ଚାଷୀଙ୍କୁ ବଳିଗଲେ ବେକାରୀ: ପ୍ରତି ୨ ଘଣ୍ଟାରେ ୩ ଜଣଙ୍କ ଆତ୍ମହତ୍ୟା

ଏନ୍‌ସିଆରବି ରିପୋର୍ଟ ଖୁଲାସା କରିଛି ଏହି ସାଂଘାତିକ ଚିତ୍ର

ଦେଶରେ ଚାଷୀ ଆତ୍ମହତ୍ୟାକୁ ନେଇ ସଡ଼କରୁ ସଂସଦ ଯାଏ ହୋହଲ୍ଲା ଚାଲିଥିବା ବେଳେ ଏନ୍‌ସିଆର୍‌ବି ରିପୋର୍ଟରେ ଚାଷୀଙ୍କ ତୁଳନାରେ ବେରୋଜଗାରୀ ମାନଙ୍କ ଆତ୍ମହତ୍ୟା ହାର ଅଧିକ ବୋଲି ଏକ ଚମକପ୍ରଦ ତଥ୍ୟ ସାମ୍ନାକୁ ଆସିଛି। ଚାଷୀଙ୍କ ତୁଳନାରେ ବେକାରୀ ଓ ବେରୋଜଗାରୀମାନେ ଅଧିକ ସଂଖ୍ୟାରେ ଆତ୍ମହତ୍ୟା କରୁଥିବା ଜାତୀୟ ଅପରାଧିକ ପରିସଂଖ୍ୟାନ ବ୍ୟୁରୋ (ଏନ୍‌ସିଆରବି) ପକ୍ଷରୁ କୁହାଯାଇଛି। ଏହି ରିପୋର୍ଟ ଅନୁଯାୟୀ ଦେଶରେ ୨୦୧୮ରେ ପ୍ରତି ୨ ଘଣ୍ଟାରେ ପ୍ରାୟ ୩ ଜଣ ବେରୋଜଗାରୀ ଆତ୍ମହତ୍ୟାର ରାସ୍ତା ବାଛି ନେଇଥିଲେ। ଅର୍ଥାତ୍‌ ଦିନକୁ ୩୬ ଜଣ ଆତ୍ମହତ୍ୟା କରିଥିବା ଘଟଣା ଘଟିଛି ଆମ ଦେଶରେ। ଯାହାକି ଚାଷୀଙ୍କ ଆତ୍ମହତ୍ୟା ଠାରୁ ଢେର ଅଧିକ। ବୃତ୍ତି ଆଧାରରେ ସର୍ବାଧିକ ଆତ୍ମହତ୍ୟା ଦିନ ମଜୁରିଆଙ୍କ ମଧ୍ୟରେ ଥିବା ଜଣାଯାଇଛି। କେନ୍ଦ୍ର ଗୃହ ମନ୍ତ୍ରାଳୟ ଅଧୀନସ୍ଥ ଏନ୍‌ସିଆରବି ଦେଶର ଅପରାଧ ସହିତ ଜଡ଼ିତ ପରିସଂଖ୍ୟାନ ଏବଂ ଟ୍ରେଣ୍ଡ୍‌ର ରିପୋର୍ଟ ଜାରି କରିଥାଏ।

ଆତ୍ମହତ୍ୟାର ଦୁଇଟି ପ୍ରମୁଖ କାରଣ
୨୦୧୮ ବର୍ଷରେ ଆମ ଦେଶରେ ମୋଟ ୧,୩୪,୫୧୬ ଜଣ ଆତ୍ମହତ୍ୟା କରିଛନ୍ତି। ଏହି ସଂଖ୍ୟା ମଧ୍ୟରୁ ୯.୬ ପ୍ରତିଶତ ବେରୋଜଗାରୀ ଆତ୍ମହତ୍ୟା କରିଥିବା ବେଳେ ୭.୭ ପ୍ରତିଶତ କୃଷକ ଆତ୍ମହତ୍ୟାର ରାସ୍ତା ବାଛିନେଇଥିଲେ। ୨୦୧୫ରେ ସର୍ବାଧିକ ୧୨,୬୦୨ ଚାଷୀ ଆତ୍ମହତ୍ୟା କରିଥିବା ବେଳେ ସେହି ବର୍ଷ ଆତ୍ମହତ୍ୟା କରିଥିବା ବେରୋଜଗାରୀଙ୍କ ସଂଖ୍ୟା ଥିଲା ୧୦,୯୧୨। କିନ୍ତୁ ୨୦୧୬ ପରଠାରୁ ଏହି ଧାରା ବଦଳିବାରେ ଦେଖାଗଲା। ୨୦୧୬ରେ ମୋଟ ୧୧,୧୭୩ କୃଷକ ଆତ୍ମହତ୍ୟା କରିଥିବା ବେଳେ ୧୧,୩୭୯ ବେରୋଜଗାର ଆତ୍ମହତ୍ୟା କରିଥିଲେ। ସେହିପରି ୨୦୧୭ରେ ୧୦,୬୫୫ କୃଷକ ଆତ୍ମହତ୍ୟା କରିଥିବା ବେଳେ ୧୨,୨୪୧ ବେରୋଜଗାର ଆତ୍ମହତ୍ୟା କରିଥିଲେ। ୨୦୧୮ରେ ଏହି ସଂଖ୍ୟା ଆହୁରି ବଢ଼ିଥିଲା। ସେହିବର୍ଷ ୧୦,୩୪୯ ଜଣ ଚାଷୀ ଆତ୍ମହତ୍ୟା କରିଥିବା ବେଳେ ୧୨,୯୩୬ ଜଣ ବେରୋଜଗାରୀ ଆତ୍ମହତ୍ୟାର ରାସ୍ତା ବାଛି ନେଇଥିଲେ।

୨୦୧୮ରେ ୧୦ ହଜାର ଛାତ୍ର କରିଛନ୍ତି ଆତ୍ମହତ୍ୟା
ଆମ ଦେଶରେ ୨୦୧୮ ମସିହାରେ ୧୦ ହଜାରରୁ ଅଧିକ ଛାତ୍ର ନିଜ ଜୀବନକୁ ନିଜେ ଶେଷ କରିଦେଇଛନ୍ତି। ୧୦ ବର୍ଷ ମଧ୍ୟରେ ଦେଶରେ ୮୨ ହଜାର ଛାତ୍ରଛାତ୍ରୀ ଆତ୍ମହତ୍ୟା କରିଥିବାର ଚମକପ୍ରଦ ତଥ୍ୟ ଏହି ରିପୋର୍ଟରୁ ଜଣାପଡ଼ିଛି। ଛାତ୍ରଛାତ୍ରୀଙ୍କ ଉପରେ ପଡ଼ୁଥିବା ଚାପ ଏବଂ ଅବସାଦ କାରଣରୁ ସେମାନଙ୍କ ଉପରେ କ’ଣସବୁ ପ୍ରଭାବ ପଡ଼େ, ଏହାକୁ ନେଇ ବିଶେଷ ଚର୍ଚ୍ଚା ହୋଇ ନ ଥାଏ। କିନ୍ତୁ ଜାତୀୟ ଅପରାଧିକ ରେକର୍ଡ ବ୍ୟୁରୋ ୨୦୧୮ ବର୍ଷର ଛାତ୍ର ଆତ୍ମହତ୍ୟାକୁ ନେଇ ଯେଉଁ ସାଂଘାତିକ ଚିତ୍ର ସାମ୍ନାକୁ ଆଣିଛି ତାହା ନୈରାଶ୍ୟଜନକ। ତଥ୍ୟ ଅନୁଯାୟୀ ୨୦୧୮ର ପ୍ରତି ୨୪ ଘଣ୍ଟାରେ ୨୮ ଜଣ ଛାତ୍ର ନିଜର ଜୀବନ ହରାଇଥାନ୍ତି। ଯାହାକି ବିଗତ ୧୦ ବର୍ଷର ଆତ୍ମହତ୍ୟା ହାରକୁ ଟପିଯାଇଛି। ୧ ଜାନୁଆରୀ ୨୦୧୯ରୁ ୩୧ ଡିସେମ୍ବର ୨୦୧୮ ସୁଦ୍ଧା ଦେଶର ୮୧ ହଜାର ୭୫୮ ଛାତ୍ର ଆତ୍ମହତ୍ୟା କରିଛନ୍ତି। ଏଥିରୁ ୫୭ ପ୍ରତିଶତ ଛାତ୍ରଛାତ୍ରୀ ବିଗତ ୫ ବର୍ଷରେ ଜୀବନ ହାରିଛନ୍ତି ଏବଂ ୧୦,୧୫୯ ଜଣ ଛାତ୍ର ୨୦୧୮ରେ ବାଛିନେଇଛନ୍ତି ଆତ୍ମହତ୍ୟାର ରାସ୍ତା। ୨୦୧୮ରେ ଦେଶରେ ମୋଟ ୧.୩ ଲକ୍ଷ ଆତ୍ମହତ୍ୟା ଘଟଣା ସାମ୍ନାକୁ ଆସିଥିବା ବେଳେ ସେଥିରୁ ୮ ପ୍ରତିଶତ ହେଉଛନ୍ତି ଛାତ୍ର। ୧୦ ପ୍ରତିଶତ ବେକାରୀ ଓ ବେରୋଜଗାରୀ ଲୋକ ଆତ୍ମହତ୍ୟା କରିଛନ୍ତି। ଡ୍ରଗ୍ସ, ଡିପ୍ରେସନ, ଘରୋଇ କଳି ଏବଂ ପ୍ରେମରେ ଧୋକା କାରଣରୁ ଏହି ଆତ୍ମହତ୍ୟା ଘଟଣା ବଢ଼ିଚାଲିଥିବା କୁହାଯାଇଛି। ମଣିଷ ଏକ ସାମାଜିକ ପ୍ରାଣୀ କିନ୍ତୁ ସାମାଜିକ ଶୃଙ୍ଖଳା ଓ ବ୍ୟବସ୍ଥା ଭାଙ୍ଗିଯାଉଥିବାରୁ ଏକାକିତ୍ବ ଭାବନା ବ୍ୟକ୍ତିକୁ ଆତ୍ମହତ୍ୟା ଆଡ଼କୁ ରାସ୍ତା ଦେଖାଇ ନେଉଛି।

ଦେଶର ପ୍ରତି ଚତୁର୍ଥ ଦୁଷ୍କର୍ମ ପୀଡ଼ିତା ନାବାଳିକା
ଦୁଷ୍କର୍ମର ଶିକାର ପ୍ରତି ୪ ଜଣରେ ଜଣେ ହେଉଛନ୍ତି ନାବାଳିକା। ୫୦ ପ୍ରତିଶତ ଦୁଷ୍କର୍ମ ଘଟଣାର ପୀଡ଼ିତାଙ୍କ ବୟସ ହେଉଛି ୧୮ରୁ ୩୦ ବର୍ଷ ମଧ୍ୟରେ। ଦେଶରେ ଦିନକୁ ୮୯ଟି ଦୁଷ୍କର୍ମ ଘଟଣା ଘଟୁଛି। ୨୦୧୬ରେ ଦେଶରେ ମୋଟ ୩୮୯୪୭ ଦୁଷ୍କର୍ମ ଘଟଣା ସାମ୍ନାକୁ ଆସିଥିବା ବେଳେ ୨୦୧୭ରେ ୩୨୫୫୯ ଓ ୨୦୧୮ରେ ୩୩୫୩୬ଟି ଦୁଷ୍କର୍ମ ଘଟଣା ଘଟିଛି। ଉଦ୍‌ବେଗର କଥା ହେଉଛି ୨୮ ପ୍ରତିଶତ ଦୁଷ୍କର୍ମ ଘଟଣା ୧୮ ବର୍ଷରୁ କମ୍‌ ବୟସ୍କଙ୍କ କ୍ଷେତ୍ରରେ ଘଟିଛି। ୧୬ରୁ ୧୮ ବର୍ଷ ବୟସର ୪୭୭୯ ଜଣ ନାବାଳିକା (୧୪.୧ ପ୍ରତିଶତ) ଦୁଷ୍କର୍ମର ଶିକାର ହୋଇଥିବା ବେଳେ ୧୨ରୁ ୧୬ ବର୍ଷ ବୟସର ମୋଟ ୩୬୧୬ ଜଣ ନାବାଳିକା ଦୁଷ୍କର୍ମର ଶିକାର ହୋଇଛନ୍ତି। ଲଜ୍ଜାଜନକ ଘଟଣା ହେଉଛି ଯେ ୬ ବର୍ଷରୁ କମ୍‌ ୨୮୨ ନାବାଳିକା ଦୁଷ୍କର୍ମର ଶିକାର ହୋଇଥିବା ବେଳେ ୬ରୁ ୧୨ ବର୍ଷର ୭୫୭ ଜଣ ନାବାଳିକାଙ୍କୁ ଯୌନ ରାକ୍ଷସମାନେ ଟାର୍ଗେଟ କରିଛନ୍ତି।

ମହିଳାଙ୍କ ପାଇଁ ସବୁଠୁ ଅସୁରକ୍ଷିତ ମଧ୍ୟ ପ୍ରଦେଶ
ମଧ୍ୟ ପ୍ରଦେଶରେ ୨୦୧୮ ବର୍ଷରେ ଘଟିଛି ୫,୪୩୩ ଦୁଷ୍କର୍ମ ଘଟଣା। ଏଥିରୁ ୨୬୦୩ଟି ଘଟଣା ୧୮ ବର୍ଷରୁ ଅଧିକ ବୟସ୍କଙ୍କ କ୍ଷେତ୍ରରେ ଘଟିଥିବା ବେଳେ ୨୮୩୦ ଜଣ ୧୮ ବର୍ଷରୁ କମ୍‌ ବୟସର ନାବାଳିକା ଦୁଷ୍କର୍ମର ଶିକାର ହୋଇଛନ୍ତି। ଦୁଷ୍କର୍ମ ଘଟରାରେ ଦ୍ବିତୀୟ ସ୍ଥାନରେ ରହିଛି ରାଜସ୍ଥାନ। ରାଜସ୍ଥାନରେ ୪୩୩୫ ଏଭଳି ଘଟଣା ଘଟିଛି। ସେହିପରି ଉତ୍ତର ପ୍ରଦେଶରେ ୩୯୪୬, ମହାରାଷ୍ଟ୍ରରେ ୨୧୪୨, ଛତିଶଗଡ଼ରେ ୨୦୯୧, କେରଳରେ ୧୯୪୫ ଦୁଷ୍କର୍ମ ଘଟଣା ଘଟିଛି। ୯୪ ପ୍ରତିଶତ ଦୁଷ୍କର୍ମ ଘଟଣାରେ ଅଭିଯୁକ୍ତ ପୀଡ଼ିତାଙ୍କ ଚିହ୍ନା ପରିଚୟ। ୧୫୯୭୨ ଦୁଷ୍କର୍ମ ଘଟଣାରେ ଅଭିଯୁକ୍ତ ପାରିବାରିକ ସମ୍ପର୍କୀୟ, ପଡ଼ୋଶୀ, ନିଯୁକ୍ତିଦାତା ବା ଅନ୍ୟ ଜଣାଶଉଣା ହୋଇଥିବା ବେଳେ ୨୭୮୦ ଦୁଷ୍କର୍ମ ଘଟଣାରେ ପୀଡ଼ିତା ନିଜ ପରିବାରର ଅନ୍ୟ ସଦସ୍ୟଙ୍କ ଦ୍ବାରା ଦୁଷ୍କର୍ମର ଶିକାର ହୋଇଛି। ୧୨,୫୬୮ ମାମଲାରେ ଦୁଷ୍କର୍ମକାରୀ ପୀଡ଼ିତାଙ୍କ ବନ୍ଧୁ, ପ୍ରେମିକ ବା ପୂର୍ବତନ ସ୍ବାମୀ ଥିବା ଏନ୍‌ସିଆରବି ରିପୋର୍ଟରେ ସ୍ପଷ୍ଟ କରିଛି।

ଓଡ଼ିଶାର ସ୍ଥିତି ବି ସଙ୍ଗିନ
ଆମ ରାଜ୍ୟରେ ୨୦୧୮ରେ ୮୩ ହଜାର ୭୬୯ଟି ଧର୍ତ୍ତବ୍ୟ ଅପରାଧ ପୋଲିସ ରେକର୍ଡକୁ ଆସିଛି। ସେଥିରୁ ୧୩୭୮ ହତ୍ୟାକାଣ୍ଡ ହୋଇଥିବାବେଳେ ୩୦୭୦ ହତ୍ୟା ଉଦ୍ୟମ ମାମଲା ଥିବା ଜଣାପଡ଼ିଛି। ରାଜ୍ୟରେ ପ୍ରତିଦିନ ୪ ଜଣ ମହିଳା ନିର୍ଯାତିତ ହେଉଥିବା ବେଳେ ୨୦୧୮ରେ ଦିନକୁ ୨ରୁ ଅଧିକ ମହିଳା ଅର୍ଥାତ୍‌ ୯୧୮ ଜଣ ଦୁଷ୍କର୍ମର ଶିକାର ହୋଇଛନ୍ତି। ୩୭୨ ଜଣ ମହିଳା ଯୌତୁକଜନିତ ଘଟଣା ପାଇଁ ପ୍ରାଣ ହରାଇଥିବା ବେଳେ ୧୩ଟି ଏସିଡ୍‌ ଆକ୍ରମଣ ହୋଇଛି। ୧୩୧ ଜଣଙ୍କୁ ବଳପୂର୍ବକ ଅପହରଣ କରାଯାଇଥିବା ନେଇ ଏହି ରିପୋର୍ଟ ସୂଚିତ କରାଇଛି।

ବ୍ୟାପକ ସଚେତନତା ଓ ପୋଲିସର ସକ୍ରିୟତା ସତ୍ତ୍ବେ ଦିନକୁ ଦିନ ଅପରାଧ କାୟା ବିସ୍ତାର କରିଚାଲିଛି। ଏ ଦିଗରେ ବ୍ୟାପକ ଜନସଚେତନତା ଓ ସ୍ଥାନୀୟ ସ୍ତରରେ ସୁରକ୍ଷାକୁ କଡ଼ାକଡ଼ି କରା ନ ଗଲେ ଏହି ସ୍ଥିତି ଆଗକୁ ଅସମ୍ଭାଳ ହୋଇପାରେ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ