ବଢ଼ୁଛି ବିଶ୍ୱତାପନ: ୧୦ ବର୍ଷରେ ୨ କୋଟି ୨୦ ଲକ୍ଷ ବିସ୍ଥାପିତ


ମାଦ୍ରିଦ: ଗତ ୧୦ ବର୍ଷରେ ବିଶ୍ୱତାପନ ୧.୧ ଡିଗ୍ରୀ ସେଲସିୟସ ବଢ଼ିଛି। ଏଥି ଯୋଗୁ ୨ କୋଟି ୨୦ ଲକ୍ଷରୁ ଅଧିକ ଲୋକ ବିସ୍ଥାପିତ ହୋଇଛନ୍ତି। ଏ ସମ୍ପର୍କରେ ବିଶ୍ୱ ପାଣିପାଗ ବିଞାନ ସଂଗଠନ ପକ୍ଷରୁ ଏକ ତଥ୍ୟଭିତ୍ତିକ ରିପୋର୍ଟ ପ୍ରକାଶ ପାଇଛି। ୨୦୧୦ ଠାରୁ ୨୦୧୯ ମଧ୍ୟରେ ଏଭଳି ଅସଙ୍ଗତି ରିପୋର୍ଟରେ ଦର୍ଶାଯାଇଛି। ଗତ ୪୦ ବର୍ଷ ମଧ୍ୟରେ ଲଗାତର ପ୍ରତିବର୍ଷ ବିଶ୍ୱତାପନ ପୂର୍ବବର୍ଷ ତୁଳନାରେ ବଢ଼ି ବଢ଼ି ଚାଲିଛି। ତେଣୁ ପ୍ରତିବର୍ଷ କାର୍ବନ ନିର୍ଗମନୁ ୭.୬ ପ୍ରତିଶତ କମାଇପାରିଲେ ହିଁ  ଆଗାମୀ ଦିନରେ ଉପୁଜିବାକୁ ଥିବା ସଙ୍କଟଜନକ ପରିସ୍ଥିତିରୁ ରକ୍ଷା ମିଳିପାରିବ ବୋଲି କୁହାଯାଇଛି। ନଚେତ୍‌ ୨୦୩୦ ସୁଦ୍ଧା ବିଶ୍ୱତାପନ ୧.୫ ଡିଗ୍ରୀ ବଢ଼ିଯିବ ବୋଲି ରିପୋର୍ଟରେ କୁହାଯାଇଛି।

ବିଶ୍ୱତାପନ ବୃଦ୍ଧି ପାଇବା ଯୋଗୁ ସମୁଦ୍ର ଜଳରେ ଥିବା ଲବଣ ପରିମାଣ ମଧ୍ୟ ବଢ଼ିଛି। ଗତ ୧୫୦ ବର୍ଷ ତୁଳନାରେ ଏହା ୨୬ ପ୍ରତିଶତ ବଢ଼ିଯାଇଛି। ବିଶ୍ୱତାପନ ଯୋଗୁ ଲଗାତର ଲୁ ପ୍ରବାହ, ବନ୍ୟା, ମରୁଡ଼ି ଏବଂ ସାମୁଦ୍ରିକ ଝଡ଼ ଆଦି ପରିବେଶୀୟ ସମସ୍ୟା ବଢ଼ିବାରେ ଲାଗିଛି। ବିଶ୍ୱ ପାଣିପାଗ ବିଞାନ ସଂଗଠନ ପକ୍ଷରୁ ୨୦୧୫ରେ କରାଯାଇଥିବା ସର୍ବୋଚ୍ଚ ତାପମାତ୍ରାର      ରେକର୍ଡ ୨୦୨୦ରେ ଭାଙ୍ଗିଯିବ ବୋଲି ଅନୁମାନ କରାଯାଉଛି। ଏହାର ପ୍ରଭାବରେ ଜଳବାୟୁରେ ମଧ୍ୟ ପରିବର୍ତ୍ତନ ହୋଇଚାଲିଛି। ଫଳରେ ଭାରତରେ ମୌସୁମୀର ଆଗମନରେ ବିଳମ୍ବ ଘଟୁଥିବା ରିପୋର୍ଟରେ କୁହାଯାଇଛି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ