ବାଦ ବିବାଦ
ୟୁକ୍ରେନ୍ ଅଭିଯୋଗ ସତ: ମିସାଇଲ୍ ମାଡ଼ରେ ଖସିଛି ବିମାନ, ସାମ୍ନାକୁ ଆସିଲା ଭିଡିଓ

ଗତ ୮ ତାରିଖରେ ଇରାନ୍ର ତେହରାନ୍ରୁ ୟୁକ୍ରେନ୍ ଏୟାରଲାଇନ୍ସର ବୋଇଂ ୭୫୨ ବିମାନ ଉଡ଼ାଣ ଆରମ୍ଭ କରିବାର ୬ ମିନିଟ୍ ପରେ ଦୁର୍ଘଟଣାଗ୍ରସ୍ତ ହେବା ଫଳରେ ଏଥିରେ ଥିବା ୧୭୬ ଜଣ ଯାତ୍ରୀ ଜୀବନ୍ତ ଦଗ୍ଧ ହୋଇଯାଇଥିଲେ। ଏହି ବିମାନରେ ସର୍ବାଧିକ ୮୨ ଜଣ ଇରାନ୍ର ନାଗରିକ ଥିବା ବେଳେ ୬୩ ଜଣ କାନାଡାର ଓ ୧୧ ଜଣ ୟୁକ୍ରେନ୍ ନାଗରିକ ରହିଥିଲେ। ତେବେ ଏହା କୌଣସି ଦୁର୍ଘଟଣା ନୁହେଁ, ବରଂ ଏହି ବିମାନଟିକୁ ଇରାନ୍ ମିସାଇଲ୍ ମାଡ଼ କରି ଖସାଇଦେଇଥିବା କାନାଡ଼ା ପ୍ରଧାନମନ୍ତ୍ରୀ ଜଷ୍ଟିନ୍ ଟ୍ରୁଡୋ ଅଭିଯୋଗ କରିଥିଲେ। ୟୁକ୍ରେନ୍ ମଧ୍ୟ ସମାନ ସନ୍ଦେହ କରୁଥିବା ବେଳେ ଆମେରକୀୟ ପ୍ରତିରକ୍ଷା ମୁଖ୍ୟାଳୟ ପେଣ୍ଟାଗନ୍ ଓ ବ୍ରିଟେନ୍ ପକ୍ଷରୁ ମଧ୍ୟ ଏପରି ସନ୍ଦେହ ବ୍ୟକ୍ତ କରାଯାଇଥିଲା। ଏବେ ସେମାନଙ୍କର ଏହି ଅଭିଯୋଗ ସତ୍ୟରେ ପରିଣତ ହୋଇଛି ବୋଲି କୁହାଯାଇପାରେ। କାରଣ ଦ ନ୍ୟୁୟର୍କ ଟାଇମ୍ସ ଓ ସିଏନ୍ଏନ୍ ଭଳି କେତେକ ବିଦେଶୀ ଗଣମାଧ୍ୟମରେ ଏହି ବିମାନ ଦୁର୍ଘଟଣା ସମୟର ଦୃଶ୍ୟ ପ୍ରସାରିତ ହୋଇଛି। ବିମାନଟି ଆକାଶରେ ଉଡ଼ୁଥିବା ବେଳେ ବିମାନ ନିକଟକୁ ଏକ ଆଲୋକ ପିଣ୍ଡୁଳା ଗତି କରୁଛି ଓ କିଛି ସେକେଣ୍ଡ୍ ପରେ ଉକ୍ତ ପିଣ୍ଡୁଳାଟି ବିମାନ ସହ ଧକ୍କା ହେବା ପରେ ବିମାନଟି ଚୂର୍ମାର୍ ହୋଇଯାଉଥିବା ଉକ୍ତ ଭିଡିଓରୁ ସ୍ପଷ୍ଟ ହୋଇଛି।
ଦୁର୍ଘଟଣା ଘଟିବା ଦିନ ଇରାନ୍ ପକ୍ଷରୁ ବାଗଦାଦ୍ରେ ରହିଥିବା ଆମେରିକୀୟ ଦୂତାବାସ ନିକଟସ୍ଥ ଦୁଇଟି ଆମେରିକୀୟ ସେନା ଶିବିର ଉପରେ ପାଖାପାଖି ୨୨ଟି ବାଲିଷ୍ଟିକ୍ ମିସାଇଲ୍ ମାଡ଼ କରାଯାଇଥିଲା। ତେଣୁ ଏହି ମିସାଇଲ୍ ମଧ୍ୟରୁ ଗୋଟିଏ ୟୁକ୍ରେନ୍ ବିମାନରେ ବାଜିଥିବାରୁ ତାହା ଧ୍ବଂସ ପାଇଯାଇଥିବା ଟ୍ରୁଡୋ ଅଭିଯୋଗ କରିଥିଲେ। ଅବଶ୍ୟ ଏହା ଉଦ୍ଦେଶ୍ୟମୂଳକ ହୋଇଥାଇ ନ ପାରେ ବୋଲି ମଧ୍ୟ ଟ୍ରୁଡୋ ଅଟାୱାରେ ଏକ ସାମ୍ବାଦିକ ସମ୍ମିଳନୀରେ କହିଥିଲେ। ଏହାର କିଛି ସମୟ ପରେ ବ୍ରିଟେନ୍ ପ୍ରଧାନମନ୍ତ୍ରୀ ବୋରିସ୍ ଜନ୍ସନ୍ ଏହି ବିମାନକୁ ମିସାଇଲ୍ ମାଡ଼ କରି ତଳକୁ ଖସାଇ ଦିଆଯାଇଥିବା ତାଙ୍କ ଦେଶର ଗୁଇନ୍ଦା ବିଭାଗ ରିପୋର୍ଟ ଦେଇଛି ବୋଲି କହିଥିଲେ। ତେବେ ଏହି ଭିଡିଓର ବାସ୍ତବତା ଅଦ୍ୟାବଧି ସ୍ପଷ୍ଟ ହୋଇନାହିଁ। କିନ୍ତୁ ଭିଡିଓରେ ରହିଥିବା ପାରିପାର୍ଶ୍ବିକ ଅବସ୍ଥା ବାଗଦାଦ୍ର ଉପକଣ୍ଠସ୍ଥ ପାରାନ୍ଦା ସହ ମେଳ ଖାଉଛି। ୟୁକ୍ରେନ୍ ବିମାନଟି ମଧ୍ୟ ଏହି ଉପଖଣ୍ଡର ଉତ୍ତର ଦିଗରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏହି ବିମାନ ଦୁର୍ଘଟଣାର କାରଣ ଜାଣିବା ସକାଶେ ଇରାନ୍ ପକ୍ଷରୁ ତଦନ୍ତ ଜାରି ରହିଥିବା ବେଳେ ଏହା ଯାନ୍ତ୍ରିକ ତ୍ରୁଟି କାରଣରୁ ଜଳିଯାଇଥିବା ଅନୁମାନ କରାଯାଉଥିଲା। ତେବେ ଭିଡିଓ ଭାଇରାଲ୍ ହେବା ପରେ ରିପୋର୍ଟ ଲେଖାଯିବା ପର୍ଯ୍ୟନ୍ତ ଇରାନ୍ କୌଣସି ପ୍ରତିକ୍ରିୟା ଦେଇ ନ ଥିବା ଜଣାପଡ଼ିଛି।
ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ