ଓଡ଼ିଶାରେ ପ୍ରକୃତି କୋଳରେ ପର୍ଯ୍ୟଟନ ରୋମାଞ୍ଚକର ଓ ମନଛୁଆଁ

ରାଜ୍ୟର ୩୦ ଇକୋ ଟୁରିଜମ୍‌ ସ୍ପଟ୍‌ ଏବେ ପର୍ଯ୍ୟଟକଙ୍କ ପାଇଁ ଆକର୍ଷଣର କେନ୍ଦ୍ରବିନ୍ଦୁ

ରାଜ୍ୟରେ ରହିଛି ଅମାପ ପ୍ରାକୃତିକ ବିଭବ। ପର୍ଯ୍ୟଟକଙ୍କ ପାଇଁ ଏ ସ୍ଥାନ ଗୁଡ଼ିକ ଆକର୍ଷଣର କେନ୍ଦ୍ରବିନ୍ଦୁ ହୋଇ ରହିଛି। ଓଡ଼ିଶାର ଶିମିଳିପାଳ, ଚିଲିକା, ଭିତର କନିକା ଭଳି ସ୍ଥାନ ଗୁଡ଼ିକ ଯେତିକି ଆକର୍ଷଣୀୟ ସେତିକି ମନୋମୁଗ୍ଧକର ସାବ୍ୟସ୍ତ ହୋଇଛି। ପର୍ଯ୍ୟଟନ ମାନଚିତ୍ରରେ ରାଜ୍ୟର ଅନେକ ମନ୍ଦିର, ଜଳପ୍ରପାତ, ଗିରିଶୃଙ୍ଗ, ବେଳାଭୂମି, ଶପିଂ ସେଣ୍ଟର, ହସ୍ତକଳା, ନୃତ୍ୟ ଓ  ଯାନିଯାତ୍ରା ଯୋଡ଼ିହୋଇ ରହିଥିବା ବେଳେ ନିକଟରେ ରାଜ୍ୟର ୩୦ଟି ଇକୋ ଟୁରିଜମ୍‌ ସ୍ପଟକୁ ଅଧିକ ଆକର୍ଷଣୀୟ କରାଯାଇଛି। ଓଡ଼ିଶା ପର୍ଯ୍ୟଟନ ବିକାଶ ନିଗମ (ଓଟିଡିସି) ଏସବୁ ସ୍ଥାନ ଗୁଡ଼ିକର ପ୍ରସାର, ବିପଣନ ଓ ଲୋକାଭିମୁଖୀ ତଥା ପର୍ଯ୍ୟଟକଙ୍କ ପାଇଁ ପ୍ରିୟ ଗନ୍ତବ୍ୟ ସ୍ଥାନରେ ପରିଣତ କରାଯିବା ଦିଗରେ ପ୍ରମୁଖ ଭୂମିକା ନେଇଛି।

ରାଜ୍ୟର ୨୨ଟି ଜିଲାର ୩୦ଟି ଜୈବ ପରିବେଶ ଅଞ୍ଚଳରେ ଭିତ୍ତିଭୂମିର ବିକାଶ ସାଧିତ ହୋଇଛି। ସ୍ଥାନୀୟ ବାସିନ୍ଦାମାନେ ଏସବୁ ଅଞ୍ଚଳର ଦାୟିତ୍ବ ନେଇଛନ୍ତି। ଧୀରେ ଧୀରେ ପର୍ଯ୍ୟଟକଙ୍କ ସମାଗମ ମଧ୍ୟ ବଢ଼ୁଥିବା ଲକ୍ଷ୍ୟ କରାଯାଉଛି। ପର୍ଯ୍ୟଟନ ନିର୍ଦେଶକଙ୍କ କହିବା କଥା ହେଉଛି ଏବେ ଆଉ ପାରମ୍ପରିକ ବୁକିଂ ବ୍ୟବସ୍ଥା ନାହିଁ। ଏସବୁ ସ୍ଥାନଗୁଡ଼ିକ ଅନଲାଇନରେ ବୁକିଂ ହୋଇପାରୁଛି। ଚିଲିକା ହ୍ରଦରେ ଥିବା ମଙ୍ଗଳା ଯୋଡ଼ି, ବ୍ରହ୍ମପୁରା, ଶିମିଳିପାଳର କୁମାରୀ, କେନ୍ଦୁଝରର ଜାମୁଆଣୀ ଚନ୍ଦକା ଜଙ୍ଗଲ ଭିତରେ ଥିବା ଡେରାସ, ଗୋଡ଼ିବାରି, କନ୍ଧମାଳର ଦାରିଙ୍ଗବାଡ଼ି, ବେଲଘର, ଖୋର୍ଦ୍ଦା ଗଣପୁରର ବରବରା ଓ ଓ କେନ୍ଦ୍ରାପଡ଼ା ଜିଲାର ଡାଙ୍ଗମାଳ ପରିଦର୍ଶନରେ ହଜାର ହଜାର ପର୍ଯ୍ୟଟକଙ୍କ ସମାଗମ ହେବାରେ ଲାଗିଛି। ଇକୋ ଟୁରିଜମ ଅଞ୍ଚଳଗୁଡ଼ିକୁ ଜାନୁଆରୀ ପହିଲାରୁ ପର୍ଯ୍ୟଟକଙ୍କ ସୁଅ ଛୁଟିଛି। ପ୍ରଥମ ସପ୍ତାହରେ ପ୍ରବଳ ଥଣ୍ଡା, ଝିପିଝିପି ବର୍ଷା ଓ କୁହୁଡ଼ି ସତ୍ତ୍ବେ ଓଡ଼ିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡ଼ିରେ ପର୍ଯ୍ୟଟକମାନେ ହଳଦିଆ ସୋରିଷ କ୍ଷେତ ଓ ଶୀତୁଆ ସକାଳର ବେଶ୍‌ ମଜା ଉଠାଉଛନ୍ତି।

ସାତକୋଶିଆର ତମ୍ବୁଘର
ବାଲିବନ୍ତ (ସାଣ୍ଡ୍‌ ବାର) ଉପରେ ଖାଲି ପାଦରେ ବୁଲିବାର ମଜା ଯିଏ ଥରେ ନେଇଛି, ସିଏ ବାରମ୍ବାର ଖୋଜିଛି ମହାନଦୀ କୂଳର ଏହି ମନୋରମ ସାତକୋଶିଆ ଗଣ୍ଡରେ ନୌବିହାର ସାଙ୍ଗକୁ କୂଳରେ ବୁଲିବୁଲି ନାନା ପ୍ରକାର ପକ୍ଷୀଙ୍କ କଳରବ ଶୁଣିବା ଓ ଦେଖିବା। ବଡ଼ମୂଳ ଠାରେ ପର୍ଯ୍ୟଟକଙ୍କ ପାଇଁ ସାତକୋଶିଆ ସାଣ୍ଡ ରିସର୍ଟ ଦେଖିବା। ବଡ଼ମୂଳ ଠାରେ ପର୍ଯ୍ୟଟକଙ୍କ ପାଇଁ ସାତକୋଶିଆ ସାଣ୍ଡ ରିସର୍ଟ ତିଆରି କରାଯାଇଛି। ଅତି ପାଖରୁ ବିହଙ୍ଗମାନଙ୍କୁ ଦେଖିବା, ସେମାନଙ୍କ ଜଳକ୍ରୀଡ଼ା ଓ କଳରବ ଶୁଣି ବିମୋହିତ ହେବାର ସୁଯୋଗ ଏଠାରେ ମିଳିଥାଏ। ପାରମ୍ପରିକ ନୃତ୍ୟଗୀତର ମଜା ସହ ଜଙ୍ଗଲ ଓ ନଦୀର ମିଳନସ୍ଥଳରେ ତିଆରି ତମ୍ବୁଘରେ ରାତ୍ରିଯାପନର ବ୍ୟବସ୍ଥା ପର୍ଯ୍ୟଟକଙ୍କ ଚିତ୍ତବିନୋଦନ ପାଇଁ ଯଥେଷ୍ଟ। ବାର୍ଡ ୱାଚିଂ, ବୋଟିଂ ଆଉ ଟ୍ରେକିଂ ପାଇଁ ପର୍ଯ୍ୟଟକମାନେ ଏଠାକୁ ଆସିଥାନ୍ତି। ଭୁବନେଶ୍ବର ଠାରୁ ବଡ଼ମୂଳର ଦୂରତା ମାତ୍ର ୧୩୦ କିମି। ବ୍ୟକ୍ତିଙ୍କ ପ୍ରତି ଦିନକୁ ୪୦ ଟଙ୍କା ପ୍ରବେଶିକା ଦେୟ ଦେଇ ସକାଳ ୬ଟାରୁ ସନ୍ଧ୍ୟା ୫ଟା ମଧ୍ୟରେ ସାତକୋଶିଆ ସଂରକ୍ଷିତ ଅଞ୍ଚଳକୁ ପ୍ରବେଶ କରି ହୋଇଥାଏ।

ଭିତରକନିକା ଜାତୀୟ ଉଦ୍ୟାନ
ଭାରତର ମିନି ଆମାଜନ ନାମରେ ଜଣାଶୁଣା ଭିତରକନିକା ଜାତୀୟ ଉଦ୍ୟାନ ଓଡ଼ିଶାର ଅନ୍ୟ ଏକ ପ୍ରମୁଖ ପର୍ଯ୍ୟଟନସ୍ଥଳ। ବଙ୍ଗୋପସାଗରର ଅନତି ଦୂରେ ଥିବା ଏହି ଉଦ୍ୟାନର ଡାଙ୍ଗମାଳ, ହାବେଳି ଖଟି, ଗୁପ୍ତି ଅତ୍ୟନ୍ତ ଆକର୍ଷଣୀୟ। ହେନ୍ତାଳବଣ, ହଂସୁଆ ନଦୀ ବକ୍ଷରେ ନୌବିହାର ବ୍ରାଜକ ପକ୍ଷୀଙ୍କ କୂଜନ ଏବଂ କୁମ୍ଭୀର ପାଇଁ ପ୍ରସିଦ୍ଧି ଅର୍ଜନ କରିଥିବା ଭିତରକନିକା ଦେଶ ବିଦେଶର ପର୍ଯ୍ୟଟକଙ୍କୁ ଟାଣି ଆଣିଥାଏ। ଚିତ୍ରିତ ହରିଣ ଏବଂ ବଗ ଗହନରେ ହଜାର ହଜାର ବଗଙ୍କ ସମାଗମ ପାଇଁ ଅକ୍ଟୋବର ଠାରୁ ମାର୍ଚ୍ଚ ଯାଏ ଏଠାରେ ଭିଡ଼ ଲାଗିରହିଥାଏ। ଗହୀର ମଥା, ପେଣ୍ଠ ବେଳାଭୂମି ସହିତ ଗୁପ୍ତି ଖୋଲା ଠାରୁ ଦେଶୀଡଙ୍ଗାରେ ଡାଙ୍ଗମାଳ ନେଚର କ୍ୟାମ୍ପ ଯାଏ ଭ୍ରମଣ ଏକ ନିଆରା ଅନୁଭବ ଦେଇଥାଏ। ପର୍ଯ୍ୟଟକମାନେ ଗୁପ୍ତିରୁ ଡଙ୍ଗାରେ ଡାଙ୍ଗମାଳ ଯାଏ ହେନ୍ତାଳବଣ, ବ୍ରାଜକ ପକ୍ଷୀ ଓ କୁମ୍ଭୀରମାନଙ୍କୁ ଅତି ନିକଟରୁ ଦେଖି ଆସିପାରିବେ। ହାବେଳି ଖଟିରେ ପର୍ଯ୍ୟଟକମାନେ ଅତି ପାଖରୁ ଡଲଫିନ ଗୁଡ଼ିକୁ ଦେଖିପାରିବେ।

ଶିମିଳିପାଳ ନେଚର କ୍ୟାମ୍ପ
ଏସିଆ ମହାଦେଶର ବୃହତ୍ତମ କଳାବାଘ ଆଉ ୧୨ରୁ ଊର୍ଦ୍ଧ୍ବ ନଦୀଙ୍କ ଅନ୍ତୁଡ଼ିଶାଳ ଶିମିଳିପାଳ ଅଭୟାରଣ୍ୟର କୁମାରୀ ଠାରେ ରହିଛି ଇକୋ ଟୁରିଜିମ ସ୍ପଟ। ହାତୀ ଓ ବାଘଙ୍କ ଅଭୟାରଣ୍ୟ ଏହି ଜାତୀୟ ଉଦ୍ୟାନ ଭିତରେ ରହିଛି ଓଡ଼ିଶାର ସବୁଠୁ ବଡ଼ ଜଳପ୍ରପାତ ବରେହୀପାଣି। ବରେହିପାଣି ଯୋରନ୍ଦା ଉସ୍ମି ଓ ଚହଲା ଆଦି ସ୍ଥାନଗୁଡ଼ିକ ଥରେ ଦେଖିଲେ ଏଠାକୁ ବାରମ୍ବାର ଯିବାକୁ ଇଚ୍ଛା ହୋଇଥାଏ।

ଏସିଆର ପକ୍ଷୀଙ୍କ ଭୂସ୍ବର୍ଗ ଚିଲିକା
ଏସିଆ ମହାଦେଶର ବୃହତ୍ତମ ଲବଣାକ୍ତ ହ୍ରଦ ଚିଲିକା ଓଡ଼ିଶାର ଏକ ଅନନ୍ୟ ପକ୍ଷୀ ତୀର୍ଥ। ୪-୫ ଲକ୍ଷ ବ୍ରାଜକ ପକ୍ଷୀଙ୍କ କୂଜନରେ ଚିଲିକାର ପରିବେଶ ସଦା ଗହଗହ ହୋଇଥାଏ। ଚିଲିକାର ରାଜହଂସ ଜଳଚର କ୍ୟାମ୍ପ ପର୍ଯ୍ୟଟକଙ୍କ ପାଇଁ ଅନ୍ୟ ଏକ ଭୂସ୍ବର୍ଗ ବୋଲି କୁହାଯାଇପାରେ। ଆମୋଦଯୁକ୍ତ ୧୦ଟି ତମ୍ବୁଘରର ବ୍ୟବସ୍ଥା ଏଠାରେ ଉପଲବ୍ଧ। ସାମ୍ନାରେ ସମୁଦ୍ର ଓ ପାର୍ଶ୍ବରେ ଚିଲିକାର ନୀଳାଭ ଜଳରାଶି ପର୍ଯ୍ୟଟକଙ୍କୁ ଶାନ୍ତ ସ୍ନିଗ୍ଧ ଅନୁଭବ ଆଣିଦିଏ। ସାତପଡ଼ା ଠାରୁ ୪୫ ମିନିଟ ଯାତ୍ରା ପରେ ରାଜହଂସ ପଡ଼ିଥାଏ। ଦଳଦଳ ଡଲଫିନଙ୍କ ଜଳକ୍ରୀଡ଼ା ଏଠାରେ ଅତି ନିକଟରୁ ଦେଖିହୋଇଥାଏ।

ଓଡ଼ିଶାର କଶ୍ମୀର ଦାରିଙ୍ଗବାଡ଼ି
ଓଡ଼ିଶାର କଶ୍ମୀର ଭାବେ ଜଣାଶୁଣା ଦାରିଙ୍ଗବାଡ଼ିରେ ଶୀତ ସକାଳ ଅତ୍ୟନ୍ତ ମନୋରମ। ସୁବିସ୍ତୃତ ସବୁଜିମା କାକର ସ୍ନାତ ବୃକ୍ଷରାଜି, ପାଇନ ଜଙ୍ଗଲ, କଫି ବଗିଚା ଆଉ ହଳଦି କ୍ଷେତର ବାସ୍ନା ସାରା ବିଶ୍ବର ପର୍ଯ୍ୟଟକଙ୍କୁ ଏଠାକୁ ଟାଣିଆଣିଥାଏ। ପ୍ରାକୃତିକ ଶୋଭା ସୁଷମାର ଅନନ୍ୟ ରତ୍ନଭଣ୍ଡାର ଓ ସାଂସ୍କୃତିକ ବିବିଧତାର ଅଞ୍ଚଳ ଦାରିଙ୍ଗବାଡ଼ି ପର୍ଯ୍ୟଟକଙ୍କୁ ଢେର୍‌ ସାରା ନିଆରା ଅନୁଭବ ଦେଇଥାଏ। ଦାରିଙ୍ଗବାଡ଼ି ନେଚର କ୍ୟାମ୍ପରେ ୫ଟି ଟ୍ରାଇବାଲ କଟେଜ ଓ ୫ଟି ସାଧାରଣ କଟେଜ ଉପଲବ୍ଧ। ପ୍ରାଚୀନ ଜନଜାତି କୁଟିଆ କନ୍ଧଙ୍କ ଆବାସସ୍ଥଳୀ ଦାରିଙ୍ଗବାଡ଼ି ଅକ୍ଟୋବରରୁ ମାର୍ଚ୍ଚ ମାସ ମଧ୍ୟରେ ଅତ୍ୟନ୍ତ ଅନୁକୁଳ।

ଖୋର୍ଦ୍ଧା ଜିଲାର ବାଣପୁର ଠାରୁ ୨୦ କିମି ଦୂରରେ ରହିଛି ବରବରା ଶାଗୁଆନ ଜଙ୍ଗଲ। ଏହି ଜଙ୍ଗଲରେ ବନ୍ୟଜନ୍ତୁ, ପାହାଡ଼, ବିଶାଳକାୟ ବୃକ୍ଷ ତଥା ନୀରବ ପରିବେଶ ପର୍ଯ୍ୟଟକଙ୍କ ଚିତ୍ତବିନୋଦନ କରାଇଥାଏ। ଅଂଶୁପା ହ୍ରଦ, ସିଦ୍ଧମୂଳ ନେଚର କ୍ୟାମ୍ପ ସପ୍ତଶଯ୍ୟା ନେଚର କ୍ୟାମ୍ପ, ମହାବିନାୟକ ନେଚର କ୍ୟାମ୍ପ, ଖଣ୍ଡାଧାର ନେଚର କ୍ୟାମ୍ପ, ସାନଘାଗରା, ଚନ୍ଦକା ନେଚର କ୍ୟାମ୍ପ, ବେଲଘର ନେଚର କ୍ୟାମ୍ପ, ବିଚିତ୍ରପୁର ନେଚର କ୍ୟାମ୍ପ କେବଳ ଦେଶୀୟ ପର୍ଯ୍ୟଟକଙ୍କୁ ନୁହେଁ, ବିଦେଶୀ ପର୍ଯ୍ୟଟକଙ୍କ ପାଇଁ ମଧ୍ୟ ଅଭୁଲା ଅଭିଞତା ଭାବେ ଦେଶର ସାମର୍ଥ୍ୟ ପ୍ରତିପାଦିତ କରାଇଛି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ