ୟୁକ୍ରେନ୍‌ ବିମାନ ଉଡ଼ାଇଥିବା ଅଭିଯୋଗକୁ ସ୍ବୀକାର କଲା ଇରାନ୍‌


ଗତ ବୁଧବାର ତେହରାନ୍‌ଠାରୁ ଉଡ଼ାଣ ଆରମ୍ଭ କରିବାର କିଛି ସମୟ ପରେ ଆକାଶରେ ଅଗ୍ନିକାଣ୍ଡର ସମ୍ମୁଖୀନ ହେବା ଫଳରେ ଏଥିରେ ଥିବା ୯ ଜଣ କର୍ମଚାରୀଙ୍କ ସମେତ ୧୭୬ ଜଣଙ୍କର ମୃତ୍ୟୁ ଘଟିଥିଲା। ଏହି ଦୁର୍ଘଟଣା ଘଟିବା ବେଳେ ଉକ୍ତ ବିମାନରେ ସର୍ବାଧିକ ୮୨ ଜଣ ଇରାନ୍‌ ନାଗରିକ ଓ ୬୩ ଜଣ କାନାଡ଼ା ନାଗରିକ ରହିଥିଲେ। ୧୧ ଜଣ ଯାତ୍ରୀ ୟୁକ୍ରେନ୍‌ର ଥିବା ବେଳେ ଏହା କୌଣସି ଦୁର୍ଘଟଣା ନୁହେଁ, ବରଂ ଇରାନ୍‌ ମିସାଇଲ୍‌ ଯୋଗେ ଏହି ବିମାନକୁ ଉଡ଼ାଇ ଦେଇଛି ବୋଲି ୟୁକ୍ରେନ୍‌ ସହ କାନାଡା, ବ୍ରିଟେନ୍‌ ଓ ଆମେରିକା ସନ୍ଦେହ ପ୍ରକଟ କରିଥିଲେ। ଏବେ ଇରାନ୍‌ ନିଜେ ଏହାକୁ ସ୍ବୀକାର କରିଛି। ତେବେ ଏପରି ଏକ ମାନବିକ ତ୍ରୁଟି ପାଇଁ ଇରାନ୍‌ ଆମେରିକା ଉପରେ ପରୋକ୍ଷ ଭାବେ ଦୋଷ ଲଦିଛି। ଆମେରିକା ସେନା ଇରାନ୍‌ର ସେନାଧ୍ୟକ୍ଷ ମେଜର୍‌ ଜେନେରାଲ୍‌ କାସିମ୍‌ ସୁଲେମାନିଙ୍କୁ ହତ୍ୟା କରିବା ପରେ ଏହାର ଜବାବ ଦେବାକୁ ଯାଇ ଇରାନ୍‌ ପକ୍ଷରୁ ବାଗଦାଦ୍‌ସ୍ଥିତ ଦୁଇଟି ଆମେରିକୀୟ ସେନା ଶିବିରକୁ ଟାର୍ଗେଟ୍‌ କରିଥିଲା।

ଇରାନ୍‌ ପକ୍ଷରୁ ୨୨ଟି ମିସାଇଲ୍‌ ମାଡ଼ କରାଯାଇଥିବା ବେଳେ ଏଥି ମଧ୍ୟରୁ ଗୋଟିଏ ଏହି ୟୁକ୍ରେନ୍‌ ବିମାନରେ ବାଜିଥିବା କୁହାଯାଇଥିଲା। ଇରାନ୍‌ ସେନାବାହିନୀ ପକ୍ଷରୁ ଶନିବାର ଜାରି ଏକ ବିଜ୍ଞପ୍ତିରେ କୁହାଯାଇଛି ଯେ ଆମେରିକାର ସେନା ଶିବିର ଉପରେ ଆକ୍ରମଣ କରାଯିବା ବେଳେ ଗୋଟିଏ ମିସାଇଲ୍‌ ଭୁଲ୍‌ବଶତଃ ୟୁକ୍ରେନ୍‌ ବିମାନରେ ବାଜିଥିଲା। ଆମେରିକା ସହ ଉତ୍ତେଜନାମୂଳକ ପରିସ୍ଥିତି ଜାରି ରହିଥିବାରୁ ସେନା ନିଜକୁ ସବୁବେଳେ ଜାଗ୍ରତ ରଖିଛି। ତେବେ ୟୁକ୍ରେନ୍‌ ବିମାନରେ ଭୁଲ୍‌ବଶତଃ ମିସାଇଲ୍‌ ବାଜିବା ଘଟଣା ଆଦୌ ଉଦ୍ଦେଶ୍ୟମୂଳକ ନ ଥିଲା, ବରଂ ଏଥିପାଇଁ ଆମେରିକା ପରୋକ୍ଷ ଭାବେ ଦାୟୀ ବୋଲି ଇରାନ୍‌ ସେନା ପକ୍ଷରୁ କୁହାଯିବା ସହ ଏଥିପାଇଁ ଦୁଃଖ ପ୍ରକାଶ କରାଯାଇଛି। ଏହାଛଡ଼ା ଏପରି ଅଘଟଣକୁ ଆଗାମୀ ଦିନରେ ଏଡ଼ାଇବା ସକାଶେ ନିଜର ବ୍ୟବସ୍ଥାକୁ ଅଧିକ ଉନ୍ନତ କରାଯିବ ବୋଲି ସେନା ପକ୍ଷରୁ କୁହାଯାଇଛି। ଏଥିସହ ୧୭୬ ଜଣ ନିରୀହ ଯାତ୍ରୀଙ୍କ ଜୀବନ ନେଇଥିବା ଏହି ଅଘଟଣ ପାଇଁ ଦାୟୀ ଯବାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ମଧ୍ୟ କୁହାଯାଇଛି। ସେହିପରି ଇରାନ୍‌ ରାଷ୍ଟ୍ରପତି ହସନ୍‌ ରୁହାନୀ ଟ୍ବିଟ୍‌ କରି ଏହା ଏକ ଅକ୍ଷମଣୀୟ ଅପରାଧ ବୋଲି କହିବା ସହ ମୃତକଙ୍କ ପରିବାର ପ୍ରତି ସମବେଦନା ଜଣାଇଛନ୍ତି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ