ଜୟ ହୋ ଜୟପୁର: ପାଲଟିଛି ସର୍ବଭାରତୀୟ ଟପ୍ପରଙ୍କ ହବ୍‌

ଏବେ ଦେଶରେ ଏକ୍ସଲେନ୍ସି ଇନ ଏଜୁକେସନର ଅନ୍ୟନାମ ପିଙ୍କ୍‌ ସିଟି

ଦେଶର ପ୍ରମୁଖ ଶିକ୍ଷାର ହବ୍ ଭାବେ ରାଜସ୍ଥାନର ଜୟପୁର ନୂଆ କୀର୍ତ୍ତିମାନ ପ୍ରତିଷ୍ଠା କରିଛି। କ୍ବାଲିଟି ଏଜୁକେସନ ପାଇଁ ପିଙ୍କ୍‌ ସିଟି ଭାବେ ଜଣାଶୁଣଶ ଜୟପୁର ଦେଶର ଏକ ଟପ୍‌ ସହର ମଧ୍ୟରେ ନିଜକୁ ସାମିଲ କରାଇଛି। କେବଳ ସାରା ଦେଶରୁ ନୁହେଁ, ବରଂ ବିଦେଶରୁ ମଧ୍ୟ ଏଠାକୁ ବିଦ୍ୟାର୍ଥୀଙ୍କ ସୁଅ ଛୁଟିଛି। ଏହାର ସବୁଠୁ ବଡ଼ କାରଣ ହେଉଛି ଏକ୍ସେଲେନ୍ସି ଇନ ଏଜୁକେସନ। ୨୦୧୯ରେ ୟୁପିଏସ୍‌ସି, ନିଟ୍‌ (ଏନ୍‌ଇଇଟି), ସିଏ, ସିଏସ୍‌, କ୍ଲେଟ୍‌ ଏବଂ ଆଇଲେଟ୍‌ର ଅଲ୍‌ଇଣ୍ଡିଆ ଟପ୍ପରଙ୍କୁ ଏହି ଜୟପୁର ସହର ଦେଇଛି।

ନିକଟରେ ଜୟପୁରର ମୟଙ୍କ ପ୍ରତାପ ସିଂ ୨୧ ବର୍ଷ ବୟସରେ ଆରଜେଏସ୍‌ରେ ଟପ୍‌ ସ୍ଥାନରେ ରହି ଭାରତୀୟ ନ୍ୟାୟପାଳିକା ଇତିହାସରେ ସବୁଠାରୁ କମ୍‌ ବୟସର ବିଚାରପତି ଭାବେ ନିଜ ପାଇଁ ଏକ ନିଆରା ରେକର୍ଡ ସୃଷ୍ଟି କରିଛନ୍ତି। ବିଶେଷଞମାନଙ୍କ କହିବା କଥା ଜୟପୁରରେ ଷ୍ଟଡି ଏବଂ ପ୍ରତିଦ୍ବନ୍ଦ୍ବିତାମୂଳକ ପରୀକ୍ଷାକୁ ନେଇ ସ୍ବାସ୍ଥ୍ୟକର ପରିବେଶ ବିକଶିତ ହୋଇପାରିଛି। ପ୍ରତିବର୍ଷ ଏହି ସହରରୁ ଅଲ୍‌ଇଣ୍ଡିଆ ଟପ୍ପର ବାହାରି ପାରୁଛନ୍ତି। ଆଗାମୀ ଦିନରେ ଏଠାରୁ ଅନ୍ୟାନ୍ୟ ପରୀକ୍ଷାର ଟପ୍ପରମାନଙ୍କୁ ମଧ୍ୟ ଦେଖିବାକୁ ମିଳିବ। ସାରା ଭାରତରେ ଜୟପୁର ସହର ନୂଆ ଶିକ୍ଷାର ହବ୍‌ ଭାବେ ନିଜର ପରିଚୟ ସୃଷ୍ଟି କରିପାରିଛି।

ନିଟ୍‌ରେ ଜୟପୁର ଆଗରେ
ସହରର ନବୀନ ଖଣ୍ଡେଲୱାଲ ନିଜର ପ୍ରଥମ ପ୍ରୟାସରେ ନ୍ୟାସନାଲ ଏଲିଜିବିଲିଟି କମ୍‌ ଏଣ୍ଟ୍ରାନ୍ସ ଟେଷ୍ଟ (ଏନ୍‌ଇଇଟି) ୨୦୧୯ରେ ସର୍ବଭାରତୀୟ ସ୍ତରରେ ପ୍ରଥମ ହୋଇ ଇତିହାସ ରଚନା କରିଛନ୍ତି। ପ୍ରଥମ ଥର ପାଇଁ ଏନ୍‌ଇଇଟିର ଟପ୍‌ ଟେନ ମଧ୍ୟରେ ଜୟପୁରର ରାଙ୍କ ଆସିଥିଲା ଏବଂ ଏହା ପୁଣି ପ୍ରଥମ। ବିଶେଷଞ ଆଶିଷ ଅରୋରାଙ୍କ ଅନୁଯାୟୀ, ଡାକ୍ତରୀ ଶିକ୍ଷା କ୍ଷେତ୍ରରେ ବିଦ୍ୟାର୍ଥୀମାନେ ଏବେ ବେଶ୍‌ ସଫଳତା ପ୍ରଦର୍ଶିତ କରୁଛନ୍ତି। ଟପ୍‌ ୧୦୦ ସଫଳ ବିଦ୍ୟାର୍ଥୀଙ୍କ ମଧ୍ୟରେ ଜୟପୁରର ୭ ଜଣ ସ୍ଥାନ ପାଇଥିବା କିଛି କମ୍‌ କଥା ନୁହେଁ। ଏମାନଙ୍କ ମଧ୍ୟରୁ ସମୀର ଗୋଦରା ଦ୍ବାଦଶ ରାଙ୍କ, ଲଳିତ ଅଗ୍ରୱାଲଙ୍କୁ ୨୪ତମ ରାଙ୍କ, ନବୀନ କୁମାର ଶର୍ମାଙ୍କୁ ୭୨ ରାଙ୍କ, ଉତ୍କର୍ଷ ଶର୍ମାଙ୍କୁ ୮୬ତମ ରାଙ୍କ, ମେଘା ଗୁପ୍ତାଙ୍କୁ ୯୪ତମ ରାଙ୍କ ଏବଂ ସକ୍ଷମ ଚୌଧୁରୀଙ୍କୁ ୯୫ତମ ରାଙ୍କ ମିଳିଛି। ସେ ସୂଚିତ କରାଇଛନ୍ତି ଯେ ପ୍ରତିବର୍ଷ କେବଳ ଜୟପୁର ସହରରୁ ୮ ହଜାର ବିଦ୍ୟାର୍ଥୀ ନିଟ୍‌ ପରୀକ୍ଷା ଦେଇଥାନ୍ତି। ଏମାନଙ୍କ ମଧ୍ୟରୁ ୬୫୦ରୁ ୭୫୦ ବିଦ୍ୟାର୍ଥୀ ଏମ୍‌ସ ଏବଂ ସରକାରୀ ମେଡିକାଲ କଲେଜରେ ନିଜର ସ୍ଥାନ ସୁନିଶ୍ଚିତ କରାଇଥାନ୍ତି।

କନିଷ୍କ ଏବଂ ଅକ୍ଷତ ହେଲେ ୟୁପିଏସ୍‌ସି ଟପ୍ପର
ୟୁପିଏସ୍‌ସି ସିଭିଲ ସେବା ପରୀକ୍ଷା ୨୦୧୮ରେ ଅଲ୍‌ଇଣ୍ଡିଆ ଟପ୍ପର କନିଷ୍କ କଟ୍‌ଟରିଆଙ୍କ ଘର ହେଉଛି ଜୟପୁର। ସର୍ବଭାରତୀୟ ସ୍ତରରେ ଦ୍ବିତୀୟ ରାଙ୍କ ପାଇଥିବା ବିଦ୍ୟାର୍ଥୀଙ୍କ ଘର ମଧ୍ୟ ଜୟପୁର ନିକଟରେ। ଏଠାକାର ଅକ୍ଷତ ଜୈନ ୟୁପିଏସ୍‌ସି ସିଭିଲ ସର୍ଭିସ ପରୀକ୍ଷାରେ ଦ୍ବିତୀୟ ସ୍ଥାନ ହାସଲ କରି ଜୟପୁର ମୁଣ୍ଡରେ ଆଉ ଏକ ସଫଳତାର ଟୀକା ଲଗାଇଛନ୍ତି। ବିଶେଷଞ ରାଘବ ପ୍ରକାଶଙ୍କ ମତରେ ଜୟପୁରରେ ବିଗତ ୧୦ ବର୍ଷରେ ୟୁପିଏସ୍‌ସିର ପ୍ରସ୍ତୁତିକୁ ନେଇ ଏକ ସ୍ବାସ୍ଥ୍ୟକର ପରିବେଶ ବିକଶିତ ହୋଇପାରିଛି। ଏହି ସହରର ଶାନ୍ତି ଶୃଙ୍ଖଳାରୁ ବିଦ୍ୟାର୍ଥୀମାନେ ବେଶ୍‌ କିଛି ଶିଖିବା ଉଚିତ। ବିଦ୍ୟାର୍ଥୀମାନେ ନିଜ ଲକ୍ଷ୍ୟ ସାଧନ ପାଇଁ ପ୍ରଥମରୁ ସ୍ପଷ୍ଟତା ନେଇ ଏଠାରେ ପହଞ୍ଚିଥାନ୍ତି।

ସବୁଠୁ ଅଧିକ ଚୟନ ଦୌଡ଼ରେ ଜୟପୁର
ଜୟପୁରର ପ୍ରତିଟି ଚତୁର୍ଥ ଛାତ୍ରଙ୍କୁ ଆଇଆଇଟି ଓ ଟ୍ରିପଲ ଆଇଟିରେ ସଫଳତା ମିଳିଥାଏ। ବିଶେଷଞ ଆଶିଶ ଅରୋରାଙ୍କ ମତରେ ଜେଇଇ ଆଡଭାନ୍ସରେ ପ୍ରତିବର୍ଷ ଜୟପୁରର ସାଢ଼େ ଚାରିହଜାର ଛାତ୍ର ପରୀକ୍ଷା ଦେଇଥାନ୍ତି। ଏମାନଙ୍କ ମଧ୍ୟରୁ ପ୍ରାୟ ୩୫୦ ଜଣ ଛାତ୍ରଙ୍କୁ ଆଇଆଇଟି ଏବଂ ୬୫୦ ଛାତ୍ରଙ୍କୁ ଏନ୍‌ଆଇଟି ଏବଂ ଟ୍ରିପଲ ଆଇଟିରେ ଚୟନ କରାଯାଇଥାଏ। ସହରର ପ୍ରତି ଚତୁର୍ଥ ଛାତ୍ର ଆଇଆଇଟି/ଏନ୍‌ଆଇଟିରେ ନିଜର ସ୍ଥାନକୁ ନିଶ୍ଚିତ କରାଇଥାଏ।

ସିଏର ଗଡ଼ ଜୟପୁର ପୁଣି ରଚିଲା ଇତିହାସ
ଦେଶର ସବୁଠୁ ଅଧିକ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ (ସିଏ) ଜୟପୁର ସହରରୁ ହିଁ ସୃଷ୍ଟି ହୋଇଥାନ୍ତି। ସିଏ ଫାଇନାଲ ଏବଂ ଇଣ୍ଟରମିଡିଏଟର ଅଲ୍‌ଇଣ୍ଡିଆ ଟପ୍ପର ମଧ୍ୟ ୨୦୧୯ରେ ଜୟପୁର ନିକଟକୁ ଯାଇଛି। ଜୟପୁରର ଅଜୟ ଅଗ୍ରୱାଲ ସିଏ ଫାଇନାଲ (ଓଲ୍‌ଡ କୋର୍ସ) ଏବଂ ଅକ୍ଷତ ଗୋଏଲ ସିଏ ଇଣ୍ଟରମିଡିଏଟରେ ସାରା ଦେଶରେ ପ୍ରଥମ ସ୍ଥାନ ହାସଲ କରିଛନ୍ତି।

ଇନଷ୍ଟିଚ୍ୟୁଟ ଅଫ ଚାର୍ଟାର୍ଡ ଆକାଉଣ୍ଟାଣ୍ଟସ ଅଫ୍‌ ଇଣ୍ଡିଆ (ଆଇସିଏଆଇ)ର ଜୟପୁର ଚାପ୍ଟରର ଅଧ୍ୟକ୍ଷ ସିଏ ଲୋକେଶ କାସଟଙ୍କ ମତରେ ଗୋଲାପନଗରୀ ଜୟପୁରରୁ ପ୍ରତିବର୍ଷ ରେକର୍ଡ ସଂଖ୍ୟକ ସିଲେକ୍ସନ ହୋଇଥାଏ। ସିଏ ଫାଇନାଲ ମେ ୨୦୧୮ରେ ଅତୁଲ ଅଗ୍ରୱାଲ ଅଲ୍‌ଇଣ୍ଡିଆ ଟପ୍ପର ହୋଇଛନ୍ତି। ସିଏ ଫାଇନାଲ (ନିଉ କୋର୍ସ) ମେ ୨୦୧୯ରେ ଟପ୍‌ ୫୦ ରାଙ୍କରୁ ଜୟପୁରର ୧୧ ଜଣ ଛାତ୍ର ଯୋଡ଼ି ହୋଇଛନ୍ତି। ସିଏ ଫାଇନାଲ (ନୂଆ ପାଠ୍ୟକ୍ରମ) ମେ ୨୦୧୯ରେ ଦୁଇ ଗ୍ରୁପରେ ଏକ ସମୟରେ ମୋଟ ୧୧ ହଜାର ୯୨ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। ଏମାନଙ୍କ ମଧ୍ୟରୁ ୨ ହଜାର ୩୧୩ ଜଣ ଛାତ୍ରଛାତ୍ରୀ ପରୀକ୍ଷାରେ ସଫଳତା ହାସଲ କରିଥିଲେ। ଅଲ୍‌ଇଣ୍ଡିଆ ପାସ୍‌ିଂ ପ୍ରତିଶତ ୨୦.୮୫ ରହିଥିଲା। ଦୁଇଟି ଗ୍ରୁପରେ ମୋଟ ୪୬୦ ବିଦ୍ୟାର୍ଥୀଙ୍କ ମଧ୍ୟରୁ ୧୨୮ ଜଣ ବିଦ୍ୟାର୍ଥୀ ପାସ୍‌ ହୋଇଥିଲେ। ଫଳ ୨୭.୮୨ ପ୍ରତିଶତ ରହିଥିଲା। ଅଲ୍‌ଇଣ୍ଡିଆ ସ୍ତରରେ ଜୟପୁରର ବିଦ୍ୟାର୍ଥୀମାନଙ୍କ ପାସ୍‌ ହାର ଅଧିକ ରହିଆସୁଥିବା ଲକ୍ଷ୍ୟ କରାଯାଇଛି।

ସହରର ପାଞ୍ଚଜଣ ସାଙ୍ଗ ଇନଷ୍ଟିଚ୍ୟୁଟ ଅଫ୍‌ କମ୍ପାନୀ ସେକ୍ରେଟାରିଜ ଅଫ୍‌ ଇଣ୍ଡିଆ (ଆଇସିଏସ୍‌ଆଇ)ର ଇତିହାସରେ ନିଜ ନାମ ସ୍ବର୍ଣ୍ଣିମ ଅକ୍ଷରରେ ଦରଜ କରାଇ ନୂଆ କୀର୍ତ୍ତିମାନ ସୃଷ୍ଟି କରିଛନ୍ତି। କମ୍ପାନୀ ସେକ୍ରେଟାରୀ ପରୀକ୍ଷା ଇତିହାସରେ ପ୍ରଥମ ଥର ଟପ ୩ ରାଙ୍କ କୌଣସି ଏକ ଚାପ୍ଟରରୁ ଆସିଛି ଏବଂ ଏହି ସ୍ବର୍ଣ୍ଣିମ ରେକର୍ଡ ଜୟପୁର ନାମରେ ହିଁ ରହିଛି। ଆଇସିଏସ୍‌ଆଇ ଜୟପୁର ଚାପ୍ଟରର ଚେୟାରମ୍ୟାନ ସିଏସ ରାହୁଲ ଶର୍ମାଙ୍କ ଅନୁଯାୟୀ ଜୟପୁରର କୃତି ଖଣ୍ଡେଲୱାଲ ସର୍ବଭାରତୀୟ ସ୍ତରରେ ପ୍ରଥମ ସ୍ଥାନ ହାସଲ କରି ଜୟପୁରକୁ ଗୌରବାନ୍ବିତ କରାଇଛନ୍ତି। ଏଠାକାର ହର୍ଷା ଚୋଇଥାନି ସର୍ବଭାରତୀୟ ସ୍ତରରେ ଦ୍ବିତୀୟ ଏବଂ ରୁପଲ ଗୁପ୍ତା ତୃତୀୟ ଏବଂ ପାୟଲ ମିଶ୍ର ଓ ଅତିମା ମୱାନି ଯୁଗ୍ମ ଭାବେ ପଞ୍ଚମ ରାଙ୍କ ହାସଲ କରିପାରିଛନ୍ତି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ