ସାବାସ୍‌ ସଙ୍ଗୀତା: ଦୁର୍ଘଟଣାର ପୀଡ଼ାକୁ ଏଡ଼ାଇ ପାଲଟିଲେ ଟିକ୍‌ ଟକ୍‌ ଷ୍ଟାର୍‌


ଟିକ୍‌ ଟକ୍‌ରେ ଜଣେ ଲୋକପ୍ରିୟ ମୋଟିଭେସନାଲ ସ୍ପିକର ଭାବେ କମାଉଛନ୍ତି ଲକ୍ଷ ଲକ୍ଷ ଟଙ୍କା
ସୋସାଲ ମିଡିଆ ଏଭଳି ଏକ ପ୍ଲାଟଫର୍ମ, ଯେଉଁଠି ଲୋକେ କେବଳ ମନୋରଞ୍ଜନ କରି ନ ଥାନ୍ତି ବରଂ ଲୋକପ୍ରିୟ ହେବା ସହିତ ଲକ୍ଷ ଲକ୍ଷ ଟଙ୍କା ମଧ୍ୟ ଆୟ କରୁଛନ୍ତି। ଏଥିମଧ୍ୟରୁ ଗୋଟିଏ ହେଉଛି ଟିକ୍‌ ଟକ୍‌ ଆପ୍‌। ଯାହା ଆଜିକାଲି କେବଳ ସାଧାରଣ ଲୋକଙ୍କ ମଧ୍ୟରେ ନୁହେଁ ବରଂ ସେଲିବ୍ରିଟିଙ୍କ ମଧ୍ୟରେ ମଧ୍ୟ ଚର୍ଚ୍ଚାରେ ରହିଛି। ଏହି ପ୍ଲାଟଫର୍ମରେ ଲୋକେ ଶର୍ଟ ଭିଡ଼ିଓ ତିଆରି କରି ବେଶ୍‌ ଚର୍ଚ୍ଚିତ ହେବା ସହିତ ପ୍ରତ୍ୟେକ ଦିନ ଲକ୍ଷ ଲକ୍ଷ ଟଙ୍କା ମଧ୍ୟ ଆୟ କରୁଛନ୍ତି। ଆଜିକାଲି ଟିକ୍‌ ଟକ୍‌ରେ ଅନେକ ଲୋକ ଭିଡ଼ିଓ ତିଆରି କରି ଲୋକପ୍ରିୟ ହେବାରେ ଲାଗିଛନ୍ତି। ସେହିପରି ଟିକ୍‌ ଟକ୍‌ରେ ଜଣେ ମୋଟିଭେସନାଲ ସ୍ପିକର ଓ ଇଂରାଜୀ ଟିଚର ସଙ୍ଗୀତା ଜୈନ୍‌ଙ୍କ କାହାଣୀ ସାମ୍ନାକୁ ଆସିଛି, ଯିଏ ଅନ୍ୟ ଲୋକଙ୍କୁ ଜୀବନ ବଞ୍ଚିବାର ଏକ ନୂଆ ଉପାୟ ଶିଖାଉଛନ୍ତି। ସଙ୍ଗୀତା ଜୈନ ଫିଲ୍ମ ଇଣ୍ଡଷ୍ଟ୍ରୀରେ ନିଜ କ୍ୟାରିଅର ତିଆରି କରିବାକୁ ଚାହୁଥିଲେ। କିନ୍ତୁ ଏକ ଦୁର୍ଘଟଣା କାରଣରୁ ତାଙ୍କର ସମସ୍ତ ସ୍ବପ୍ନ ଭାଙ୍ଗି ଯାଇଥିଲା। ଦୁର୍ଘଟଣାରେ ନିଜ ଗୋଡ଼ ହରାଇବା ପରେ ସଙ୍ଗୀତା ଯିବା ଆସିବା କରି ପାରୁ ନ ଥିଲେ। ଜୀବନରେ ଆସିଥିବା ଏତେ ବଡ଼ ଧକ୍କା ପରେ ମଧ୍ୟ ସେ ହାର୍‌ ମାନି ନ ଥିଲେ। ଏବେ ସେ ନିଜର ଏକ ଭିନ୍ନ ପରିଚୟ ସୃଷ୍ଟି କରିଛନ୍ତି।

ଟିକ୍‌ ଟକ୍‌ରେ ଅଛନ୍ତି ଲକ୍ଷାଧିକ ଫଲୋଅର୍ସ

ସଙ୍ଗୀତାଙ୍କର ଏବେ ଟିକ୍‌ ଟକ୍‌ରେ ଲକ୍ଷାଧିକ ଫଲୋଅର୍ସ ଅଛନ୍ତି, ଯେଉଁମାନେ ତାଙ୍କ ଭିଡ଼ିଓ ଦେଖୁଛନ୍ତି। ଟିକ୍‌ ଟକ୍‌ରେ ସଙ୍ଗୀତାଙ୍କ ଆକାଉଣ୍ଟ ‘ଗୀତ’ ନାମରେ ରହିଛି, ଯେଉଁଥିରେ ସେ ମୋଟିଭେସନାଲ ଓ ଇଂରାଜୀ ଟିଚିଂ ଭିଡ଼ିଓ ତିଆରି କରି ଅପ୍‌ଲୋଡ଼ କରୁଛନ୍ତି। ପ୍ରଥମେ ପ୍ରଥମେ ସଙ୍ଗୀତା ଟିକ୍‌ ଟକ୍‌ରେ ମୋଟିଭେସନ୍‌, ଫନି ଓ କମେଡି ଭିଡ଼ିଓ ତିଆରି କରି ଅପ୍‌ଲୋଡ୍‌ କରୁଥିଲେ। ଏହାପରେ ସେ ତାଙ୍କ ଜେଜେ ମା’ଙ୍କ ସହିତ ଭିଡ଼ିଓ ତିଆରି କରି ଶେୟାର କରୁଥିଲେ। ଯାହାକୁ ଖୁବ୍‌ ପସନ୍ଦ କରାଯାଉଥିଲା। କିନ୍ତୁ ଯେତେବେଳେ ସେ ଇଂରାଜୀ ଟିଚିଂ ଭିଡ଼ିଓ ଶେୟାର କଲେ, ତାଙ୍କ ଫଲୋଅର୍ସ ସଂଖ୍ୟା ୧ ଲକ୍ଷ ପର୍ଯ୍ୟନ୍ତ ପହଞ୍ଚି ଯାଇଥିଲା।

ଆମେରିକାରେ କରିଛନ୍ତି ଓକିଲାତି ପ୍ରାକ୍ଟିସ୍‌
ଲୋକଙ୍କୁ ସଙ୍ଗୀତାଙ୍କ କହିବା ଶୈଳୀ ବହୁତ ପସନ୍ଦ ଆସୁଛି। ଏହା ପଛର କାରଣ ହେଉଛି, ସଙ୍ଗୀତା ଆମେରିକାରେ ଓକିଲାତି ପ୍ରାକ୍ଟିସ୍‌ କରି ସାରିଛନ୍ତି। ତେଣୁ ଇଂରାଜୀ କହିବାରେ ସେ ବହୁତ ପାରଙ୍ଗମ। ଏବେ ସଙ୍ଗୀତା ସାଧାରଣ ଭାଷାରେ ଉଚ୍ଚାରଣ କରାଯାଉଥିବା ଇଂରାଜୀ ଶବ୍ଦର ଉଚ୍ଚାରଣ କରିବା ଶିଖାଉଛନ୍ତି ଓ କୁକିଂ ଟିପ୍ସ ମଧ୍ୟ ଦେଉଛନ୍ତି। ଏହାପରେ ଟିକ୍‌ ଟକ୍‌ରୁ ସେ ପ୍ରତ୍ୟେକ ଦିନ ଲକ୍ଷାଧିକ ଟଙ୍କା ରୋଜଗାର କରୁଛନ୍ତି।

ଦୁର୍ଘଟଣା ଭାଙ୍ଗି ଦେଇଥିଲା ସ୍ବପ୍ନ
ସଙ୍ଗୀତାଙ୍କୁ ପିଲାଦିନରୁ ଅଭିନେତ୍ରୀ ହେବାର ଇଚ୍ଛା ଥିଲା। ସେ ଫିଲ୍ମରେ ରୋଲ୍‌ ପାଇବା ପାଇଁ ବହୁତ ପରିଶ୍ରମ କରୁଥିଲେ। କିନ୍ତୁ ଏହି ସମୟରେ ତାଙ୍କର ଏକ ଦୁର୍ଘଟଣା ହୋଇଯାଇଥିଲା ଓ ସବୁବେଳ ପାଇଁ ସେ ହ୍ବୀଲ ଚେୟାରକୁ ଆସି ଯାଇଥିଲେ। ସେ ଜୀବନରେ ଆଉ କେବେ ବି ଚାଲି ପାରିବେ ନାହିଁ ବୋଲି ଡାକ୍ତର କହିଥିଲେ। ଏହି ଦୁର୍ଘଟଣା ପରେ ସେ ୨୦୧୪ରେ ଟିଭି ରିଅଲିଟି ଶୋ’ରେ ସାମିଲ ହୋଇ ହ୍ବୀଲ୍‌ ଚେୟାର ଉପରେ ବସି ଡ୍ୟାନ୍ସ କରିଥିଲେ। ଏଥିପାଇଁ ସେ ବହୁତ ଚର୍ଚ୍ଚିତ ହୋଇଥିଲେ ମଧ୍ୟ ସଫଳତା ପାଇ ନ ଥିଲେ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ