ଦୁଇ ଆତଙ୍କବାଦୀଙ୍କ ସହ ଡିଏସ୍‌ପି ଗିରଫ


ଶ୍ରୀନଗର: ଜମ୍ମୁ-କଶ୍ମୀର ପୋଲିସ୍‌ ଶନିବାର ଅପରାହ୍ନରେ ୨ ଜଣ ଆତଙ୍କୀବାଦୀଙ୍କ ସହ ଜଣେ ପୋଲିସ୍‌ ଡିଏସ୍‌ପିଙ୍କୁ ଗିରଫ କରିଥିବା ଜଣାପଡ଼ିଛି। କୁଲଗାମ୍‌ ଜିଲ୍ଲାର କାଜିଗୁଣ୍ଡ ଅଞ୍ଚଳର ମୀର୍‌ ବାଜାରରୁ ଗିରଫ ହୋଇଥିବା ଆତଙ୍କୀଦ୍ବୟ ହିଜ୍‌ବୁଲ୍‌ ମୁଜାହିଦ୍ଦିନ୍‌ ସଂଗଠନର ସଦସ୍ୟ ହୋଇଥିବା ବେଳେ ସେମାନେ ଡିଏସ୍‌ପି ଦେବିନ୍ଦର ସିଂହଙ୍କ ସହ ଗୋଟିଏ କାର୍‌ରେ ଯାଉଥିବା ବେଳେ ଗିରଫ ହୋଇଛନ୍ତି। ଗତ ବର୍ଷ ଅଗଷ୍ଟ ୧୫ ତାରିଖରେ ସ୍ବାଧୀନତା ଦିବସ ଅବସରରେ ଦେବିନ୍ଦର ସିଂହ ଉତ୍ତମ ସେବା ପାଇଁ ରାଷ୍ଟ୍ରପତିଙ୍କଠାରୁ ପୋଲିସ୍‌ ପଦକ ହାସଲ କରିଥିଲେ। ଦକ୍ଷିଣ କଶ୍ମୀର ଡିଆଇଜି ଅତୁଲ ଗୋଏଲ୍‌ଙ୍କ ନେତୃତ୍ବାଧୀନ ଏକ ପୋଲିସ୍‌ ଟିମ୍‌ ଗିରଫ କରିଥିବା ଦୁଇ ଆତଙ୍କବାଦୀଙ୍କ ପରିଚୟ ମିଳିଛି। ସେମାନେ ହେଲେ ନବୀଦ୍‌ ବାବୁ ଓ ଆସିଫ୍‌ ରାଠେର୍‌। ନବୀଦ୍‌ ହିଜ୍‌ବୁଲ୍‌ ମୁଜାହିଦ୍ଦିନ୍‌ର ଶୀର୍ଷ କମାଣ୍ଡର୍‌ ଭାବେ କାର୍ଯ୍ୟ କରୁଥିବା ବେଳେ ରାଠେର୍‌ ତା’ ଅଧୀନରେ କାର୍ଯ୍ୟ କରୁଥିଲା।

ଉଭୟ ଆତଙ୍କବାଦୀ ଶୋପିୟାଁ ଜିଲ୍ଲାର ନିବାସୀ ହୋଇଥିବା ବେଳେ ପାଖାପାଖି ୩ ବର୍ଷ ତଳେ ଏହି ଆତଙ୍କୀ ସଂଗଠନ ସହ ଯୋଗଦେଇଥିଲେ। ସେମାନଙ୍କଠାରୁ ପୋଲିସ୍‌ ଟିମ୍‌କୁ ଦୁଇଟି ଏକେ-୪୭ ରାଇଫଲ୍‌ ଓ କେତେକ ଗ୍ରେନେଡ୍‌ ମଧ୍ୟ ମିଳିଛି। ସେମାନେ ଗୋଟିଏ ଧଳା ରଙ୍ଗର ମାରୁତି କାର୍‌ ଯୋଗେ ଯାଉଥିବା ବେଳେ ସେମାନଙ୍କୁ ଗିରଫ କରାଯାଇଥିବା ପୋଲିସ୍‌ ପକ୍ଷରୁ ସୂଚନା ଦିଆଯାଇଛି। ଡିଏସ୍‌ପି ସିଂହ ପୂର୍ବରୁ ଜମ୍ମୁ-କଶ୍ମୀର ପୋଲିସ୍‌ର ଆଣ୍ଟି-ହାଇଜାକିଂ ସ୍କ୍ବାଡ୍‌ର ସଦସ୍ୟ ଥିଲେ। ବର୍ତ୍ତମାନ ସେ ଶ୍ରୀନଗର ଇଣ୍ଟରନ୍ୟାସନାଲ୍‌ ଏୟାର୍‌ପୋର୍ଟରେ ମୁତୟନ ଥିଲେ। ଏହା ପୂର୍ବରୁ ସେ ଜମ୍ମୁ-କଶ୍ମୀରର ଏସ୍‌ଓଜିରେ ଇନ୍ସପେକ୍ଟର ଭାବେ କାର୍ଯ୍ୟ କରୁଥିଲେ। ଏସ୍‌ଓଜିରେ ଥିବା ବେଳେ ଆଣ୍ଟି-ଅପରେସନ୍‌ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ପାଇଁ ପଦୋନ୍ନତି ପାଇ ଦେବିନ୍ଦର ସିଂହ ଡିଏସ୍‌ପି ଭାବେ ନିଯୁକ୍ତି ପାଇଥିଲେ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ