ଜୀବନ ଜୀବିକାର ବାଟ ଦେଖାଇଛି ନାରୀ ଶକ୍ତି

ସଶକ୍ତ ହେଉଛି ସ୍ୱୟଂ ସହାୟକ ଦଳ, ସ୍ବାବଲମ୍ବୀ ହେବା ପାଇଁ ଯୋଗାଇଛି ପ୍ରେରଣା

ଗ୍ରାମୀଣ ମହିଳାଙ୍କ ଆର୍ଥିକ ଉନ୍ନତି ଆଭିମୁଖ୍ୟ ନେଇ ଆମରାଜ୍ୟରେ ଗଠିତ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଗୁଡିକ ଏବେ ଧୀରେ ଧୀରେ ସଶକ୍ତ ହେବାରେ ଲାଗିଛନ୍ତି। ଯେଉଁମାନେ ପରିବାରର ଚାରିକାନ୍ଥର ଚୌହଦି ଭିତରେ ନିଜକୁ ସୀମିତ ରଖୁଥିଲେ, ସେମାନେ ବିଭିନ୍ନ ରୋଜଗାର ଭିତ୍ତିକ କାର୍ଯ୍ୟରେ ନିଜକୁ ନିୟୋଜିତ କରି ବେଶ୍‌ ଦୁଇ ପଇସା ରୋଜଗାର କରିପାରୁଛନ୍ତି। ଆର୍ଥିକ ଦୃଷ୍ଟିରୁ ସ୍ୱାବଲମ୍ବୀ ହେଉଥିବାରୁ ସାମାଜିକ ଓ ରାଜନୈତିକ କ୍ଷେତ୍ରରେ ସେମାନଙ୍କ ପତିଆରା ବୃଦ୍ଧି ପାଇଛି। ଦିନେ ଯେଉଁ ମହିଳାମାନେ ଗାଁ ଦାଣ୍ଡରେ ପରସ୍ପରକୁ ଭେଟିଲେ ମୁହଁ ପୋତି ଚାଲିଯାଉଥିଲେ, ସେହି ମହିଳାମାନେ ଏବେ ଗାଁ ଦାଣ୍ଡରେ ବସି ସଞ୍ଚୟ, ଋଣ ଓ ଅନ୍ୟାନ୍ୟ ବିକାଶ ଦିଗରେ ନିଷ୍ପତ୍ତି ନେଇପାରୁଛନ୍ତି। ବିଗତ ଦୁଇ ଦଶନ୍ଧି ଧରି ଓଡ଼ିଶାର ଗ୍ରାମୀଣ ମହିଳାମାନେ ୬ ଲକ୍ଷରୁ ଅଧିକ ଦଳ ଗଢି କୋଟି କୋଟି ଟଙ୍କାର ପୁଞ୍ଜି ସଂଗ୍ରହ କରିପାରିଛନ୍ତି ଓ ତାଲିମ ନେଇ ନିଜ ଉତ୍ପାଦିତ ଦ୍ରବ୍ୟକୁ ଦେଶର ବିଭିନ୍ନ ବଜାରରେ ପହଞ୍ଚାଇ ଦେଇଛନ୍ତି। ଏହି ଦଳଗୁଡିକୁ ମାର୍ଗଦର୍ଶନ ଦେବା ପାଇଁ ରାଜ୍ୟରେ ମିଶନ ଶକ୍ତି ବିଭାଗ ଖୋଲାଯାଇଛି। ପାରମ୍ପରିକ ଲୁଙ୍ଗି ଗାମୁଛା ବୁଣି ଦିନେ ଯେଉଁ ଗ୍ରାମୀଣ କାରିଗର ଦିନକୁ ୨୦୦ ଟଙ୍କା ରୋଜଗାର ପାଇଁ ଅକ୍ଷମ ଥିଲା, ସେଠି ସ୍ୱୟଂ ସହାୟକ ଦଳ ଗଢ଼ାଯିବ ପରେ ଆଧୁନିକ ତଥା ବଜାର ଚାହିଦାକୁ ଦୃଷ୍ଟିରେ ରଖି ନୁଆ ନୁଆ ଉତ୍ପାଦ ତିଆରି ହେବା ଆରମ୍ଭ ହୋଇଛି। ଉଦ୍ୟୋଗୀ ମନୋବୃତ୍ତି ନେଇ ଦଳଗୁଡିକ ବ୍ୟବସାୟର ଏକ ସ୍ୱର୍ଣ୍ଣିମ ଯାତ୍ରା ଆରମ୍ଭ କରିଛନ୍ତି। ହ୍ୟାଣ୍ଡଲୁମ, ହ୍ୟାଣ୍ଡ କ୍ରାଫ୍ଟ , ଅଣ କାଷ୍ଠ ବନଜାତ ଦ୍ରବ୍ୟ, ଖାଦ୍ୟ ପ୍ରକ୍ରିୟାକରଣ ଓ ପ୍ୟାକେଜିଙ୍ଗ, ବିଭିନ୍ନ ପ୍ରକାର ମସଲା, ଗୋପାଳନ, ଫୁଲଚାଷ, ମାଛ ଚାଷ, ବାଉଁଶର ତିଆରି ବିଭିନ୍ନ ଦ୍ରବ୍ୟ ତିଆରି କରି ବ୍ୟବସାୟର ନୂଆ ଧାରା ତିଆରି କରିଛନ୍ତି ସେମାନେ।

ଗତ ଡିସେମ୍ବର ୫ରୁ ଡିସେମ୍ବର ୧୬ ଯାଏ ଭୁବନେଶ୍ୱରର ପ୍ରଦର୍ଶନୀ ପଡ଼ିଆ ଠାରେ ମିଶନ ଶକ୍ତି ମେଳାର ଆୟୋଜନ କରାଯାଇଥିଲା। ଏଥିରେ ୨୦୨ଟି ଷ୍ଟଲ ଖୋଲାଯାଇ ରାଜ୍ୟର ସ୍ୱୟଂ ସହାୟକ ଦଳ ଗୁଡିକ ଦ୍ୱାରା ପ୍ରସ୍ତୁତ ଉତ୍ପାଦର ବିକ୍ରିବଟା କରାଯାଇଥିଲା। ମେଳାରେ ସମୁଦାୟ ୬ କୋଟି ଟଙ୍କାର କାରବାର ହୋଇଥିଲା। ମାଲକାନଗିରିରୁ ମୟୁରଭଞ୍ଜ ଯାଏ ୩୦ଟି ଜିଲାର ସ୍ୱୟଂ ସହାୟକ ଦଳ ଗୁଡିକ ଏଥିରେ ଉତ୍ସାହର ସହିତ ଯୋଗଦାନ କରିଥିଲେ। କେବଳ ଏହି ଗୋଟିଏ ମେଳା ନୁହେଁ, ବର୍ଷ ସାରା ସେମାନେ କିଭଳି ନିଜ ଉତ୍ପାଦିତ ଦ୍ରବ୍ୟର ବିକ୍ରି କରିପାରିବେ ସେଥିପାଇଁ ପ୍ରତ୍ୟେକ ଅଗ୍ରଣୀ ଦଳକୁ ସରକାର ଗୋଟିଏ ଲେଖାଏଁ ମୋବାଇଲ ମାଗଣାରେ ଦେବା ସହ ୧୫,୦୦୦ ହଜାର ଟଙ୍କା ଋଣ ଯୋଗାଇ ଦେଇଛନ୍ତି। ୧ ପ୍ରତିଶତ ସୁଧରେ ଦଳଗୁଡିକୁ ଋଣ ଯୋଗାଇ ଦିଆଯାଇଛି। କେନ୍ଦ୍ର ସରକାର ମଧ୍ୟ ମହିଳା ସ୍ଵୟଂ ସହାୟକ ଦଳଗୁଡିକ ପାଇଁ ବିଭିନ୍ନ ଯୋଜନା ଘୋଷଣା କରିଛନ୍ତି।

ଓଡିଶା ଭଳି ଆନ୍ଧ୍ର ପ୍ରଦେଶ, କର୍ଣ୍ଣାଟକ, ତାମିଲନାଡୁ ଓ ମହାରାଷ୍ଟ୍ରରେ ମହିଳା ସ୍ୱୟଂ ସହାୟକ ଦଳଗୁଡିକ ବିଭିନ୍ନ ଉଦ୍ୟୋଗରେ ଜଡ଼ିତ ହୋଇ ବହୁତ ଆଗକୁ ଗଲେଣି। ମହାରାଷ୍ଟ୍ରର ମହିଳା ଦଳଗୁଡିକ ଦ୍ୱାରା ପ୍ରସ୍ତୁତ ବିଭିନ୍ନ ଦ୍ରବ୍ୟ ଏବେ ଇ-କମର୍ସ ୱେବ ପୋର୍ଟାଲରେ ସ୍ଥାନ ପାଇଛି। ଆମାଜନ ସହ ଯୋଡ଼ି ହୋଇ ବଜାରରେ ପ୍ରବେଶ କରିଛି। ଉପଭୋକ୍ତା ମାନଙ୍କ ପାଇଁ ଅନ୍‌ଲାଇନରେ ୧୫୦ରୁ ଅଧିକ ଦ୍ରବ୍ୟ ଉପଲବ୍ଧ ହେଉଛି। ଅଳଙ୍କାର, ଘିଅ, ରେଶମ, ମସଲା, ଲଙ୍କା ପାଉଡ଼ର ଓ ବାଉଁଶ ତିଆରି ବିଭିନ୍ନ ଘରକରଣା ଦ୍ରବ୍ୟ ଏଥିରେ ସ୍ଥାନ ପାଇଛି। ମହାରାଷ୍ଟ୍ରର ୧.୬ ଲକ୍ଷ ମହିଳା ସ୍ୱୟଂ ସହାୟକ ଦଳର ୧୩ ଲକ୍ଷ ମହିଳା ସଦସ୍ୟ ଏଥିରୁ ଲାଭ ପାଉଛନ୍ତି।

କିଛି ବର୍ଷ ତଳେ ଆମ ରାଜ୍ୟରେ ଏଭଳି ଧାରା ଆରମ୍ଭ ହୋଇଛି। ବାଲେଶ୍ୱର ଜିଲ୍ଲାରେ ଫେସବୁକ ୨୨୫୦ଟି ସ୍ଵୟଂସହାୟକ ଦଳକୁ ଡିଜିଟାଲ ମାର୍କେଟିଙ୍ଗ ବାବଦରେ ପ୍ରଶିକ୍ଷିତ କରାଇଛି। ବୁଷ୍ଟ ୟୋର ବିଜନେସ ପ୍ରକଳ୍ପ ଜରିଆରେ ଦଳଗୁଡିକୁ ତାଲିମ ଦିଆଯିବା ପରେ ସେମାନଙ୍କୁ ଏବେ ବେଶ୍‌ ଭଲ ରୋଜଗାର ମିଳୁଥିବା ଦେଖିବାକୁ ମିଳିଛି। ଟାଟା ଟ୍ରଷ୍ଟ ସହଯୋଗରେ ଇ କମର୍ସ ପୋର୍ଟାଲ ପ୍ରଚଳନ ହେବା ସାଙ୍ଗକୁ ବିଭିନ୍ନ ଏସ୍‌ଏଚଜିର ଉତ୍ପାଦର ବଜାର ପ୍ରବେଶ ଓର୍‌ମାସ ଜରିଆରେ ସଫଳତାର ସହ କରାଯାଇଛି। ଏବେ ଟ୍ରେନରେ ବିଭିନ୍ନ ପ୍ରକାର ଏସ୍‌ଏଚଜି ପକ୍ଷରୁ ଉତ୍ପାଦର ବିକ୍ରିବଟା ପାଇଁ ଉଦ୍ୟମ ଆରମ୍ଭ କରାଯାଇଛି। ଚାନ୍ଦୁଆ, ତାରକସି କାମରୁ ଆରମ୍ଭ କରି ଟସର, ମାଣିଆବନ୍ଧ ପାଟ ଓ ବାନ୍ଧଶିଳ୍ପର ନିଖୁଣ କାମ ହୋଇଥିବା ଶାଢ଼ି ପର୍ଯ୍ୟନ୍ତ ଏଣିକି ସବୁକିଛି ମିଳିବ ଆଇଆର୍‌ସିଟିସି ଓ୍ବେବ୍‌ସାଇଟ୍‌ରେ। ଓଡ଼ିଶା ମଧ୍ୟ ଦେଇ ଟ୍ରେନ୍‌ରେ ଯାତ୍ରା କରୁଥିବା ଲୋକ ଓଡ଼ିଶାର ହସ୍ତଶିଳ୍ପ, ହସ୍ତତନ୍ତ ସହ ପାରମ୍ପରିକ ଓଡ଼ିଆ ଖାଦ୍ୟର ମଜା ନେଇପାରିବେ। ଟ୍ରେନ୍‌ରେ ବସି ସ୍ଥାନୀୟ ଅଞ୍ଚଳର ସାମଗ୍ରୀ ଇଣ୍ଡିଆନ୍‌ ରେଲ୍‌ଓ୍ବେ କ୍ୟାଟରିଂ ଆଣ୍ଡ୍‌ ଟୁରିଜମ୍‌ କର୍ପୋରେସନ (ଆଇଆର୍‌ସିଟିସି) ଓ୍ବେବ୍‌ସାଇଟ୍‌ରେ ଅର୍ଡର କଲେ ଆଗାମୀ ଷ୍ଟେସନରେ ତାହା ଯାତ୍ରୀଙ୍କୁ ମିଳିବ।

ଓଡ଼ିଶାର ହସ୍ତଶିଳ୍ପୀ, ବୁଣାକାର ଏବଂ ସ୍ବୟଂ ସହାସହାୟକ ଗୋଷ୍ଠୀର ମହିଳାମାନଙ୍କୁ ଡିଜିଟାଲ ପ୍ଲାଟଫର୍ମରେ ସାମଗ୍ରୀ ବିପଣନର ସୁଯୋଗ ଯୋଗାଇ ଦେବାକୁ ଏଭଳି ଏକ ପଦକ୍ଷେପ ନେବାକୁ ଯାଉଛି ଓର୍‌ମାସ୍‌। ରାଜ୍ୟ ପଞ୍ଚାୟତିରାଜ ବିଭାଗ ଅଧୀନରେ ଥିବା ଓର୍‌ମାସ ପ୍ରଥମ ଥର ପାଇଁ ଆଇଆର୍‌ସିଟିସି ସହ ମିଶି ଓଡ଼ିଶାର ପାରମ୍ପରିକ ସାମଗ୍ରୀକୁ ଡିଜିଟାଲ ପ୍ଲାଟଫର୍ମରେ ଉପଲବ୍ଧ କରାଇବାକୁ ଯାଉଛି। ଏନେଇ ଖୁବ୍‌ଶୀଘ୍ର ଆଇଆର୍‌ସିଟିସି ଏବଂ ଓର୍‌ମାସ୍‌ ମଧ୍ୟରେ ଏମ୍‌ଓୟୁ ସ୍ବାକ୍ଷରିତ ହେବ ବୋଲି ସୂଚନା ମିଳିଛି। ପଶ୍ଚିମବଙ୍ଗ ଏବଂ ମହାରାଷ୍ଟ୍ର ପରେ ତୃତୀୟ ରାଜ୍ୟ ଭାବେ ଓଡ଼ିଶା ଆଇଆର୍‌ସିଟିସି ମାଧ୍ୟମରେ ପାରମ୍ପରିକ ହସ୍ତଶିଳ୍ପ, ହସ୍ତତନ୍ତ ଓ ଖାଦ୍ୟସାମଗ୍ରୀ ବିକ୍ରି କରିବ। ଓର୍‌ମାସ୍‌ ଏବଂ ଆଇଆର୍‌ସିଟିସି ମଧ୍ୟରେ ଏମ୍‌ଓୟୁ ଦ୍ୱାରା ରାଜ୍ୟର ସ୍ବୟଂ ସହାୟକ ଗୋଷ୍ଠୀ (ଏସ୍‌ଏଚ୍‌ଜି) ଏବଂ ପ୍ରଡକ୍ସନ ଗ୍ରୁପ୍‌ (ପିଜି)ଗୁଡ଼ିକ ଦ୍ୱାରା ପ୍ରସ୍ତୁତ ହାତ ତିଆରି ସାମଗ୍ରୀ ରେଳ ବିଭାଗ ଓ୍ବେବ୍‌ସାଇଟରେ ଉପଲବ୍ଧ ହେବ। ଆଇଆର୍‌ସିଟିସିର ଭେଣ୍ଡର ଲିଷ୍ଟରେ ସାମିଲ ହେବା ପରେ ଟ୍ରେନ୍‌ରେ ଯାଉଥିବା ଯାତ୍ରୀ ସେମାନଙ୍କ ସାମଗ୍ରୀ ଦେଖି ଅନ୍‌ଲାଇନ୍‌ରେ ଅର୍ଡର କରିପାରିବେ। ଅର୍ଡର ମିଳିବା ପରେ ତତ୍‌କ୍ଷଣାତ୍‌ ସମ୍ପୃକ୍ତ ଭେଣ୍ଡର୍‌ ନିଜ ଷ୍ଟେସନରେ ଉକ୍ତ ସାମଗ୍ରୀ ଯାତ୍ରୀଙ୍କୁ ହସ୍ତାନ୍ତର କରିବେ। ଆଇଆର୍‌ସିଟିସି ମାଧ୍ୟମରେ ସବାଇ ଘାସ, ଗୋଲ୍‌ଡେନ୍‌ ଗ୍ରାସ, ଢୋକ୍ରା, ଟ୍ରାଇବାଲ ଜୁଏଲାରୀ ଭଳି ହସ୍ତଶିଳ୍ପ, କୋଟ୍‌ପାଡ଼, ବମକାଇ, ଟସର, ମାଣିଆବନ୍ଧ ଭଳି ହସ୍ତତନ୍ତ ଏବଂ ବାଲେଶ୍ୱର ଖଜା, ମାଣ୍ଡିଆରେ ପ୍ରସ୍ତୁତ ବିଭିନ୍ନ ଖାଦ୍ୟ ସାମଗ୍ରୀ ଆଦିର ବିକ୍ରିବଟା କରାଯାଇପାରିବ। କାରିଗର ଏବଂ ଶିଳ୍ପୀମାନଙ୍କୁ ଇ-ମାର୍କେଟ ସହ ପରିଚିତ କରାଇବା ସହ ଏକ ବଡ଼ ବଜାର ସୃଷ୍ଟି କରିବା ଲକ୍ଷ୍ୟରେ ଓର୍‌ମାସ ଏହି ପଦକ୍ଷେପ ନେବାକୁ ଯାଉଥିବା ଓର୍‌ମାସ୍‌ ମାର୍କେଟିଂ ଯୁଗ୍ମ ସିଇଓ ସୁଜୟ କର ସୂଚନା ଦେଇଛନ୍ତି। ଏଥିପାଇଁ ପ୍ରାରମ୍ଭିକ ଆଲୋଚନା ଶେଷ ହୋଇଥିବା ବେଳେ ଆଇଆର୍‌ସିଟିସି ଅଧିକାରୀମାନେ ଆମ କାରିଗରମାନଙ୍କୁ ସ୍ବତନ୍ତ୍ର ଭାବେ ପ୍ରଶିକ୍ଷଣ ଦେଇଛନ୍ତି। ସେମାନେ ଠିକ୍‌ ଭାବେ ଏ ବାବଦରେ ଅବଗତ ହେବା ପରେ ଆମେ ଏମ୍‌ଓୟୁ ସ୍ବାକ୍ଷର କରିବୁ ବୋଲି କର କହିଛନ୍ତି। ଏନେଇ ଆଇଆର୍‌ସିଟିସିର ଜଣେ ବରିଷ୍ଠ ଅଧିକାରୀଙ୍କ ସୂଚନା ମୁତାବକ ଆଇଆର୍‌ସିଟିସି ଓ୍ବେବ୍‌ସାଇଟ୍‌ ଏବେ ଏସିଆ ମହାଦେଶରେ ସର୍ବାଧିକ ବ୍ୟବହୃତ ଓ୍ବେବ୍‌ସାଇଟ୍‌। ଏହି ଓ୍ବେବ୍‌ସାଇଟ୍‌ ମାଧ୍ୟମରେ ଡିଜିଟାଲ ମାର୍କେଟ୍‌ ସହ ପରିଚିତ ନ ଥିବା ଗ୍ରାମୀଣ କାରିଗର ଓ ବୁଣାକାରମାନଙ୍କୁ ଲାଭ ଦେବା ଆମର ପ୍ରାଥମିକତା। ଏହା ଦ୍ୱାରା ଦେଶର ପାରମ୍ପରିକ ସାମଗ୍ରୀକୁ ଏକ ଭଲ ପ୍ଲାଟଫର୍ମ ମିଳିବା ସହ ଶିଳ୍ପୀ ଏବଂ ଏସ୍‌ଏଚ୍‌ଜି ଗୁଡ଼ିକର ରୋଜଗାର ବଢ଼ିବ। ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟିହେବ ଏବଂ ଅର୍ଥନୀତି ବ୍ୟାପକ ହେବ। ଏବେ ଆମେ ଖାଦ୍ୟ ସାମଗ୍ରୀ ଉପରେ ଅଧିକ ଫୋକସ୍‌ କରୁଛୁ। ଧୀରେ ଧୀରେ ହସ୍ତଶିଳ୍ପ, ହସ୍ତତନ୍ତକୁ ଗୁରୁତ୍ୱ ଦେବୁ। ପଶ୍ଚିମବଙ୍ଗ, ମହାରାଷ୍ଟ୍ରରୁ ଆମକୁ ଭଲ ରେସ୍‌ପନ୍ସ ମିଳିଛି। ତେଣୁ ଓଡ଼ିଶାକୁ ବି ସଫଳତା ମିଳିବ ବୋଲି ଆଶା କରୁଛୁ ବୋଲି ଅଧିକାରୀ ଜଣକ କହିଛନ୍ତି।

ସୂଚନାଯୋଗ୍ୟ ଯେ ପୂର୍ବରୁ ରଘୁରାଜପୁରର ପ୍ରସିଦ୍ଧ ପଟଚିତ୍ର କୁରିଲାଏନ୍ସ ଫାଉଣ୍ଡେସନ ଅନ୍‌ଲାଇନ ବଜାରରେ ପ୍ରବେଶ ବନ୍ଦୋବସ୍ତ କରାଇଛି। ବ୍ରହ୍ମପୁରର ପ୍ରସିଦ୍ଧ ପାଟଶାଢ଼ି, ଆଚାର, ପାମ୍ପଡ଼, କୋଟପାଡ଼ର ଶାଢ଼ି, କୋରାପୁଟର ପାଳୁଅ, ଶିମିଳିପାଳର ମହୁ ଆଉ ଝୁଣା, ବାରିପଦାର ମୁଢି, ସବାଇଘାସ ତିଆରି ଦୌଡ଼ି, ରେମୁଣା ଓ କେଶନାର ପଥର ଶିଳ୍ପ, ବମକେଇର ପାଟ, କଣ୍ଟିଲୋ, ବେଲଗୁଣ୍ଠା, ବାଳକାଟିର ପିତ୍ତଳ ସାମଗ୍ରୀ, ରଘୁରାଜପୁରର ପଟଚିତ୍ର, ତାଳପତ୍ର ଖୋଦେଇ କାମ, ସମ୍ବଲପୁରୀ, ସୋନପୁରୀ ଶାଢ଼ି ଆଉ ପାଟ ଓ ଗୋପାଳପୁର ହସ୍ତତନ୍ତ ସାମଗ୍ରୀ ସାରା ଦେଶରେ ନାଁ ଅର୍ଜିଛି। ଏଗୁଡିକର ବ୍ୟବସ୍ଥିତ ବଜାର ସୃଷ୍ଟି ହୋଇପାରିଲେ ଓଡ଼ିଶାର ଗ୍ରାମୀଣ ଅର୍ଥନୀତି ସୁଦୃଢ ହୋଇପାରିବ। ଯାହାକି ମହିଳା ସ୍ୱୟଂ ସହାୟକ ଦଳଗୁଡିକ ଏଭଳି ପ୍ରଚେଷ୍ଟା ଆରମ୍ଭ କରି ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ