୍ଷେତ୍ରରେ ସଂସ୍କାର ଆଣିବା ପାଇଁ ରାଜ୍ୟ ସରକାର ବିଭିନ୍ନ ପ୍ରୟାସ ଆରମ୍ଭ କରିଛନ୍ତି। ଏହି କ୍ରମରେ ଯୁକ୍ତ ୨ ପ୍ରଥମ ବର୍ଷ ଛାତ୍ରୀଛାତ୍ରମାନଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି ସ୍କୁଲ୍‌ ଓ ଗଣଶିକ୍ଷା ବିଭାଗ ଏବେ ଏକ ନୂଆ ପଦକ୍ଷେପ ନେବାକୁ ଯାଉଛି। ଏଣିକି ଯୁକ୍ତ ୨ର ପ୍ରଥମ ବର୍ଷର ପରୀକ୍ଷାକୁ ହାଲୁକା ଭାବେ ନ ନେଇ କଡ଼ାକଡ଼ି କରିବାକୁ ନିଷ୍ପତ୍ତି ନେଇଛି। ପୂର୍ବରୁ ଯୁକ୍ତ୨ ପ୍ରଥମ ବର୍ଷର ପିଲାମାନେ ନାମକୁ ମାତ୍ର ପରୀକ୍ଷା ଦେଉଥିଲେ, ମାତ୍ର ଆଉ ଏବେ ସେମିତି ହେବନାହିଁ। ଯୁକ୍ତ୨ ଦ୍ବିତୀୟ ବର୍ଷ ତଥା ଦ୍ବାଦଶ ଶ୍ରେଣୀକୁ ଯିବାକୁ ହେଲେ ଏକାଦଶ ଶ୍ରେଣୀ ପାସ୍‌ କରିବା ନିହାତି ଆବଶ୍ୟକ। ଯଦି କୌଣସି ଛାତ୍ରଛାତ୍ରୀ ଏକାଦଶ ଶ୍ରେଣୀରେ କୃତକାର୍ଯ୍ୟ ନ ହୁଅନ୍ତି ତେବେ ସେ ଦ୍ବାଦଶ ଶ୍ରେଣୀକୁ ଯାଇପାରିବେ ନାହିଁ ବୋଲି କହିଛି।

ଏଣିକି ପ୍ରଥମ ବର୍ଷ ପରୀକ୍ଷାରେ ପାସ ନ କଲେ ପିଲାମାନେ ଦ୍ୱିତୀୟ ବର୍ଷକୁ ଯାଇପାରିବେ ନାହିଁ। ଦ୍ୱିତୀୟ ବର୍ଷକୁ ଯିବା ଲାଗି ଛାତ୍ରୀଛାତ୍ରଙ୍କୁ ପ୍ରଥମ ବର୍ଷରେ ୩୩ ପ୍ରତିଶତ ମାର୍କ ରଖିବାକୁ ହେବ। ତେବେ ପରୀକ୍ଷା ପାସ୍‌ ପାଇଁ ପ୍ରଥମ ବର୍ଷ ପିଲାଙ୍କୁ ୨ଟି ସୁଯୋଗ ମିଳିବ। ଛାତ୍ରଛାତ୍ରୀଙ୍କୁ ଫେବ୍ରୁଆରୀ ୧୫ରୁ ୨୯ ତାରିଖ ଯାଏଁ ପ୍ରଥମ ସୁଯୋଗ ଦିଆଯିବ। ଏଥିରେ ୩୩ ପ୍ରତିଶତରୁ କମ୍ ମାର୍କ ରଖିଥିବା ଛାତ୍ରଛାତ୍ରୀଙ୍କର ରିମେଡିଆଲ୍‌ କ୍ଲାସ୍‌ କରାଯିବ ଏବଂ ଦ୍ୱିତୀୟ ସୁଯୋଗ ଭାବେ ମେ’ ମାସ ଶେଷ ସପ୍ତାହରେ ପୁଣି ଥରେ ସୁଯୋଗ ଦିଆଯିବ ଆଉ ଏଥିରେ ଯଦି ପରୀକ୍ଷାର୍ଥୀମାନେ ଫେଲ୍‌ ହେବେ ତେବେ ତାଙ୍କୁ ପୁଣି ଥରେ ପ୍ରଥମ ବର୍ଷରେ ରହିବାକୁ ପଡ଼ିବ। ଦ୍ୱିତୀୟ ବର୍ଷ ଢାଞ୍ଚାରେ ପ୍ରଥମ ବର୍ଷ ପରୀକ୍ଷା କରାଯିବ। କଲେଜଗୁଡ଼ିକ ପ୍ରଥମ ବର୍ଷ ପରୀକ୍ଷା ଫଳ ନିର୍ଦେଶାଳୟକୁ ଜଣାଇବେ ବୋଲି ମଙ୍ଗଳବାର ସ୍କୁଲ୍‌ ଓ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି।

ସେହିପରି କଲେଜଗୁଡ଼ିକ ମଧ୍ୟ ନିଜ ସୁବିଧା ଅନୁଯାୟୀ ପରୀକ୍ଷା କରିପାରିବେ ନାହିଁ। ଏହାକୁ ବ୍ୟବସ୍ଥିତ ଢଙ୍ଗରେ କରାଯିବାକୁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ନିଷ୍ପତ୍ତି ହୋଇଛି। ଆଗାମୀ ଦିନରେ ଯୁକ୍ତ୨ର ପ୍ରଥମ ବର୍ଷ ପରୀକ୍ଷା ପ୍ରତ୍ୟେକ କଲେଜରେ ନିର୍ଦ୍ଦିଷ୍ଟ ଗୋଟିଏ ସମୟରେ କରାଯିବ। ମନଇଚ୍ଛା କଲେଜଗୁଡିକ ନିଜ ସୁବିଧା ଅନୁଯାୟୀ ଆଉ ପରୀକ୍ଷା କରିପାରିବେ ନାହିଁ। କଲେଜଗୁଡ଼ିକ ନିଜସ୍ତରରେ ପ୍ରଶ୍ନପତ୍ର ପ୍ରସ୍ତୁତ କରି ପରୀକ୍ଷା କରାଇବେ। ଯଦି କୌଣସି ଛାତ୍ରଛାତ୍ରୀ ଏହି ପରୀକ୍ଷାରେ କୃତକାର୍ଯ୍ୟ ନ ହୁଅନ୍ତି ତେବେ ସେ ପରବର୍ତ୍ତି ଶ୍ରେଣୀକୁ ଉନ୍ନୀତ ହୋଇପାରିବେ ନାହିଁ। ଆସନ୍ତାବର୍ଷକୁ ପୁଣିଥରେ ଏକାଦଶ ଶ୍ରେଣୀରେ ପରୀକ୍ଷା ଦେବାକୁ ପଡ଼ିବ। ଚଳିତ ଶିକ୍ଷାବର୍ଷ ଆରମ୍ଭରୁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଏହି ପରୀକ୍ଷା କରିବାକୁ ଯୋଜନା ହୋଇଥିଲା। ତେବେ ପ୍ରାଥମିକ ବିଦ୍ୟାଳୟ ପାଇଁ ଏକକ ପ୍ରବେଶିକା ପରୀକ୍ଷାରେ ବ୍ୟାପକ ବିଭ୍ରାଟ ପରେ ଗଣଶିକ୍ଷା ବିଭାଗ ଏଭଳି ନିଷ୍ପତ୍ତିରୁ ଓହରିଛି। ପୂର୍ବଭଳି କଲେଜସ୍ତରରେ ପ୍ରଶ୍ନପତ୍ର ପ୍ରସ୍ତୁତ କରିବାକୁ ନିଷ୍ପତ୍ତି ନିଆଯାଇଛି। ଏହି ପ୍ରସ୍ତାବକୁ ସ୍କୁଲ ଓ ଗଣଶିକ୍ଷା ବିଭାଗ ମନ୍ତ୍ରୀ ସମୀର ରଞ୍ଜନ ଦାଶ ସ୍ବୀକୃତି ଦେଇସାରିଥିବା ଜଣାପଡ଼ିଛି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ