ନାରୀ
ସଂଘର୍ଷରୁ ସଫଳତା: ସରିତା ପାଲଟିଛନ୍ତି ଉଦାହରଣ
ଲକ୍ଷ୍ୟସ୍ଥଳୀ ହାସଲ କରିବାର ରାସ୍ତାରେ ଅଟକାଇପାରିନି ଅର୍ଥାଭାବ

ଆମ ସମାଜରେ ମହିଳାଙ୍କୁ ନିଜ ପରିଚୟ ସୃଷ୍ଟି କରିବା ଲାଗି କେବଳ ପୁରୁଷବାଦୀ ସମାଜର ନୁହେଁ ବରଂ ଆର୍ଥିକ ସମସ୍ୟାକୁ ମଧ୍ୟ ସାମ୍ନା କରିବାକୁ ପଡ଼ିଥାଏ। ସେହିପରି କେତେକ ମହିଳା ରାସ୍ତାରେ ଆସୁଥିବା ସମସ୍ତ ମୁସ୍କିଲ୍କୁ ସାମ୍ନା କରି ଜୀବନରେ ସ୍ଥିର କରିଥିବା ନିଜ ଲକ୍ଷ୍ୟକୁ ହାସଲ କରି ନିଅନ୍ତି। ଏମାନଙ୍କ ମଧ୍ୟରୁ ଏମିତି ଜଣେ ମହିଳା ହେଉଛନ୍ତି ରାଞ୍ଚିର ସିମରିଆ ଗାଁର ସରିତା ତିର୍କୀ। ସରିତାଙ୍କ ଜୀବନରେ ଅନେକ ପ୍ରକାରର ପ୍ରତିବନ୍ଧକର ସାମ୍ନା କରିବାକୁ ପଡ଼ିଥିଲା। କିନ୍ତୁ ଏଥିରେ ସେ ହାର୍ ମାନି ନାହାନ୍ତି। ଏବେ ସେ ରାଞ୍ଚି ୱିମେନ୍ସ କଲେଜ୍ରେ ବିଏଡ୍ ଟିଚର ଭାବେ କାମ କରୁଛନ୍ତି।
ସଂଘର୍ଷରେ ଭରା ସରିତାଙ୍କ ଜୀବନ
ସରିତା ତିର୍କୀଙ୍କ ମା’ ବାପା ଶ୍ରମିକ ଭାବେ କାମ କରନ୍ତି। ତାଙ୍କ ପାଖରେ ଯେତିକି ଜମି ରହିଛି, ସେଥିରେ ଚାଷ କରି ବହୁ କଷ୍ଟରେ ପରିବାର ଲୋକଙ୍କ ପେଟ ପୋଷି ପାରନ୍ତି। ଏପରିସ୍ଥଳେ ପିଲାଙ୍କୁ ପାଠ ପଢ଼ାଇବା କଷ୍ଟକର ଥିଲା। ସରିତାଙ୍କୁ ଯେତେବେଳେ ୫ ବର୍ଷର ଥିଲେ, ତାଙ୍କୁ ଏକ ସ୍ଥାନୀୟ ମିଶନ ସ୍କୁଲ୍ରେ ଦାଖଲ କରା ଯାଇଥିଲା। କାରଣ ସେଠାରେ ପାଠ ପଢ଼ିବା ଲାଗି କୌଣସି ଫି’ ଦେବାକୁ ପଡ଼ି ନ ଥାଏ।
୪ ବର୍ଷ ଯାଏ ପରିବାରଠାରୁ ଦୂରରେ
ସ୍କୁଲ୍ରେ ସରିତ ଭଲ ପାଠ ପଢ଼ୁଥିଲେ। ପାଠ ପଢ଼ିବା ପ୍ରତି ତାଙ୍କ ଅହେତୁକ ଦୁର୍ବଳତା ଦେଖି ତାଙ୍କ ପିତା ୭ମ ଶ୍ରେଣୀରେ କେନ୍ଦ୍ରୀୟ ବିଦ୍ୟାଳୟରେ ଆଡମିଶନ୍ କରିଥିଲେ। ସେଠାରେ ସେମାନେ ୧୦ମ ଯାଏ ପାଠ ପଢ଼ିଥିଲେ ଓ ସେଠାରେ ମଧ୍ୟ ମାଗଣାରେ ପାଠ ପଢ଼ିଥିଲେ। କିନ୍ତୁ ୪ ବର୍ଷ ଯାଏ ତାଙ୍କ ପରିବାରର କୌଣସି ସଦସ୍ୟ ତାଙ୍କୁ ଭେଟିବାକୁ ଆସି ନ ଥିଲେ। କାରଣ ତାଙ୍କ ପରିବାର ଲୋକଙ୍କ ପାଖରେ ସରିତାଙ୍କ ପାଖକୁ ଯିବା ଆସିବା ଖର୍ଚ୍ଚ କରିବା ପାଇଁ ମଧ୍ୟ ଟଙ୍କା ନ ଥିଲା। ତେଣୁ ଅନେକ ସମୟରେ ତାଙ୍କୁ ଅନ୍ୟମାନଙ୍କ ଥଟ୍ଟା ପରିହାସର ଶିକାର ହେବାକୁ ମଧ୍ୟ ପଡ଼ୁଥିଲା।
ଟିକେଟ୍ ନ ଥିବାରୁ କଣ୍ଡକ୍ଟର ଧକ୍କା ଦେଇଥିଲେ
ଏହାପରେ କୌଣସି ପ୍ରକାରରେ ସରିତା ଖୁଣ୍ଟି କଲେଜ୍ରେ ଆଡମିଶନ୍ ନେଇଥିଲେ। କିନ୍ତୁ ଘରଠାରୁ ତାଙ୍କ କଲେଜ୍ର ଦୂରତା ୪୨ କିମି ଦୂରରେ ଥିଲା। ଯେଉଁ କାରଣରୁ ତାଙ୍କୁ ଯିବା ଆସିବାରେ ସମସ୍ୟା ହେଉଥିଲା। ସରିତାଙ୍କ ଘର ପାଖ ଦେଇ ଏକ ବସ୍ ଯାଉଥିଲା, ଯେଉଁଥିରେ ସେ ନିୟମିତ ଭାବେ କଲେଜ୍ ଯିବା ଆସିବା କରୁଥିଲେ। କିନ୍ତୁ ତାଙ୍କ ପାଖରେ ଟିକେଟ୍ ନ ଥିବାରୁ ଦିନେ ତାଙ୍କୁ କଣ୍ଡକ୍ଟର ବସ୍ରୁ ଧକ୍କା ଦେଇ ବାହାର କରି ଦେଇଥିଲେ। କାରଣ କଣ୍ଡକ୍ଟର ଜାଣି ପାରିଥିଲେ, ସରିତା ସବୁବେଳେ ବିନା ଟିକେଟ୍ରେ ଯିବା ଆସିବା କରୁଛନ୍ତି।
ଟିକେଟ୍ ପାଇଁ କ୍ଷେତରେ କଲେ କାମ
ବସ୍ରୁ ବାହାର କରି ଦିଆଯିବା ପରେ ସରିତା କିଛି ଦିନ ପାଠ ପଢ଼ା ଛାଡ଼ି କ୍ଷେତରେ କାମ କଲେ। ଯାହାଫଳରେ ଟିକେଟ୍ ପାଇଁ ଟଙ୍କା ଯୋଗାଡ଼ କରିପାରିବେ। ଏହାପରେ ଯେତେବେଳେ ତାଙ୍କ ଭଉଣୀଙ୍କ ବାହାଘର ହୋଇଥିଲା,ତାଙ୍କ ଭିଣୋଇ ତାଙ୍କୁ ଉପହାର ସ୍ବରୂପ ଏକ ସାଇକେଲ ଦେଇଥିଲେ। ଫଳରେ ସେ ଆରାମରେ ସାଇକେଲ୍ରେ କଲେଜ ଯିବା ଆସିବା କରିପାରିଥିଲେ।
ବିନା ପୁସ୍ତକରେ ଟପ୍ କଲେ
ଘରେ କୌଣସି ଜରୁରୀ କାମ ଥାଉ ବା ନିଜ ଦେହ ଖରାପ ଥାଉ, ସରିତା କେବେ ବି କଲେଜ ଛୁଟି କରୁ ନ ଥିଲେ। ଏହାର କାରଣ ସରିତାଙ୍କ ପାଖରେ ପୁସ୍ତକ ନ ଥିଲା। ଯେଉଁଥି ପାଇଁ ତାଙ୍କୁ ପ୍ରତ୍ୟେକ ଦିନ କଲେଜ ଯାଇ ନୋଟ୍ସ ପ୍ରସ୍ତୁତ କରିବାକୁ ପଡ଼ୁଥିଲା। କେବଳ କ୍ଲାସ୍ରୁମ୍ରେ ପାଠ ପଢ଼ି ସରିତା ଭୁଗୋଳରେ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହେବା ସହିତ କଲେଜ୍ରେ ମଧ୍ୟ ଟପ୍ର ହୋଇଥିଲେ।
ଶ୍ରମିକ ଓ ମେଡ୍ କାମ କରି ପୂରା କଲେ ଏମ୍ଏ
ଗ୍ରାଜୁଏସନ୍ ପରେ ଉଚ୍ଚ ଶିକ୍ଷା ପାଇଁ ସରିତା ନିଜ ଭାଇ ପାଖକୁ ରାଞ୍ଚି ଚାଲି ଆସିଥିଲେ। ଏଠାରେ ତାଙ୍କ ଭାଇ ଜଣେ ଗାର୍ଡ ଭାବେ କାମ କରୁଥିଲେ ଓ ଗ୍ୟାରେଜ୍ରେ ରହୁଥିଲେ। ସରିତା ମଧ୍ୟ ସେଠାରେ ରହିଥିଲେ। କିଛି ଦିନ ପରେ ଏମ୍ଏ ଫି’ ଦେବା ଲାଗି ସରିତା କ୍ଷେତରେ ଶ୍ରମିକ ଭାବେ କାମ କରିବା ଆରମ୍ଭ କରି ଦେଇଥିଲେ। ଏହି ସମୟରେ ସରିତା ଦିନ ଦିନ ଉପବାସ ରହି ଦିନ କାଟୁଥିଲେ। କାରଣ ଖାଇବା ଲାଗି ମଧ୍ୟ ତାଙ୍କ ପାଖରେ ଟଙ୍କା ନ ଥିଲା। ମଜୁରୀ ଟଙ୍କା ଜମା କରି ସରିତା ରାଞ୍ଚି ୟୁନିଭର୍ସିଟିରେ ଏମ୍ଏ ଫର୍ମ ପୂରଣ କରିଥିଲେ ଓ ଶ୍ରେଷ୍ଠ ୧୦ରେ ନିଜ ସ୍ଥାନ ହାସଲ କରିଥିଲେ। ଏହାପରେ ସରିତା ଏନ୍ସିସି ଜଏନ୍ କରିଥିଲେ। କିନ୍ତୁ ଭୂଗୋଳ ପ୍ରାକ୍ଟିକାଲ ପାଇଁ ତାଙ୍କୁ କ୍ଷେତରେ ଶ୍ରମିକ କାମ ଛାଡ଼ିବାକୁ ପଡ଼ିଥିଲା। ତେଣୁ ସରିତା ଘରେ ମେଡ୍ ଭାବେ କାମ କରିବା ଆରମ୍ଭ କରିଦେଇଥିଲେ। ସକାଳୁ କଲେଜ୍ ଯିବା ପୂର୍ବରୁ ଓ କଲେଜ୍ରୁ ଫେରିବା ପରେ ସେ ମେଡ୍ ଭାବେ ଅନ୍ୟମାନଙ୍କ ଘର କାମ କରୁଥିଲେ।
ଘର ମାଲିକାଣୀ କଲେ ସାହାଯ୍ୟ
ଏମ୍ଏ ପୂରା କରିବା ପରେ ସରିତା ବିଏଡ୍ କରିବାକୁ ଚାହୁଥିଲେ। କିନ୍ତୁ ତାଙ୍କ ପାଖରେ ଟଙ୍କା ନ ଥିଲା। ତେଣୁ ସେ ଯେଉଁ ଘରେ ରହୁଥିଲେ, ତାଙ୍କ ଘର ମାଲିକାଣୀ ଯାହାଙ୍କୁ ସେ ଶ୍ରଦ୍ଧାରେ ଦାଦି ମା’ ବୋଲି ଡାକନ୍ତି ସେ ସରିତାଙ୍କୁ ୧୦ ହଜାର ଟଙ୍କା ଦେଇଥିଲେ। ଯାହାଫଳରେ ସେ ଆଡମିଶନ୍ କରିପାରିବେ। ଏହାପରେ ମଧ୍ୟ ଯଥାସମ୍ଭବ ସେ ସରିତାଙ୍କୁ ସାହାଯ୍ୟ କରୁଥିଲେ। ଏହାପରେ ସରିତା ଏମ୍ଏଡ୍ କରିବାକୁ ଇଚ୍ଛା କଲେ। ଏଥିପାଇଁ ପାଖାପାଖି ୧ ଲକ୍ଷ ଟଙ୍କା ଦରକାର ଥିଲା। ଏହି ସମୟରେ ସରିତା ବ୍ୟାଙ୍କରୁ ଲୋନ୍ ନେବା ସମ୍ପର୍କରେ ଜାଣି ଲୋନ୍ ପାଇଁ ଆବେଦନ କରିଥିଲେ। କିନ୍ତୁ ଏମ୍ଏଡ୍ ପାଇଁ ବ୍ୟାଙ୍କରୁ ଲୋନ୍ ମିଳେ ନାହିଁ ବୋଲି ଜାଣିବା ପରେ ବହୁତ କାକୁତି ମିନତି ହୋଇଥିଲେ ସରିତା। ତାଙ୍କ ଶିକ୍ଷା ରେକର୍ଡ ଓ ଆର୍ଥିକ ସ୍ଥିତି ଦେଖି ବ୍ୟାଙ୍କରେ ତାଙ୍କୁ ୧ ଲକ୍ଷ ଟଙ୍କାର ଲୋନ୍ ଦେଇଥିଲେ। ଏହାପରେ ସରିତା ଜାମସେଦପୁର ୱେମେନ୍ସ କଲେଜ୍ରେ ଆଡମିଶନ୍ କରିଥିଲେ ଓ ଫାଷ୍ଟ ଡିଭିଜନ୍ ୱିଥ୍ ଡିଷ୍ଟିକସନ୍ରେ ଉତ୍ତୀର୍ଣ୍ଣ ହୋଇଥିଲେ।
ଏବେ ଅନ୍ୟଙ୍କୁ କରୁଛନ୍ତି ସାହାଯ୍ୟ
ଏବେ ସରିତାଙ୍କ ଭଉଣୀ ରାଞ୍ଚିରେ ଏକ ଘରୋଇ କଲେଜ୍ରେ ବିଏଡ୍ କରୁଛନ୍ତି ଓ ଭାଇ ସେଣ୍ଟ ଜାଭିଏର୍ସ କଲେଜ୍ରେ ଗ୍ରାଜୁଏସନ୍ କରୁଛନ୍ତି। ଏମାନଙ୍କ ବ୍ୟତୀତ ଅନୀତା ନାମକ ଜଣେ ଝିଅ ମଧ୍ୟ ତାଙ୍କ ସହ ରହୁଛନ୍ତି। ସରିତା ଏବେ ଏମାନଙ୍କ ପାଠ ପଢ଼ା ଖର୍ଚ୍ଚ ଉଠାଉଛନ୍ତି। ସରିତାଙ୍କ କହିବାନୁସାରେ ମା’ ବାପାମାନେ ନିଜ ଝିଅର ବାହାଘରରେ ଟଙ୍କା ଖର୍ଚ୍ଚ କରିବା ବଦଳରେ ପାଠ ପଢ଼ା ଉପରେ ଟଙ୍କା ଖର୍ଚ୍ଚ କରିବା ଉଚିତ। ଏହାଫଳରେ ଦୁଇଗୁଣା ରିଟର୍ଣ୍ଣସ୍ ମିଳିବ। ଗୋଟିଏ ପରେ ଝିଅ ଶିକ୍ଷିତ ହୋଇ ଆତ୍ମନିର୍ଭରଶୀଳ ହେବା ସହିତ ନିଜ ପାଇଁ ଉତ୍ତମ ଜୀବନ ସାଥୀ ଖୋଜି ପାରିବେ ବୋଲି ସରିତା କହିଛନ୍ତି।
ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ