ନାରୀଙ୍କ ଠାରୁ ଅଧିକ ମିଛ କହନ୍ତି ପୁରୁଷ


ସାଧାରଣଥଃ ମହିଳାମାନେ ଅଧିକ ମିଛ କହନ୍ତି ବୋଲି ଏକ ଧାରଣା ରହିଥିବାବେଳେ ଏବେ କିନ୍ତୁ ଓଲଟା ଦେଖିବାକୁ ମିଳୁଛି। ଖାଲି ଏତିକି ନୁହେଁ, ପୁରୁଷମାନେ ଭାବନ୍ତି ଯେ ସେମାନେ ମହିଳାଙ୍କ ତୁଳନାରେ ଭଲ ମିଛ କହିପାରନ୍ତି ବୋଲି। ଏଥିସହିତ ମିଛ କହିବା ପରେ ବି ଅତି ସହଜରେ ଖସିଯିବାରେ ମଧ୍ୟ ସେମାନେ ମାହିର। ନିକଟରେ ହୋଇଥିବା ଏକ ସର୍ଭେରେ ଏହା ସାମ୍ନାକୁ ଆସିଛି। 

ସାମ୍ନାରେ କହନ୍ତି ମିଛ
ସର୍ଭେ ଫଳାଫଳରୁ ଜଣାପଡ଼ିଛି ଯେ ପୁରୁଷମାନେ ଟେକ୍ସଟ ମେସେଜ୍‌ ଓ ସୋସାଲ ମିଡିଆ କାରଣରୁ ସାମ୍ନାରେ ତତ୍‌କ୍ଷଣାତ ଅଧିକ ମିଛ କହୁଛନ୍ତି। ଏହି ସର୍ଭେ ଲଣ୍ଡନର ୟୁନିଭର୍ସିଟି ଅଫ୍‌ ପୋର୍ଟସ୍‌ମାଉଥ୍‌ ଦ୍ବାରା କରାଯାଇଥିଲା। ସର୍ଭେରୁ ଜଣାପଡ଼ିଛି ଯେ ଯେଉଁ ଲୋକମାନେ କଥାବାର୍ତ୍ତା କରିବାରେ ଉତ୍ତମ ଅର୍ଥାତ୍‌ ଟକ୍‌ଆକ୍ଟିଭ୍‌ ହୋଇଥାନ୍ତି, ସେମାନେ ଅନ୍ୟମାନଙ୍କ ତୁଳନାରେ ଅଧିକ ମାତ୍ରାରେ ସଫା ସୁତୁରା ମିଛ କହିଥାନ୍ତି। ମିଛ କହୁଥିବା ଲୋକେ ନିଜ ପରିବାର, ବନ୍ଧୁ ଓ ଲଭ୍‌ ପାର୍ଟନର ଓ ସହକର୍ମୀଙ୍କୁ ସବୁଠାରୁ ଅଧିକ ମିଛ କହିଥାନ୍ତି। ତେବେ ମିଛକୁ ଅଭ୍ୟାସରେ ପକାଇଥିବା ଏହି ଲୋକେ ପରିବାର ସଦସ୍ୟ ଓ ବନ୍ଧୁଙ୍କ ତୁଳନାରେ ସୋସାଲ ମିଡିଆରେ ଅପେକ୍ଷାକୃତ କମ୍‌ ମିଛ କହିଥାନ୍ତି।

ଜେଣ୍ଡର ଓ ମିଛର ସମ୍ପର୍କ
ଗବେଷଣାରେ ସାମିଲ୍‌ ହୋଇଥିବା ବ୍ରିୟାନା ଭେରିଜିନଙ୍କ କହିବାନୁସାରେ ସେମାନେ ସର୍ଭେରେ ପାଇଛନ୍ତି ଯେ ଜେଣ୍ଡର ଓ ମିଛ କହୁଥିବା ଲୋକଙ୍କ ମଧ୍ୟରେ ଏକ ଉତ୍ତମ ସମ୍ପର୍କ ରହିଛି। ଏହା ପୂର୍ବରୁ ହୋଇଥିବା ଏକ ଗବେଷଣାରୁ ଜଣାପଡ଼ିଥିଲା ଯେ ପ୍ରତ୍ୟେକ ବ୍ୟକ୍ତି ପ୍ରତିଦିନ ୧ରୁ ୨ ଥର ମିଛ କହିଥାନ୍ତି। କିନ୍ତୁ ଏହା ପରେ ହୋଇଥିବା ସର୍ଭେର ଫଳାଫଳ ବଦଳି ଯାଇଥିବା ଜଣାପଡ଼ିଛି। ବ୍ରିୟାନା କହିଛନ୍ତି ଯେ ପ୍ରତ୍ୟେକ ବ୍ୟକ୍ତି ପ୍ରତିଦିନ କିଛି ନା କିଛି ମିଛ କହିବା ଜରୁରୀ ନୁହେଁ, କିନ୍ତୁ କେତେକ ନିର୍ଦ୍ଦିଷ୍ଟ ବ୍ୟକ୍ତି ଅଛନ୍ତି, ଯେଉଁମାନେ ନିୟମିତ ଭାବେ ମିଛ କହିଥାନ୍ତି।

ପ୍ଲସ୍‌ ୱାନ୍‌ ଜର୍ଣ୍ଣାଲରେ ପ୍ରକାଶିତ ଗବେଷଣାର ଫଳାଫଳରେ କୁହାଯାଇଛି ଯେ ଚିଟର୍ସଙ୍କ ମଧ୍ୟରୁ କମ୍‌ ସଂଖ୍ୟକ ଲୋକ ୪୦ ପ୍ରତିଶତ ଯାଏଁ ମିଛ କହିଥାନ୍ତି। ଏହି ସର୍ଭେରେ ସାମିଲ୍‌ ହୋଇଥିବା ୧୯୪ ଜଣ ଲୋକଙ୍କୁ ଏକ ପ୍ରଶ୍ନର ସିରିଜ୍‌ ଦିଆଯାଇଥିଲା। ଯାହାର ଉତ୍ତର ସେମାନଙ୍କୁ ଦେବାକୁ କୁହାଯାଇଥିଲା। ଏଥିରେ ଗୋଟିଏ ପ୍ରଶ୍ନ ଥିଲା ଯେ ସେମାନେ ନିଜକୁ କେତେ ଭଲ ମିଛୁଆ ବୋଲି ଭାବନ୍ତି ଓ ଗତ ୨୪ ଘଣ୍ଟା ଭିତରେ ସେମାନେ କେତୋଟି ମିଛ କହିଛନ୍ତି। ଏହି ଲୋକଙ୍କ ମଧ୍ୟରେ ଅଧା ପୁରୁଷ ଓ ଅଧା ମହିଳା ଥିଲେ।

ସର୍ଭେରୁ ଆହୁରି ମଧ୍ୟ ଜଣାପଡ଼ିଥିଲା ଯେ ଅଧିକାଂଶ ଲୋକେ ଏମିତି ମିଛ କହିଥାନ୍ତି, ଯାହା ସତର ବହୁତ ନିକଟତର ହୋଇଥାଏ। ସେମାନେ ଯେଉଁ ବିଷୟକୁ ନେଇ ମିଛ କହୁଛନ୍ତି, କେବଳ ସେହି ସମ୍ପର୍କରେ ପୂରା ସୂଚନା ଦେଇ ନ ଥାନ୍ତି। ସର୍ଭେରୁ ଜଣାପଡ଼ିଛି ଯେ ମିଛ କହୁଥିବା ଲୋକେ ସାମ୍ନା ସାମ୍ନି ମିଛ କହିଥାନ୍ତି। ପରିବାର, ବନ୍ଧୁ ଓ ସହକର୍ମୀଙ୍କୁ କହିଥିବା ଅଧିକାଂଶ ମିଛ, ସତର ପାଖାପାଖି ହୋଇଥାଏ, କିନ୍ତୁ ସତ ହୋଇ ନ ଥାଏ। ସବୁଠାରୁ ମଜା କଥା ହେଉଛି ମିଛ କହିବା ଯୋଗ୍ୟତାର ପାଠପଢ଼ା ସ୍ତର ସହିତ କୌଣସି ସମ୍ପର୍କ ନାହିଁ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ