ବିକାଶଠୁ ବହୁ ପଛରେ ଛତିଶଗଡ଼, ରାଜସ୍ଥାନ ଓ ମଧ୍ୟ ପ୍ରଦେଶ

ନୀତି ଆୟୋଗ ଏସ୍‌ଡିଜି ଇଣ୍ଡିଆ ଇଣ୍ଡେକ୍ସ- ୨୦୧୯ ଅନୁଯାୟୀ ଓଡ଼ିଶା ବି କେତେକ କ୍ଷେତ୍ରରେ ପଛୁଆ

ଆଦିବାସୀ ବହୁଳ ଏବଂ ନକ୍ସଲ ପ୍ରଭାବିତ ଛତିଶଗଡ଼ ଚିରନ୍ତନ ବିକାଶ ଲକ୍ଷ୍ୟ (ଏସ୍‌ଡିଜି) ହାସଲ କରିବାରେ ରାଜସ୍ଥାନ ଓ ମଧ୍ୟ ପ୍ରଦେଶ ଠାରୁ ଆହୁରି ପଛେଇ ଯାଇଛି। ବିକାଶ ଲକ୍ଷ୍ୟ ହାସଲ କରିବାରେ ଦେଶର ସବୁଠୁ ପଛରେ ଥିବା ୧୦ଟି ରାଜ୍ୟ ମଧ୍ୟରେ ରହିଛି ଓଡ଼ିଶା। ଓଡ଼ିଶା ସମେତ ଆନ୍ଧ୍ର ପ୍ରଦେଶ, ମେଘାଳୟ, ମହାରାଷ୍ଟ୍ର, ଉତ୍ତର ପ୍ରଦେଶ ଓ ବିହାରରେ ଲିଙ୍ଗଗତ ଅସମାନତା, ନିଯୁକ୍ତି ହ୍ରାସ, ସ୍ବାସ୍ଥ୍ୟସେବାରେ ଆଶଶଜନକ ସଫଳତା ମିଳି ପାରି ନ ଥିବା ନିକଟରେ ପ୍ରକାଶ ପାଇଥିବା ନୀତି ଆୟୋଗର ଚିରନ୍ତନ ବିକାଶ ଲକ୍ଷ୍ୟ ରିପୋର୍ଟରୁ ଜଣାଯାଇଛି।

କ୍ଷୁଧାରୁ ମୁକ୍ତି ଦେବା ଦିଗରେ ଯେଉଁ ମାନଦଣ୍ଡ ନିର୍ଦ୍ଧାରଣ କରାଯାଇଥିଲା, ସେଥିରୁ ସବୁଠୁ ପଛରେ ଥିବା ୫ଟି ରାଜ୍ୟ ମଧ୍ୟରେ ମଧ୍ୟ ପ୍ରଦେଶ ଓ ଛତିଶଗଡ଼ର ନାଁ ରହିଛି। କ୍ଷୁଧାମୁକ୍ତି ଦିଗରେ ଏହି ଦୁଇ ରାଜ୍ୟର ପ୍ରୟାସ ସନ୍ତୋଷଜନକ ନ ଥିବା ନୀତି ଆୟୋଗର ଏସ୍‌ଡିଜି ରିପୋର୍ଟରେ କୁହାଯାଇଛି। ଝାଡ଼ଖଣ୍ଡ ପରେ ମଧ୍ୟ ପ୍ରଦେଶରେ ସବୁଠୁ ଖରାପ ସ୍ଥିତି। ଦିନକୁ ଦିନ ବେରୋଜଗାର ଲୋକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ନୀତି ଆୟୋଗ ପକ୍ଷରୁ ସାମାଜିକ, ଆର୍ଥିକ ଏବଂ ପରିବେଶୀୟ କ୍ଷେତ୍ରରେ ରାଜ୍ୟର ସଫଳତା ଆଧାରରେ ଏହାର ପ୍ରଦର୍ଶନକୁ ମୂଲ୍ୟାଙ୍କ ପ୍ରଦାନ କରାଯାଇ ରାଙ୍କିଙ୍ଗ କରାଯାଇଥାଏ। ସଷ୍ଟେନେବଲ ଡେଭଲପମେଣ୍ଟ ଗୋଲ (ଏସ୍‌ଡିଜି) ଇଣ୍ଡିଆ ଇଣ୍ଡେକ୍ସ - ୨୦୧୯ ଅନୁଯାୟୀ ମଧ୍ୟ ପ୍ରଦେଶର ରାଙ୍କିଙ୍ଗ ୨୦୧୮ ତୁଳନାରେ ୨୦୧୯ରେ କିଛିଟା ସୁଧାର ଦେଖିବାକୁ ମିଳିଥିଲା। ରାଜସ୍ଥାନ ଏବଂ ଛତିଶଗଡ଼କୁ କମ୍‌ ମୂଲ୍ୟାଙ୍କ ପ୍ରାପ୍ତ ହୋଇଥିବାରୁ ରାଙ୍କ ହ୍ରାସ ପାଇଥିଲା।

ଚିରନ୍ତନ ବିକାଶ ଲକ୍ଷ୍ୟ ଅନୁଯାୟୀ କ୍ଷୁଧାମୁକ୍ତି ପାଇଁ ୭ଟି ସୂଚକ ନିର୍ଦ୍ଧାରିତ କରାଯାଇଛି। ରିପୋର୍ଟ ଅନୁଯାୟୀ, ମଧ୍ୟ ପ୍ରଦେଶରେ ୫୪.୬ ପ୍ରତିଶତ ମହିଳା ଏବଂ ୫ ବର୍ଷ ପର୍ଯ୍ୟନ୍ତ ୫୩.୫ ପ୍ରତିଶତ ଶିଶୁଙ୍କ ମଧ୍ୟରେ ରକ୍ତହୀନତା ରହିଛି। ହେକ୍ଟର ପ୍ରତି ଖାଦ୍ୟଶସ୍ୟ ଉତ୍ପାଦନ ୨୬୧୪ କିଲୋରୁ ହ୍ରାସ ପାଇ କିଲୋ ୨୩୫୦.୩୩ରେ ପହଞ୍ଚିଛି। ରାଜସ୍ଥାନରେ ୪୬.୭ ପ୍ରତିଶତ ମହିଳା ଏବଂ ୫ ବର୍ଷର ୩୨.୪ ପ୍ରତିଶତ ଶିଶୁଙ୍କ ମଧ୍ୟରେ ରକ୍ତହୀନତା ରହିଛି। ହେକ୍ଟର ପ୍ରତି ଖାଦ୍ୟଶସ୍ୟ ଉତ୍ପାଦନ ହ୍ରାସ ପାଇ ୧୪୩୭.୬୭ରେ ପହଞ୍ଚିଯାଇଛି, ଯାହା ପୂର୍ବବର୍ଷ ତୁଳନାରେ କମ୍‌। ଛତିଶଗଡ଼ରେ ୪୧.୬ ପ୍ରତିଶତ ମହିଳା ଏବଂ ୫ ବର୍ଷ ପର୍ଯ୍ୟନ୍ତ ୪୦.୮ ପ୍ରତିଶତ ଶିଶୁ ରକ୍ତହୀନତାରେ ଆକ୍ରାନ୍ତ। ଆନ୍ଧ୍ରପ୍ରଦେଶ, ମେଘାଳୟ, ମହାରାଷ୍ଟ୍ର, ଓଡ଼ିଶା, ଉତ୍ତର ପ୍ରଦେଶ ଓ ବିହାରରେ ମଧ୍ୟ ସ୍ଥିତି ଉଦ୍‌ବେଗଜନକ। ଓଡ଼ିଶାରେ ଟଙ୍କାକରେ କିଲେ ଚାଉଳ ଓ ଅନ୍ୟାନ୍ୟ ଖାଦ୍ୟ ସୁରକ୍ଷା ଯୋଜନା ଚାଲୁଥିବା ବେଳେ ମହିଳା, କିଶୋରୀ ଓ ଶିଶୁମାନଙ୍କ ମଧ୍ୟରେ ରକ୍ତହୀନତା ଉଦ୍‌ବେଗଜନକ ସ୍ଥିତିରେ ରହିଛି। ହିତାଧିକାରୀଙ୍କ ପାଇଁ ଉଦ୍ଦିଷ୍ଟ ଖାଦ୍ୟଶସ୍ୟ ସେମାନଙ୍କ ପେଟ ପର୍ଯ୍ୟନ୍ତ ପହଞ୍ଚିପାରୁ ନ ଥିବା ନେଇ ବାରମ୍ବାର ଅଭିଯୋଗ ହୋଇଆସୁଥିଲେ ହେଁ ଏ ଦିଗରେ ଠୋସ୍‌ ପଦକ୍ଷେପ ନିଆଯାଉ ନାହିଁ। ଏହି ରିପୋର୍ଟ ଅନୁଯାୟୀ ଗତବର୍ଷ ରାଜସ୍ଥାନରେ କ୍ଷୁଧାର ମାନଦଣ୍ଡ ୪୫ତମ ସ୍ଥାନରେ ଥିବାବେଳେ ୨୦୧୯ରେ ଏହା ୩୫ ତମ ସ୍ଥାନକୁ ଉଠିଛି। ସେହିପରି ଛତିଶଗଡ଼ରେ ଏହି ସୂଚୀରେ ୪୪ତମ ସ୍ଥାନରୁ ୨୭ତମ ସ୍ଥାନକୁ ଉଠିଥିବା ବେଳେ ମଧ୍ୟ ପ୍ରଦେଶ ୪୧ତମ ସ୍ଥାନରୁ ୨୪ତମ ସ୍ଥାନକୁ ଉଠିଛି, ଯାହାକୁ ନେଇ ସାରା ଦେଶରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ଅର୍ଥାତ୍‌ ଏହି ସବୁ ରାଜ୍ୟରେ କ୍ଷୁଧା ଉଦ୍‌ବେଗଜନକ ଭାବେ ବୃଦ୍ଧି ପାଇଛି। ଆମ ରାଜ୍ୟର କନ୍ଧମାଳ, କଳାହାଣ୍ଡି ଓ ମାଲକାନଗିରି ଜିଲାରେ ମହିଳା ଓ କିଶୋରୀମାନଙ୍କ ରକ୍ତହୀନତା ସ୍ଥିତିରେ ଆଖିଦୃଶିଆ ପରିବର୍ତ୍ତନ ଅଣାଯାଇ ପାରିନାହିଁ।

କମୁଛନ୍ତି କନ୍ୟା
୨୦୧୮ ମସିହାରେ ରାଜସ୍ଥାନରେ ପ୍ରତି ୧ ହଜାର ପୁରୁଷଙ୍କ ମଧ୍ୟରେ ୮୫୭ କନ୍ୟାସନ୍ତାନ ଥିବା ବେଳେ ୨୦୧୯ରେ ଏହା ୮୫୬ରେ ପହଞ୍ଚିଛି। ମଧ୍ୟ ପ୍ରଦେଶରେ ୨୦୧୮ରେ ପ୍ରତି ୧ ହଜାର ମଧ୍ୟରେ ୯୨୨ କନ୍ୟାସନ୍ତାନ ଜନ୍ମ ହୋଇଥିବା ବେଳେ ୨୦୧୯ରେ ତାହା ୯୧୬କୁ ଖସିଆସିଛି। ସେହିପରି ଛତିଶଗଡ଼ରେ ପ୍ରତି ୧୦୦୦ ମଧ୍ୟରୁ ୯୬୩ କନ୍ୟାସନ୍ତାନ ଥିବାବେଳେ ୨୦୧୯ରେ ତାହା ୯୧୬କୁ ଖସିଆସିଛି। ୨୦୧୧ ଜନଗଣନା ଅନୁଯାୟୀ ଦେଶରେ ୧୨୧ କୋଟି ଜନସଂଖ୍ୟା ମଧ୍ୟରୁ ୪୮.୫ ପ୍ରତିଶତ ମହିଳା। ପ୍ରତି ୧୦୦୦ ପୁରୁଷରେ ମହିଳାଙ୍କ ସଂଖ୍ୟା ୯୪୯ ଥିବା ବେଳେ ଗ୍ରାମୀଣ ଭାରତରେ ମହିଳାଙ୍କ ସଂଖ୍ୟା ୯୨୯ ଥିବା ଜଣାଯାଇଛି। ନଗରାଞ୍ଚଳ ଓ ଗ୍ରାମାଞ୍ଚଳରେ ଲିଙ୍ଗୀୟ ବ୍ୟବଧାନ ବଢ଼ୁଥିବା ଲକ୍ଷ୍ୟ କରାଯାଇଛି। କେରଳ, ପୁଡୁଚେରି, ତାମିଲନାଡ଼ୁକୁ ଛାଡ଼ିଦେଲେ ଅନ୍ୟସବୁ ରାଜ୍ୟରେ ଲିଙ୍ଗୀୟ ଅସମାନତା ଦେଖିବାକୁ ମିଳିଥାଏ। ଓଡ଼ିଶାରେ ପ୍ରତି ହଜାରେ ପୁରୁଷଙ୍କ ମଧ୍ୟରେ ୯୭୯ ମହିଳା ଥିବା ୨୦୧୧ ଗଣନାରୁ ଜଣାଯାଇଛି। ବିକାଶ ଲକ୍ଷ୍ୟ ହାସଲ ଦିଗରେ କନ୍ୟାସନ୍ତାନ ହ୍ରାସ ଏକ ପରିପନ୍ଥୀ ନିଶ୍ଚୟ।

ଚିନ୍ତା ବଢ଼ାଇଛି ବେରୋଜଗାରୀ
୨୦୧୯ ବର୍ଷ ସାରା ଯେଉଁ ଚିନ୍ତା ଯୁବାବର୍ଗଙ୍କୁ ଘେରି ରହିଥିଲା ସେହି ଚିନ୍ତା ନୂଆବର୍ଷରେ ବି ଯୁବକମାନଙ୍କ ପିଛା ଛାଡ଼ି ନାହିଁ। ସେଣ୍ଟର ଫର ମନିଟରିଂ ଇଣ୍ଡିଆନ ଇକୋନୋମିର ସଦ୍ୟ ରିପୋର୍ଟ ଅନୁଯାୟୀ ୨୦୧୯ରେ ଦେଶରେ ବେରୋଜଗାରୀର ହାର ୭.୪୮ ପ୍ରତିଶତ ଥିବା ବେଳେ ଓଡ଼ିଶା ମଧ୍ୟ ପ୍ରଦେଶ, ରାଜସ୍ଥାନ, ଛତିଶଗଡ଼ ଓ ବିହାରରେ ନୂଆ ନିଯୁକ୍ତି ଆଖିଦୃଶିଆ ହୋଇପାରୁ ନାହିଁ।

ତ୍ରିପୁରା, ହରିୟାଣା, ହିମାଚଳ ପ୍ରଦେଶରେ ବେରୋଜଗାରୀ ହାର ୨୦ ପ୍ରତିଶତରୁ ଅଧିକ ଥିବା ବେଳେ କର୍ଣ୍ଣାଟକ ଏବଂ ଆସାମରେ ଏହା ସବୁଠୁ କମ୍‌ ଅର୍ଥାତ୍‌ ୦.୯ ପ୍ରତିଶତ ରହିଛି। ତ୍ରିପୁରାରେ ବେରୋଜଗାରୀ ହାର ୨୮.୬ ପ୍ରତିଶତ ଥିବା ବେଳେ ହରିୟାଣଶରେ ଏହା ୨୭.୬ ପ୍ରତିଶତ। ଓଡ଼ିଶାରେ ଏହା ୩୨ ପ୍ରତିଶତ ଥିବା ଜଣାପଡ଼ିଛି। ଦେଶର ଜିଡିପି ଅଭିବୃଦ୍ଧିକୁ ମାନ୍ଦାବସ୍ଥା ରୋକିଥିବା ବେଳେ ନୂଆ ନିଯୁକ୍ତି ପର୍ଯ୍ୟାପ୍ତ ପରିମାଣର ଉପଲବ୍ଧ ହୋଇପାରୁ ନାହିଁ। ଓଡ଼ିଶାର ଶିଳ୍ପାୟନରେ ପ୍ରଗତି ହେଉ ନ ଥିବା ବେଳେ କଳିଙ୍ଗନଗର ଶିଳ୍ପାଞ୍ଚଳରୁ ଗୋଟିଏ ପରେ ଗୋଟିଏ ଶିଳ୍ପ ବନ୍ଦ ହେବାରେ ଲାଗିଛି। ମୈଥାନ ପରେ ମେସ୍କୋ ଷ୍ଟିଲରେ ତାଲା ପଡ଼ିଥିବା ବେଳେ ପୋସ୍କୋ ଦୁଇବର୍ଷ ତଳୁ ଫେରିଯାଇଛି। ଟାଟା ଷ୍ଟିଲ ସମେତ ବେଦାନ୍ତ ଅଗ୍ରଗତି କରିପାରି ନାହିଁ। ସରକାରୀ ନିଯୁକ୍ତି ସଂକୁଚିତ ହୋଇଯାଇଛି।

ଆମ ରାଜ୍ୟରେ ଅନାହାର ମୃତ୍ୟୁକୁ ରୋକାଯାଇ ପାରିଥିବା ସରକାର ଦାବି କରୁଥିବା ବେଳେ ଅପପୁଷ୍ଟି ଓ ରକ୍ତହୀନତାକୁ ରୋକାଯାଇ ପାରି ନାହିଁ। ଧାନ ବ୍ୟତୀତ ଅନ୍ୟାନ୍ୟ ଖାଦ୍ୟଶସ୍ୟ ଗୁଡ଼ିକର ଉତ୍ପାଦନ ବୃଦ୍ଧିକୁ ଆବଶ୍ୟକୀୟ ଗୁରୁତ୍ବ ଦିଆଯାଉ ନାହିଁ। ପ୍ରତିଟି ଗାଁରେ ସ୍ବଚ୍ଛ ପିଇବା ପାଣି ମୁନ୍ଦାଏ ଉପଲବ୍ଧ ହେଉ ନାହିଁ। ଏବେ ବି ସଂଖ୍ୟାଧିକ ଉପକୂଳ ଓଡ଼ିଶାର ଗ୍ରାମବାସୀ ପୋଖରୀ ପାଣିକୁ ପିଇବା ପାଣି ଭାବେ ବ୍ୟବହାର କରୁଛନ୍ତି। ଉତ୍ତର ପ୍ରଦେଶ, ଓଡ଼ିଶା ଓ ସିକିମ ନିଜ ସ୍ଥିତିରେ ସୁଧାର ଆଣିଥିବା ନେଇ ଏହି ରିପୋର୍ଟ ସୂଚାଉଥିବା ବେଳେ ବାସ୍ତବ ସ୍ଥିତି ଟିକେ ଭିନ୍ନ ବୋଲି ସାମାଜିକ ବିଞାନୀମାନେ ମତପୋଷଣ କରିଛନ୍ତି।

କେରଳ ଆଗରେ ବିହାର ପଛରେ
ନୀତି ଆୟୋଗର ଏସ୍‌ଡିଜି ଇଣ୍ଡେକ୍ସ ରିପୋର୍ଟରେ କେରଳକୁ ଶ୍ରେଷ୍ଠ ପ୍ରଦର୍ଶନକାରୀ କୁହାଯାଇଥିବାବେଳେ ବିହାରକୁ ସବୁଠୁ ପଛୁଆ ରାଜ୍ୟ ବୋଲି କୁହାଯାଇଛି। କେରଳକୁ ୭ ଅଙ୍କ ପ୍ରାପ୍ତ ହୋଇଥିବା ବେଳେ ବିହାର, ଝାଡ଼ଖଣ୍ଡ, ଅରୁଣାଚଳ ପ୍ରଦେଶ ସବୁଠୁ ନିକୃଷ୍ଟ ପ୍ରଦର୍ଶନ କରିଥିବା କୁହାଯାଇଛି। ନୀତି ଆୟୋଗର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଅମିତାଭ କାନ୍ତ ଓ ଉପାଧ୍ୟକ୍ଷ ରାଜୀବ କୁମାର ଭାରତର ଲକ୍ଷ୍ୟ ହାସଲ ଉପରେ ଗୁରୁତ୍ବାରୋପ କରିଛନ୍ତି। ଜଳ ଓ ପରିମଳ, ଶକ୍ତି ଓ ଶିଳ୍ପ କ୍ଷେତ୍ରରେ ଭାରତ ଯଥେଷ୍ଟ ଉନ୍ନତି କରିଥିବା କୁହାଯାଇଛି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ