ଭୁଲ୍‌ ଚାଲାଣ କଟିଥିଲେ ଫେରସ୍ତ ମିଳିବ ଟଙ୍କା


ଭୁବନେଶ୍ୱର: ସଂଶୋଧିତ ଟ୍ରାଫିକ୍‌ ନିୟମ କଡ଼ାକଡ଼ି କରାଯିବା ପରେ ଉଲ୍ଲଂଘନକାରୀଙ୍କଠାରୁ ଚାଲାଣ କରାଯାଇ ମୋଟା ଅଙ୍କର ଜରିମାନା ଆଦାୟ କରାଯାଉଛି। ହେଲେ କେତେକ କ୍ଷେତ୍ରରେ ଚାଲାଣ କାଟିବାରେ ତ୍ରୁଟି ପରିଲକ୍ଷିତ ହେବାର ନଜିର ରହିଛି। ଯେଉଁମାନେ ନିୟମ ଉଲ୍ଲଂଘନ କରି ନାହାନ୍ତି ତାଙ୍କ ଘରକୁ ଇ-ଚାଲାଣ ଯାଇ ପହଞ୍ଚି ଯାଉଛି। ଏପରିକି କାର୍‌ ଚାଳକଙ୍କୁ ହେଲମେଟ୍‌ ପିନ୍ଧି ନ ଥିବାରୁ ଜରିମାନା ମଧ୍ୟ କରାଯାଇଛି। ଏନେଇ ତର୍କବିତର୍କ ହେବା ପରେ ରାଜ୍ୟ ସରକାରଙ୍କ ପକ୍ଷରୁ ନୂଆ ଘୋଷଣା କରାଯାଇଛି। ଶୁକ୍ରବାର ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା କହିଛନ୍ତି, ଭୁଲ୍‌ ଚାଲାଣ କଟାଯିବା କଥା ନୁହେଁ। ମାତ୍ର ଯଦି କଟିଥିବ ତେବେ ସଂପୃକ୍ତି ବ୍ୟକ୍ତିଙ୍କ ନିକଟକୁ ଟଙ୍କା ଫେରସ୍ତ କରାଯିବ।

ସୂଚନାଯୋଗ୍ୟ, ଡିସେମ୍ବର ୧ରୁ ପୁନର୍ବାର ଟ୍ରାଫିକ୍‌ ନିୟମକୁ କଡ଼ାକଡ଼ି କରାଯାଇଥିବା ବେଳେ କଟକର ଜଣେ ମହିଳା କାର୍‌ ଚାଳକଙ୍କଠାରୁ ହେଲମେଟ୍‌ ପିନ୍ଧି ନ ଥିବାରୁ ଚାଲାଣ କଟାଯାଇଥିବା ଅଭିଯୋଗ ହୋଇଥିଲା। ସେହିଭଳି ଗାଡ଼ି ରାସ୍ତାରେ ଗଡ଼ି ନ ଥିଲେ ବି ଓଭରସ୍ପିଡିଂ ପାଇଁ ଚାଲାଣ କଟାଯାଇଥିବା ଅଭିଯୋଗ ହୋଇଥିଲା। ଶୁକ୍ରବାର ପୁଣିଥରେ ସମାନ ଘଟଣା ଘଟିଛି। କଟକ ସହର ସ୍ଥିତ ଗଙ୍ଗାମନ୍ଦିର ଅଞ୍ଚଳର ସୁଶାନ୍ତ ମହାନ୍ତି ନାମକ ଘରକୁ ଇ ଚାଲାଣ ଯାଇଛି। ଅଗଷ୍ଟ ୨୮ ତାରିଖରେ ତାଙ୍କ କାର୍‌ ନିୟମ ମାନିଥିବା ଅଭିଯୋଗରେ ୩ ହଜାର ଟଙ୍କା ଜରିମାନା କରାଯାଇଛି। ଯେଉଁଥିରେ ଡିଏଲ୍, ପଲ୍ୟୁସନ ସାର୍ଟିଫିକେଟ, ଦ୍ରୁତ ଚାଳନା ଏବଂ ଗାଡ଼ି ନ ଅଟକାଇବାରୁ ଏହି ଜରିମାନା କରାଯାଇଥିବା ଜଣାପଡ଼ିଛି। ମାତ୍ର ତାଙ୍କର ପଲ୍ୟୁସନ୍‌ ସାର୍ଟିଫିକେଟ୍‌, ଡିଏଲ୍‌ ଥିବା ବେଳେ ଅଗଷ୍ଟ ୨୮ ତାରିଖରେ ତାଙ୍କ ଗାଡ଼ି ବାହାରି ନ ଥିଲା ବୋଲି ସେ କହିଛନ୍ତି। ପରିବହନ ବିଭାଗ ବେପରୁଆ ଭାବେ ଏଭଳି ଚାଲାଣ କାଟୁଥିବା ସେ ଅଭିଯୋଗ କରିଛନ୍ତି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ