ଓସ୍କାର ସହ ଓଡ଼ିଶାକୁ ଯୋଡ଼ିଲେ ଜିତେନ୍ଦ୍ର ଓ ଶୁଭ୍ରାଂଶୁ


ଭୁବନେଶ୍ବର: ଚଳଚ୍ଚିତ୍ର ଜଗତର ସର୍ବୋଚ୍ଚ ସମ୍ମାନ ‘ଓସ୍କାର ଆୱାର୍ଡ’ ପାଇବାକୁ ସଦାସର୍ବଦା ଲାଗିଥାଏ ପ୍ରତିଯୋଗିତା। ପ୍ରତିବର୍ଷ ଓସ୍କାର ଦୌଡ଼ରେ ସାମିଲ୍‌ ହେବା ପାଇଁ ଅନେକ ଫିଲ୍ମକୁ ଚୟନ କରାଯାଉଥିବା ବେଳେ ସେଥି ମଧ୍ୟରୁ ଅଧିକାଂଶ ଫିଲ୍ମ ବାଦ୍‌ ପଡ଼ିଥାଏ। ଏହି କ୍ରମରେ ଭାରତରୁ ଅଫିସିଆଲ୍‌ ଏଣ୍ଟ୍ରି ହୋଇଥିବା ଏକମାତ୍ର ଚଳଚ୍ଚିତ୍ର ଗଲି ବୟ ଏହି ଦୌଡ଼ରୁ ବାଦ୍‌ ପଡ଼ିବା ପରେ ମଧ୍ୟ ଓଡ଼ିଶା ତଥା ଦେଶକୁ ମିଳିଛି ଖୁସି ଖବର। ଓସ୍କାର ଦୌଡ଼ରେ ସାମିଲ୍‌ ହୋଇଛି ଅନ୍ତର୍ଜାତୀୟସ୍ତରରେ ଖ୍ୟାତି ଅର୍ଜନ କରିଥିବା ଓଡ଼ିଶାରେ ଜନ୍ମିତ ଫିଲ୍ମ ପ୍ରଯୋଜକ ଓ ପ୍ରମୋଟର ଜିତେନ୍ଦ୍ର ମିଶ୍ରଙ୍କ ଫିଲ୍ମ ‘ଦ ଲାଷ୍ଟ୍‌ କଲର’। ଓସ୍କାର ଆୱାର୍ଡ ପାଇଁ ମନୋନୀତ ହୋଇଥିବା ୩୪୪ଟି ଫିଲ୍ମ ମଧ୍ୟରେ ଏହି ଫିଲ୍ମଟି ରହିଛି। ଏହି ଫିଲ୍ମ ଜରିଆରେ ଓସ୍କାର ସହ ଓଡ଼ିଶାକୁ ଯୋଡ଼ିଛନ୍ତି ଦୁଇ ଓଡ଼ିଆ ଜିତେନ୍ଦ୍ର ମିଶ୍ର ଏବଂ ଏହି ଫିଲ୍ମରେ ଡାଇରେକ୍ଟର ଅଫ୍‌ ଫଟୋଗ୍ରାଫି(ଡିଓପି) ତଥା କ୍ୟାମେରାମ୍ୟାନ ଭାବେ ଦାୟିତ୍ୱ ତୁଲାଉଥିବା ଶୁଭ୍ରାଂଶୁ ଦାସ। ‘ଦ ଲାଷ୍ଟ୍‌ କଲର୍‌’ ଚୂଡ଼ାନ୍ତ ତାଲିକା ଭିତରେ ଅନ୍ତର୍ଭୁକ୍ତ ହେଲେ ଓଲିଉଡ୍‌ ଇତିହାସରେ ଏକ ସଫଳତାର ଫର୍ଦ୍ଦ ଯୋଡ଼ି ହେବ।

ଓଡ଼ିଶାବାସୀଙ୍କ ପାଇଁ ଗର୍ବ ଆଣି ଦେଇଥିବା ଜିତେନ୍ଦ୍ରଙ୍କର ଜନ୍ମସ୍ଥାନ ହେଉଛି ବଲାଙ୍ଗିର ଜିଲ୍ଲା ଟିଟଲାଗଡ଼ରେ। ଟିଟିଲାଗଡ଼ରେ ଜନ୍ମିତ ଜିତେନ୍ଦ୍ର ଭାରତୀୟ ଚଳଚ୍ଚିତ୍ର ପ୍ରଯୋଜକ, ପ୍ରୋତ୍ସାହକ, ବିତରକ ଭାବେ ନିଜକୁ ପ୍ରତିଷ୍ଠିତ କରାଇଥିବା ବେଳେ ସାମାଜିକ ବାର୍ତ୍ତା ଓ ପ୍ରାସଙ୍ଗିକତା ଥିବା ଚଳଚ୍ଚିତ୍ର ନିର୍ମାଣ କରି ଆସୁଛନ୍ତି। ସେଥିମଧ୍ୟରୁ ଅନେକ ଚଳଚ୍ଚିତ୍ର ବିଶ୍ବବ୍ୟାପୀ ଚଳଚ୍ଚିତ୍ର ମହୋତ୍ସବମାନଙ୍କରେ ପ୍ରଦର୍ଶିତ ହୋଇ ଲୋକପ୍ରିୟତା ଅର୍ଜନ କରିଛି। ଆଇ ଆମ୍‌ କଲାମ, ଅସ୍‌ମା, ଇସ୍ୟୁ, ମୈୟା, ଭୋର୍‌ ଆଦି ୧୨ରୁ ଉର୍ଦ୍ଧ୍ବ ଫିଲ୍ମରେ ପ୍ରଯୋଜନା କରିଛନ୍ତି। ଏଥିସହିତ ୧୦ରୁ ଅଧିକ କ୍ଷୁତ୍ର ଚଳଚ୍ଚିତ୍ର ମଧ୍ୟ ନିର୍ମାଣ କରିଛନ୍ତି ଜିତେନ୍ଦ୍ର। ସେହିପରି ଭୁବନେଶ୍ବରରେ ରହୁଥିବା ଶୁଭ୍ରାଂଶୁଙ୍କ ଘର ହେଉଛି ବେଗୁନିଆ ଅଞ୍ଚଳରେ। ୮ଟି ଓଲିଉଡ୍‌ ଫିଲ୍ମରେ କାର୍ଯ୍ୟ କରିଥିବା ଏହି ପ୍ରତିଭାସମ୍ପନ୍ନ ଡିଓପି ବଲିଉଡ୍‌ରେ ନିଜ ପ୍ରତିଭାର ଛାପ ଛାଡ଼ିଛନ୍ତି। ୨୦୧୨ରେ ମୁକ୍ତିଲାଭ କରିଥିବା ଫିଲ୍ମିସ୍ତାନ ଚଳଚ୍ଚିତ୍ର ତାଙ୍କୁ ବିଲିଉଡ୍‌ରେ ପ୍ରତିଷ୍ଠିତ କରାଇଛି ବୋଲି ସେ କହିଛନ୍ତି। ଏବେ ସୁଦ୍ଧା ବଲିଉଡ୍‌ରେ ୧୧ଟି ଚଳଚ୍ଚିତ୍ରରେ କାର୍ଯ୍ୟ କରି ସାରିଲେଣି। ଜାତୀୟ ଟେଲିଭିଜନରେ ପ୍ରଦର୍ଶିତ ହୋଇଥିବା ସିଆଡି, ଫିର୍‌ କୋଇ ହେ ଭଳି ଅନେକ ସିରିଏଲରେ ମଧ୍ୟ ସେ କାର୍ଯ୍ୟ କରିଛନ୍ତି। ଓଡ଼ିଆ ଚଳଚ୍ଚିତ୍ର ‘ଅଭିମନ୍ୟୁ’ ନିମନ୍ତେ ଶୁଭ୍ରାଂଶୁଙ୍କୁ ୨୦୦୯ରେ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ମିଳିଥିଲା।

ଓସ୍କାର ପାଇଁ ମନୋନୀତ ହୋଇଥିବା ‘ଦ ଲାଷ୍ଟ୍ କଲର୍‌’ ଫିଲ୍ମରେ ନିର୍ଦେଶନା ଦେଇଛନ୍ତି ସେଲିବ୍ରିଟି ସେଫ୍‌  ବିକାଶ ଖାନ୍ନା। କିଛିବର୍ଷ ପୂର୍ବେ ବିକାଶ ଖାନ୍ନାଙ୍କ ଦ୍ୱାରା ଲିଖିତ ପୁସ୍ତକ ‘ଦ ଲାଷ୍ଟ୍‌ କଲର୍‌’ ଉପରେ ଆଧାରିତ ଏହି ଫିଲ୍ମରେ ଅଭିନେତ୍ରୀ ନୀନା ଗୁପ୍ତା ମୁଖ୍ୟ ଚରିତ୍ରରେ ଅଭିନୟ କରିଛନ୍ତି। ୯୦ ମିନିଟ୍‌ର ଫିଲ୍ମଟିରେ ବୃନ୍ଦାବନରେ ବିଧବା ମହିଳାମାନେ ହୋଲି ଖେଳିବାକୁ ନେଇ ରହିଥିବା କଟକଣା ଓ ଏହା ବିରୋଧରେ ସୁପ୍ରିମ୍‌କୋର୍ଟଙ୍କ ରାୟକୁ ଦର୍ଶାଯାଇଛି। ମହିଳାମାନଙ୍କ କ୍ଷେତ୍ରରେ ରହିଥିବା ବିଭିନ୍ନ କୁପ୍ରଥା ଏବଂ ସାମାଜିକ ପ୍ରତିବନ୍ଧକ ବିରୋଧରେ ଲଢ଼େଇ କରିବା ପାଇଁ ଲୋକଙ୍କ ମଧ୍ୟରେ ସଚେତନ ସୃଷ୍ଟି କରିବା ଏହି ଫିଲ୍ମର ମୁଖ୍ୟ ଉଦ୍ଦେଶ୍ୟ ବୋଲି ଜିତେନ୍ଦ୍ର କହିଛନ୍ତି। ଲିଙ୍ଗଗତ ସମାନତା ତଥା ନାରୀ ସଶକ୍ତୀକରଣ ଉଦ୍ଦେଶ୍ୟରେ ଜାତିସଂଘ ମୁଖ୍ୟାଳୟଠାରେ ଏହି ଫିଲ୍ମ ପ୍ରଦର୍ଶିତ ହୋଇଥିଲା। ପୂର୍ବରୁ ଏହି ଫିଲ୍ମ ୩୦ତମ ଆନୁଆଲ୍‌ ପାମ୍‌ ସ୍ପ୍ରିଙ୍ଗ୍‌ସ ଇଣ୍ଟରନ୍ୟାସ୍‌ନାଲ୍‌ ଫିଲ୍ମ ଫେଷ୍ଟିଭାଲ୍‌ରେ ପ୍ରିମିୟର୍‌ ହୋଇଥିବାବେଳେ ସମ୍ମାନଜନକ କାନ୍‌ସ ଫିଲ୍ମ ଫେଷ୍ଟିଭାଲ୍‌ ୨୦୧୯ରେ ସ୍ବତନ୍ତ୍ରଭାବେ ସ୍କ୍ରିନିଂ ହୋଇଥିଲା। ଏହି ଫିଲ୍ମକୁ ଆମେରିକାରେ ଦୁଇଟି ଅନ୍ତର୍ଜାତୀୟ ପୁରସ୍କାର ମିଳି ସାରିଛି। ଏହି ସିନେମାକୁ ଶ୍ରେଷ୍ଠ ଫିଚର ଫିଲ୍ମ ଏବଂ ଏହି ଫିଲ୍ମରେ ମୁଖ୍ୟ ଭୂମିକାରେ ଅଭିନୟ କରିଥିବା ନୀନା ଗୁପ୍ତାଙ୍କୁ ଶ୍ରେଷ୍ଠ ଅଭିନେତ୍ରୀ ଭାବେ ସମ୍ମାନିତ କରାଯାଇଛି। ଏହି ଫିଲ୍ମଟି ଇଣ୍ଡିଆ ଇଣ୍ଟରନ୍ୟାସ୍‌ନାଲ୍ ଫିଲ୍ମ ଫେଷ୍ଟିଭାଲ୍ ଅଫ୍ ବୋଷ୍ଟନ୍‌ର ଉଦ୍‌ଘାଟନୀ ସମାରୋହରେ ପ୍ରତିଷ୍ଠିତ ଜନ୍ ଏଫ୍ କେନେଡି ପ୍ରେସିଡେନ୍ସିଆଲ୍ ଲାଇବ୍ରେରୀ ଏବଂ ମ୍ୟୁଜିୟମରେ ମଧ୍ୟ ପ୍ରଦର୍ଶିତ ହୋଇଛି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ