ଶ୍ୱାସରୁଦ୍ଧ ହୋଇ ୪ ଜଣଙ୍କ ମୃତ୍ୟୁ: ଶବ ବ୍ୟବଛେଦ ରିପୋର୍ଟ


ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁରର ଏକ ବନ୍ଦ ଘରୁ ମିଳିଥିଲା ଗୋଟିଏ ପରିବାରର ୪ ଜଣଙ୍କ ମୃତଦେହ। ମୃତକମାନେ ହେଲେ ରଞ୍ଜିତ ପ୍ରସାଦ, ତାଙ୍କ ସ୍ତ୍ରୀ କଳ୍ପନା ଏବଂ ପୁଅ ଓ ଝିଅ। ପୁଅ ଝିଅଙ୍କୁ ବିଷ ଦେଇ ବାପା-ମା’ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଥିଲା। ତେବେ ମୃତଦେହ ବ୍ୟବଚ୍ଛେଦ ପରେ ଶ୍ୱାସରୁଦ୍ଧ ହୋଇ ୪ ଜଣ ମୃତ୍ୟୁ ବରଣ କରିଥିବା ଜଣାପଡ଼ିଛି। ଶବ ବ୍ୟବଛେଦ ରିପୋର୍ଟରେ ଏନେଇ ତଥ୍ୟ ଦିଆଯାଇଛି। ବିଷକ୍ରିୟା ଜନିତ ମୃତ୍ୟୁ ନେଇ କୌଣସି ପ୍ରମାଣ ମିଳିପାରିନି। ଏହା ପରେ ଭିସେରା ରିପୋର୍ଟକୁ ଅପେକ୍ଷା କରାଯାଇଛି।

ସୂଚନାନୁଯାୟୀ, ରାଇରଙ୍ଗପୁରର ଏକ ଘରୋଇ କମ୍ପାନୀରେ କାମ କରୁଥିବା ରଞ୍ଜିତ ପ୍ରସାଦଙ୍କ ପୂରା ପରିବାରର ରହସ୍ୟଜନକ ମୃତ୍ୟୁକୁ ନେଇ ସାରା ଜିଲ୍ଲାରେ ଚାଞ୍ଚଲ୍ୟ ଖେଳିଯାଇଛି। ଶନିବାର ସକାଳେ ଘର ଭିତରୁ ପଚାଗନ୍ଧ ଆସୁଥିବା ନେଇ ପୋଲିସ୍‌କୁ ସ୍ଥାନୀୟ ଲୋକେ ଖବର ଦେଇଥିଲେ। ପୋଲିସ୍‌ ଘଟଣାସ୍ଥଳକୁ ଆସିବା ପରେ ଭିତ‌ରେ ମୃତଦେହ ଥିବା ସନ୍ଦେହ କରି ମାଜିଷ୍ଟ୍ରେଟଙ୍କୁ ଖବର ଦେଇଥିଲେ। ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଘର ଖୋଲାଯିବା ପରେ ପୂରା ପରିବାର ମରି ପଡ଼ିଥିବା ଦେଖିବାକୁ ମିଳିଥିଲା। ପୋଲିସ୍‌ ଫୋରେନ୍ସିକ ଟିମ୍‌ର ସହାୟତାରେ ଉକ୍ତ ଘରୁ ରଞ୍ଜିତ ପ୍ରସାଦ, ପତ୍ନୀ କଳ୍ପନା, ୩ ବର୍ଷର ଝିଅ କନକ ଓ ଦେଢ଼ବର୍ଷର ପୁଅର ମୃତଦେହ ଉଦ୍ଧାର କରିଛି। ମୃତଦେହ ନିକଟରୁ କ୍ଷୀର ଥିବା ଗିନା ଜବତ କରାଯାଇଛି। ଏଥିରେ ଥିବ‌ା କ୍ଷୀରକୁ ପରୀକ୍ଷା ଲାଗି ଫୋରେନ୍ସିକ ଲାବୋରୋଟୋରିକୁ ପଠାଯାଇଛି। ଗତ ଗୁରୁବାରଠାରୁ ତାଙ୍କ ଘର ଭିତର ପଟୁ ତାଲା ପଡ଼ିଥିବା ପଡ଼ୋଶୀ କହିଛନ୍ତି। ଅପରପକ୍ଷେ ରଞ୍ଜିତ ଏକ ଘରୋଇ କମ୍ପାନୀରେ ଠିକାଦାରଙ୍କ ଅଧୀନରେ କାମ କରୁଥିଲେ। ସେ କଳ୍ପନାଙ୍କୁ ପ୍ରେମ ବିବାହ କରିଥିଲେ। ଉକ୍ତ କଲୋନୀରେ ପୁଅ, ଝିଅଙ୍କ ସହ ରହି ଆସୁଥିଲେ। ଭିତରପଟୁ ବନ୍ଦ ଥିବାରୁ ୪ ଜଣ ବିଷ ପିଇ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି। ଯଦି ଏପରି ହୋଇଥାଏ ତେବେ ସେମାନେ ଏମିତି ଚରମ ନିଷ୍ପତ୍ତି ନେଲେ କାହିଁକି ?  ପାରିବାରିକ ଅଶାନ୍ତି ଏଭଳି କଠୋର ପଦକ୍ଷେପ ନେବାକୁ ସେମାନଙ୍କୁ ବାଧ୍ୟ କଲା କି ? କଳ୍ପନାଙ୍କ ମା’ଙ୍କ କହିବା କଥା ହେଲା ଝିଅ ନିଚ ଜାତିରେ ଭଲ ପାଇ ବିବାହ କରିଥିବାରୁ ତା ସହ ସେମାନଙ୍କର କୌଣସି ସମ୍ପର୍କ ନ ଥିଲା।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ