ରାଜ୍ୟରେ ମହିଳା ଓ ନାବାଳିକା ଅସୁରକ୍ଷିତ ପ୍ରସଙ୍ଗରେ ଶ୍ବେତପତ୍ର ଜାରି କରିବାକୁ କଂଗ୍ରେସର ଦାବି


ଭୁବନେଶ୍ୱର: ପ୍ରତିଦିନ ଲଗାତର ଭାବେ ରାଜ୍ୟର ବିଭିନ୍ନ ସ୍ଥାନରେ ନାବାଳିକା ଓ ମହିଳାଙ୍କ ପ୍ରତି ବୃଦ୍ଧି ପାଉଥିବା ଅସଦାଚରଣ, ଯୌନ ନିର୍ଯାତନା, ଦୁଷ୍କର୍ମ ଓ ଗଣଦୁଷ୍କର୍ମ ଘଟଣା ରାଜ୍ୟବାସୀଙ୍କୁ ବ୍ୟଥିତ କରିଛି। ପୁରୀ ଗଣଦୁଷ୍କର୍ମ ଘଟଣା ପରେ ବୁଧବାର ରାଜଧାନୀର ଖଣ୍ଡଗିରି ଅଞ୍ଚଳରେ ମହିଳାଙ୍କୁ ଦୁଷ୍କର୍ମ, କାକଟପୁର ଥାନା ଅନ୍ତର୍ଗତ ବାଉରିଆଗଣ ଗାଁରେ ନାବାଳିକାଙ୍କୁ ଦୁଷ୍କର୍ମ ଓ ହତ୍ୟା, ଭଦ୍ରକ ଜିଲ୍ଲା ଧୁଷୁରୀ ଅଞ୍ଚଳରେ ନାବାଳିକାଙ୍କୁ ଦୁଷ୍କର୍ମ, କୋରାପୁଟ ଜିଲ୍ଲା ଜୟପୁର ସେବାଶ୍ରମରେ ଛାତ୍ରୀ ଅନ୍ତସତ୍ତ୍ବା ହେବା ପ୍ରସଙ୍ଗ, ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ମହାବିଦ୍ୟାଳୟର ପଦାର୍ଥ ବିଜ୍ଞାନର ଅଧ୍ୟାପିକାଙ୍କୁ ପୋଲିସ୍‌ ପ୍ରଶାସନ ନ୍ୟାୟ ନ ଦେବାରୁ ଅଧ୍ୟାପିକାଙ୍କ ଆତ୍ମହତ୍ୟା ପ୍ରସଙ୍ଗ, ଶାସକ ବିଜେଡି ଦଳର ସଂପୃକ୍ତିରେ ହରିଦାସପୁର ପିଇଓ ସ୍ମିତାରାଣୀଙ୍କର ରହସ୍ୟଜନକ ମୃତ୍ୟୁ ପ୍ରସଙ୍ଗ, ରାଉରକେଲାର ନାବାଳିକାକୁ ଅସଦାଚରଣ, ପୁରୀର ନାବାଳିକାକୁ ଗଣଦୁଷ୍କର୍ମ ଓ ପରିଶେଷରେ ଭୁବନେଶ୍ୱରସ୍ଥ ଅଶୋକନଗର ୟୁକୋ ବ୍ୟାଙ୍କ୍‌ର ସିନିୟର ମ୍ୟାନେଜର୍‌ ନବରଙ୍ଗପୁର ନିବାସୀ ଆର୍‌ ରଞ୍ଜିତା ରାଓଙ୍କ ଅନ୍ତରଙ୍ଗ ଫଟୋକୁ ସୋସାଲ୍‌ ମିଡିଆରେ ଭାଇରାଲ୍‌ କରିବା ଦ୍ୱାରା ମାନସିକ ଚାପ କିମ୍ବା ଅନ୍ୟ ଯେକୌଣସି ସଙ୍ଗୀନ କାରଣ ଯୋଗୁ ମହିଳାଙ୍କ ଆତ୍ମହତ୍ୟା ପ୍ରସଙ୍ଗ ସମ୍ପ୍ରତି ରାଜ୍ୟବାସୀଙ୍କୁ ରାଜ୍ୟ ସରକାରଙ୍କ ମା’କୁ ସମ୍ମାନ ଦେବାରେ କେତେଦୂର ଯଥାର୍ଥ ମୁଖ୍ୟମନ୍ତ୍ରୀ ଓ ମହିଳା ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁ ରାଜ୍ୟବାସୀଙ୍କୁ ଉତ୍ତର ଦେବା ପାଇଁ କଂଗ୍ରେସ ଦାବି କରିଛି।

ପ୍ରତି ୧୫ ମିନିଟ୍‌ରେ ଦେଶରେ ଜଣେ ମହିଳା ଦୁଷ୍କର୍ମ, ଗଣଦୁଷ୍କର୍ମର ଶିକାର ହେଉଥିବା ବେଳେ ଦୈନିକ ୮ ଜଣ ମହିଳା, ନାବାଳିକା ଓଡ଼ିଶାରେ ଦୁଷ୍କର୍ମ, ଗଣଦୁଷ୍କର୍ମ ଓ ଅସଦାଚରଣ ଓଡ଼ିଶାକୁ ବଳାତ୍କାରୀ ରାଜ୍ୟରେ ପରିଣତ କରିବାରେ ଲାଗିଛି ବୋଲି କଂଗ୍ରେସ କହିଛି। ଏ ସମସ୍ତ ପ୍ରସଙ୍ଗ ଯେଉଁଠି ଯେଉଁ ସମୟରେ ସଙ୍ଗଠିତ ହେଉଥିଲେ ବି କଂଗ୍ରେସ ଦଳ ପୀଡ଼ିତା ଓ ତାଙ୍କର ପରିବାର ବର୍ଗଙ୍କ ସହିତ ଶେଷ ଲଢ଼େଇ ପର୍ଯ୍ୟନ୍ତ ନ୍ୟାୟ ଦେବା ପାଇଁ ଉଦ୍ୟମ ଜାରି ରଖିବ ବୋଲି କଂଗ୍ରେସର ବରିଷ୍ଠ ନେତା ସତ୍ୟପ୍ରକାଶ ନାୟକ କହିଛନ୍ତି। ରାଜ୍ୟ ସରକାରଙ୍କର ଅନ୍ତରିକତାର ଅଭାବ, ଦାୟିତ୍ୱହୀନ ଓ ଅପାରଗତା ଯୋଗୁ ରାଜ୍ୟରେ କ୍ରମାଗତ ଭାବେ ହୁ ହୁ ବୃଦ୍ଧି ପାଉଥିବା ନାରୀ ଓ ଶିଶୁ ନିର୍ଯାତନା, ଦୁଷ୍କର୍ମ ଓ ଗଣଦୁଷ୍କର୍ମ ବିରୋଧରେ ତଥା ମହିଳା ଓ ଶିଶୁମାନଙ୍କର ସୁରକ୍ଷା, ନିରାପତ୍ତା, ସମ୍ମାନ ଓ ସ୍ବାଭିମାନ ଦାବିରେ କଂଗ୍ରେସ କେବେବି ହୀନ ରାଜନୀତି କରିନାହିଁ। ବରଂ ୫ମ ପାଳିର ଲଗାତର ମୁଖ୍ୟମନ୍ତ୍ରୀ ଭାବେ ରାଜ୍ୟବାସୀଙ୍କ ପାଖରେ ସର୍ବ ସମ୍ମୁଖରେ ମୁଖ୍ୟମନ୍ତ୍ରୀ ଉତ୍ତରଦାୟୀ ବୋଲି  ନାୟକ ଯୁକ୍ତି ବାଢ଼ିଥିଲେ।

ବିଧାନସଭାର ନିର୍ଦ୍ଦିଷ୍ଟ ସମୟସୀମାର ଅବ୍ୟବହିତ ପୂର୍ବରୁ ବିଧାନସଭାକୁ ବନ୍ଦ କରିବା ଘଟଣା ସଂସଦୀୟ ଗଣତନ୍ତ୍ରର ପରମ୍ପରା ପାଇଁ ଏକ କଳଙ୍କିତ ଅଧ୍ୟାୟ। ମହିଳାମାନଙ୍କର ସୁରକ୍ଷା, ନିରାପତ୍ତା, ସମ୍ମାନ ଓ ସ୍ବାଭିମାନ ଦୃଷ୍ଟିରୁ ମୁଖ୍ୟମନ୍ତ୍ରୀ ତତ୍‌କ୍ଷଣାତ ଏକ ସ୍ବତନ୍ତ୍ର ବିଧାନସଭା ଅଧିବେଶନ ଡକାଇ ଉପରୋକ୍ତ ପ୍ରସଙ୍ଗକୁ ଆଲୋଚନା କରାଯାଇ ନିରପେକ୍ଷ ତଦନ୍ତର ବ୍ୟବସ୍ଥା କରି ଦୋଷୀକୁ ଉପଯୁକ୍ତ ଦଣ୍ଡ ବିଧାନର ସମସ୍ତ କ୍ଷେତ୍ର ପ୍ରସ୍ତୁତ କରିବାକୁ ନାୟକ ଦୃଢ ଦାବି କରିଥିଲେ। ଏପରିକି ନାରୀମାନଙ୍କ ସୁରକ୍ଷା, ନିରାପତ୍ତା, ସମ୍ମାନ ଓ ସ୍ବାଭିମାନ ଦୃଷ୍ଟିରୁ ବିଧାନସଭାରେ ଏକ ଶ୍ୱେତପତ୍ର ଆଗତ କରିବାକୁ ନାୟକ ଦୃଢ଼ ଦାବି କରିଛନ୍ତି। ଦରକାର ପଡ଼ିଲେ ମୁଖ୍ୟମନ୍ତ୍ରୀ ସମସ୍ତ ପ୍ରମୁଖ ରାଜନୈତିକ ଦଳର ଦଳପତିଙ୍କୁ ତଥା ବରିଷ୍ଠ ରାଜନେତାମାନଙ୍କୁ ଡକାଇ ଉକ୍ତ ପ୍ରସଙ୍ଗରେ ଏକ ନିର୍ଦ୍ଦିଷ୍ଟ, ଯୁଗୋପଯୋଗୀ ଓ ଭରସାଯୋଗ୍ୟ କାର୍ଯ୍ୟପନ୍ଥା ଗ୍ରହଣ କରିବାକୁ ନାୟକ ପରାମର୍ଶ ଦେଇଛନ୍ତି। ପୂର୍ବରୁ ସଂଗଠିତ ହୋଇଥିବା କୁନ୍ଦୁଲି, ଭେଡେନ୍‌, ନିହାରିକା, ବେବିନା ଓ ଇତିଶ୍ରୀ ପ୍ରସଙ୍ଗ ରାଜ୍ୟବାସୀଙ୍କ ମନରୁ ଲିଭି ନ ଥିବା ବେଳେ ଉପରୋକ୍ତ ଘଟଣାଗୁଡ଼ିକ ସନ୍ଦେହକୁ ଆହୁରି ବୃଦ୍ଧି କରୁଛି ବୋଲି ଗୁରୁ ମତପୋଷଣ କରିଥିଲେ। ସମସ୍ତ କାର୍ଯ୍ୟପନ୍ଥା ଯଦି ଅବିଳମ୍ବେ ଓ ସକ୍ରୀୟତାର ସହିତ ମୁଖ୍ୟମନ୍ତ୍ରୀ ଓ ମହିଳା ଶିଶୁ ବିକାଶ ମନ୍ତ୍ରୀ ନ ନିଅନ୍ତି ତେବେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ନିର୍ଦେଶରେ ଦଳ ଦୃଢ଼ ଆନ୍ଦୋଳନାମତ୍କ ପଦକ୍ଷେପ ଗ୍ରହଣ କରିବାକୁ ବାଧ୍ୟ ହେବ ବୋଲି ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ନେତାମାନେ ସରକାରଙ୍କୁ ଚେତାବନୀ ଦେଇଥିଲେ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ