ସ୍ବରାଷ୍ଟ୍ର ମନ୍ତ୍ରୀଙ୍କ ନାଁରେ ଫୋନ୍‌ କରିଥିବାରୁ ପୂର୍ବତନ ୱିଙ୍ଗ୍‌ କମାଣ୍ଡର୍‌ ଗିରଫ


କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍‌ ଶାହଙ୍କ ନାଁରେ ମଧ୍ୟ ପ୍ରଦେଶ ରାଜ୍ୟପାଳ ଲାଲ୍‌ଜି ଟଣ୍ଡନ୍‌ଙ୍କୁ ଫୋନ୍‌ କରିଥିବା ଅଭିଯୋଗରେ ବାୟୁସେନାର ଜନୈକ ପୂର୍ବତନ ୱିଙ୍ଗ୍‌ କମାଣ୍ଡର୍‌ଙ୍କୁ ଗିରଫ କରାଯାଇଛି। ୱିଙ୍ଗ୍‌ କମାଣ୍ଡର୍‌ କୁଲଦୀପ ବାଘେଲା କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀଙ୍କ ନାଁର ଅସତ୍‌ ଉପଯୋଗ କରିଥିବାରୁ ତାଙ୍କୁ ଗିରଫ କରାଯାଇଥିବା ଅତିରିକ୍ତ ପୋଲିସ୍‌ ମହାନିର୍ଦେଶକ ଅଶୋକ ଅବସ୍ତୀ କହିଛନ୍ତି। ମିଳିଥିବା ସୂଚନାନୁସାରେ, ୱିଙ୍ଗ୍‌ କମାଣ୍ଡର୍‌ ବାଘେଲା ପୂର୍ବରୁ ୨୦୧୪ରେ ତତ୍କାଳୀନ ରାଜ୍ୟପାଳ ରାମ ନରେଶ ଯାଦବଙ୍କ ଏଡିସି ଭାବେ କାର୍ଯ୍ୟ କରିଥିଲେ। ସେ ତାଙ୍କର ବନ୍ଧୁ ଚନ୍ଦ୍ରେଶ କୁମାର ଶୁକ୍ଳାଙ୍କ ମାଧ୍ୟମରେ ରାଜ୍ୟପାଳ ଟଣ୍ଡନ୍‌ଙ୍କୁ ଫୋନ୍‌ କରିଥିଲେ। ଜଣେ ଜଣାଶୁଣା ଡେଣ୍ଟାଲ୍‌ ସର୍ଜନ୍‌ ଶୁକ୍ଳା ସ୍ବରାଷ୍ଟ୍ର ମନ୍ତ୍ରୀ ଶାହଙ୍କ ବ୍ୟକ୍ତିଗତ ସଚିବ ଭାବେ ଏହି ଫୋନ୍‌କଲ୍‌ କରିଥିଲେ। ପରେ ରାଜ୍ୟପାଳଙ୍କ ସହ ବାଘେଲା ଫୋନ୍‌ରେ କଥା ହୋଇ ତାଙ୍କର ଜଣେ ବନ୍ଧୁଙ୍କୁ ଏକ ମେଡିକାଲ୍‌ ସାଇନ୍ସ ୟୁନିଭର୍ସିଟିର କୁଳପତି ଭାବେ ନିଯୁକ୍ତି ଦେବା ସକାଶେ ପ୍ରରୋଚିତ କରିଥିଲେ।

ଶୁକ୍ଳା ଭୋପାଳରେ ଏକ ଡେଣ୍ଟାଲ୍‌ କ୍ଲିନିକ୍‌ ଚଳାଉଥିବା ବେଳେ ଫୋନ୍‌ କଲ୍‌ରେ ନିଜକୁ ସ୍ବରାଷ୍ଟ୍ର ମନ୍ତ୍ରୀ ଶାହଙ୍କ ବ୍ୟକ୍ତିଗତ ସଚିବ ଭାବେ ପରିଚୟ ଦେଇଥିଲେ। ସେ ଫୋନ୍‌ କଲ୍‌ କରିବା ପରେ ରାଜଭବନ କର୍ମଚାରୀମାନେ ଫୋନ୍‌ ରିସିଭ୍‌ କରିଥିଲେ। ସଙ୍ଗେ ସଙ୍ଗେ ଶୁକ୍ଳା ସ୍ବରାଷ୍ଟ୍ର ମନ୍ତ୍ରୀ ରାଜ୍ୟପାଳଙ୍କ ସହ କଥା ହେବାକୁ ଚାହୁଁଛନ୍ତି ବୋଲି କହିଥିଲେ। ତୁରନ୍ତ ୱିଙ୍ଗ୍‌ କମାଣ୍ଡର୍‌ ବାଘେଲା ଫୋନ୍‌ରେ ରାଜ୍ୟପାଳଙ୍କ ସହ କଥାବର୍ତ୍ତା ହୋଇଥିଲେ। ଏହି ସମୟରେ ବାଘେଲା ତାଙ୍କ ବନ୍ଧୁ ଶୁକ୍ଳାଙ୍କୁ ମେଡିକାଲ୍‌ ସାଇନ୍ସ ୟୁନିଭର୍ସିଟିର କୁଳପତି ଭାବେ ନିଯୁକ୍ତି ଦେବା ସକାଶେ ଚାପ ପକାଇବାକୁ ଉଦ୍ୟମ କରିଥିଲେ। ଏହି ଘଟଣା ଜଣାପଡ଼ିବା ପରେ ବାଘେଲାଙ୍କ ସହ ଶୁକ୍ଳାଙ୍କୁ ମଧ୍ୟ ଗିରଫ କରାଯାଇଛି। ଶୁକ୍ଳାଙ୍କର ବଲିଉଡ୍‌ରେ ଅଭିନୟ କରିବାର ଆଗ୍ରହ ଥିବା ବେଳେ ସେ ଏପରି ଅଭିନୟ ପାଇଁ ଆଗଭର ହୋଇଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ ଯେ ଗତ ବର୍ଷ ଜୁଲାଇ ୨୯ ତାରିଖରେ ମଧ୍ୟ ପ୍ରଦେଶ ମେଡିକାଲ୍‌ ସାଇନ୍ସେସ୍‌ ୟୁନିଭର୍ସିଟିରେ କୁଳପତି ନିଯୁକ୍ତି ସଂକ୍ରାନ୍ତରେ ରାଜଭବନ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଏଥିପାଇଁ ଶୁକ୍ଳା ଗତ ଜାନୁଆରୀ ୩ ତାରିଖରେ ଇଣ୍ଟରଭ୍ୟୁରେ ମଧ୍ୟ ଭାଗ ନେଇଥିଲେ। କିନ୍ତୁ ନିଯୁକ୍ତିକୁ ନିଶ୍ଚିତ କରିବା ସକାଶେ ସେ ତାଙ୍କ ପୁରୁଣା ବନ୍ଧୁ ବାଘେଲାଙ୍କ ସହଯୋଗ ନେଇଥିଲେ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ