ବଦଳିବ ଶ୍ରୀକ୍ଷେତ୍ରର ରୂପରେଖ: ଐତିହ୍ୟ କରିଡର ଯୋଜନା ଘୋଷିତ


ସବୁଜିମାମୟ ହେବ ଶ୍ରୀମନ୍ଦିରର ଚାରିପାଖ। ଶାନ୍ତ ସ୍ନିଗ୍ଧ ପରିବେଶ, ଶୀତଳ ପବନ ଆଉ ସବୁଜ ଗଛର ଆଢୁଆଳରୁ ଭକ୍ତ ଦେଖିବେ ବଡ଼ ଦେଉଳର ପତିତପାବନ ନେତ। ଏଣିକି ଆଉ ଡ଼ହ ଡ଼ହ ତତଲା  ଖରାରେ ନୁହେଁ, ବରଂ ଗଛ ଛାଇ ତଳୁ ଦେଖିହେବ ବଡ଼ ଦେଉଳ। ପୁରୀର ଐତିହ୍ୟ କରିଡର ବିକାଶ ଆଭିମୁଖ୍ୟ ନେଇ ଶ୍ରୀମନ୍ଦିର ଚାରିପାଖର ନକ୍ସା ପରିବର୍ତ୍ତନ ପାଇଁ ରାଜ୍ୟ ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି। ତେବେ ଏହାକୁ ଚୂଡାନ୍ତ ରୂପ ଦେବା ପୂର୍ବରୁ ଏ ସଂକ୍ରାନ୍ତରେ ଜନସାଧାରଣଙ୍କ ଠାରୁ ପ୍ରସ୍ତାବ ଲୋଡାଯାଇଛି। ସମସ୍ତ ମତାମତକୁ ତର୍ଜମା କରିବା ପରେ ଆସନ୍ତା ଫେବ୍ରୁଆରୀ ମାସରେ ଏହି ଐତିହ୍ୟ କରିଡର ନକ୍ସାକୁ ଚୂଡାନ୍ତ ରୂପ ଦିଆଯିବ।

ସୋମବାର ଅର୍ଥାତ  ଡିସେମ୍ବର ୩୦ ତାରିଖ ଦିନ ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଶ୍ରୀଜଗନ୍ନାଥ ହେରିଟେଜ କରିଡର ଚିଠା ଐତିହ୍ୟ ଯୋଜନା  ଓଡ଼ିଶାର ଜନସାଧାରଣଙ୍କ ଉଦେଶ୍ୟରେ ଲୋକାର୍ପିତ କରିଛନ୍ତି। ଏହି ଐତିହ୍ୟ ପ୍ଳାନ୍‌ ଚିଠା ସମ୍ପର୍କରେ ଜନସାଧାରଣ ସେମାନଙ୍କର ମୂଲ୍ୟବାନ ମତକୁ ଇ-ମେଲ୍‌ ଜରିଆରେ ଆସନ୍ତା ଜାନୁଆରୀ ୧୫ସୁଦ୍ଧା ଶ୍ରୀମନ୍ଦିରର ପ୍ରଶାସନକୁ ପଠାଇବା ନିମନ୍ତେ ପରାମର୍ଶ ଦିଆଯାଇଛି। ଜନସାଧାରଣଙ୍କ ପ୍ରସ୍ତାବକୁ ତର୍ଜମା କରାଯାଇ ଚୂଡାନ୍ତ ଆର୍ଚ୍ଚିଟେକ୍‌ଚରାଲ ପ୍ଳାନ୍‌ ଫେବୃଆରୀରେ ପ୍ରକାଶିତ ହେବ। ଶ୍ରୀଜଗନ୍ନାଥ ଐତିହ୍ୟ କରିଡର ପାଇଁ ଯେଉଁ ମଠ ଓ ବ୍ୟକ୍ତି ବିଶେଷମାନେ ଜମି ଦେଇଛନ୍ତି, ମୁଖ୍ୟମନ୍ତ୍ରୀ ସେମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି। ମହାପ୍ରଭୁଙ୍କ କାର୍ଯ୍ୟ ପାଇଁ ଜମିଦାନ କରିଥିବା ବ୍ୟକ୍ତି ବିଶେଷଙ୍କର ନାମ ଏହି ଐତିହ୍ୟ କରିଡରରେ ଏକ ଫଳକରେ ସବୁଦିନ ପାଇଁ ସ୍ଥାନିତ ହୋଇ ରହିବ ବୋଲି ମୁଖ୍ୟମନ୍ତ୍ରୀ ସୂଚିତ କରାଇଛନ୍ତି।

 ସେହିପରି ଐତିହ୍ୟ କରିଡର ପାଇଁ ଅଧିଗୃହୀତ ସମସ୍ତ ଜମି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନାମରେ ରେକର୍ଡ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ସୂଚନାଯୋଗ୍ୟ ଯେ ଶ୍ରୀମନ୍ଦିରର ସୁରକ୍ଷାକୁ ଦୃଷ୍ଟିରେ ରଖି ତା’ର ଚତୁପାଶ୍ୱର୍ର ୭୫ମିଟର ପର୍ଯ୍ୟନ୍ତ ଖାଲି କରାଯାଇ ଏହାର ବିକାଶ ଓ ସୌନ୍ଦର୍ଯ୍ୟକରଣ ପାଇଁ ରାଜ୍ୟ ସରକାର କାର୍ଯ୍ୟ ଆରମ୍ଭ କରିଛନ୍ତି । ସୋମବାର ଲୋକାର୍ପିତ ହୋଇଥିବା ଚିଠା ଆର୍ଚ୍ଚିଟେକ୍‌ଚରାଲ ପ୍ଳାନ୍‌ କେବଳ କରିଡରର ସୌନ୍ଦର୍ଯ୍ୟକରଣ ଓ ବିଭିନ୍ନ ସୁବିଧା ସୁଯୋଗର ବିକାଶ ମଧ୍ୟରେ ସୀମିତ ଅଟେ । ଶ୍ରୀମନ୍ଦିର ସୁରକ୍ଷା ଓ ଫଙ୍କସନାଲିଟି ନିମନ୍ତେ ଯୋଜନା ପ୍ରସ୍ତୁତି ଦାୟିତ୍ୱ ଏ ସଂକ୍ରାନ୍ତରେ ଖ୍ୟାତି ଅର୍ଜନ କରିଥିବା ବୃତ୍ତିଧାରୀମାନଙ୍କୁ ଅର୍ପଣ କରିବା ପାଇଁ ସ୍ଥିର କରାଯାଇଛି। ମହାପ୍ରଭୁଙ୍କ ପୁରୀ ଧାମକୁ ବର୍ଷ ସାରା ଦେଶ ବିଦେଶରୁ ଲକ୍ଷ ଲକ୍ଷ ତୀର୍ଥଯାତ୍ରୀ ଆସୁଛନ୍ତି। ତେଣୁ ସେମାନଙ୍କୁ ଆବଶ୍ୟକ ସୁବିଧା ସୁଯୋଗ ଯୋଗାଇବା ସହିତ ସେମାନେ ଯେପରି ପବିତ୍ର ଅନୁଭୂତି ନେଇ ଫେରିବେ, ତା’ ଉପରେ ଏହି ପାରି ପାର୍ଶ୍ଵିକ  ବିକାଶ ଉପରେ ଗୁରୁତ୍ୱ ଦିଆଯାଇଛି । ଏଥିରେ ଯାତ୍ରୀମାନଙ୍କ ସୁବିଧା ନିମନ୍ତେ ଅତ୍ୟାଧୁନିକ ଶୃଙ୍ଖଳିତ ଧାଡି ବ୍ୟବସ୍ଥା କରାଯିବା ସହିତ ମଝିରେ ମଝିରେ ବିଶ୍ରାମ ନେବାର ସୁବିଧା ମଧ୍ୟ କରାଯିବ। ଯାତ୍ରୀମାନଙ୍କ ପାଦ ଓ ହାତ ଧୋଇବା ନିମନ୍ତେ ଅତ୍ୟାଧୁନିକ ବ୍ୟବସ୍ଥା, ଉପଯୁକ୍ତ ଆଲୋକ, ସିସିଟିଭି ବ୍ୟବସ୍ଥା ସହିତ ପିଇବା ପାଣି ଓ ଶୌଚାଳୟ ବିକାଶ କରାଯିବ ।

ଶ୍ରୀମନ୍ଦିର ଚତୁପାଶ୍ୱର୍ରେ ନିରାପତ୍ତା ବ୍ୟବସ୍ଥାକୁ ସୁଦୃଢ଼ କରାଯିବ। ଶ୍ରୀଜଗନ୍ନାଥଙ୍କର ବିଭିନ୍ନ ବେଶ, ଦଶାବତାର ଏବଂ ଜଗନ୍ନାଥ ସଂସ୍କୃତିର ଅନନ୍ୟ ବୈଭବ ସମ୍ପର୍କରେ ଯାତ୍ରୀମାନଙ୍କୁ ଅବଗତ କରାଇବା ପାଇଁ ବ୍ୟବସ୍ଥା କରାଯିବ। ମୁକ୍ତାକାଶ ମଞ୍ଚରେ ଓଡ଼ିଶାର କଳା ଓ ସଂସ୍କୃତିର ପ୍ରଦର୍ଶନର ଆୟୋଜନ ମଧ୍ୟ କରାଯିବ । ପୁରୀକୁ ଦେଶ ବିଦେଶରୁ ଲକ୍ଷ ଲକ୍ଷ ତୀର୍ଥଯାତ୍ରୀ ଆସୁଥିବା ପରିପ୍ରେକ୍ଷୀରେ ସେମାନଙ୍କୁ କିଭଳି ସମସ୍ତ ସୁବିଧା ସୁଯୋଗ ମିଳିବ, ଏକ ପବିତ୍ର ଅନୁଭୂତି ନେଇ ଫେରିବେ, ତାହାକୁ ଲକ୍ଷ୍ୟ ରଖି ଏହି ପାରିପାର୍ଶ୍ବିକ ବିକାଶକୁ ସରକାର ଗୁରୁତ୍ବ ଦେଇଥିବା କହିଛନ୍ତି। ସେହିଭଳି ମୁକ୍ତାକାଶ ମଞ୍ଚରେ ଓଡ଼ିଶାର କଳା ଓ ସଂସ୍କୃତିକ ପ୍ରଦର୍ଶନ ଆୟୋଜନ ମଧ୍ୟ କରାଯିବ ବୋଲି ପରିକଳ୍ପନା କରାଯାଇଛି । ଜନସାଧାରଣ ମତାମତ ପଠାଇବା ପାଇଁ ଇ -ମେଲ (jagannath.or@nic.in), ଫାକ୍ସ (୦୬୭୫୨-୨୫୨୧୦୦) ଓ ଟେଲିଫୋନ୍ (୦୬୭୫୨-୨୫୨୯୦୦) ନମ୍ବର ସରକାର ଜାରି କରିଛନ୍ତି। ଶ୍ରୀକ୍ଷେତ୍ରର ବିକାଶ ପାଇଁ ରାଜ୍ୟ ସରକାରଙ୍କ ଏଭଳି ପରିକଳ୍ପନା କିଭଳି ବାସ୍ତବ ରୂପାୟନ ହୋଇପାରିବ; ତାହା ଉପରେ ଏବେ ରାଜ୍ୟବାସୀଙ୍କ ନଜର।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ