ବିମାନ ଉଡ଼ାଇଦେବା ଘଟଣାରେ କ୍ଷତିପୂରଣ ଦାବିକଲେ ୟୁକ୍ରେନ୍‌ ପ୍ରଧାନମନ୍ତ୍ରୀ


ଗତ ବୁଧବାର ତେହରାନ୍‌ ବିମାନବନ୍ଦରରୁ ୟୁକ୍ରେନ୍‌ ଇଣ୍ଟରନ୍ୟାସନାଲ୍‌ ଏୟାରଲାଇନ୍ସ (ୟୁଆଇଏ)ର ଏକ ବିମାନ ୧୬୭ ଜଣ ଯାତ୍ରୀ ଓ ୯ ଜଣ ବିମାନ କର୍ମଚାରୀଙ୍କୁ ନେଇ ଉଡ଼ାଣ ଆରମ୍ଭ କରିଥିଲେ ହେଁ ଏହାର କେଇ ମିନିଟ୍‌ ପରେ ଧ୍ବଂସ ହୋଇଯାଇଥିଲା। ଏଥିରେ ଆକାଶରେ ଉଡ଼ୁଥିବା ବେଳେ ହିଁ ନିଆଁ ଲାଗିଯାଇଥିଲା ବୋଲି ସେତେବେଳେ କୁହାଯାଇଥିଲା। କିନ୍ତୁ ପରେ ୟୁକ୍ରେନ୍‌ ସହ ବ୍ରିଟେନ୍‌, ଆମେରିକା ଓ କାନାଡା ଏହା ଇରାନ୍‌ ମିସାଇଲ୍‌ ମାଡ଼ରେ ଧ୍ବଂସ ହୋଇଥିବା ଅଭିଯୋଗ ହୋଇଥିଲା। ଶନିବାର ଇରାନ୍‌ ଏହାକୁ ସ୍ବୀକାର କରିଛି ଓ ଉକ୍ତ ବିମାନଟି ଆମେରିକାର ଲଢ଼ୁଆ ବିମାନ ସନ୍ଦେହରେ ଇରାନ୍‌ ସେନା ପକ୍ଷରୁ ମିସାଇଲ୍‌ ମାଡ଼ରେ ଉଡ଼ାଇ ଦିଆଯାଇଥିବା ପ୍ରକାଶ କରିଛି। ଏଥିପାଇଁ ରାଷ୍ଟ୍ରପତି ହସନ୍‌ ରୁହାନୀ କ୍ଷମା ମଧ୍ୟ ପ୍ରାର୍ଥନା କରିଛନ୍ତି ଓ ଏହାର ପୁଙ୍ଖାନୁପୁଙ୍ଖ ତଦନ୍ତ ପରେ ଦୋଷୀମାନଙ୍କୁ ଦଣ୍ଡ ବିଧାନ ବି କରାଯିବ ବୋଲି କହିସାରିଛନ୍ତି। ତେବେ ଏହି ବିମାନରେ ୧୧ ଜଣ ୟୁକ୍ରେନ୍‌ ଯାତ୍ରୀ ଥିବା ବେଳେ ସେମାନଙ୍କ ମୃତ୍ୟୁ ପାଇଁ କ୍ଷତିପୂରଣ ଦାବି କରିଛନ୍ତି ରାଷ୍ଟ୍ରପତି ଭୋଲୋଡିମିର୍ ଜେଲେନ୍‌ସ୍କି।

ଜେଲେନ୍‌ସ୍କି ଏହି ବିମାନ ଧ୍ବଂସ ହେବା ପାଇଁ ଯେଉଁମାନେ ଦାୟୀ ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଦାବି କରିବା ସହ ଇରାନ୍‌ ଏହି ଘଟଣାରେ କ୍ଷମା ମାଗିବା ଦରକାର ବୋଲି କହିଛନ୍ତି। ଦୋଷୀମାନଙ୍କୁ ଇରାନ୍‌ ଅଦାଲତର କାଠଗଡ଼ାରେ ଛିଡ଼ା କରାଇବା ଦରକାର ଓ ତୁରନ୍ତ ମୃତକଙ୍କ ଅବଶେଷାଂଶ ହସ୍ତାନ୍ତର ଦିଗରେ ପଦକ୍ଷେପ ନେବା ସକାଶେ ସେ ଫେସ୍‌ବୁକ୍‌ ମାଧ୍ୟମରେ ଇରାନ୍‌ ସରକାରଙ୍କୁ କହିଛନ୍ତି। ସେ କହିଛନ୍ତି ଯେ ଏହି ଘଟଣାର ତଦନ୍ତ ବିନା କୌଣସି ବିଳମ୍ବ ଓ ବିନା କୌଣସି ବ୍ୟାଘାତରେ ହେବା ଦରକାର ବୋଲି ଜେଲେନ୍‌ସ୍କି କହିଛନ୍ତି।

ସୂଚନାଯୋଗ୍ୟ ଯେ ଶନିବାର ପୂର୍ବାହ୍ନରେ ଇରାନ୍‌ ସେନା ପକ୍ଷରୁ ଏକ ବିବୃତି ଜାରି କରାଯାଇ ସେଥିରେ ୟୁକ୍ରେନ୍‌ ବିମାନ ଧ୍ବଂସ ହେବା ପଛରେ ତାଙ୍କ ସେନାର ଭୂମିକା ରହିଛି। ତେବେ ସାମ୍ପ୍ରତିକ ସମୟରେ ଆମେରିକା ଓ ଇରାନ୍‌ ମଧ୍ୟରେ ସବୁଠାରୁ ଅଧିକ ଉତ୍ତେଜନାପୂର୍ଣ୍ଣ ସ୍ଥିତି ରହିଥିବାରୁ ସେନାର ଯବାନମାନେ ପ୍ରତିପକ୍ଷ ଉପରେ ଆକ୍ରମଣ କରୁଥିବା ବେଳେ ଭୁଲ୍‌ବଶତଃ ଏପରି ଅଘଟଣ ଘଟିଛି ବୋଲି ସେନା ପକ୍ଷରୁ କୁହାଯାଇଥିଲା। ୟୁକ୍ରେନ୍‌ରେ ମଧ୍ୟ ବୁଧବାରର ଦୁର୍ଘଟଣାକୁ ୨୦୧୪ରେ ମାଲେସିଆ ଏୟାର୍‌ଲାଇନ୍ସର ଏମ୍‌ଏଚ୍‌୧୭ ପୂର୍ବ ୟୁକ୍ରେନ୍‌ ଆକାଶରେ ଉଡ଼ୁଥିବା ବେଳେ ସମୁଦ୍ରରେ ବୁଡ଼ିଯାଇଥିବା ଘଟଣା ସହ ଯୋଡ଼ୁଛନ୍ତି। ସେତେବେଳେ ୟୁକ୍ରେନ୍‌ରେ ରୁଷିଆ ବିଚ୍ଛିନ୍ନତାବାଦୀମାନେ ସରକାରୀ ବଳ ବିରୋଧରେ ଲଢ଼େଇ କରୁଥିଲେ। ଅବଶ୍ୟ ୨୯୮ ଜଣ ଯାତ୍ରୀଙ୍କ ଜୀବନ ଯାଇଥିବା ଏହି ଅଘଟଣ ପଛରେ ରୁଷୀୟ ସେନାର ଭୂମିକା ରହିଥିବା ଅନ୍ତର୍ଜାତୀୟ ତଦନ୍ତକାରୀ ସଂସ୍ଥା କହିଥିଲେ ମଧ୍ୟ ରୁଷିଆ ଏହାକୁ ସ୍ବୀକାର କରି ନ ଥିଲା।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ