ସିଏଏ ସଚେତନତା ରାଲି: କଂଗ୍ରେସ ଉପରେ ବର୍ଷିଲେ, ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶାଂସା କଲେ କେନ୍ଦ୍ରମନ୍ତ୍ରୀ


ନାଗରିକତ୍ୱ ସଂଶୋଧନ ଆଇନ (ସିଏଏ) ସପକ୍ଷରେ ଜନସମର୍ଥନ ଯୋଗାଡ଼ରେ ଲାଗି ପଡ଼ିଛି ବିଜେପି। ସିଏଏକୁ ନେଇ ଲୋକମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବାକୁ ବିଭିନ୍ନ ରାଲି ଏବଂ ସଭାର ଆୟୋଜନ କରାଯାଉଛି। ଗତ ୭ ତାରିଖରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବାଲେଶ୍ବର, କେନ୍ଦ୍ରାପଡ଼ା ଓ ପୁରୀରେ ୩ ଜଣ କେନ୍ଦ୍ରମନ୍ତ୍ରୀ ଲୋକଙ୍କୁ ସଚେତନ କରିଥିବା ବେଳେ ଶୁକ୍ରବାର କେନ୍ଦ୍ରମନ୍ତ୍ରୀ ବାବୁଲ ସୁପ୍ରିୟୋ ବ୍ରହ୍ମପୁରରେ ସଚେତନତା ରାଲି କରିଛନ୍ତି। ଏହି ରାଲିରେ ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା ଯୋଗ ଦେଇଥିଲେ। ସିଏଏକୁ ବାମପନ୍ଥୀ ଦଳ, କଂଗ୍ରେସ ଓ ତୃଣମୂଳ କଂଗ୍ରେସ ନେତ୍ରୀ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କ ବ୍ୟତୀତ ଦେଶର ଅନ୍ୟମାନେ ସମର୍ଥନ କରୁଛନ୍ତି। ଯେତେ ଅପପ୍ରଚାର କରାଗଲେ ମଧ୍ୟ ସିଏଏ ବଳବତ୍ତର ରହିବ। ଏହାଦ୍ୱାରା ସଂଖ୍ୟାଲଘୁମାନେ ବିଶେଷ ଉପକୃତ ହେବେ। ଶୁକ୍ରବାର ବ୍ରହ୍ମପୁରରେ ସିସିଏ ସମ୍ପର୍କରେ ଜନଜାଗରଣ ଲାଗି ଆୟୋଜିତ ପଦଯାତ୍ରା ଓ ସଭାରେ ଯୋଗଦେଇ କେନ୍ଦ୍ରମନ୍ତ୍ରୀ ବାବୁଲ ସୁପ୍ରିୟୋ ଏହା ସ୍ପଷ୍ଟ କରିଛନ୍ତି। ତେବେ ଏହି ରାଲିରେ କେନ୍ଦ୍ରମନ୍ତ୍ରୀ କଂଗ୍ରେସ ଉପରେ ଜୋର୍‌ଦାର ବର୍ଷିଥିବା ବେଳେ କିନ୍ତୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଶାଂସା କରିବାକୁ ଭୁଲି ନାହାନ୍ତି।

ବାବୁଲ୍‌ ସୁପ୍ରିୟୋ କହିଛନ୍ତି, ନାଗରିକତା ସଂଶୋଧନ ଆଇନ ସମ୍ବନ୍ଧରେ କଂଗ୍ରେସ ନେତା ରାହୁଲ ଗାନ୍ଧି କେବଳ ମିଥ୍ୟା ପ୍ରଚାର କରିଚାଲିଛନ୍ତି। ଭାରତର ସଂସ୍କୃତି ହେଉଛି ‘ଅତିଥି ଦେବୋ ଭବଃ’। ସେହି ଆଧାରରେ ଧାର୍ମିକ ନିର୍ଯାତନାର ଶିକାର ହୋଇ ଭାରତ ଆସିଥିବା ନାଗରିକଙ୍କୁ ମୋଦୀ ସରକାର ନାଗରିକତା ଦେବା ପାଇଁ ଏହି ଆଇନ ଆଣିଛନ୍ତି। ୨୦୧୯ ସାଧାରଣ ନିର୍ବାଚନ ହାରିବା ପରେ କଂଗ୍ରେସ ଅସହିଷ୍ଣୁ ହୋଇପଡିଛି। ଏବେ କୌଣସି ପ୍ରସଙ୍ଗ ନ ଥିବା କାରଣରୁ ନାଗରିକତା ସଂଶୋଧନ ଆଇନର ମିଥ୍ୟା ପ୍ରଚାର କରି କଂଗ୍ରେସ ଦେଶର ଜନତାଙ୍କୁ ବିଭ୍ରାନ୍ତ କରି ହିଂସା ସୃଷ୍ଟି କରୁଛି। ବିରୋଧୀ ଦଳମାନଙ୍କ ପକ୍ଷରୁ ଯେଉଁ ଅପପ୍ରଚାର କରାଯାଉଛି ସେଥିରେ ସତ୍ୟତା ନାହିଁ। ଭାରତର ସମ୍ବିଧାନ ଅନୁସାରେ ସବୁ ଧର୍ମର ନାଗରିକଙ୍କୁ ସମାନ ଅଧିକାର ଦିଆଯାଇଛି। କିନ୍ତୁ ପାକିସ୍ତାନ, ଆଫଗାନିସ୍ତାନ ଏବଂ ବାଂଲାଦେଶରେ ଧର୍ମ ଅନୁଯାୟୀ ସମ୍ବିଧାନ ହୋଇଥାଏ। ଦେଶରେ ସଂଖ୍ୟାଲଘୁମାନଙ୍କୁ ସୁରକ୍ଷା ଦେବା ଏବଂ ପଡ଼ୋଶୀ ଦେଶର ସଂଖ୍ୟାଲଘୁମାନଙ୍କୁ ଭାରତରେ ଆଶ୍ରୟ ଦେବା ପାଇଁ ଭାରତ ବିଭାଜନ ପରେ ଗାନ୍ଧିଜୀ ଦେଶବାସୀଙ୍କୁ କହିଥିଲେ। ଏବେ ମୋଦିଜୀ ଏହି ଆଇନ ଆଣି ପଡ଼ୋଶୀ ଦେଶର ସଂଖ୍ୟାଲଘୁମାନଙ୍କୁ ନାଗରିକତା ଦେବା ପାଇଁ ପ୍ରଚେଷ୍ଟା କରିଛନ୍ତି ବୋଲି କହିଛନ୍ତି ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା।

ଏଥିସହ କେନ୍ଦ୍ରମନ୍ତ୍ରୀ ବାବୁଲ ସୁପ୍ରିୟୋ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକଙ୍କୁ ଭୁୟସି ପ୍ରଶଂସା କରିଥିଲେ। ମମତା ବାନାର୍ଜୀଙ୍କ ଭଳି ନୁହଁନ୍ତି ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ନବୀନ ଶାନ୍ତ ଆଉ ଭଲ ନେତା। ମମତା ସବୁ ପ୍ରସଙ୍ଗରେ ରାଜରାସ୍ତାକୁ ଆସି ହୋ ହଲ୍ଲା କରିବା ସାଧାରଣ କଥା ପାଲଟିଲାଣି। କିନ୍ତୁ ନବୀନ ସେମିତି ନୁହନ୍ତି ବୋଲି କହିଥିଲେ ସୁପ୍ରିୟୋ। ଏହି ରାଲି ଟାଟାବେଞ୍ଜ ଛକ, ସୁବାରାଓ ଛକ, କଲେଜ ରୋଡ, ପୁରୁଣା ବସ୍‌ଷ୍ଟାଣ୍ଡ, ଅର୍ବାନ ବ୍ୟାଙ୍କ୍‌ ରୋଡ୍‌, ଏସ୍‌ଏନ୍‌ଟି ରୋଡ୍‌, ଗିରି ମାର୍କେଟ୍‌, ହନୁମାନ ବଜାର ଛକ, ସିଟି ହାଇସ୍କୁଲ୍‌ ରୋଡ୍‌ ଦେଇ ଗାନ୍ଧି ପାର୍କ ରୋଡ୍‌ରେ ପହଞ୍ଚଥିଲା। ଏଥିରେ ଜିଲ୍ଲାର ୧୩ ବିଧାନସଭା ନିର୍ବାଚନ ମଣ୍ଡଳୀରୁ ଆସିଥିବା ଦଳୀୟ ନେତା, କର୍ମୀ ଏବଂ ହଜାର ହଜାର ସମର୍ଥକ ସାମିଲ୍‌ ହୋଇଥିଲେ। କାର୍ଯ୍ୟକ୍ରମରେ ଗତ ସାଧାରଣ ନିର୍ବାଚନରେ ଆସିକା ଓ ବ୍ରହ୍ମପୁର ଲୋକସଭା କ୍ଷେତ୍ରର ଦଳୀୟ ପ୍ରାର୍ଥୀ ଅନିତା ଶୁଭଦର୍ଶନୀ ଓ ଭୃଗୁ ବକ୍ସିପାତ୍ର ଏବଂ ସମସ୍ତ ବିଧାୟକ ପ୍ରାର୍ଥୀ ଯୋଗ ଦେଇଥିଲେ। ସୂଚନାଯୋଗ୍ୟ, ଶନିବାର ବିଜେପିର ସିଏଏ ଉପରେ ସମ୍ବଲପୁରରେ ବଡ଼ ଧରଣର  ଜନଜାଗରଣ କାର୍ଯ୍ୟକ୍ରମ ରହିଛି। ସେଥିରେ ଯୋଗଦେବାକୁ ଆସିଥିବା କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂ ଭୁବନେଶ୍ବରରେ ପହଞ୍ଚିଛନ୍ତି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ