ଦେଶ
ମାଇକେଲ ଦେବବ୍ରତ ପାତ୍ର ଆରବିଆଇର ଡେପୁଟି ଗଭର୍ଣ୍ଣର ନିଯୁକ୍ତ

ନୂଆଦିଲ୍ଲୀ: ରିଜର୍ଭ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ (ଆରବିଆଇ)ର ଡେପୁଟି ଗଭର୍ଣ୍ଣର ଭାବେ ନିଯୁକ୍ତି ପାଇଛନ୍ତି ଓଡ଼ିଆ ପୁଅ ମାଇକେଲ ଦେବବ୍ରତ ପାତ୍ର। ମଙ୍ଗଳବାର ମଧ୍ୟାହ୍ଣରେ କେନ୍ଦ୍ର ସରକାର ତାଙ୍କ ନିଯୁକ୍ତି ସଂକ୍ରାନ୍ତୀୟ ବିଜ୍ଞପ୍ତି ପ୍ରକାଶ କରିଛନ୍ତି। ସେ ଆରବିଆଇର ୪ର୍ଥ ଡେପୁଟି ଗଭର୍ଣ୍ଣର। ଗତବର୍ଷ ଜୁଲାଇ ୨୩ରେ ଡେପୁଟି ଗଭର୍ଣ୍ଣର ପଦରୁ ବିରଳ ଆଚାର୍ଯ୍ୟ ଇସ୍ତଫା ଦେଇଥିଲେ। ସେବେଠାରୁ ଏହି ପଦ ଖାଲି ପଡ଼ିଥିଲା। ଏବେ ପାତ୍ର ଏହି ପଦରେ କାର୍ଯ୍ୟ କରିବେ। ତାଙ୍କ କାର୍ଯ୍ୟକାଳ ୩ ବର୍ଷ ପାଇଁ ରହିବ। ତାଙ୍କ ପାଖରେ ମନିଟାରୀ ପଲିସି ବିଭାଗ ରହିବ।
ପୂର୍ବରୁ ପାତ୍ର ମନିଟାରୀ ପଲିସି ବିଭାଗର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଥିଲେ। ସେ ଜଣେ ଏମପିସି ଭାବେ ପରିଚିତ। ସେ ଦେଶର ଆର୍ଥିକ ଅଭିବୃଦ୍ଧି ପାଇଁ ସୁଧହାର କମାଇବା ଦିଗରେ ନିଆ ଯାଇଥିବା ନିଷ୍ପତ୍ତିରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ଆଇଆଇଟି ମୁମ୍ବାଇରେ ଅର୍ଥନୀତିରେ ପିଏଚ୍ଡି କରିଥିବା ପାତ୍ର ଅକ୍ଟୋବର ୨୦୦୫ରେ ମନିଟାରୀ ପଲିସି ବିଭାଗକୁ ଯିବା ପୂର୍ବରୁ ଅର୍ଥନୀତି ବିଶ୍ଲେଷଣ ବିଭାଗ ଓ ଅନ୍ତର୍ଜାତୀୟ ଫାଇନାନ୍ସ ପଲିସି ଇନଚାର୍ଜ ଭାବେ କାର୍ଯ୍ୟ କରୁଥିଲେ। ମାଇକେଲ ଦେବବ୍ରତ ପାତ୍ର ଆରବିଆଇରେ ୧୯୮୫ ମସିହାରୁ କାର୍ଯ୍ୟ କରିବା ଆରମ୍ଭ କରିଥିଲେ। ଫାଇନାନ୍ସିଆଲ ଷ୍ଟାବିଲିଟି ଉପରେ ସେ ହାଭାଡ ବିଶ୍ୱବିଦ୍ୟାଳୟରେ ପୋଷ୍ଟ ଡକ୍ଟୋରାଲ ରିସର୍ଚ୍ଚ କରିଛନ୍ତି। ଏହାପୂର୍ବରୁ ଓଡ଼ିଆ ପୁଅ ଶକ୍ତିକାନ୍ତ ଦାସ ଆରବିଆଇର ଗଭର୍ଣ୍ଣର ଭାବେ ନିଯୁକ୍ତି ପାଇଥିଲେ।
ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ