ଉତ୍ତମ ସ୍ବାସ୍ଥ୍ୟ
ଲାଇମ୍ ରୋଗରେ ପୀଡ଼ିତ ପପ୍ଷ୍ଟାର ଜଷ୍ଟିନ୍ ବିବର, ଜାଣନ୍ତୁ ଏହାର କାରଣ ଓ ଲକ୍ଷଣ

କାନାଡିଆନ୍ ପପ୍ ସିଙ୍ଗର ତଥା ସଙ୍ଗ ରାଇଟର ଜଷ୍ଟିନ୍ ବିବର ନିଜ ଗୀତ ବ୍ୟତିତ ବ୍ୟକ୍ତିଗତ ଜୀବନ ଓ ଲୁକ୍ସକୁ ନେଇ ମଧ୍ୟ ବେଶ୍ ଚର୍ଚ୍ଚାରେ ରହିଥାନ୍ତି। କିନ୍ତୁ ଏବେ ସେ ନିଜ ରୋଗକୁ ନେଇ ଚର୍ଚ୍ଚାରେ ରହିଛନ୍ତି। କିଛି ଦିନ ପୂର୍ବରୁ ଇନ୍ଷ୍ଟାଗ୍ରାମ୍ ପୋଷ୍ଟ ଜରିଆରେ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ ସେ ଲାଇମ୍ ରୋଗ ଓ ମୋନୋନ୍ୟୁକ୍ଲିଓସିସ୍ ଭଳି ଗମ୍ଭୀର ରୋଗରେ ପୀଡ଼ିତ।
ଜଷ୍ଟିନ୍ ଲେଖିଛନ୍ତି ଯେ ଅନେକ ଲୋକ କହୁଛନ୍ତି, ଜଷ୍ଟିନ୍ ବିବର ବହୁତ ଖରାପ ଦେଖାଯାଉଛନ୍ତି। କିନ୍ତୁ ସେମାନେ ଦେଖିପାରୁ ନାହାନ୍ତି ଯେ ସେ ରୋଗରେ ପୀଡ଼ିତ ଅଛନ୍ତି। କିଛି ଦିନ ପୂର୍ବରୁ ତାଙ୍କ ଶରୀରରେ ଲାଇମ୍ ରୋଗ ବାହାରିଛି। କେବଳ ସେତିକି ନୁହେଁ, ବରଂ କ୍ରୋନିକ୍ ମୋନୋର ମଧ୍ୟ ଗମ୍ଭୀର ସମସ୍ୟା ରହିଛି। ଯେଉଁ କାରଣରୁ ତାଙ୍କ ଚର୍ମ, ମସ୍ତିଷ୍କ, ବଡି ଏନର୍ଜି ଓ ଓଭରଅଲ୍ ହେଲ୍ଥ ମଧ୍ୟ ପ୍ରଭାବିତ ହୋଇଛି ବୋଲି ଜଷ୍ଟିନ୍ ଲେଖିଛନ୍ତି। ଜଷ୍ଟିନ୍ ଆହୁରି ମଧ୍ୟ ଲେଖିଥିଲେ ଯେ ଗତ କିଛି ବର୍ଷ ତାଙ୍କ ପାଇଁ ମୁସ୍କିଲ ରହିଛି। କିନ୍ତୁ ଉପଯୁକ୍ତ ଟ୍ରିଟ୍ମେଣ୍ଟ ସହାୟତାରେ ଖୁବ୍ଶୀଘ୍ର ଏହି ରୋଗରୁ ମୁକ୍ତି ପାଇପାରିବେ ବୋଲି ସେ ଆଶା ରଖିଛନ୍ତି। ଏଥିରୁ ମୁକ୍ତି ପାଇବା ପରେ ଖୁବ୍ଶୀଘ୍ର ଫେରିବେ ବୋଲି ଜଷ୍ଟିନ୍ ଲେଖିଛନ୍ତି।
ଲାଇମ୍ ରୋଗ କ’ଣ
ସୂଚନାଯୋଗ୍ୟ ଯେ ଲାଇମ୍ ରୋଗ ବୋରେଲିଆ ବର୍ଗଡୋରଫେରି ବ୍ୟାକ୍ଟେରିଆ କାରଣରୁ ହେଉଥିବା ସଂକ୍ରମିତ ରୋଗ ଅଟେ। ଯାହା ସଂକ୍ରମିତ ଟିଙ୍କ, ହରିଣ, ଛେଳି, କୁକୁର, ପକ୍ଷୀ କିମ୍ବା ମୂଷା କାମୁଡ଼ିବା କିମ୍ବା ସଂସ୍ପର୍ଷରେ ଆସିବା ପରେ ମଣିଷକୁ ସଂକ୍ରମିତ ହୋଇଥାଏ। ଏହି ବ୍ୟାକ୍ଟେରିଆର ପ୍ରଭାବ ତ୍ବଚା ଉପରେ ଅତିକମ୍ରେ ୩୬ ଘଣ୍ଟା ପରେ ଦେଖିବାକୁ ମିଳିଥାଏ।
କେଉଁ ଲୋକଙ୍କଠାରେ ଆଶଙ୍କା ଅଧିକ
ଜଙ୍ଗଲ କ୍ଷେତ୍ରରେ ଅଧିକ ସମୟ ରହୁଥିବା ଲୋକଙ୍କୁ ଏହି ରୋଗ ଆଶଙ୍କା ଅଧିକ ରହିଥାଏ। ସେହିପରି ପୋଷା ଜୀବଙ୍କ ସହିତ ରହୁ୍ଥିବା ଲୋକଙ୍କୁ ମଧ୍ୟ ଲାଇମ୍ ରୋଗରେ ପୀଡ଼ିତ ହୋଇପାରନ୍ତି। ଯଦି ଲାଇମ୍ ଡିଜିଜ୍କୁ ଠିକ୍ ସମୟରେ ଚିହ୍ନଟ କରି ଏହାର ଚିକିତ୍ସା କରାଯାଏ, ତେବେ ରୋଗୀ ଆଗକୁ ଯାଇ ନ୍ୟୁରୋଲୋଜିକ୍, କାର୍ଡିଆକ ଓ ରିମୋଟୋଲୋଜିକ୍ ଭଳି ରୋଗରେ ପଡ଼ି ପାରନ୍ତି।
ଲାଇମ୍ ରୋଗର କାରଣ
ଏହି ରୋଗ ଏଥିପାଇଁ ବି ଖତରନାକ କୁହାଯାଏ, କାରଣ ଏହାର ଲକ୍ଷଣ ବିଲ୍କୁଲ ସାଧାରଣ ହୋଇଥାଏ। ଯେମିତିକି ଥକାପଣ, ଗଣ୍ଠିରେ ଯନ୍ତ୍ରଣା ଓ ଫୁଲିବା, ମାଂସପେଶୀରେ ଟୁଇଚ୍, ମୁଣ୍ଡ ବିନ୍ଧା, ଜ୍ବର ହେବା, ନିଦ ନ ହେବା, ଏକାଗ୍ରତାରେ ଅଭାବ, ଲିମ୍ଫ ନୋଡ୍ସ ଫୁଲିବା, ତ୍ବଚାରେ ଚକଡ଼ା ପଡ଼ିବା ଭଳି ଲକ୍ଷଣ ଦେଖିବାକୁ ମିଳିଥାଏ।
ଲାଇମ୍ ରୋଗର ଚିକିତ୍ସା
ଏହି ରୋଗର ଚିକିତ୍ସା ପାଇଁ ଡାକ୍ତର ସଂକ୍ରମଣକୁ ଶେଷ କରିବା ଲାଗି ଆଣ୍ଟିବାୟୋଟିକ୍ ଔଷଧର ୧୦ରୁ ୧୪ ଦିନର ଏକ କୋର୍ସ କରିଥାନ୍ତି। ସେହିପରି ଇଣ୍ଟ୍ରାଭେନସ୍ (ଆଇଭି) ଆଣ୍ଟିବାୟୋଟିକ୍ ଔଷଧର ବ୍ୟବହାର ଲାଇମ୍ ରୋଗର ଚିକିତ୍ସା କରାଯାଇପାରିବ। ଏହାର ପୂରା କୋର୍ସ ସାଧାରଣତଃ ୧୪ରୁ ୨୮ ଦିନର ହୋଇଥାଏ।
ରୋଗରୁ ରକ୍ଷା ପାଇଁ କ’ଣ କରିବା ଉଚିତ
ଘରେ ହେଉ ବା ବାହାରେ ପାର୍କରେ ଘାସ ଉପରେ ବସିବାବେଳେ କପଡ଼ା ବିଛାନ୍ତୁ। କୌଣସି ଜଙ୍ଗଲ ଅଞ୍ଚଳରୁ କିମ୍ବା ପାର୍କରୁ ଫେରିବାର ଦୁଇ ଘଣ୍ଟା ଭିତରେ ଗାଧାନ୍ତୁ। କୌଣସି ପଶୁଙ୍କୁ ଛୁଇଁବା ପରେ ହାତ ପାଦ ନିହାତି ଧୁଅନ୍ତୁ। ଘରୁ ବାହାରକୁ ଗଲାବେଳେ ଶରୀରକୁ ଭଲ ଭାବେ କଭର କରନ୍ତୁ। ଉପରୋକ୍ତ ଲକ୍ଷଣ ଦେଖାଗଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ।
ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ